Unknown

 

 

 

 

 

 

 

 

 

 

 

୧୯୮୪ ଓ ଅନ୍ୟାନ୍ୟ ପ୍ରବନ୍ଧ

ଅଧ୍ୟାପକ ଦେବକାନ୍ତ ମିଶ୍ର

 

ସୂଚୀପତ୍ର

 

୧.

ମୁଖବନ୍ଧ

୨.

୧୯୮୪

୩.

କେନିସୀୟ ଅର୍ଥନୀତି : ଏକ ବିହଙ୍ଗାବଲୋକନ

୪.

ଭୂପୃଷ୍ଠରେ ଜୀବ-ଜଗତର ସର୍ଜନା ସଂଭବ ହେଲା କିପରି

୫.

ସୃଷ୍ଟି ବୈଚିତ୍ର୍ୟ

୬.

ଆଧୁନିକ ପଦାର୍ଥ ବିଜ୍ଞାନର ଦିକ୍‍ଦର୍ଶନକାରୀ ଭୂମିକା

୭.

ସୌନ୍ଦର୍ଯ୍ୟବୋଧ ଓ ବିଜ୍ଞାନ

୮.

ନିରସ୍ତ୍ରୀକରଣ ରାଜିନାମର ଜରୁରୀକାଳୀନ ଆବଶ୍ୟକତା

୯.

ଆମ ଜାତୀୟ ସମସ୍ୟାଗୁଡ଼ିକୁ ସମାଧାନ କରାଯିବାର ଏକମାତ୍ର ପନ୍ଥା

୧୦.

ଜାତୀୟ ଚାହିଦା ପରିପ୍ରେକ୍ଷୀରେ ବିଜ୍ଞାନ ଓ ଟେକ୍ନୋଲଜିର ଉପଯୋଗ

୧୧.

ଭୌତିକରୁ ଅଧିଭୌତିକ

Image

 

ମୁଖବନ୍ଧ

(୧)

 

ବିଂଶ ଶତାବ୍ଦୀ ସରି ଆସୁଛି । ଏକବିଂଶ ଶତାବ୍ଦୀରେ ବିଜ୍ଞାନାଶ୍ରୟୀ ସଭ୍ୟତା ଓ ସଂସ୍କୃତିର ସଂଭାବ୍ୟ ରୂପରେଖ ସମ୍ୱନ୍ଧରେ ପ୍ରାକ୍‍ସୂଚନା ଯୋଗାଇଦେବା ପାଇଁ ତଥା ଭବିଷ୍ୟତରେ ଧକ୍କାକୁ ସହିନେବା ଭଳି ପ୍ରାକସଚେତନାର ପ୍ରସାର ଘଟାଇବାପାଇଁ ସାଂପ୍ରତିକ କାଳର ବୁଦ୍ଧିଜୀବିମାନେ ଲେଖନୀ ଚାଳନା କଲେଣି । ସମାଜବିଜ୍ଞାନ ଓ ପ୍ରାକୃତିକ ବିଜ୍ଞାନର ତ୍ୱରାନ୍ୱିତ ସମୃଦ୍ଧି ସାଧନ ତଥା ତଦାଶ୍ରୟୀ ଟେକ୍ନୋଲଜି ଗୁଡ଼ିକର ପ୍ରାୟୋଗିକ ଉପଯୋଗ ବଳରେ ଧରଣୀ ବକ୍ଷରେ ବିଶ୍ୱଭ୍ରାତୃତ୍ୱର ସର୍ଜନା ହିଁ ମନୁଷ୍ୟର ଚେତନାର କ୍ରାନ୍ତିକାରୀ ଉତ୍ତରଣ ଫଳରେ ସଂଭବ ହୋଇପାରିବ ବୋଲି କେତେକ ମହାମତି ଚିନ୍ତାନାୟକ ଦିଗ୍‍ଦର୍ଶନ ପ୍ରଦାନ କଲେଣି । ବୌଦ୍ଧିକ କ୍ଷେତ୍ରରେ ଏହି ଶୁଭଙ୍କର ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଧରଣୀ ବକ୍ଷରୁ ଅଶାନ୍ତି ଓ ଉତ୍ତେଜନା ପ୍ରଶମିତ ହୋଇନାହିଁ । ପୃଥିବୀ ବକ୍ଷରେ ଜାତୀୟତା, ସାଂପ୍ରଦାୟିକତା, ଧର୍ମ ଓ ପ୍ରାକୃତିକ ବିଭବର ବଣ୍ଟନକୁ କେନ୍ଦ୍ର କରି ଏବେ ସୁଦ୍ଧା ପୂର୍ବ ଭଳି ରକ୍ତାକ୍ତ ସଂଗ୍ରାମ ଅବ୍ୟାହତ ରହିଛି । ପ୍ରାକୃତିକ ବିଭବର ବଣ୍ଟନ, ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ଓ ଧର୍ମାନ୍ଧତାକୁ କେନ୍ଦ୍ର କରି ବର୍ତ୍ତମାନ ଦେଶ ଦେଶ ମଧ୍ୟରେ ଯେଉଁ ଛୋଟ ବଡ଼ ଯୁଦ୍ଧ ଲାଗିରହିଛି, ତାହା ଗୋଟିଏ ମହାଯୁଦ୍ଧରେ ପରିଣତ ହୋଇଯିବାର ସଂଭାବନା ମନୁଷ୍ୟକୁ ବିବ୍ରତ କରିପକାଉଛି । ଏପରି ଏକ ଯୁଦ୍ଧରେ ପ୍ରଳୟଙ୍କରୀ ନିଉକ୍ଳିଆର୍ ମାରଣାସ୍ତ୍ରଗୁଡ଼ିକୁ ପ୍ରୟୋଗ କରାଗଲେ ଧରାପୃଷ୍ଠରୁ ତଥାକଥିତ ସୁସଭ୍ୟ ମାନବ ସମାଜର ବିଲୟ ଘଟିବାର ଆଶଙ୍କା ମନୁଷ୍ୟର ମନକୁ ଉଦ୍‍ବେଳିତ କରୁଛି । ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଶିଳ୍ପୋତ୍ତର ତଥା ଶିଳ୍ପାଶ୍ରୟୀ ସମାଜର ସର୍ଜନାପାଇଁ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଅର୍ଥ, କ୍ଷମତା ଓ ସାମରିକ ଶକ୍ତି ବଳରେ ବିକାଶଶୀଳ ତଥା ଅନୁନ୍ନତ ରାଷ୍ଟ୍ରଗୁଡ଼ିକରେ ନିଜ ନିଜର ସ୍ୱାର୍ଥ ସଂରକ୍ଷଣ ପାଇଁ ଲାଳାୟିତ ହେଉଛନ୍ତି । ଅପରପକ୍ଷେ, ବିକାଶଶୀଳ ତଥା ଅନୁନ୍ନତ ରାଷ୍ଟ୍ରଗୁଡ଼ିକ ଏହି ଉନ୍ନତ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କ ଦାୟିତ୍ୱବୋଧ ସଂପର୍କରେ ସଚେତନ କରାଇଦେବା ସଙ୍ଗେ ସଙ୍ଗେ ନିଜ ନିଜର ନ୍ୟାଯ୍ୟ ଅଧିକାର ସାବ୍ୟସ୍ତ କରାଇବାପାଇଁ ବଦ୍ଧପରିକର ହେଉଛନ୍ତି । ଆନ୍ତଃରାଷ୍ଟ୍ରୀୟ ସ୍ତରରେ ଏପରି ମତାନ୍ତର ସୃଷ୍ଟି ହେବାର ଫଳସ୍ୱରୂପ ଧରଣୀ ବକ୍ଷରେ ଗୋଟିଏ ଅର୍ଥନୈତିକ ଶୃଙ୍ଖଳା ପ୍ରତିଷ୍ଠା କରାଯିବାର ଉଦ୍ୟମ ଫଳପ୍ରସୂ ହେଉନାହିଁ । ଦେଶ ଦେଶ ମଧ୍ୟରେ ଯେପରି ଅର୍ଥ ଓ କ୍ଷମତାକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇଛି, ଠିକ୍ ସେହିପରି ପ୍ରତ୍ୟେକ ରାଷ୍ଟ୍ରରେ ଉପଭୋଗୀ ଜନ-ସଂପ୍ରଦାୟ ଓ ଅବହେଳିତ ଜନତା ମଧ୍ୟରେ ମଧ୍ୟ ଗୁରୁତର ମତଭେଦ ସୃଷ୍ଟି ହୋଇଛି । ଉପଭୋଗୀ ଗୋଷ୍ଠୀ ଅର୍ଥ ଓ କ୍ଷମତା ବଳରେ ଜାତୀୟ ଆୟର ବିପୁଳାଂଶକୁ ନିଜ ନିଜର ସ୍ୱାର୍ଥ ସାଧନ ଦିଗରେ ବିନିଯୋଗ କରିବାପାଇଁ ବହୁପ୍ରକାର ଚକ୍ରାନ୍ତ ସୃଷ୍ଟି କରୁଥିବା ବେଳେ ଦାରିଦ୍ର୍ୟର କଷାଘାତରେ ଜୀବନ ବିତାଉଥିବା ଜନସାଧାରଣ ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଦେବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି । ଯଥାର୍ଥ ସମାଜବାଦର ପ୍ରତିଷ୍ଠା ବଳରେ ଜଣେ ବ୍ୟକ୍ତି ପୃଥିବୀର ଜନୈକ ନାଗରିକ ଭାବରେ ନିଜ ଅନ୍ତର୍ନିହିତ ପ୍ରତିଭାର ସୁସଂଯତ ବିକାଶ ଓ ପରିପୂର୍ଣ୍ଣ ଉପଯୋଗ ଘଟାଇ ପାରିବାଭଳି ଅନୁକୂଳ ପରିବେଶର ସର୍ଜନା ଅଦ୍ୟାବଧି ପୃଥିବୀ ପୃଷ୍ଠରେ କୁତ୍ରାପି ସଂଭବ ହୋଇନାହିଁ ।

 

ବିଜ୍ଞାନ ଓ ଟେକ୍ନୋଲଜିର ଆଶୀର୍ବାଦ ବଳରେ ପୃଥିବୀର ଆକାର ସଂକୁଚିତ ହୋଇଥିଲେ ମଧ୍ୟ ତଥା ଚତୁର୍ଦ୍ଦିଗରେ ଏକ ଚିରଚଞ୍ଚଳ ବାତାବରଣ ସୃଷ୍ଟି ହୋଇଥିଲେ ମଧ୍ୟ, ମନୁଷ୍ୟ ସ୍ୱାର୍ଥକେନ୍ଦ୍ରିକ ମନୋବୃତ୍ତିକୁ ବଳବତ୍ତର ରଖିବାପାଇଁ ପ୍ରୟାସୀ ହେବାର ପରିଣତି ସ୍ୱରୂପ ବିଜ୍ଞାନ ଓ ଟେକ୍ନୋଲଜି ଏକ କ୍ରୂର ଅଭିଶାପରେ ପରିଣତ ହେବାର ସଂଭାବନାକୁ ଏଡ଼ି ହେଉନାହିଁ । ନିଉକ୍ଳିଆର୍ ମହାଯୁଦ୍ଧର ଆଶଙ୍କା ସର୍ବତ୍ର ମନୁଷ୍ୟକୁ ଯେପରି ମ୍ରିୟମାଣ କରି ପକାଉଛି, ପରିବେଶ ଓ ପରିସଂସ୍ଥାର ପ୍ରଦୂଷଣ ମଧ୍ୟ ସେହିପରି ତା’ ମନରେ ଉଦବେଗ ସୃଷ୍ଟି କରୁଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଉନ୍ନତ ତଥା ବିକାଶଶୀଳ ରାଷ୍ଟ୍ର ନିର୍ବିଶେଷରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ମାନବିକତାବୋଧସଂପନ୍ନ ପ୍ରବୀଣ ବୁଦ୍ଧିଜୀବୀମାନେ ଆତଙ୍କପ୍ରଦ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଯେପରି ଉଦ୍ୟମୀ ହୋଇଛନ୍ତି, ସୃଷ୍ଟିଶୀଳ ପ୍ରତିଭାସଂପନ୍ନ ବୈଜ୍ଞାନିକମାନେ ଜୀବ ଜଗତର ଉତ୍ପତ୍ତି ଓ ବିକାଶ ତଥା ମନୁଷ୍ୟର ପାରିପାର୍ଶ୍ୱିକ ପରିବେଶ ଆଧାରିତ ବିଭିନ୍ନ କୌତୂହଳପ୍ରଦ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଯେପରି ଉଦ୍ୟମ ଚଳାଇଛନ୍ତି ଏବଂ ପୂର୍ବାପରସଙ୍ଗତିକ୍ରମେ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ର ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସେମାନେ ମନୁଷ୍ୟକୁ ଯେଉଁ ପ୍ରକାର ଦିକ୍‍ଦର୍ଶନ ପ୍ରଦାନ କରୁଛନ୍ତି, ସେଗୁଡ଼ିକର ସୂଚନା ଏହି ପୁସ୍ତକରୁ ମିଳିପାରିବ ।

 

(୨)

 

ମନୁଷ୍ୟ ଭଳି ବିଚାରବୋଧସଂପନ୍ନ ପ୍ରାଣୀର ବ୍ୟକ୍ତିତ୍ୱର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଶିକ୍ଷା ଓ ସଂସ୍କୃତିଭିତ୍ତିକ ବୌଦ୍ଧିକ ଓ ସାମାଜିକ ପରିବେଶ ଅନୁକୂଳ ହେଉ ନ ଥିବା ଯୋଗୁଁ ହିଁ ସଂପ୍ରତି ଧରା ପୃଷ୍ଠରେ ଏପରି ବିଲକ୍ଷଣ ପରିଲକ୍ଷିତ ହେଉଛି । ବିଜ୍ଞାନ ଓ ଟେକ୍ନୋଲଜିର କରାମତି ବଳରେ ସେ ଅସାଧ୍ୟ ସାଧନ କରିପାରୁଛି, ପ୍ରାକୃତିକ ବିଭବଗୁଡ଼ିକର ଟେକ୍ନୋଲଜି ଆଶ୍ରିତ ଅଭିନବ ଉପଯୋଗ ବଳରେ ସେ ନିଜର ଅଭାବଗୁଡ଼ିକୁ ପୂରଣ କରିପାରୁଛି, ପୁଣି ନିକଟ ଅତୀତରେ ଆଣବିକ ଜୀବ ବିଜ୍ଞାନ ଓ ତଦାଶ୍ରୟୀ ଜୈବ ପ୍ରଯୁକ୍ତି ବିଦ୍ୟା ଏବଂ ମାଇକ୍ରୋଇଲେକଟ୍ରୋନିକ୍ ଟେକ୍ନୋଲଜିଗୁଡ଼ିକର (ବିଶେଷ ଭାବରେ କମ୍ପ୍ୟୁଟର ଓ ରୋବଟଗୁଡ଼ିକର ସମୃଦ୍ଧି ସାଧନ କରାଯିବାର ଫଳ ସ୍ୱରୂପ) କ୍ରମବର୍ଦ୍ଧମାନ ଉପଯୋଗ ବଳରେ କୃଷି ଓ ଶିଳ୍ପ ବିପ୍ଳବର ପରବର୍ତ୍ତୀ ଏକ ତଥ୍ୟାଶ୍ରୟୀ ବିପ୍ଳବର ସର୍ଜନା ଉଜ୍ୱଳମୟ ହୋଇଛି । ସମାଜ ବିଜ୍ଞାନର ସମୃଦ୍ଧି ସାଧନ ଫଳରେ ମନୁଷ୍ୟ ନିଜର ଅର୍ଥନୈତିକ, ମନସ୍ତାତ୍ତ୍ୱିକ, ନୃତାତ୍ତ୍ୱିକ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ନୂଆ ନୂଆ ଦୃଷ୍ଟିକୋଣରୁ ଚିନ୍ତା କରୁଛି । ମାତ୍ର ନିଜ ହୃଦୟର ସଂପ୍ରସାରଣ ଘଟାଇ ଅନ୍ୟମାନଙ୍କୁ ଆପଣାର କରିବା କ୍ଷେତ୍ରରେ ତତା ଅନ୍ୟମାନଙ୍କୁ ସୁଖଦୁଃଖରେ ଭାଗୀଦାର୍ ହେବା କ୍ଷେତ୍ରରେ ସେ ସ୍ୱତଃପ୍ରବୃତ୍ତ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗ୍ରହୀ ହେଉନାହିଁ । କଳାନୁରାଗ, ସୌନ୍ଦର୍ଯ୍ୟବୋଧ, ଆଧ୍ୟାତ୍ମିକ ମନନଶୀଳତା, ପରିବେଶୀୟ ସଚେତନା ପ୍ରତି ସମ୍ୟକ୍ ଗୁରୁତ୍ୱ ଆରୋପ କରାଯାଉ ନଥିବା ଯୋଗୁଁ ତଥା ସଂବେଦନା, ସଂପ୍ରୀତି ଓ ସହାବସ୍ଥାନ ଭିତ୍ତିକ ସାମାଜିକ ପରିବେଶର ସର୍ଜନା ଦିଗରେ ଯଥାର୍ଥ ବୌଦ୍ଧିକ ଆଲୋଡ଼ନର ସୃଷ୍ଟି ସଂଭବ ହୋଇ ନ ଥିବାରୁ ସବୁ ଥାଇ ମଧ୍ୟ ମନୁଷ୍ୟ ନିଜକୁ ନିଃସହାୟ ମଣୁଛି । ଚତୁର୍ଦ୍ଦିଗରେ ଚିରଚଞ୍ଚଳ ବାତାବରଣ ସୃଷ୍ଟି ହୋଇଥିଲେ ମଧ୍ୟ ମନୁଷ୍ୟର ହୃଦୟ ସ୍ଥାଣୁ ପାଲଟି ଯାଇଛି । ସେ ଅର୍ଥ ଓ କ୍ଷମତା ଆଶାରେ ବିଜ୍ଞାନ ଓ ଟେକ୍ନୋଲଜିଗୁଡ଼ିକର କରାମତି ବଳରେ ସୁଦୀର୍ଘ ପ୍ରାୟ ତିନି ଶତ ବର୍ଷବ୍ୟାପୀ ଯେଉଁ ପ୍ରକାର ଏକଦିଶୀ କର୍ମପ୍ରବଣତାକୁ ଜୀବନାଦଶ ରୂପେ ଆଦରି ନେଇଛି, ସେଥିପାଇଁ ତାର ମାନସିକ ସଂସ୍ଥିତି ଅସଂତୁଳିତ ହୋଇଛି । ଏପରି ଏକ ବିକୃତ ଗଣମାନସ ହିଁ ଧରାପୃଷ୍ଠରେ ମନୁଷ୍ୟ ତଥା ମନୁଷ୍ୟେତର ଜୀବ ଜଗତର ଉଜ୍ୱଳମୟ ଭବିଷ୍ୟତକୁ ବିପଦାପନ୍ନ କରୁଛି । ଦୁର୍ବିସହ ତଥା ସଂକଟାପନ୍ନ ପରିସ୍ଥିତିର ତାଡ଼ନାରେ ମନୁଷ୍ୟ ବିଶେଷଜ୍ଞାସୁଲଭ କ୍ରିୟାଶୀଳତା ପରିବର୍ତ୍ତେ ବହୁଶାସ୍ତ୍ରାଶ୍ରୟୀ ତଥା ବହୁଶୃଙ୍ଖଳାଭିତ୍ତିତ ସଂଶ୍ଳେଷଣାତ୍ମକ ଆଗ୍ରହୀ ହେଲାଣି । ଆଧୁନିକ ପଦାର୍ଥ ବିଜ୍ଞାନ ଏ ଦିଗରେ ମନୁଷ୍ୟର ଜ୍ଞାନ-ଚକ୍ଷୁ ଉନ୍ନୀଳିତ କରିଛି । ମନୁଷ୍ୟ ନିଜର ନିଜସ୍ୱ ପ୍ରକୃତି ସଂପର୍କରେ, ଜୀବଜଗତର ସର୍ଜନା ଓ ବିବର୍ତନ ସଂପର୍କରେ, ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନଗୁଡ଼ିକ ସଂପର୍କରେ, ବୈଜ୍ଞାନିକ କ୍ରିୟାଶୀଳତାର ଉତ୍ସ ସଂପର୍କରେ, କଳା, ବିଜ୍ଞାନ ଓ ଧର୍ମର ପରିପୂରକ ଭୂମିକା ସଂପର୍କରେ, ବିଜ୍ଞାନ ଓ ଟେକ୍ନୋଲଜିଗୁଡ଼ିକର ଜନକଲ୍ୟାଣକାରୀ ଉପଯୋଗ ସଂପର୍କରେ ତଥା ପୂର୍ବାପର ସଂଗତିକ୍ରମେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନଗୁଡ଼ିକ ସଂପର୍କରେ ସଚେତନ ହେବାଦ୍ୱାରା ଏବଂ ଏକ ବିଚାରବୋଧସଂପନ୍ନ ପ୍ରାଣୀ ଭାବରେ ନିଜ ମାନସିକ ସଂସ୍ଥିତିର ସଂତୁଳନ ଓ ପ୍ରଶାନ୍ତି ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଦ୍ୱାରା ହିଁ ନିଜର ଗୁରୁ ଦାୟିତ୍ୱ ସଂପର୍କରେ ସଚେତନ ହୋଇପାରିବ । ଏ ଦିଗରେ ସଂପ୍ରତି ଚାଲିଥିବା ବହୁବିଧ ବୌଦ୍ଧିକ ଆଲୋଡ଼ନ ସଂପର୍କରେ ଏ ପୁସ୍ତକରେ ପୂର୍ଣ୍ଣାଙ୍ଗ ବିବରଣୀ ଯୋଗାଇଦେବାର ପ୍ରୟାସ ହୋଇନାହିଁ । ଏହାକୁ ପାଠ କରିବାଦ୍ୱାରା ଆମେ ଗୋଟିଏ ସ୍ଥୂଳ ଧାରଣା ପାଇପାରିବା ଯେ, ଧରଣୀ ବକ୍ଷରେ ମନୁଷ୍ୟର ସଂହତି ଓ ସହାବସ୍ଥାନ ପାଇଁ ଯେଉଁ ପ୍ରକାର ପରିବେଶର ସର୍ଜନା ଆବଶ୍ୟକ ହେଉଛି, ତାହା କେବଳ ପାରମ୍ପରିକ ବୌଦ୍ଧିକ ସହଯୋଗ ଓ ସଂଶ୍ଳେଷଣାତ୍ମକ ବିଚାର ବଳରେ ସଂଭବ ହୋଇପାରିବ । ବିଶ୍ଳେଷଣାତ୍ମକ ତଥା ବିଶେଷଜ୍ଞାସୁଲଭ କ୍ରିୟାଶୀଳତା ସମେତ ସଂଶ୍ଳେଷଣାତ୍ମକ ଚିନ୍ତନ ପ୍ରତି ଗୁରୁତ୍ୱ ଆରୋପ କରିବାଦ୍ୱାରା ତଥା ମନୁଷ୍ୟକୁ ନିଜର ମାନସିକ ଭାରସାମ୍ୟ ରକ୍ଷା କରିବାପାଇଁ ଅନୁକୂଳ ପରିବେଶ ଯୋଗାଇଦେବାଦ୍ୱାରା ସେ ନିଜ ଚେତନାର ଯଥାର୍ଥ ଉତ୍ତରଣ ଘଟାଇବା ସଂଗେ ସଂଗେ ନିଜ ସମାଜ, ଦେଶ ତଥା ବୃହତ୍ତର ପରିପ୍ରେକ୍ଷୀରେ ସମଗ୍ର ମାନବ ଜାତି ପ୍ରତି ନିଜର କର୍ତ୍ତବ୍ୟ ସଂପର୍କରେ ସଚେତନ ହେବ । ଏହି କ୍ଷୁଦ୍ର କଳେବରଯୁକ୍ତ ପ୍ରବନ୍ଧ ସମାହାରଟି ଯଦି ଆମ ରାଜ୍ୟର ଶିକ୍ଷା ଓ ସଂସ୍କୃତିପ୍ରେମୀ ଜନସାଧାରଣ ଓ ବିଦ୍ୟାର୍ଥୀମାନଙ୍କ ମାନସପଟରେ ଏ ରୂପ ଭାବାବେଗ ସୃଷ୍ଟି କରିବା କ୍ଷେତ୍ରରେ ସାମାନ୍ୟ ପରିମାଣରେ ସହାୟକ ହୁଏ, ତାହାହେଲେ ମୋର ଶ୍ରମ ସାର୍ଥକ ହୋଇଛି ବୋଲି ବିଚାରିବି ।

 

ଦେବକାନ୍ତ ମିଶ୍ର

Image

 

୧୯୮୪

(୧)

 

ପୃଥିବୀ ବକ୍ଷରେ ଏକଛତ୍ରବାଦ ମୁଣ୍ଡ ଟେକୁଥିବାର ଆଶଙ୍କା ଜୀବନର ଅନ୍ତିମ ପର୍ଯ୍ୟାୟରେ ତଥା ରାଜଯକ୍ଷ୍ମା ବ୍ୟାଧିଦ୍ୱାରା ଦାରୁଣ ଭାବରେ ପୀଡ଼ିତ ହୋଇଥିବା ଅବସ୍ଥାରେ ଏରିକ୍ ଆର୍ଥର ବ୍ଲେଆର୍‍ଙ୍କ ମ୍ରିୟମାଣ କରି ପକାଇଲା । ମହାପ୍ରଣାୟ ଘଟିବାର ମାତ୍ର ଏକ ବର୍ଷ ପୂର୍ବରୁ ତାଙ୍କଦ୍ୱାରା ରଚିତ ‘୧୯୮୪’ ଶୀର୍ଷକ ଉପନ୍ୟାସଟି ପ୍ରକାଶିତ ହେଲା । ଜର୍ଜ ଓରଓ୍ୱେଲ୍ ହେଉଛି ବ୍ଲେଆର୍ଙ୍କ ଛଦ୍ମ ନାମ । କେବଳ ଆର୍ଥର୍ କୋଏସ୍‍ଲଙ୍କ ଦ୍ୱାରା ରଚିତ ‘ଡାର୍କନେସ୍ ଆଟ୍ ନୁନ୍’ ଶୀର୍ଷକ ଜନପ୍ରିୟ ଉପନ୍ୟାସଟିକୁ ବାଦ୍ ଦେଲେ ଓରଓ୍ୱେଲ୍‍ଙ୍କ ଦ୍ୱାରା ରଚିତ ଆଲୋଚ୍ୟ ପୁସ୍ତକଭଳି ଅନ୍ୟ କୌଣସି ପୁସ୍ତକ ଏକଛତ୍ରବାଦ ବା କମ୍ୟୁନିଜ୍‍ମ ବିରୋଧରେ ସ୍ୱର ଉତ୍ତୋଳନ କରିବା କ୍ଷେତ୍ରରେ ବିଶେଷ ଜନପ୍ରିୟତା ଅର୍ଜନ କରିନାହିଁ । କୋଏସଲର କର୍ମମୟ ଜୀବନର ପ୍ରାରମ୍ଭାବସ୍ଥାରେ କମ୍ୟୁନିଜ୍‍ମ ଦ୍ୱାରା ପ୍ରତାରିତ ହେଲେ । କମ୍ୟୁନିଜ୍‍ମରୂପୀ ଈଶ୍ୱରଙ୍କଠାରେ ସେ ଯେଉଁ ଗଭୀର ଆସ୍ଥା ସ୍ଥାପନା କରିଥିଲେ, ତାହା ବ୍ୟର୍ଥ ପ୍ରମାଣିତ ହେବାଦ୍ୱାରା (The God That Failed) କୋଏସଲର ମାନବ ଜାତିର ଭବିଷ୍ୟତକୁ ଶୁଭଙ୍କର କରିବାପାଇଁ ଏଣିକି ବିକଳ୍ପ ଈଶ୍ୱରଙ୍କ ସନ୍ଧାନରେ ବ୍ରତୀ ହେଲେ; ମାତ୍ର ଓରଓ୍ୱେଲ୍‍ କର୍ମାଭିମୁଖ୍ୟ ଭିନ୍ନ ରୂପ ଧାରଣ କଲା । ସ୍ପେନୀୟ ବିପ୍ଳବରୁ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜନ କରିବା ପରେ ତଥା ଦ୍ୱିତୀୟ ମହାଯୁଦ୍ଧର ଅବସାନ ଘଟିବା ବେଳକୁ ସେ ହୃଦୟଙ୍ଗମ କଲେ ଯେ, ଯଦି ଏକଛତ୍ରବାଦର କ୍ରମପ୍ରସାର ଦିଗରେ ବୌଦ୍ଧିକ ଓ ରାଜନୈତିକ ପରିବେଶ ଅନୁକୂଳ ହୁଏ, ତାହାହେଲେଳ ୧୯୮୪ ମସିହା ବେଳକୁ ବ୍ୟକ୍ତି-ସ୍ୱାଧୀନତାରୂପୀ ରାଜନୈତିକ ଆଦର୍ଶ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯିବ । ଏ ଦିଗରେ ସଚେତନାର ଜାଗରଣ ଘଟାଇବାପାଇଁ ସେ ନିଜ ବିଚକ୍ଷଣ କଳ୍ପନାପ୍ରବଣତା ବିନିମୟରେ ଆଲୋଚ୍ୟ ଉପନ୍ୟାସଟିକୁ ରଚନା କଲେ । ସେ ଜାଣିପାରିଲେ ଯେ, ଏହି ଉପନ୍ୟାସଟି ଯଦି ଜନପ୍ରିୟତା ଅର୍ଜନ କରେ, ତାହାହେଲେ ଏଥିରେ ବର୍ଣ୍ଣିତ ପରିସ୍ଥିତିର ବାସ୍ତବ ରୂପାୟନ ଘଟିବା ବୂର୍ପରୁ ବିଚାରବୋଧସଂପନ୍ନ ମନୁଷ୍ୟ ବିହିତ ଆନୁଷ୍ଠାନିକ କ୍ରିୟାଶୀଳତା ବିନିମୟରେ ଏହାର ନିରାକରଣ ଦିଗରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରିବ । ବାସ୍ତବିକ ଏପରି ଦୃଷ୍ଟିକୋଣରୁ ବିଚାର କରିବାଦ୍ୱାରା ଆମେ ଅନାୟାସରେ ଉପଲବ୍ଧ ହେଉଛୁ ଯେ, ୧୯୮୪ ମସିହାର ଆବିର୍ଭାବ ଘଟିବା ବେଳକୁ ପୃଥିବୀ ବକ୍ଷରେ କୁକ୍ରାପି ତାଙ୍କ ଦ୍ୱାରା ବର୍ଣ୍ଣିତ ଅବିକଳ ବ୍ୟକ୍ତି-ସ୍ୱାଧୀନତା ବିଲୋପକାରୀ ପରିସ୍ଥିତିର ସର୍ଜନା ସମ୍ଭବ ହୋଇନାହିଁ; ମାତ୍ର ଏହା ନିଶ୍ଚିତଭାବରେ ସ୍ୱୀକାର୍ଯ୍ୟ ଯେ, ସୋଭିଏତ୍ ଋଷିଆରେ ଷ୍ଟାଲିନ୍‍ଙ୍କ ଦମନମୂଳକ ଶାସନକୁ ଦୃଷ୍ଟି ସମୀପରେ ରଖି ଏପରି ପୁସ୍ତକ ରଚନା କରାଯାଇଥିଲେ ହେଁ ପ୍ରାଚ୍ୟ ପାଶ୍ଚାତ୍ୟ ନିର୍ବିଶେଷରେ ପୃଥିବୀ ବକ୍ଷରେ ଅନ୍ୟ କୌଣସି ରାଷ୍ଟ୍ର ବ୍ୟକ୍ତି-ସ୍ୱାଧୀନତାକୁ ସଂକୁଚିତ କରାଇବା କ୍ଷେତ୍ରରେ ଏହି ପୁସ୍ତକଟି ଏକ ଆଦର୍ଶଗତ ବିରୋଧ ସୃଷ୍ଟି କରିବାକୁ ସମର୍ଥ ହୋଇଛି ।

 

(୨)

 

ଓରଓ୍ୱେଲ୍‍ ବର୍ଣ୍ଣିତ ୧୯୮୪ ମସିହାର ରାଜନୈତିକ ପରିବେଶ ପାଠକର ମାନସପଟରେ ରୋମାଞ୍ଚ ସୃଷ୍ଟି କରେ । ଏକଛତ୍ରବାଦୀମାନଙ୍କ ଦୌରାତ୍ମ୍ୟ ଯୋଗୁଁ ପୃଥିବୀରେ ତିନିଟି ସୁବୃହତ ଶକ୍ତିଶାଳୀ ରାଷ୍ଟ୍ରମଣ୍ଡଳ ସୃଷ୍ଟି ହୋଇଛି; ଯଥା: ଓସେନିଆ, ଇୟୁରେସିଆ ଓ ଇଷ୍ଟାସିଆ । ଉପନ୍ୟାସର ନାୟକ ଓସେନିଆର ଅଧିବାସୀ । ଏଠାରେ ‘ନିଉସ୍ପିକ୍’ ନାମକ ଏକ ଭାଷାକୁ ରାଜଭାଷା ରୂପେ ବାଧ୍ୟତାମୂଳକ ଭାବରେ ପ୍ରଚଳନ କରାଯାଇଛି । ଭାଷା ଜଗତରେ ଶବ୍ଦ ସମ୍ଭାରକୁ ସଂକୁଚିତ କରାଇବା ପ୍ରତି ପ୍ରାଧାନ୍ୟ ଆରୋପିତ ହୋଇଛି । ମନୁଷ୍ୟର ଭାବ ବ୍ୟକ୍ତ କରିବାର ମାଧ୍ୟମରେ ଏପରି ଦକ୍ଷତାର ସହ କ୍ରମ ସଂକୋଚନ ଘଟାଯାଇଛି ଯେ, ସେ ପ୍ରଚଳିତ ରାଜନୈତିକ ଆଦର୍ଶ ବ୍ୟତିରେକେ ଅନ୍ୟ କୌଣସି ବିଷୟରେ ଚିନ୍ତା କରିବାର ସାମର୍ଥ୍ୟ ହରାଇ ବସିବ । ଏଣୁ, ମନୁଷ୍ୟର ଭାବରାଜ୍ୟରେ ଯଦି କୌଣସି ପ୍ରକାର ବିପ୍ଳବାତ୍ମକ ଚିନ୍ତାଧାରାର ସୂତ୍ରପାତ ଘଟେ, ତାହାହେଲେ ଅନାୟାସରେ ତାହାକୁ ଚିହ୍ନୋଟ କରିବାପାଇଁ ଉପଯୁକ୍ତ ବ୍ୟବସ୍ଥାକୁ ସକ୍ରିୟ କରାଯାଇପାରିବ । ଏହି ଭାଷାରେ ‘ଗୁଡ଼୍’ର ବିପରୀତାର୍ଥସୂଚକ ଶବ୍ଦଟି ‘ବ୍ୟାଡ଼୍’ ନୁହେଁ; ଏହା ‘ନନ୍‍ଗୁଡ଼୍’, ‘ବେଟର୍’ ଓ ‘ବେଷ୍ଟ୍’ ଭଳି ତୁଳନାତ୍ମକ ଶବ୍ଦଗୁଡ଼ିକ ପରିବର୍ତ୍ତେ ଏ ଭାଷାରେ ‘ପ୍ଲସ୍ ଗୁଡ଼୍’ ଓ ‘ଡବଲ୍ ପ୍ଲସ୍ ଗୁଡ଼୍’ ଭଳି ଶବ୍ଦଗୁଡ଼ିକୁ ବ୍ୟବହାର କରାଯାଏ । ଶାସନ ଦାୟିତ୍ୱ ଚଳାଇବାପାଇଁ ଉଦ୍ଦିଷ୍ଟ ଶାନ୍ତି ମନ୍ତ୍ରଣାଳୟ ଜରିଆରେ ପ୍ରତିରକ୍ଷା ବ୍ୟାପାରଗୁଡ଼ିକ ପରିଚାଳିତ ହୁଏ; ମୈତ୍ରୀ ମନ୍ତ୍ରଣାଳୟ ପୋଲିସ୍ କର୍ତ୍ତୃପକ୍ଷଙ୍କ ଜରିଆାରେ ମନୁଷ୍ୟର ଚିନ୍ତାରାଜ୍ୟରୁ ମଧ୍ୟ ପ୍ରଚଳିତ ଆଦର୍ଶବିରୋଧୀ ଧାରଣାଗୁଡ଼ିକୁ ହଟାଇ ପାରିବା ସମ୍ଭବ ହୁଏ; ପ୍ରାଚୁର୍ଯ୍ୟ ମନ୍ତ୍ରଣାଳୟ ଅଭାବ ପୂରଣ ଦିଗରେ ପ୍ରତିକାରମୂଳକ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରାଇପାରେ ଏବଂ ସତ୍ୟ ମନ୍ତ୍ରଣାଳୟ ଜରିଆରେ ଏକଛତ୍ରବାଦୀ ସରକାର ପ୍ରଚଳିତ ରାଜନୈତିକ ଆଦର୍ଶର ପ୍ରସାର ଘଟାଇବା ପାଇଁ ବିହିତ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଇପାରନ୍ତି । ‘minitru’ ଶୀର୍ଷକ ମାଧ୍ୟମ ଜରିଆରେ ପ୍ରଚଳିତ ରାଜନୈତିକ ଆଦର୍ଶର ଭାବଧାରାକୁ ସୁହାଇବା ଭଙ୍ଗୀରେ ଅତୀତର ଇତିହାସକୁ ବଦଳାଇ ଦିଆଯାଏ । ‘ମିନିଲଭ୍’ ବ୍ୟବସ୍ଥା ଜରିଆରେ ବିଦ୍ରୋହୀ ନାଗରିକମାନଙ୍କୁ ଦମନ କରିବାପାଇଁ ନିର୍ମମ ଦଣ୍ଡବିଧାନ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରାଯାଏ । ନିଉସ୍ପିକ୍ ଭାଷା ଜରିଆରେ ପ୍ରଶାସନିକ ବ୍ୟବସ୍ଥାକୁ ଏପରି ଦୋମୁହା (‘double talk’) ନୀତି ଅବଲମ୍ୱନରେ କାର୍ଯ୍ୟକାରୀ କରାଯାଏ ଯେ, ମନୁଷ୍ୟର ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନକୁ ରାଷ୍ଟ୍ରାୟତ୍ତ ବ୍ୟବସ୍ଥାଗୁଡ଼ିକ ଜରିଆରେ ସଂପୂର୍ଣ୍ଣଭାବରେ ନିୟନ୍ତ୍ରଣ କରିବା ସମ୍ଭବ ହୁଏ । ଏଥିପାଇଁ ବିଚକ୍ଷଣଭାବେ କର୍ମନିପୁଣ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାଗୁଡ଼ିକୁ ସର୍ବତ୍ର ଏପରି ବିଚକ୍ଷଣ ଭାବରେ କାର୍ଯ୍ୟକାରୀ କରାଯାଏ ଯେ, ସମସ୍ତେ ସର୍ବଦା ସରକାରୀ କଳର ଉପସ୍ଥିତିକୁ ଅନୁଭବ କରିପାରନ୍ତି (Big brother is watching you) । ରାଷ୍ଟ୍ରର ଶତ୍ରୁମାନଙ୍କ କୁକର୍ମଗୁଡ଼ିକ ସମ୍ୱନ୍ଧରେ ଜନସାଧାରଣଙ୍କୁ ପ୍ରତ୍ୟହ ଦୁଇ ମିନିଟ୍ ପାଇଁ ଗୋଟିଏ ଗୋଟିଏ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଏ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନିର୍ମମ ଦଣ୍ଡ ବିଧାନ ସମ୍ୱନ୍ଧରେ ମଧ୍ୟ ସେମାନଙ୍କୁ ସତର୍କ କରାଯାଏ । ଓସେନିଆ ରାଜ୍ୟର ପ୍ରଧାନ ଶତ୍ରୁ ଗୋଲ୍‍ଡଷ୍ଟିନ୍ । ଓରଓ୍ୱେଲ୍ ଏ ପୁସ୍ତକରେ ଟ୍ରଟସ୍କିଙ୍କୁ ହିଁ ଏପରି ଛଦ୍ମ ନାମରେ ପରିଚିତ କରାଇଛନ୍ତି । ଗୋଲ୍‍ଡଷ୍ଟିନ୍ କୁକର୍ମ ଓ ଏହାର ଭୟାବହ ପରିଣତି ସଂପର୍କରେ ମଧ୍ୟ ଜନସାଧାରଣଙ୍କୁ ପ୍ରାକ୍‍ସୂଚନା ଯୋଗାଇ ଦିଆଯାଇଛି । ପୁସ୍ତକର ନାୟକ ୱିନ୍‍ସ୍ମିଥ୍ ହୃଦୟଙ୍ଗମ କରିଛନ୍ତି ଯେ, ‘ଦୁଇ ଯୁକ୍ତ ଦୁଇ ସମାନ୍ ଚାରି’ ବୋଲି କହିପାରିବାର ସ୍ୱାଧୀନତା ଉପଭୋଗ କରିପାରିଲେ ହିଁ ଜୀବନରେ ଆଉ ସବୁ ସୁଖ ମିଳିପାରିବ । (‘‘Freedom is the freedom to say tow plus two makes four. If that is granted all else follows.’’) ମାତ୍ର ଏପରି ମୁକ୍ତ ଚିନ୍ତନ ପାଇଁ ତାଙ୍କୁ ସୁବିଧା ମିଳିନାହିଁ । ଦୁର୍ଦ୍ଦମ ପରିସ୍ଥିତିର ତାଡ଼ନାରେ ସେ ପ୍ରଚଳିତ ରାଜନୈତିକ ଆଦର୍ଶର ଗୋଡ଼ାଣିଆ ସାଜିବାକୁ ବାଧ୍ୟ ହୋଇଛନ୍ତି । ଓସେନିଆ ରାଜ୍ୟର ସବୁ ନାଗରିକଙ୍କ ଭଳି ତାଙ୍କ ମନକୁ ମଧ୍ୟ ବିଚକ୍ଷଣ ମନସ୍ତାତ୍ତ୍ୱିକ ପଦ୍ଧତି ଭିତ୍ତିକ ପଚାର ଓ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାଗୁଡ଼ିକର କରାମତି ଫଳରେ କିଣି ନିଆଯାଇଛି । ଦିନସାରା ୨୪ ଘଣ୍ଟାପାଇଁ ଜନସାଧାରଣଙ୍କ ସର୍ବବିଧ କାର୍ଯ୍ୟକୁ ଜାଗ୍ରତ ପ୍ରହରୀ ଭାବରେ ନିୟନ୍ତ୍ରଣ କରିବାପାଇଁ ମନ୍ତ୍ରଣାଳୟଗୁଡ଼ିକୁ ସକ୍ରିୟ କରାଯାଇଛି; ଏପରିକି ପ୍ରଚଳିତ ଘଣ୍ଟାଗୁଡ଼ିକର ଡାୟାଲ୍ରେ ମଧ୍ୟ ତଦନୁବର୍ତ୍ତୀ ପରିବର୍ତ୍ତନ କରାଯାଇଛି । ଏହି ଭାବୋଦ୍ଦୀପକ ତଥା ଲୋମହର୍ଷଣକାରୀ ଉପନ୍ୟାସଟିକୁ ଆରମ୍ଭ କରାଯାଇଛି । ଏପ୍ରିଲ୍ ମାସର ଦିନ ୧୩ ଘଟିକାରେ ! ‘‘It was a bright cold day in April and the clocks were striking thirteen.” ।

 

(୩)

 

ଷ୍ଟାଲିନ୍‍ଙ୍କ ନେତୃତ୍ୱରେ ସୋଭିଏତ୍ ଋଷିଆରେ ସମାଜବାଦ ବାହାନାରେ ଚାଲିଥିବା ଏକଛତ୍ରବାଦୀ ଆତଙ୍କରାଜ; ଦ୍ୱିତୀୟ ମହାଯୁଦ୍ଧ କାଳୀନ ପରିସ୍ଥିତିରେ ଷ୍ଟାଲିନ୍, ରୁଜ୍‍ଭେଲଟ୍‍ ଓ ଚର୍ଚ୍ଚିଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା; ପ୍ରଶାସନିକ ଓ ସାମରିକ ବ୍ୟାପାରଗୁଡ଼ିକୁ ସୁଦକ୍ଷ ମାର୍ଗରେ ଚଳାଇବା ପାଇଁ ବିଜ୍ଞାନ ଓ ଟେକ୍ନୋଲଜିଗୁଡ଼ିକର କ୍ରମବର୍ଦ୍ଧମାନ ବିପୁଳ ଉପଯୋଗ ଏବଂ ସାମନ୍ତବାଦ ବା ଫାସିଜିମ୍ର ମୂଳୋତ୍ପାଟନ ଘଟାଇବା ସଂଗେ ସଂଗେ ଋଷିଆ ଭିନ୍ନ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ସାମ୍ରାଜ୍ୟବାଦୀ ମନୋଭାବାଶ୍ରୟୀ ସମାଜବାଦ (Socialism) ର ସଂଭାବ୍ୟ ସର୍ଜନା ପ୍ରଭୃତି ଘଟଣାଗୁଡ଼ିକ ଓରଓ୍ୱେଲ୍‍ଙ୍କ ମାନସପଟରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା । ବ୍ୟକ୍ତି-ସ୍ୱାଧୀନତା ଦାରୁଣ ଭାବରେ ବିପନ୍ନ ହେଉଥିବାର ସଂଭାବନା ତାଙ୍କୁ ଏପରି ବିଚଳିତ କରିଥିଲା ଯେ, ସେ ଏହା ବିରୋଧରେ ନୈରାଶ୍ୟବ୍ୟଞ୍ଜକ ସ୍ୱର ଉତ୍ତୋଳନ କରିବା ସଂଗେ ସଂଗେ ମନୁଷ୍ୟକୁ ଏହାର ନିରାକରଣ ଦିଗରେ ସତର୍କ କରାଇ ଦେବାକୁ ଉଚିତ୍ ମଣିଥିଲେ । ଦେହାବସାନ ଘଟିବା ବେଳକୁ ତାଙ୍କୁ ଜଣାପଡ଼ିଗଲା ଯେ, ପୃଥିବୀର ଭବିଷ୍ୟତ ଅନ୍ଧକାରମୟ । ଏଣିକି ମନୁଷ୍ୟ ଯନ୍ତ୍ରଭଳି ଜୀବନ ଯାପନ କରିବ । ‘ଆନିମଲ୍ ଫାର୍ମ’ ରେ ରଖାଯାଇ ତାକୁ ଶୋଷଣ କରାଯିବ । ମୌଳିକ ଚିନ୍ତା କରିବାପାଇଁ କିମ୍ୱା ନିଜ ମନୋଭାବକୁ ଅଭିବ୍ୟକ୍ତ କରିବାପାଇଁ ତାକୁ ସୁବିଧା ମିଳିବ ନାହିଁ । ସେ ଦୁଃଖରେ ମ୍ରିୟମାଣ ହୋଇ କହିଥିଲେ :–

 

‘‘I was not born for a world like this

Was Smith ? Was Jones ? Were you ?”

 

ମନୁଷ୍ୟର ସାଂସ୍କୃତିକ ବିବର୍ତନର ଧାରାକୁ ବଦଳାଇ ଦେବା ଦିଗରେ ତାହାର ବିବେକକୁ ଆହ୍ୱାନ କରିବା ବ୍ୟାପାରରେ ଓର୍ଓ୍ୱେଲଙ୍କ ବୌଦ୍ଧିକ ଉଦ୍ୟମ ନିଶ୍ଚିତ ଭାବରେ ଫଳପ୍ରଦ ହୋଇଛି । ପୁସ୍ତକଟିର ଜନପ୍ରିୟତାରୁ ଏ ଉକ୍ତିର ଯଥାର୍ଥତା ଅନାୟାସରେ ପ୍ରତିପାଦିତ ହେଉଛି । ନିଉସ୍ପିକ୍ ଭଳି ଭାଷାର ପ୍ରଚଳନ ସଂଭବ ହୋଇନାହିଁ କିମ୍ୱା ପୃଥିବୀ ବକ୍ଷରେ କୌଣସି ରାଷ୍ଟ୍ରରେ ତାଙ୍କ କଳ୍ପନାପ୍ରସୂତ ଏକଛତ୍ରବାଦୀ ସମାଜ ମୁଣ୍ଡ ଟେକିନାହିଁ । ମାତ୍ର ଆମେ ବୁଝିବାର କଥା ଯେ, ତାଙ୍କ କଳ୍ପନାପ୍ରସୂତ ପ୍ରଶାସନିକ ପଦ୍ଧତିକୁ ଠିକଣାଭାବରେ କାର୍ଯ୍ୟକାରୀ କରାଇବା ପାଇଁ ସେ ଯେଉଁ ପ୍ରକାର ଇଲେକ୍ଟ୍ରୋନିକ୍ ଟେକ୍ନୋଲଜିଗୁଡ଼ିକର ବିଚକ୍ଷଣ ଉପଯୋଗ ସଂପର୍କରେ ସୂଚନା ଦେଇଛନ୍ତି, ଇତ୍ୟବସରରେ ଇଲେକ୍ଟ୍ରୋନିକ୍ ଶିଳ୍ପ ତଦନୁପାତରେ ଯଥେଷ୍ଟ ଅଧିକ ସମୃଦ୍ଧ ଅବସ୍ଥାରେ ଉପନୀତ ହୋଇଛି । ଓରଓ୍ୱେଲଙ୍କ ଅମଳରେ ଇଲେକ୍ଟ୍ରୋନିକ୍ ଶିଳ୍ପର ସମୃଦ୍ଧି ସାଧନପାଇଁ ଭଲ୍ଭଗୁଡ଼ିକୁ ପ୍ରୟୋଗ କରାଯାଉଥିଲା । ସେତେବେଳକୁ ଟ୍ରାନ୍ଜିଷ୍ଟର୍ର ପ୍ରସ୍ତୁତି ସଂଭବ ହୋଇନଥିଲା । ମାତ୍ର ଇତ୍ୟବସରରେ ଟ୍ରାନ୍ଜିଷ୍ଟର୍, ଲାଜସ୍କେଲ୍ ଇଣ୍ଟିଗ୍ରେଟେଡ଼୍ ସରକ୍ୱିସଟ୍, ମାଇକ୍ରୋଚିପ, ଲେଜର୍ ପ୍ରଭୃତି କର୍ମକୁଶଳୀ ଉପକରଣଗୁଡ଼ିକୁ ମାଇକ୍ରୋଇଲେକ୍ଟ୍ରୋନିକ୍ ଶିଳ୍ପର ସମୃଦ୍ଧି ସାଧନ ଦିଗରେ ନିୟୋଜିତ କରାଗଲାଣି । ଉନ୍ନତ ରାଷ୍ଟ୍ରମାନଙ୍କରେ ଘରେ ଘରେ ଟେଲିଫୋନ୍, ଟେଲିଭିଜନ ଓ କମ୍ପ୍ୟୁଟରଗୁଡ଼ିକୁ ପ୍ରତିଷ୍ଠା କରିଦେବାପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏତଦ୍ୱାରା ମନୁଷ୍ୟ ନିଜ ଘରେ ବସି ନିଜର ବ୍ୟକ୍ତିଗତ, ପାରିବାରିକ ଓ ବୃତ୍ତିଗତ ବ୍ୟାପାରଗୁଡ଼ିକୁ ଠିକଣାଭାବରେ ଚଳାଇବାକୁ ସମର୍ଥ ହେବ । ସମକାଳୀନ ଭାବରେ ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ତଥା ରାଷ୍ଟ୍ରସ୍ତରୀୟ କେନ୍ଦ୍ରୀୟ କମ୍ପ୍ୟୁଟର ଡାଟା ସିଷ୍ଟମ୍ ଜରିଆରେ ସରକାର ଜନସାଧାରଣଙ୍କ କାର୍ଯ୍ୟାବଳୀ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିପାରିବେ । ଭବିଷ୍ୟତରେ ତଥ୍ୟାନୁବର୍ତ୍ତୀ ସମାଜର ସର୍ଜନା ସମ୍ୱନ୍ଧୀୟ ଭବିଷ୍ୟତ୍ ପ୍ରବକ୍ତାମାନଙ୍କ ବିବରଣୀରୁ ଜରଶପଡ଼ଉଛି ଯେ, ମନୁଷ୍ୟ ବ୍ୟକ୍ତିଗତ ଭାବରେ କୌଣସି ବ୍ୟାପାରକୁ ସରକାରଙ୍କଠାରୁ ଗୋପନୀୟ ରଖିବା ଆଉ ସମ୍ଭବ ହେବ ନାହିଁ । ଅବଶ୍ୟ, ତଥ୍ୟାନୁବର୍ତ୍ତୀ ସମାଜର ରୁଟିନ୍ ବନ୍ଧା ଦାୟିତ୍ୱଗୁଡ଼ିକ କମ୍ପ୍ୟୁଟରଦ୍ୱାରା ପରିଚାଳିତ ହେବା ଫଳରେ ମନୁଷ୍ୟ ନିଜ ସାମାଜିକ ଜୀବନର ସୁଖଶାନ୍ତିମୟତା ସମ୍ୱନ୍ଧରେ ଚିନ୍ତା କରିବାପାଇଁ, ନିଜ ଚେତନାର ଉତ୍ତରଣ ଘଟାଇବାପାଇଁ, ସାଂସ୍କୃତିକ ବିବର୍ତନର ଧାରାକୁ ଜନକଲ୍ୟାଣମୁଖୀ କରାଇବାପାଇଁ ପ୍ରଚୁର ବିଶ୍ରାମ ପାଇପାରିବ; ମାତ୍ର ସମକାଳୀନ ଭାବରେ ଏପରି ଯୋଗାଯୋଗ ମାଧ୍ୟମ ସରକାରଙ୍କ ହାତମୁଠାକୁ ଯଥେଷ୍ଟ ମଜବୁତ କରିପାରିବ । ପ୍ରତ୍ୟେକ ନାଗରିକଙ୍କ ଉପରେ କଡ଼ା ନଜର ରଖିବାପାଇଁ ମାଇକ୍ରୋ ଇଲେକ୍ଟ୍ରୋନିକ୍ ଟେକ୍ନୋଲଜି ପର୍ଯ୍ୟାୟଭୁକ୍ତ ଉପକରଣଗୁଡ଼ିକୁ ସରକାରଙ୍କ ହାତବାରସୀରେ ପରିଣତ ହେବ । ଓର୍‍ଓ୍ୱେଲଙ୍କ ଭାଷାରେ ‘Big Brother there is watching you’ ଭଳି ମର୍ମସ୍ପର୍ଶୀ ଉକ୍ତିର ବାସ୍ତବ ରୂପାୟନପାଇଁ ସରକାର ଉପଯୁକ୍ତ ଟେକ୍ନୋଲଜି ଭିତ୍ତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

 

ପୁଣି, ଇତ୍ୟବସରରେ ଆଣବିକ ଜୀବବିଜ୍ଞାନର ମଧ୍ୟ ତ୍ୱରାନ୍ୱିତ ସମୃଦ୍ଧି ସାଧିତ ହେଲାଣି-। କ୍ରିକ୍ ଓ ୱାଟ୍‍ଶନ ଜିନ୍‍ ଆଣବିକ ବିନ୍ୟାସର ରହସ୍ୟ ଉନ୍ମୋଚିତ କରିବା ପରେ ଜେନେଟିକ୍ ଇଞ୍ଜିନିଅରିଂ ବା ଅନୁବଂଶିକ ଅଭିଯାନ୍ତ୍ରିକୀ ଶୀର୍ଷକ ଏକ ଅଭିନବ ପ୍ରଯୁକ୍ତି ବିଦ୍ୟାର ତ୍ୱରାନ୍ୱିତ ସମୃଦ୍ଧି ସାଧନ ନରାଯାଉଛି । ମନୁଷ୍ୟ ପରୀକ୍ଷାଗାରରେ କୌଣସି ପ୍ରକାର ବ୍ୟାକ୍ଟେରିଆର ଜୀବକୋଷ ଅଭ୍ୟନ୍ତରରେ ବିଚକ୍ଷଣ ଶଲ୍ୟ ଚିକିତ୍ସା ଅବଲମ୍ୱନରେ ଉଦ୍ଦିଷ୍ଟ ଗୁଣସମ୍ପନ୍ନ ଜିନ୍‍ ଗୁଡ଼ିକ ଠିକଣା ଭାବରେ ଅବସ୍ଥାପିତ କରାଇପାରୁଛି । ଏତଦ୍ଦ୍ୱାରା ସାଧାରଣ ବ୍ୟାକଟେରିଆ ମନୁଷ୍ୟର ଚାହିଦା ମୁତାବକ ଗୁଣସମ୍ପନ୍ନ ହୋଇପାରୁଛି । ବର୍ତ୍ତମାନ ଏହି ପଦ୍ଧତିର ପ୍ରୟୋଜକ ଉପଯୋଗ ଘଟିବା ଫଳରେ ବହୁପ୍ରକାର ଦୁଷ୍ପ୍ରାପ୍ୟ ଜୈବିକ ରାସାୟନିକ ଦ୍ରବ୍ୟଗୁଡ଼ିକୁ କାରଖାନାମାନଙ୍କରେ ପ୍ରସ୍ତୁତ କରିବା ସମ୍ଭବ ହୋଇଛି । ‘ବାୟୋଟେକ୍ନୋଲଜି’ର ତ୍ୱରାନ୍ୱିତ ସମୃଦ୍ଧି ସାଧନ ଫଳରେ ସ୍ୱାସ୍ଥ୍ୟର ସୁରକ୍ଷା ତଥା କୃଷିର ତ୍ୱରାନ୍ୱିତ ସମୃଦ୍ଧି ସାଧନ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ଉଜ୍ଜ୍ୱଳମୟ ହୋଇଛି । ଏଣୁ, ସଂପ୍ରତି ପୃଥିବୀର ସବୁ ରାଷ୍ଟ୍ରରେ ଏହି ଅଭିନବ ଶିଳ୍ପର ତ୍ୱରାନ୍ୱିତ ସମୃଦ୍ଧି ସାଧନ ପାଇଁ ବିପୁଳ ପୁଞ୍ଜି ବିନିମୟରେ ଆନୁସଙ୍ଗିକ ଅବସ୍ଥାପନା ସୃଷ୍ଟି କରାଯାଉଛି । ମାତ୍ର ଏହି ଟେକ୍ନୋଲଜି ମଧ୍ୟ ସମକାଳୀନ ଭାବରେ ମନୁଷ୍ୟକୁ ଦାରୁଣ ଭାବରେ କ୍ଷତିଗ୍ରସ୍ତ କରାଇବାର ସମ୍ଭାବନାକୁ ଏଡ଼ି ହେଉନାହିଁ । ‘କୋନିଙ୍ଗ୍’ ପଦ୍ଧତି ଅବଲମ୍ୱନରେ ଭବିଷ୍ୟତରେ ମନୁଷ୍ୟ ନିଜ ଚାହିଦା ମୁତାବକ ଗୁଣର ଅଧିକାରୀ ହେବାଭଳି ମନୁଷ୍ୟକୁ ସୃଷ୍ଟି କରିପାରିବାର ସମ୍ଭାବନାକୁ ଆଉ କପୋଳକଳ୍ପିତ ବ୍ୟାପାର ରୂପେ ଉପେକ୍ଷା କରାଯିବା ସମ୍ଭବ ନୁହେଁ । ରାଷ୍ଟ୍ରାୟତ୍ତ ଟେକ୍ନୋଲଜି ଗୁଡ଼ିକର କାରସାଦୀ ବଳରେ କୌଣସି ରାଷ୍ଟ୍ର ନିଜ ରାଜନୈତିକ ଆଦର୍ଶକୁ ସୁହାଇବାଭଳି ଜନସମ୍ୱଳ ସୃଷ୍ଯି କରିବା କ୍ଷେତ୍ରରେ ଜେନେଟିକ ଇଞ୍ଜିନିଅରିଂର ସମ୍ଭାବ୍ୟ ଉପଯୋଗ ଅସ୍ୱୀକାର କରିହେବ ନାହିଁ । ପୁଣି, ଏହାର ଉପଯୋଗ ବଳରେ ମନୁଷ୍ୟର କ୍ଷତି ସାଧନକାରୀ ବ୍ୟାକ୍ଟେରିଆଗୁଡ଼ିକୁ ବହୁସଂଖ୍ୟାରେ ସୃଷ୍ଟି କରିବା ମଧ୍ୟ ଏକ ଆୟାସସାଧ୍ୟ ବ୍ୟାପାର ରୂପେ ବିବେଚିତ ହେବନାହିଁ । ‘ନିଉକ୍ଳିଆର୍ ୱାର୍’ ଭଳି ‘ବ୍ୟାକ୍ଟେରିଓଲଜିକାଲ ୱାର୍’ ମଧ୍ୟ ଧରଣୀ ବକ୍ଷରେ ମନୁଷ୍ୟ ତଥା ମନୁଷ୍ୟେତର ଜୀବଜଗତର ସ୍ଥାୟିତ୍ୱକୁ ବିପଦାପନ୍ନ କରିପକାଇବ-

 

ଉଲ୍ଲିଖିତ ସଂକ୍ଷିପ୍ତ ଆଲୋଚନାରୁ ଜଣାପଡ଼ୁଛି ଯେ, ଓରଓ୍ୱେଲ୍ ଏକଛତ୍ରବାଦୀ ସମାଜବାଦ ସମ୍ପର୍କରେ ଯେଉଁ କଳ୍ପନାଶ୍ରୟୀ ଲୋମହର୍ଷଣକାରୀ ବିବରଣୀ ଯୋଗାଇ ଦେଇଛନ୍ତି, ତାହାକୁ ତାଙ୍କ କଳ୍ପନା ତୁଳନାରେ ଆହୁରି ଅଧିକ ଦକ୍ଷତାର ସହ ବଜାୟ ରଖିପାରିବାଭଳି ଟେକ୍ନୋଲଜି ଗୁଡ଼ିକୁ ଇତ୍ୟବସରରେ ସମୁନ୍ନତ କରାଗଲାଣି । ମାତ୍ର ପୃଥିବୀ ବକ୍ଷରେ କୁତ୍ରାପି ତାଙ୍କ ପରିକଳ୍ପିତ ସମାଜବାଦର ସର୍ଜନା ସମ୍ଭବ ହୋଇନାହିଁ । ଅବଶ୍ୟ ଓରଓ୍ୱେଲ୍‍ ସ୍ୱରଚିତ ଉପନ୍ୟାସ ଜରିଆରେ ଜନୈକ ଭବିଷ୍ୟତ୍-ପ୍ରବକ୍ତା ସାଜିବାର ଅଭିଳାଷ ପୋଷଣ କରିନାହାନ୍ତି । ବ୍ୟାଧିଗ୍ରସ୍ତ ଅବସ୍ଥାରେ ଜର୍ମାନୀରେ ଦୁର୍ଦ୍ଧର୍ଷ ନାଜୀମାନଙ୍କ ଦ୍ୱାରା ଆୟୋଜିତ ‘କନସେଟ୍ରେସନ କ୍ୟାମ୍ପ’ ଓ ରୁଷିଆରେ ଷ୍ଟାଲିନଙ୍କ ନିର୍ଦ୍ଦେଶନାରେ ପରିଚାଳିତ ‘ଲେବର କ୍ୟାମ୍ପ’ର ନାରକୀୟ ଦୃଶ ତାଙ୍କ ମାନସପଟରେ ଯେଉଁ ଭାବବିହ୍ୱଳତା ସୃଷ୍ଟି କରିଛି ଏବଂ ଯୁଦ୍ଧୋତ୍ତର କାଳର ବୁଦ୍ଧି ଜୀବୀମାନେ ଏକଛତ୍ରବାଦକୁ ରାଜନୈତିକ ଆଦର୍ଶ ରୂପେ ଗ୍ରହଣ କରିନେବାର ସମ୍ଭାବନା ତାଙ୍କୁ ଯେପରି ବିବ୍ରତ କରିଛି, ତାହାକୁ ସେ ଏହି ପୁସ୍ତକ ଜରିଆରେ ବ୍ୟଙ୍ଗାତ୍ମକ ଶୈଳୀରେ ଅଭିବ୍ୟକ୍ତ କରିଛନ୍ତି । ଏହା ଏକ ପାରୋଡ଼ି । ଏତଦ୍ଦ୍ୱାରା ସେ ପୃଥିବୀର ବୁଦ୍ଧିଜୀବୀମାନଙ୍କୁ ନିଜ ନୈରାଶ୍ୟବାଦୀ ଭାବୋଚ୍ଛ୍ୱାସଦ୍ୱାରା ପ୍ରଭାବିତ କରିବାକୁ ଯତ୍ନବାନ୍ ହୋଇଛନ୍ତି । ସେ କେବେହେଲେ ସୂଚାଇ ନାହାନ୍ତି ଯେ, ୧୯୮୪ ମସିହା ବେଳକୁ ଭୂପୃଷ୍ଠରେ ତାଙ୍କ ପୁସ୍ତକ ବର୍ଣ୍ଣିତ ଭୟାବହ ପରିସ୍ଥିତି ସୃଷ୍ଟି ହେବ । ପ୍ରସଙ୍ଗକ୍ରମେ ଓରଓ୍ୱେଲ୍ ସ୍ପଷ୍ଟଭାବରେ ଲେଖିଛନ୍ତି, “I do not believe that the kind of society I describe necessarily will arrive, but I believe (allowing of course for the fact that the book is a satire) that something resembling it would arrive”.

 

ଦ୍ୱିତୀୟ ମହାଯୁଦ୍ଧ ପରଠାରୁ ବା ଓରଓ୍ୱେଲ୍‍ ରାଜନୈତିକ ମହାପ୍ରୟାଣ ଘଟିବା ପରଠାରୁ ଇତ୍ୟବସରରେ ପୃଥିବୀର ରାଜନୈତିକ ଓ ଭୌତିକ ପରିବେଶର ରୂପରେଖ ଯେପରି ହୋଇଛି, ତାହା ରାଜନୈତିକ କଳ୍ପନାସହ ଖାପ୍‍ଖାଇବା ପରିବର୍ତ୍ତେ ଏକ ବିଚିତ୍ର ରୂପ ଧାରଣ କରିଛି । ତାଙ୍କ କଳ୍ପନାକୁ ବାସ୍ତବରେ ପରିଣତ କରିପାରିବାଭଳି ଟେକ୍ନୋଲଜି ଗୁଡ଼ିକର ଉଦ୍ଭାବନ ଓ ଉପଯୋଗ ସମ୍ଭବ ହୋଇଥିଲେ ମଧ୍ୟ ପାର୍ଥିବ ରାଜନୀତିର ଢାଞ୍ଚା ଭିନ୍ନଧର୍ମୀ ହୋଇଛି । ଏହା ଅବଶ୍ୟ ସତ୍ୟ ଯେ, ସାମ୍ପ୍ରତିକ କାଳରେ ପୃଥିବୀ ଦାରୁଣ ସଙ୍କଟମୟ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଜନସଂଖ୍ୟାର ତ୍ୱରାନ୍ୱିତ ଅଭିବୃଦ୍ଧି, ପରିବେଶ ଓ ପରିସଂସ୍ଥାର ପ୍ରଦୂଷଣ, ପ୍ରାକୃତିକ ବିଭବଗୁଡ଼ିକର ଦୁଷ୍ପ୍ରାପ୍ୟତା, ନିଉକ୍ଳିଆର୍ ମାରଣାସ୍ତ୍ରଗୁଡ଼ିକର ସମ୍ଭାବ୍ୟ ଉପଯୋଗଭଳି ଗୁରୁତର ସମସ୍ୟାଗୁଡ଼ିକ ମନୁଷ୍ୟକୁ ସୁଖନିଦ୍ରାରୁ ବଞ୍ଚିତ କରିଛି । ଜାତି, ଧର୍ମ ଓ ବର୍ଣ୍ଣକୁ କେନ୍ଦ୍ର କରି ଦେଶ ଦେଶ ମଧ୍ୟରେ ତଥା ପ୍ରତ୍ୟେକ ଦେଶ ଭିତରେ ଅର୍ଥ ଓ କ୍ଷମତାକେନ୍ଦ୍ରିକ ମତାନ୍ତର ସୃଷ୍ଟି ହୋଇଛି । ଏହି ମତାନ୍ତର ଯୋଗୁଁ ପୃଥିବୀର ରାଜନୈତିକ ପରିବେଶରୁ ଉତ୍ତେଜନାର ପ୍ରଶମନ ଘଟୁନାହିଁ । ବରାବର ଛୋଟ ବଡ଼ ଯୁଦ୍ଧ ଲାଗି ରହିଛି । ଏଣୁ, ପ୍ରଶାସନିକ ପଦ୍ଧତିର ଢାଞ୍ଚା ବା କୌଣସି ଏ ରାଜନୈତିକ ଆଦର୍ଶର ଗୁଣାତ୍ମକ ଉତ୍କର୍ଷ ସମ୍ୱନ୍ଧରେ ସ୍ଥିତିପ୍ରଜ୍ଞା ଭାବରେ ଚିନ୍ତା କରିବା ତ ଦୂରର କଥା, କୌଣସି ଏକ ମୁହୂର୍ତ୍ତରେ ତୃତୀୟ ମହାଯୁଦ୍ଧ ଆରମ୍ଭ ହୋଇଯିବାର ଆଶଙ୍କା ହିଁ ମନୁଷ୍ୟକୁ ବିବ୍ରତ କରୁଛି । ଯଦି ଏପରି ଘଟେ, ତାହାହେଲେ ସମାଜବାଦ, ପୁଞ୍ଜିବାଦ ଓ କମ୍ୟୁନିଜମ୍ ନିର୍ବିଶେଷରେ ଧରଣୀ ବକ୍ଷରୁ ସୁସଭ୍ୟ ମନୁଷ୍ୟ ବସତି ନିଶ୍ଚିହ୍ନ ହୋଇଯିବା ହିଁ ସାର୍ ହେବ ।

 

(୪)

 

ଓର୍‍ର୍ଓ୍ୱେଲଙ୍କର ଯଦି ମାତ୍ର ୪୬ ବର୍ଷ ବୟସରେ ଦେହାବସାନ ଘଟି ନଥା’ନ୍ତା ଏବଂ ସେ ବର୍ତ୍ତମାନ ଜୀବିତ ଅବସ୍ଥାରେ କାଳାତିପାତ କରୁଥାଆନ୍ତେ, ତାହାହେଲେ ସେ ସ୍ୱରଚିତ ପୁସ୍ତକର ଅସାରତା ନିଶ୍ଚିତ ଭାବରେ ଉପଲବ୍ଧି କରିପାରିନ୍ତେ । ନିଜର ମହାନୁଭବତାସିକ୍ତ ଅନ୍ତଃଦୃଷ୍ଟି ତଥା କଳ୍ପନାପ୍ରବଣତା ବିନିମୟରେ ସେ ଇତ୍ୟବସରରେ ଆଧୁନିକ ସଭ୍ୟତାରେ ପରିଦୃଶ୍ୟମାନ ବିଲକ୍ଷଣ ଓ ବିଶୃଙ୍ଖଳାଗୁଡ଼ିକର କାରଣ ସମ୍ପର୍କରେ ସମ୍ୟକ୍ ଧାରଣା ପୋଷଣ କରିବାକୁ ସମର୍ଥ ହୋଇଥାଆନ୍ତେ । ସେ ଯେଉଁ ସମୟରେ ସଶରୀରେ ଧରଣୀ ବକ୍ଷରେ କାଳାତିପାତ କରୁଥିଲେ ସେତେବେଳକୁ ଗୋଟିଏ ଯୁଗ ବା paradigm ବିକାଶ ପର୍ବ ଚରମ ସୋପାନରେ ଉପନୀତି ହୋଇଥିଲା ଏବଂ ସମକାଳୀନ ଭାବରେ ଆଉ ଏକ ଯୁଗ ବା paradigm ଅଭ୍ୟୁଦୟ ଘଟୁଥିଲା-। ଶେଷୋକ୍ତ ଉକ୍ତିର ତାତ୍ପର୍ଯ୍ୟ ହେଉଛି ଯେ, ଦେକାର୍ତ୍ତୀୟ ଦର୍ଶନ ଅବଲମ୍ୱନରେ ମନୁଷ୍ୟ ପରସ୍ପରଠାରୁ ମନ ଓ ବସ୍ତୁକୁ ପରସ୍ପରଠାରୁ ପୃଥକ୍ ଭାବରେ ବିଚାର କରିବା ପରଠାରୁ ପୁନରଭ୍ୟୁଦୟ ଯୁଗର ଅୟମାରମ୍ଭ ଘଟିଲା । ପ୍ରକୃତିକୁ ପର୍ଯ୍ୟବେକ୍ଷକଙ୍କଠାରୁ ପୃଥକ୍ ଭାବରେ ବିଚାର କରିବାର ଦୃଷ୍ଟିଭଙ୍ଗୀ ହିଁ ବିଜ୍ଞାନ ନିର୍ଭରଶୀଳ ଟେକ୍ନୋଲଜିଗୁଡ଼ିକ ଜରିଆରେ ପ୍ରକୃତିକୁ ସ୍ୱାର୍ଥ ସାଧନ ଦିଗରେ ନିୟୋଜିତ କରିବାପାଇଁ ମନୁଷ୍ୟକୁ କର୍ମ-ପ୍ରେରଣା ଯୋଗାଇଦେଲା । ସେ ପ୍ରାକୃତିକ ନିୟମଗୁଡ଼ିକୁ ପ୍ରତିଷ୍ଠା କରିବା ପୂର୍ବକ ଏବଂବିଧ ସତ୍ୟାଶ୍ରୟୀ ଟେକ୍ନୋଲଜିଗୁଡ଼ିକର ସମୃଦ୍ଧି ସାଧନ ଦିଗରେ ନିଜର ବୌଦ୍ଧିକତା ଓ କର୍ମକୁଶଳତାର ଯତ୍ପରୋନାସ୍ତି ଉପଯୋଗ କରିବାକୁ ପ୍ରଗତିର ପରିଚାୟକ ରୂପେ ବିଚାର କଲା । ବିଜ୍ଞାନ ନିର୍ଭରଶୀଳ ଟେକ୍ନୋଲଜିଗୁଡ଼ିକର କରାମତି ଯୋଗୁଁ ମନୁଷ୍ୟର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେଉଥିବାର ଅଭିଜ୍ଞତା ମନୁଷ୍ୟକୁ ସକଳ କାର୍ଯ୍ୟରେ ସିଦ୍ଧି ଲାଭପାଇଁ ବୈଜ୍ଞାନିକ ପଦ୍ଧତିର ଅନୁଗାମୀ ହେବାକୁ ଉଦ୍ଦୀପନା ଯୋଗାଇଦେଲା । ଏପରି ଭାବରେ ଏ ଯେଉଁ ବିଜ୍ଞାନ ନିର୍ଭରଶୀଳ ଯୁଗର ଅୟମାରମ୍ଭ ଘଟିଲା, ନିଉଟନୀୟ ଯାନ୍ତ୍ରିକୀ, ଦର ବିବର୍ତ୍ତନବାଦ ଓ ମାର୍କସଙ୍କ ବସ୍ତୁବାଦ ତାହାର ପ୍ରଗତି ପଥରେ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ରୂପେ ବିବେଚିତ ହେଲା । ମନୁଷ୍ୟ ସମାଜର ସର୍ବବିଧ ସମସ୍ୟାର ସମାଧାନ ପାଇଁ ନିର୍ଣ୍ଣୟାତ୍ମକ ଦର୍ଶନକୁ (deterministic philosophy) ଜୀବନାଦର୍ଶ ରୂପେ ଆଦରିନେବାକୁ ସ୍ପୃହଣୀୟ ମଣିଲା । ଏଣୁ ପ୍ରାକୃତିକ ବିଜ୍ଞାନଭଳି ସମାଜ ବିଜ୍ଞାନ ପର୍ଯ୍ୟାୟଭୁକ୍ତ ଅର୍ଥନୀତି, ମନସ୍ତତ୍ତ୍ୱ, ନୃତତ୍ତ୍ୱ ଆଦି ବିଷୟଗୁଡ଼ିକୁ ମଧ୍ୟ ବୈଜ୍ଞାନିକ ଭାଷାନୁବର୍ତ୍ତୀ କରାଯିବାର ଉଦ୍ୟମ ଅବ୍ୟାହତ ରହିଲା । କାର୍ଯ୍ୟ-କାରଣ-ସଙ୍ଗତ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ନିଶ୍ଚିତଭାବରେ ସର୍ବବିଧ କ୍ଷେତ୍ରରେ ଉତ୍ପାଦନରେ ଅଭିବୃଦ୍ଧି ଘଟାଇବାର ସମ୍ଭାବନା ତାକୁ ଏପରି ଅତିଷ୍ଠ କଲା ଯେ, ସେ ତାହାର ବୈଦ୍ଧିକ ଜଗତକୁ ସମୃଦ୍ଧ କରିଥିବା ଜ୍ଞାନରାଶି ଅବଲମ୍ୱନରେ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ଜାତିଗତ ସ୍ତରରେ କ୍ଷମତା ଓ ଆୟରେ ଅଭିବୃଦ୍ଧି ଘଟାଇବାକୁ ହିଁ ଜୀବନର ବ୍ରତ ରୂପେ ଆଦରରି ନଲୋ । ଏପରି ଆଦର୍ଶର ସ୍ଥାୟିତ୍ୱ ହିଁ ଧରଣୀ ବକ୍ଷରେ କ୍ଷମତା ଓ ସମ୍ପଦକୁ ଆଳକରି ସଂପ୍ରତି ଏକ ଉତ୍ତେଜନାମୟ ପରିସ୍ଥିତିର ସୂତ୍ରପାତ ଘଟାଇବା ସଙ୍ଗେ ସଙ୍ଗେ ମନୁଷ୍ୟକୁ ଆତ୍ମଘାତୀ କ୍ରିୟାଶୀଳତାରେ ଆତ୍ମନିୟୋଗ କରିବାରୁ ନିବୃତ୍ତ କରାଇବା ଦିଗରେ ଅସମର୍ଥ ହୋଇଛି । ମାତ୍ର ଚଳିତ ଶତାବ୍ଦୀର ଆଦ୍ୟ ପର୍ବରେ ଆଇନଷ୍ଟାଇନ ବୋହର, ହାଇଜେନବର୍ଗ ପ୍ରମୁଖ ପଦାର୍ଥ ବିଜ୍ଞାନୀମାନେ ମନୁଷ୍ୟର ଚେତନାରେ କ୍ରାନ୍ତିକାରୀ ଉତ୍ତରଣ ଘଟାଇବାପାଇଁ ଅବିସ୍ମରଣୀୟ ଅବଦାନ ଯୋଗାଇଛନ୍ତି । ପଦାର୍ଥ ବିଜ୍ଞାନ ମନୁଷ୍ୟକୁ ଚେତାଇ ଦେଇଛି ଯେ, ବାସ୍ତବତା (reality) ସମ୍ପର୍କରେ ନିର୍ଣ୍ଣୟାତ୍ମକ ଦୃଷ୍ଟିରୁ ଜ୍ଞାନ ଅର୍ଜନ କରିବାର ଅବକାଶ ନାହିଁ । ମଣିଷର ମନ ଓ ବସ୍ତୁ ତଥା ପର୍ଯ୍ୟବେକ୍ଷକ ଓ ପରିଲକ୍ଷିତ ବସ୍ତୁ ପରସ୍ପରଠାରୁ ପୃଥକ ନୁହଁନ୍ତି । ପଦାର୍ଥ ବିଜ୍ଞାନୀମାନେ ଆପେକ୍ଷିକତତ୍ତ୍ୱ ଓ କ୍ୱାଣ୍ଟମ୍‍ତର୍ତ୍ତ ତରତରସକ୍ତି ଅବଲମ୍ୱନରେ ଜଣାଇ ଦେଇଛନ୍ତି ଯେ, ପ୍ରକୃତିର ରହସ୍ୟ ଭେଦ କରିବା ବ୍ୟପାରରେ ଚରମ ସତ୍ୟର ସନ୍ଧାନ ମିଳିବା ପରିବର୍ତ୍ତେ ସଂଭାବ୍ର ସତ୍ୟରେ ଉପନୀତ ହେବା ସମ୍ଭବ ହେଉଛି । ଆଇନ୍ ଷ୍ଟାଇନ୍‍ଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶେଷ ଓ ସାର୍ବତ୍ରିକ ଆପେକ୍ଷିତ ତତ୍ତ୍ୱ, ହାଇଜେନବର୍ଗଙ୍କ ଅନିଶ୍ଚିତତା ସିଦ୍ଧାନ୍ତ ଓ ନିଏଲ୍ସ୍ ବୋହରଙ୍କ ଅନୁପୂରକ ସିଦ୍ଧାନ୍ତ (principle of complimentrarity) ପ୍ରଭୃତି ଅଭିନବ ଚିନ୍ତାଧାରାଗୁଡ଼ିକ ମନୁଷ୍ୟକୁ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଭେଦ କରିବାପାଇଁ ନୂଆ ପଥରେ ଅଗ୍ରଗାମୀ ହେବାକୁ ଦିକ୍‍ଦର୍ଶନ ପ୍ରଦାନ କରିଛି । ପ୍ରକୃତିର ଅବିଚ୍ଛନ୍ନ ଅଂଗ ଭାବରେ ଜନୈକ ବ୍ୟକ୍ତି ପର୍ଯ୍ୟବେକ୍ଷଣ ନେବାବେଳେ ବା କୌଣସି କାର୍ଯ୍ୟ ସମ୍ପାଦନ କରିବାବେଳେ ପ୍ରକୃତିର ସନ୍ତୁଳିତ ବିନ୍ୟାସକୁ କିପରି ଭାବରେ ବଦଳାଇ ଦେଉଛନ୍ତି ଏବଂ ଏହି ପରିବର୍ତ୍ତନ ତାଙ୍କ ସମେତ ସମଗ୍ର ଜୀବଜଗତ ଉପରେ କେଉଁ ପ୍ରକାର ପ୍ରଭାବ ବିସ୍ତାର କରୁଛି, ତତସମ୍ପର୍କୀୟ ଠିକ୍ ଧାରଣା ପାଇପାରିବା ସମ୍ଭବ ହେଉନାହିଁ । ପଦାର୍ଥ ବିଜ୍ଞାନୀମାନଙ୍କ ପଥ ପ୍ରଦର୍ଶନକାରୀ ନେତୃତ୍ୱ ଯେଉଁ ପ୍ରକାର ଭାବଧାରାର ସୂତ୍ରପାତ ଘଟାଇଛି, ତେଲ୍‍ହାର୍ଦ ଦେ ସାର୍ଦେଁ ଓ ମହାତ୍ମା ଗାନ୍ଧି ପ୍ରମୁଖ ଚିନ୍ତାନାୟକମାନେ ଠିକ୍ ତଦନୁରୂପ ଭାବଧାରାକୁ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଫଳିତ କରାଇବା ଦିଗରେ ଐତିହାସିକ ଭୂମିକା ଗ୍ରହଣ କରିଛନ୍ତି । ଆଧୁନିକ ଯୁଗର ପଦାର୍ଥ ବିଜ୍ଞାନର ଅବଦାନଗୁଡ଼ିକ ଜୀବବିଜ୍ଞାନ ଓ ସମାଜ ବିଜ୍ଞାନର କ୍ରମବିକାଶର ଧାରାକୁ ବଦଳାଇ ଦେବାରେ ସହାୟକ ହେଲାଣି । ମାର୍ଟିନ୍ ବ୍ୟୁବର୍, ଆବ୍ରାହାମ୍ ମା ସଲୋ, ଇ. ଏଫ୍. ସ୍କୁମାଚର୍, ଓର୍ଟେଗା ୱାଇ. ଗ୍ୟାସେତ୍, ଲୁଇ ମମ୍ଫୋର୍ଡ଼, ଫ୍ରିଜ୍ ଅଫ୍ କାପ୍ରା ପ୍ରମୁଖ ବୁଦ୍ଧିଜୀବୀମାନେ ମନୁଷ୍ୟର ଶୁଭଚିନ୍ତକ ଭାବରେ ଏହି ଅଭିନବ ଯୁଗ-ଦର୍ଶନ ଅନୁଯାୟୀ ସାଂପ୍ରତିକ କାଳର ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଦିକ୍‍ଦର୍ଶନ ପ୍ରଦାନ କଲେଣି । ମାତ୍ର ସେମାନଙ୍କ ବୌଦ୍ଧିକ ଅବଦାନ ଅଦ୍ୟାବଧି ପୃଥିବୀ ବକ୍ଷରେ କୌଣସି ଯୁଗାଦର୍ଶର ଅନୁଗାମୀ ହେବାପାଇଁ ବିପୁଳ ଜନମତ ସୃଷ୍ଟି କରିବାକୁ ସମର୍ଥ ହୋଇନାହିଁ । ବିଗତ ପାରାଡ଼ାଇମ୍ ବା ଯୁଗାଦର୍ଶ କବଳରୁ ମନୁଷ୍ୟର ମୋହଭଙ୍ଗ ଘଟିନାହିଁ । କ୍ଷମତା ଲିପ୍ସା ଓ ଅର୍ଥ ଲିପ୍‍ସା ମନୁଷ୍ୟକୁ ଏପରି ଅନ୍ଧ କରିଛି ଯେ, ସେ ନିଜର ଭୁଲ୍ ବୁଝିବାପାଇଁ ଏପର୍ଯ୍ୟନ୍ତ ନିଷ୍ଠାପର ଉଦ୍ୟମ କରିବାକୁ ସ୍ୱତଃପ୍ରବୃତ୍ତ ଭାବରେ ଆଗ୍ରହ ପ୍ରକାଶ କରୁନାହିଁ । ମାତ୍ର ନିଉକ୍ଳିଆର୍ ବୋମାଗୁଡ଼ିକର ସମୁନ୍ନତି ଗଚ୍ଛିତୀକରଣ ଓ ପରୀକ୍ଷାମୂଳକ ବିସ୍ପୋରଣ, ପରିବେଶ ଓ ପରିସଂସ୍ଥାର ପ୍ରଦୂଷଣ, ଦେଶ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ବୈଷମ୍ୟ, ପ୍ରାକୃତିକ ବିଭବଗୁଡ଼ିକର ଦୁଷ୍ପ୍ରାପ୍ୟତା ଓ ସେଗୁଡ଼ିକର ସୁଷମ ବିତରଣ, ପୃଥିବୀ ବକ୍ଷରୁ ଦାରିଦ୍ର୍ୟର ଅପସାରଣ, ଜନସଂଖ୍ୟା ନିୟନ୍ତ୍ରଣ ପ୍ରଭୃତି ସମସ୍ୟାଗୁଡ଼ିକ ସଂପ୍ରତି ମନୁଷ୍ୟକୁ ଯେପରି ଚିନ୍ତାକୁଳ ଓ ବିବ୍ରତ କରୁଛି ଏବଂ ଏଥିପାଇଁ ପୃଥିବୀ ବକ୍ଷରେ ଦିନକୁଦିନ ପରିସ୍ଥିତି ଯେପରି ଆତଙ୍କପ୍ରଦ ରୂପ ଧାରଣ କରୁଛି, ତାହାର ଫଳ ସ୍ୱରୂପ ବିଚାରବୋଧସମ୍ପନ୍ନ ମନୁଷ୍ୟ ନିଶ୍ଚିତ ଭାବରେ ନିଜର ଭୁଲ ବୁଝିପାରିବ ଏବଂ ଏହାଫଳରେ ସେ ଆଗାମୀ ଯୁଗର ସମସ୍ୟାଗୁଡ଼ିକର ସମାଧାନପାଇଁ ଆଧୁନିକ ବିଜ୍ଞାନ ଓ ଟେକ୍ନୋଲଜିର ଯଥାର୍ଥ ଜନକଲ୍ୟାଣମୁଖୀ ଉପଯୋଗ କରାଇବା ଉଦ୍ଦେଶ୍ୟରେ ବିହିତ ପ୍ରଶାସନିକ ପଦ୍ଧତି ଆବିଷ୍କାର କରିବାକୁ ସମର୍ଥ ହେବ ।

 

(୫)

 

ଅତୀତରେ ବହୁ ଯୁଗପ୍ରବର୍ତ୍ତକ (paradigm makers) ସେମାନଙ୍କ ସୃଷ୍ଟିଶୀଳ ପ୍ରତିଭାର ସଦୁପଯୋଗ ବଳରେ ମନୁଷ୍ୟର ସାଂସ୍କୃତିକ ବିବର୍ତ୍ତନର ଧାରାକୁ ବଦଳାଇ ପାରିଛନ୍ତି । ପ୍ରତ୍ୟେକ ଯୁଗପ୍ରବର୍ତ୍ତକ ନିଜ ଅମଳରେ ସଭ୍ୟତା ଓ ସଂସ୍କୃତି ପରିବର୍ତ୍ତନଶୀଳ ରୂପ ଧାରଣ କରିଛି-। ମାତ୍ର ସେମାନଙ୍କ ମଧ୍ୟରୁ ଅନେକଙ୍କଦ୍ୱାରା ପ୍ରତିଷ୍ଠିତ ଚିନ୍ତାଧାରା ବା ତତ୍ତ୍ୱ ପରବର୍ତ୍ତୀ କାଳରେ ତ୍ରୁଟିପୂର୍ଣ୍ଣ ଜଣାପଡ଼ିଥିଲେ ମଧ୍ୟ ସାଂସ୍କୃତିକ ବିବର୍ତ୍ତନର ଇତିହାସରେ ସେମାନଙ୍କ ଭୂମିକା ଗୌଣ ହୋଇନାହିଁ । ସେହି ମହାମତି ଚିନ୍ତାନାୟକମାନଙ୍କ କାନ୍ଧରେ ଭରା ଦେଇ ପରବର୍ତ୍ତୀ କାଳର ଚିନ୍ତାନାୟକମାନେ ଅଧିକରୁ ଅଧିକ ଅଭିଜ୍ଞତା, ଅବବୋଧ, କଳ୍ପନାପ୍ରବଣତା ଓ ଦୂରଦୃଷ୍ଟି ବିନିମୟରେ ନୂଆ ନୂଆ ଚେତନାର ଜାଗରଣ ଘଟାଇଛନ୍ତି । ଏଣୁ ବିଂଶ ଶତାବ୍ଦୀର ଆଦ୍ୟ ପର୍ବଠାରୁ ଅଦ୍ୟାବଧି ଯେଉଁ ଚେତନାର ଉନ୍ମେଷ ଘଟୁଛି, ତାହାକୁ ଏକ ବୋଧଗମ୍ୟ ରୂପରେଖ ପ୍ରଦାନ କରିବା ପାଇଁ କିଛି ସମୟ ଆବଶ୍ୟକ ହେଉଛି । ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ ଓ ସମାଜ ବିଜ୍ଞାନ କ୍ଷେତ୍ରରେ ନବପଲ୍ଲବିତ ଚିନ୍ତାଧାରାଗୁଡ଼ିକୁ ଜନସାଧାରଣ ଆପଣାର କରିପାରିବା ସମ୍ଭବ ହୋଇଯିବା ପରେ ଆଧୁନିକ ଯୁଗର ସମସ୍ୟାଗୁଡ଼ିକୁ ସମାଧାନ କରିବାର ପଥ ସୁଗମ୍ୟ ହୋଇଯିବ-

 

ଏପରି ଏକ କ୍ରାନ୍ତିକାରୀ ପରିସ୍ଥିତିରେ, ଅର୍ଥାତ୍ ଗୋଟିଏ ଯୁଗର (paradigm) ଅବସାନ ଓ ଆଉ ଏକ ଯୁଗର ଆରମ୍ଭ ଘଟୁଥିବାବେଳେ, ଆମେ ସ୍ତିତପ୍ରଜ୍ଞା ମନୋବୃତ୍ତି ବିନିମୟରେ ନିକଟ ଭବିଷ୍ୟତର ସମସ୍ୟାଗୁଡ଼ିକର ମୁକାବିଲା କରିବାକୁ ଆଗ୍ରହୀ ହେବା ହିଁ ବିଜ୍ଞତାର ପରିଚାୟକ । କାରଣ, ସାମାନ୍ୟ ଅସତର୍କତା ବା ପାଗଳାମୀ ଯୋଗୁଁ ଯଦି ନିଉକ୍ଳିଆର୍ ଯୁଦ୍ଧପାଇଁ ବାଟ ଫିଟିଯାଏ, ତାହାହେଲେ ଧରଣୀବକ୍ଷରୁ ତଥାକଥିତ ସୁସଭ୍ୟ ଓ ସୁସଂସ୍କୃତ ମନୁଷ୍ୟ ପ୍ରାୟତଃ ବିଲୁପ୍ତ ହୋଇଯିବ । ଏଭଳି ଏକ ଘଡ଼ିସନ୍ଧି ପରିସ୍ଥିତିରେ ୧୯୮୪ ମସିହାରେ ପଦାର୍ପଣ କରିବା ଅବସରରେ ଓରଓ୍ୱେଲ୍‍ ସ୍ମରଣ କରିବା ବାଞ୍ଛନୀୟ ବୋଧ ହେଉଛି । ମନୁଷ୍ୟର ଭବିଷ୍ୟତ ସମ୍ପର୍କୀୟ ତାଙ୍କ ପ୍ରାକ୍‍ସୂଚନା ଠିକ୍ ହୋଇ ନ ଥିଲେ ମଧ୍ୟ ଏକଛତ୍ରବାଦ କବଳରୁ ମନୁଷ୍ୟକୁ ରକ୍ଷା କରିବାପାଇଁ ତାଙ୍କ ଆନ୍ତରିକ ଉଦ୍ୟମ ନିଶ୍ଚିତ ଭାବରେ ମନୁଷ୍ୟର ମାନସପଟରେ ଗଭୀର ରେଖାପାତ କରିଛି । ଏକଛତ୍ରବାଦର ବିଭୀଷିକା ବାସ୍ତବ କ୍ଷେତ୍ରରେ ରୂପାୟିତ ହେବା ପରିବର୍ତ୍ତେ ସାଂପ୍ରତିକ କାଳର ସଭ୍ୟତା ଓ ସଂସ୍କୃତି ଯେଉଁ ପ୍ରକାର ରୂପ ଧାରଣ କରିଛି, ସେଥିପାଇଁ ରାଜନୈତିକ ସମୟୋଚିତ ଅବଦାନକୁ ଗୁଣମୁଗ୍‌ଧ ମାନବଜାତି ନିଶ୍ଚିତ ଭାବରେ ନତମସ୍ତକରେ ସ୍ୱୀକାର କରୁଛି । ଓରଓ୍ୱେଲ୍‍ ମନେ ପକାଇ ୧୯୮୪ ମସିହାକୁ ସ୍ୱାଗତ କରିବା ବେଳେ ଆମେ ପ୍ରତ୍ୟେକେ ପୃଥିବୀର ଜନୈକ ନାଗରିକ ଭାବରେ ସଂହତି ଓ ସହାବସ୍ଥାନ ବଳରେ ମନୁଷ୍ୟର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବା ଦିଗରେ କର୍ମନିଷ୍ଠ ଜୀବନ ଯାପନ କରିବାପାଇଁ ସଂକଳ୍ପବଦ୍ଧ ହେବା ହିଁ ଏକାନ୍ତ କାମ୍ୟ ।

Image

 

ଜନ୍ମ-ଶତବାର୍ଷିକୀର ଶୁଭ ଅବସରରେ କେନିସୀୟ
ଅର୍ଥନୀତି : ଏକ ବିହଙ୍ଗାବଲୋକନ

(୧)

 

ଚେତନାରେ କ୍ରମଉତ୍ତରଣ ଘଟୁଥିବାଯୋଗୁଁ ବିଚାରବୋଧ ସମ୍ପନ୍ନ ମନୁଷ୍ୟ ସଭ୍ୟତା ଓ ସଂସ୍କୃତିରେ ଯୁଗାନୁବର୍ତ୍ତୀ ପରିବର୍ତ୍ତନ ଘଟାଇବାକୁ ସମର୍ଥ ହେଉଛି । ପ୍ରତ୍ୟେକ ଯୁଗରେ କୌଣସି ଏକ ନିର୍ଦ୍ଦିଷ୍ଟ ସଭ୍ୟତା ବା ସଂସ୍କୃତିର ଅନୁଗାମୀ ହୋଇଥିବା ମନୁଷ୍ୟର ଚାହିଦା ବଦଳି ଯାଉଛି । ନିଜ ଯୁଗର ଚାହିଦାକୁ ହୃଦୟଙ୍ଗମ କରି ଯେଉଁ ମହାମନା ଚିନ୍ତାନାୟକ ବା କର୍ମବୀରଗଣ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି, ସେମାନେ ମାନବଜାତିର ଇତିହାସ ରଚୟିତା ଭାବରେ ମନୁଷ୍ୟର ଇତିହାସରେ ଏକ ଅବିସ୍ମରଣୀୟ ତଥା ସ୍ୱତନ୍ତ୍ର ସ୍ଥାନ ଅଧିକାର କରନ୍ତି । ଯୁଗ-ଚାହିଦା ପୂରଣ ଦିଗରେ ପଥପ୍ରଦର୍ଶନକାରୀ ବଳିଷ୍ଟ ନେତୃତ୍ୱ ପ୍ରଦାନ କରିବାର ସାମର୍ଥ୍ୟ ହିଁ ଅନନ୍ୟସାଧାରଣ ଐତିହାସିକ ପ୍ରତିଷ୍ଠା ଲାଭ କରିବାର ଉତ୍ସ । ଉଭୟ ନେପୋଲିଅନ୍ ଓ ଲେନିନ୍ ଏ ଦୃଷ୍ଟିରୁ ମନୁଷ୍ୟର ଇତିହାସରେ ଦୁଇଜଣ ତୁଙ୍ଗ ଜନନାୟକ ଭାବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ବିପ୍ଳବୋତ୍ତରକାଳରେ ଫ୍ରାନ୍‍ସରେ ଅସ୍ଥିର ଜନଶକ୍ତିକୁ ସଂଗଠିତ କରାଇବାପାଇଁ ତଥା ବିପ୍ଳବବାଦୀ ଚରମପନ୍ଥୀମାନଙ୍କୁ ଏକଛତ୍ରବାଦୀ କ୍ରିୟାଶୀଳତାରୁ ନିବୃତ୍ତ କରାଇବା ପାଇଁ ନେତୃତ୍ୱ ପ୍ରଦାନକାରୀ ଜନୈକ ବୀରପୁରୁଷଙ୍କ ଚାହିଦା ଅନୁଭୂତ ହେଉଥିଲା । ଯୁଦ୍ଧରେ ପରାସ୍ତ ହୋଇ ମସ୍କୋ ନଗରୀରୁ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ନେପୋଲିଅନ୍ ଫରାସୀ ଜନସାଧାରଣଙ୍କର ଏହି ଚାହିଦାଟିକୁ ପୂରଣ କରିପାରିଥିଲେ । ପ୍ରଥମ ମହାଯୁଦ୍ଧରେ ରୁଷିଆ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରାୟ ଛ’ ନିୟୁତ ରୁଷୀୟ ନାଗରିକ ଏହି ଯୁଦ୍ଧରେ ନିହତ ହୋଇଥିଲେ । ଯୁଦ୍ଧ-କ୍ଲାନ୍ତ ରୁଷିଆକୁ ତତ୍କାଳୀନ ସ୍ୱେଚ୍ଛାଚାରୀ ଶାସନ କବଳରୁ ମୁକ୍ତ କରିବାପାଇଁ, ଯୁଦ୍ଧର ବୋଝକୁ ଲାଘବ କରିବାପାଇଁ ତଥା ରୁଷିଆରେ ଅଭ୍ୟନ୍ତରୀଣ ଶାନ୍ତି ପ୍ରତିଷ୍ଠା କରିବାପାଇଁ ଜନୈକ ଯୁଗସ୍ରଷ୍ଟାଙ୍କ ଚାହିଦା ଅନୁଭୂତ ହେଉଥିଲା । ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସଂକଳ୍ପବଦ୍ଧ ହେବା ସଙ୍ଗେ ସଙ୍ଗେ ଲେନିନ୍ ସ୍ୱୀୟ ପଥପ୍ରଦର୍ଶନକାରୀ ନେତୃତ୍ୱ ବିନିମୟରେ ରୁଷିଆରେ ଏକ ଅଭିନବ ସମାଜର ସର୍ଜନା ଦିଗରେ ଫଳପ୍ରଦ ପଦକ୍ଷେପ ଗ୍ରହଣ କଲେ । ଷ୍ଟାଲିନ୍ ଓ ହିଟ୍‍ଲରଙ୍କ ଭଳି ଚତୁର ଜନନାୟକମାନେ ମଧ୍ୟ ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ତଥା ନେତୃତ୍ୱ ପ୍ରଦର୍ଶନ ବିନିମୟରେ ରୁଷିଆ ଓ ଜର୍ମାନୀରେ କଳଙ୍କମୟ ଇତିହାସ ରଚନା କରିବାକୁ ସମର୍ଥ ହୋଇଥିଲେ । ଉଭୟେ ନିଜ ନିଜ ଅସାଧାରଣ ଚତୁରତା ବା ନିର୍ମମ ନିଷ୍ଠୁରତା ଯୋଗୁଁ ଜନସାଧାରଣଙ୍କୁ କାବୁ କରିପାରିଥିଲେ ବୋଲି ବିଚାରିବା ଠିକ୍ ନୁହେଁ । ସେମାନେ ତତ୍କାଳୀନ ପରିସ୍ଥିତିରେ ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ଠିକ୍ ଭାବରେ ବୁଝିପାରିଥିଲେ ଏବଂ ସେଗୁଡ଼ିକୁ ପୂରଣ କରିବାର ଦୃଢ଼ ପ୍ରତିଶ୍ରୁତି ଭିତ୍ତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାର ନେତୃତ୍ୱ ପ୍ରଦର୍ଶନ କରିଥିଲେ । ଏଥିପାଇଁ ରୁଷିଆ ଓ ଜର୍ମାନୀର ଜନସାଧାରଣଙ୍କୁ ସେମାନେ ନିଜ ନିଜର ଆସ୍ଥାଭାଜନ କରାଇବା ସମ୍ଭବ ହୋଇଥିଲା । ନେପୋଲିଅନ୍, ଲେନିନ୍‍, ଷ୍ଟାଲିନ ଓ ହିଟ୍‍ଲରଙ୍କ ଭଳି କର୍ମବୀରମାନେ ଯେପରି ଭାବରେ ମନୁଷ୍ୟର ଇତିହାସରେ ଇତିହାସ ରଚୟିତା ଭାବରେ ତୁଙ୍ଗ ନେତୃତ୍ୱ ପ୍ରଦର୍ଶନ କରିପାରିଛନ୍ତି, ନିଜ ନିଜ ବୌଦ୍ଧିକତା ବଳରେ ବହୁଜ୍ଞାନୀ ମହାପୁରୁଷ ମଧ୍ୟ ଠିକ୍ ସେହିଭଳି ଧରଣୀ ବକ୍ଷରେ ଯୁଗସ୍ରଷ୍ଟା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଦାର୍‍ଉଇନ, ଫ୍ରଏଡ଼୍, ମାର୍କସ ଓ ଆଇନଷ୍ଟାଇନଙ୍କ ଭଳି ଯୁଗସ୍ରଷ୍ଟା ଚିନ୍ତାନାୟକମାନେ ମନୁଷ୍ୟର ଚେତନାରେ କ୍ରାନ୍ତିକାରୀ ଉତ୍ତରଣ ଘଟାଇଛନ୍ତି । ସେମାନଙ୍କ ମହନୀୟ ଅବଦାନଗୁଡ଼ିକ ଯୋଗୁଁ ବୌଦ୍ଧିକ ବିବର୍ତ୍ତନ, ମାନସ ଜଗତର ଅନ୍ତରାଲୋଡ଼ନ, ସାମାଜିକ ଜୀବନର ବାସ୍ତବତା ଓ ଭୌତିକ ଜଗତର କ୍ରିୟାଶୀଳତା ସମ୍ପର୍କରେ ମନୁଷ୍ୟର ବୋଧଗମ୍ୟତାର ମାନ ଏକ ଉଚ୍ଚତର ସୋପାନକୁ ଉନ୍ନୀତ ହୋଇ ପାରିଛି । ବୁଦ୍ଧିମାନ୍ ମନୁଷ୍ୟର ମାନସପଟକୁ ସେମାନେ ଏପରି ସୁଗଭୀର ଭାବରେ ପ୍ରଭାବିତ କରିପାରିବାର କାରଣ ହେଉଛି ଯେ, ସେମାନେ ନିଜ ନିଜ ଅମଳର ଜନସାଧାରଣଙ୍କ ବୌଦ୍ଧିକ ଚାହିଦାଗୁଡ଼ିକୁ ପୂରଣ କରିବାକୁ ସମର୍ଥ ହୋଇଥିଲେ । କେବଳ ଧର୍ମାନୁଷ୍ଠାନ ଜରିଆରେ ଓ ଆଧ୍ୟାତ୍ମିକ ବିଚାରଭିତ୍ତିକ ଲୋକାଚାରଗୁଡ଼ିକ ଜରିଆରେ ଜନସାଧାରଣଙ୍କ କାର୍ଯ୍ୟ-କାରଣ-ସଂଗତ ବିଚାରବୋଧକୁ ସନ୍ତୁଷ୍ଟ କରିବାଦିଗରେ ଧର୍ମଜଗତର ବଡ଼ପଣ୍ଡାମାନଙ୍କ ନେତୃତ୍ୱ କାଳକ୍ରମେ ଅଧିକରୁ ଅଧିକ ବିଫଳ ହେଉଥିବା ବେଳେ ପାଶ୍ଚ୍ୟାତ୍ୟ ଜଗତରେ ଏହି ଯୁଗସ୍ରଷ୍ଟା ବୁଦ୍ଧିଜୀବୀମାନେ ମନୁଷ୍ୟକୁ ଏକ ଅଭିନବ ଦିଗ୍‌ଦର୍ଶନ ପ୍ରଦାନ କରିବାକୁ ସମର୍ଥ ହୋଇଥିଲେ ।

 

ବୌଦ୍ଧିକ ଦୃଷ୍ଟିକୋଣରୁ ଉଲ୍ଲିଖିତ ଚାରିଜଣ ବୁଦ୍ଧିଜୀବି ବିଂଶ ଶତାବ୍ଦୀରେ ଯେଉଁ ପ୍ରକାର ବୌଦ୍ଧିକ ବିପ୍ଳବର ସୂତ୍ରପାତ ଘଟାଇଛନ୍ତି ଜନ୍ ମେନାର୍ଡ଼୍ କେନ୍‍ସ ଅବଶ୍ୟ ତଦନୁରୂପ ଯୁଗସ୍ରଷ୍ଟା ବା ଦିକ୍‍ଦର୍ଶକ ଭୂମିକା ଗ୍ରହଣ କରିନାହାନ୍ତି । ସେ ମାର୍କସଙ୍କ ଭଳି ଜନୈକ ଧର୍ମନିରପେକ୍ଷ ଭବିଷ୍ୟତ ପ୍ରବକ୍ତା ବା ସିକ୍ୟୁଲାର୍ ପ୍ରୋଫେଟ୍ ଭାବରେ ମନୁଷ୍ୟକୁ ଏକ ଶ୍ରେଣୀବିହୀନ ତଥା ଆଷନୀବିହୀନ ସମାଜର ସର୍ଜନା ଦିଗରେ ଦିକ୍‍ଦର୍ଶନ ପ୍ରଦାନ କରିନାହାନ୍ତି । ଜନୈକ ଅର୍ଥନୀତିଜ୍ଞ ଭାବରେ ତାଙ୍କ ବିଶେଷଜ୍ଞ ସୁଲଭ ଅବଦାନର ମାନ ଟେକ୍ନିକାଲ୍ ଦୃଷ୍ଟିରୁ ସମୁନ୍ନତ ହୋଇ ନ ଥିବା ସଂପର୍କରେ କେତେକ ନୋବେଲ୍ ପୁରସ୍କାର ପ୍ରାପ୍ତ କୃତବିଦ୍ୟ ଅର୍ଥନୀତିଜ୍ଞ ସମାଲୋଚନାମୂଳକ ମନ୍ତବ୍ୟ ବ୍ୟକ୍ତ କରୁଛନ୍ତି । ମାତ୍ର ଏଠାରେ ତାଙ୍କ ବିଶେଷଜ୍ଞ ସୁଲଭ କ୍ରିୟାଶୀଳତାର ମାନ ଭଳି ଗୋଟିଏ ବିବାଦୀୟ ବିଷୟକୁ ବିଚାର କରିବା ପରିବର୍ତ୍ତେ ଆମେ ବୁଝିବାର କଥା ଯେ, କେନ୍‍ସ ମଧ୍ୟ ନିଜ ଅମଳର ଜନସାଧାରଣଙ୍କ ଅଭାବ ଅସୁବିଧା ଓ ଚାହିଦାଗୁଡ଼ିକୁ ଠିକ୍ ଭାବରେ ବୁଝିବା ସଂଗେ ସଂଗେ ସେଗୁଡ଼ିକୁ ପୂରଣ କରିବା ଦିଗରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଦ୍ଦେଶ୍ୟରେ ଉପାୟ ନିର୍ଦ୍ଧାରଣ କରିପାରିଥିଲେ । ପାଶ୍ଚାତ୍ୟ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଦାରୁଣ ଅର୍ଥନୈତିକ ଅବନମନ କବଳରୁ ନିଜ ନିଜ ରାଷ୍ଟ୍ରଙ୍କୁ ମୁକୁଳାଇବାପାଇଁ କୌଣସି ଏକ ଅଭିନବ ତତ୍ତ୍ୱର ଚାହିଦା ଅନୁଭବ କରୁଥିବା ସମୟରେ କେନ୍‍ସ ହିଁ ସେମାନଙ୍କୁ ଏପରି ବିପଦରୁ ମୁକ୍ତ ହେବାର ଉପାୟ ବତାଇଦେଲେ । କେନିସୀୟ ଅର୍ଥନୀତିର ପ୍ରବର୍ତ୍ତନ ଯୋଗୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକରେ ଅର୍ଥନୈତିକ ଦୃଷ୍ଟିକୋଣରୁ କୌଣସି ଉଦବେଗଜନକ ପରିସ୍ଥିତିର ସୂତ୍ରପାତ ଘଟି ନ ଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱନାମଧନ୍ୟ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି : ରୁଜଭେଲ୍‍ଟଙ୍କ ନାମ କେନ୍‍ସଙ୍କ ସହ ଓତଃପ୍ରୋତ ଭାବରେ ଜଡ଼ିତ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୈତିକ ଅବନମନକୁ ସୁଧାରିବାପାଇଁ ରୁଜ୍‍ଭେଲ୍‍ଟ ‘ନିଉ ଡିଲ୍’ ଶୀର୍ଷକ ଯେଉଁ ସାହସିକ ପଦକ୍ଷେପଟିକୁ କାର୍ଯ୍ୟକାରୀ କରାଇଥିଲେ, ସେଥିରେ କେନିସୀୟ ତତ୍ତ୍ୱର ପ୍ରାୟୋଗିକ ଉପଯୋଗ ଘଟି ନ ଥିଲା ।

 

ବିଗତ ଅର୍ଦ୍ଧ ଶତାବ୍ଦୀ ବ୍ୟାପୀ ପାଶ୍ଚାତ୍ୟ ଜଗତର ଅର୍ଥନୀତିକୁ ସୁଧାରିବା ଦିଗରେ କେବଳ କେନିସୀୟ ଅର୍ଥନୀତି ଏକ ପଥପ୍ରଦର୍ଶକ ଭୂମିକା ଗ୍ରହଣ କରିଛି ବୋଲି ବିଚାରିବା ମଧ୍ୟ ଠିକ୍ ନୁହେଁ । ଚାହିଦା ସୃଷ୍ଟି ପାଇଁ ସରକାରୀ ସୂତ୍ରରେ ପୁଞ୍ଜି ଖଟାଇବା ଦ୍ୱାରା ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ‘ନିଉ ଡିଲ୍’ର ପ୍ରବର୍ତ୍ତନ ଯୋଗୁଁ ଅର୍ଥନୈତିକ ପରିସ୍ଥିତିରେ ଯେପରି ଉନ୍ନତି ଘଟିଛି, ବ୍ରିଟେନରେ ମଧ୍ୟ ତଦନୁରୂପ ପ୍ରଗତି ପରିଲକ୍ଷିତ ହୋଇଛି । ମାତ୍ର ଅର୍ଥନୈତିକ କ୍ଷେତ୍ରରେ ଯେଉଁ ଐତିହାସିକ ଅବନମନ ବା ମାନ୍ଦା ଅବସ୍ଥା ସୃଷ୍ଟି ହୋଇଥିଲା, ସେଥିରୁ ଅର୍ଥନୀତିକୁ ସୁଧାରିବାପାଇଁ ଦ୍ୱିତୀୟ ମହାଯୁଦ୍ଧ ମଧ୍ୟ ଏକ ବିଶେଷ ଫଳପ୍ରଦ ଭୂମିକା ଗ୍ରହଣ କରିଛି । ଦ୍ୱିତୀୟ ମହାଯୁଦ୍ଧ ହିଁ ଯୁଦ୍ଧୋତ୍ତରକାଳରେ ସାମାଜିକ ପରିବର୍ତ୍ତନ ଘଟାଇବା ଦିଗରେ ଏକ ଉତପ୍ରେରକ ଭୂମିକା ଗ୍ରହଣ କରିଛି । ଏହି ଯୁଦ୍ଧର ପରିଣତି ଯୋଗୁଁ ବ୍ରିଟେନରେ ଲେବର ପାର୍ଟି ଶାସନକ୍ଷମତାକୁ ଆସିପାରିଛି ଏବଂ ଏହି ରାଜନୈତିକ ଦଳ ବ୍ରିଟେନରେ ବହୁବିଧ ସାମାଜିକ ହିତସାଧନକାରୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଇଛି । ବଟ୍‍ଲର୍‍ଙ୍କ ଦ୍ୱାରା ପ୍ରବର୍ତ୍ତିତ ଅଭିନବ ଶିକ୍ଷାଦାନ ପଦ୍ଧତି ମଧ୍ୟ ଜନସାଧାରଣଙ୍କୁ ଆନ୍ତଃରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ଜାତୀୟ ସ୍ୱାର୍ଥର ସୁରକ୍ଷା ସମ୍ପର୍କରେ ସଚେତନ କରାଇ ପାରିଛି । ସର୍ବସାଧାରଣଙ୍କ ପାଇଁ ଜୀବିକା ଯୋଗାଣ ତଥା ସାମାଜିକ ମଙ୍ଗଳ ପ୍ରତି ଅଗ୍ରାଧିକାର ଆରୋପ କରାଯିବା ଫଳରେ ଅର୍ଥନୈତିକ କାରବାରଗୁଡ଼ିକର ମୋଡ଼ ବଦଳିଯାଇଛି । ବ୍ରିଟେନ୍ ଭଳି ଯୁକ୍ତରାଷ୍ଟ୍ର ଆମେରିକରେ ମଧ୍ୟ ଏକାଭଳି ପରିସ୍ଥିତିର ସମାଧନା କରାଯିବାପାଇଁ ସମଧର୍ମୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି । ଦ୍ୱିତୀୟ ମହାଯୁଦ୍ଧର ପରିଣତିଯୋଗୁଁ ସାମାଜିକ କ୍ଷେତ୍ରରେ ଯେଉଁପ୍ରକାର ଅଦ୍ଭୁତପୂର୍ବ ପରିସ୍ଥିତି ସୃଷ୍ଟି ହେଲା, ତାହା କେନିସୀୟ ଅର୍ଥନୈତିକ ତତ୍ତ୍ୱ ତୁଳନାରେ ଅର୍ଥନୀତିକୁ ଯୁଗାନୁବର୍ତ୍ତୀ ମାର୍ଗରେ ବଦଳାଇ ଦେବାରେ ଅଧିକ ପ୍ରଭାବ ବିସ୍ତାରକାରୀ ଭୂମିକା ଗ୍ରହଣ କରିଛି । ପ୍ରକୃତରେ ବାସ୍ତବତା ଏପରି ଜଟିଳ ଯେ, କୌଣସି ଗୋଟିଏ କାରଣକୁ ଅର୍ଥନୈତିକ ଅବନମନର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା ଯୁକ୍ତିଯୁକ୍ତ ବୋଧ ହେଉନାହିଁ ।

 

ମାତ୍ର କେନିସୀୟ ତତ୍ତ୍ୱ ବା ଯୁଦ୍ଧୋତ୍ତର କାଳରେ ଉତ୍ପତ୍ତି ଲାଭ କରିଥିବା ସାମାଜିକ ବଳଗୁଡ଼ିକ ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତିକୁ ସୁଧାରିବା ଦିଗରେ ଉଦ୍ଦୀପନା ଯୋଗାଇ ଦେବାକୁ ଅପାରଗ ହେଲାଣି । ସମୟ ବଦଳିଯାଉଛି । ନୂଆ ନୂଆ ଟେକ୍ନୋଲଜିଗୁଡ଼ିକର ଉଦ୍ଭାବନ ଏବଂ ସେଗୁଡ଼ିକର ବହୁଳ ତଥା ବହୁମୁଖୀ ଉପଯୋଗ ଯୋଗୁଁ ଅର୍ଥନୀତି ଜଟିଳ ରୂପ ଧାରଣ କରିଛି । ଯୁଦ୍ଧୋତ୍ତର କାଳରେ ପାଶ୍ଚାତ୍ୟ ଜଗତର ମନୁଷ୍ୟ ଅର୍ଥନୈତିକ ଅଭିବୃଦ୍ଧିର କୌଣସି ସୀମା ନ ଥିବା ସମ୍ପର୍କରେ ଯେଉଁ ଗଭୀର ଆଶାବାଦୀ ମନୋଭାବ ପୋଷଣ କରିଥିଲା, ଚଳିତ ଶତାବ୍ଦୀର ସପ୍ତଦଶକର ପ୍ରାରମ୍ଭ କାଳଠାରୁ ବାସ୍ତବ ପରିସ୍ଥିତିର ତାଡ଼ନାରେ ତା’ ମନରୁ ସେପରି ଉଚ୍ଚାଶା ମଉଳି ଯାଉଛି । କୌଣସି ଏକ ନିର୍ଦ୍ଦିଷ୍ଟ ତତ୍ତ୍ୱ ବା ଧାରଣା ଅବଲମ୍ୱନରେ ଅର୍ଥନୈତିକ ସମସ୍ୟାଗୁଡ଼ିକୁ ସମାଧାନ କରିବା ସମ୍ଭବ ହେଉ ନ ଥିବାରୁ ରାଷ୍ଟ୍ରନାୟକମାନେ ଅର୍ଥନୀତି କ୍ଷେତ୍ରରେ ରକ୍ଷଣଶୀଳ ପ୍ରତିକ୍ରିୟା ପ୍ରକାଶ କରିବାକୁ ସ୍ପୃହଣୀୟ ମଣୁଛନ୍ତି । ଯୁଗ-ସମସ୍ୟାର ସମାଧାନ ପାଇଁ କୌଣସି ପାଶ୍ଚାତ୍ୟ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଦାରୁଣ ଅର୍ଥନୈତିକ ଅବନମନ କବଳରୁ ନିଜ ନିଜ ରାଷ୍ଟ୍ରଙ୍କୁ ମୁକୁଳାଇବା ପାଇଁ କୌଣସି ଏକ ଅଭିନବ ତତ୍ତ୍ୱର ଚାହିଦା ଅନୁଭବ କରୁଥିବା ସମୟରେ କେନ୍‍ସ ହିଁ ସେମାନଙ୍କୁ ଏପରି ବିପଦରୁ ମୁକ୍ତ ହେବାର ଉପାୟ ବତାଇଦେଲେ । କେନିସୀୟ ଅର୍ଥନୀତିର ପ୍ରବର୍ତ୍ତନ ଯୋଗୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ବ୍ୟାପୀ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକରେ ଅର୍ଥନୈତିକ ଦୃଷ୍ଟିକୋଣରୁ କୌଣସି ଉଦ୍‍ବେଗଜନକ ପରିସ୍ଥିତିର ସୂତ୍ରପାତ ଘଟି ନ ଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱନାମଧନ୍ୟ ରାଷ୍ଟ୍ରପତି ଫ୍ରାଙ୍କ୍‍ଲିନ୍‍ ଡ଼ି: ରୁଜ୍‍ଭେଲ୍‍ଟଙ୍କ ନାମ କେନ୍‍ସଙ୍କ ସହ ଓତଃପ୍ରୋତ ଭାବରେ ଜଡ଼ିତ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୈତିକ ଅବନମନକୁ ସୁଧାରିବାପାଇଁ ରୁଜ୍‍ଭେଲ୍‍ଟ ‘ନିଉ ଡିଲ୍’ ଶୀର୍ଷକ ଯେଉଁ ସାହସିକ ପଦକ୍ଷେପଟିକୁ କାର୍ଯ୍ୟକାରୀ କରାଇଥିଲେ, ସେଥିରେ କେନିସୀୟ ତତ୍ତ୍ୱର ପ୍ରାୟୋଗିକ ଉପଯୋଗ ଘଟି ନ ଥିଲା ।

 

ବିଗତ ଅର୍ଦ୍ଧ ଶତାବ୍ଦୀ ବ୍ୟାପୀ ପାଶ୍ଚାତ୍ୟ ଜଗତର ଅର୍ଥନୀତିକୁ ସୁଧାରିବା ଦିଗରେ କେବଳ କେନିସୀୟ ଅର୍ଥନୀତି ଏକ ପଥପ୍ରଦର୍ଶକ ଭୂମିକା ଗ୍ରହଣ କରିଛି ବୋଲି ବିଚାରିବା ମଧ୍ୟ ଠିକ୍ ନୁହେଁ । ଚାହିଦା ସୃଷ୍ଟିପାଇଁ ସରକାରୀ ସୂତ୍ରରେ ପୁଞ୍ଜି ଖଟାଇବା ଦ୍ୱାରା ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ‘ନିଉ ଡିଲ୍’ର ପ୍ରବର୍ତ୍ତନ ଯୋଗୁଁ ଅର୍ଥନୈତିକ ପରିସ୍ଥିତିରେ ଯେପରି ଉନ୍ନତି ଘଟିଛି, ବ୍ରିଟେନରେ ମଧ୍ୟ ତଦନୁରୂପ ପ୍ରଗତି ପରିଲକ୍ଷିତ ହୋଇଛି । ମାତ୍ର ଅର୍ଥନୈତିକ କ୍ଷେତ୍ରରେ ଯେଉଁ ଐତିହାସିକ ଅବନମନ ବା ମାନ୍ଦା ଅବସ୍ଥା ସୃଷ୍ଟି ହୋଇଥିଲା, ସେଥିରୁ ଅର୍ଥନୀତିକୁ ସୁଧାରିବାପାଇଁ ଦ୍ୱିତୀୟ ମହାଯୁଦ୍ଧ ମଧ୍ୟ ଏକ ବିଶେଷ ଫଳପ୍ରଦ ଭୂମିକା ଗ୍ରହଣ କରିଛି । ଦ୍ୱିତୀୟ ମହାଯୁଦ୍ଧ ହିଁ ଯୁଦ୍ଧୋତ୍ତରକଳାରେ ସାମାଜିକ ପରିବର୍ତ୍ତନ ଘଟାଇବା ଦିଗରେ ଏକ ଉତ୍‍ପ୍ରେରକ ଭୂମିକା ଗ୍ରହଣ କରିଛି । ଏହି ଯୁଦ୍ଧର ପରିଣତି ଯୋଗୁଁ ବ୍ରିଟେନରେ ଲେବର ପାର୍ଟି ଶାସନକ୍ଷମତାକୁ ଆସିପାରିଛି ଏବଂ ଏହି ରାଜନୈତିକ ଦଳ ବ୍ରିଟେନରେ ବହୁବିଧ ସାମାଜିକ ହିତସାଧନକାରୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଇଛି । ବଟ୍‍ଲର୍‍ଙ୍କ ଦ୍ୱାରା ପ୍ରବର୍ତ୍ତିତ ଅଭିନବ ଶିକ୍ଷାଦାନ ପଦ୍ଧତି ମଧ୍ୟ ଜନସାଧାରଣଙ୍କୁ ଆନ୍ତଃରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ଜାତୀୟ ସ୍ୱାର୍ଥର ସୁରକ୍ଷା ସମ୍ପର୍କରେ ସଚେତନ କରାଇପାରିଛି । ସର୍ବସାଧାରଣଙ୍କ ପାଇଁ ଜୀବିକା ଯୋଗାଣ ତଥା ସାମାଜିକ ମଙ୍ଗଳ ପ୍ରତି ଅଗ୍ରାଧିକାର ଆରୋପ କରାଯିବା ଫଳରେ ଅର୍ଥନୈତିକ କାରବାରଗୁଡ଼ିକର ମୋଡ଼ ବଦଳିଯାଇଛି । ବ୍ରିଟେନ୍ ଭଳି ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ଏକାଭଳି ପରିସ୍ଥିତିର ସମାଧାନ କରାଯିବାପାଇଁ ସମଧର୍ମୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି । ଦ୍ୱିତୀୟ ମହାଯୁଦ୍ଧର ପରିଣତିଯୋଗୁଁ ସାମାଜିକ କ୍ଷେତ୍ରରେ ଯେଉଁପ୍ରକାର ଅଦ୍ଭୁତପୂର୍ବ ପରିସ୍ଥିତି ସୃଷ୍ଟି ହେଲା, ତାହା କେନିସୀୟ ଅର୍ଥନୈତିକ ତତ୍ତ୍ୱ ତୁଳନାରେ ଅର୍ଥନୀତିକୁ ଯୁଗାନୁବର୍ତ୍ତୀ ମାର୍ଗରେ ବଦଳାଇ ଦେବାରେ ଅଧିକ ପ୍ରଭାବ ବିସ୍ତାରକାରୀ ଭୂମିକା ଗ୍ରହଣ କରିଛି । ପ୍ରକୃତରେ ବାସ୍ତବତା ଏପରି ଜଟିଳ ଯେ, କୌଣସି ଗୋଟିଏ କାରଣକୁ ଅର୍ଥନୈତିକ ଅବନମନର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା ଯୁକ୍ତିଯୁକ୍ତ ବୋଧ ହେଉନାହିଁ ।

 

ମାତ୍ର କେନିସୀୟ ତତ୍ତ୍ୱ ବା ଯୁଦ୍ଧୋତ୍ତର କାଳରେ ଉତ୍ପତ୍ତି ଲାଭ କରିଥିବା ସାମାଜିକ ବଳଗୁଡ଼ିକ ସାମ୍ପ୍ରାତିକ ଅର୍ଥନୈତିକ ପରିସ୍ଥିତିକୁ ସୁଧାରିବା ଦିଗରେ ଉଦ୍ଦୀପନା ଯୋଗାଇ ଦେବାକୁ ଅପରାଗ ହେଲାଣି । ସମୟ ବଦଳିଯାଉଛି । ନୂଆ ନୂଆ ଟେକ୍ନୋଲଜିଗୁଡ଼ିକର ଉଦ୍ଭାବନ ଏବଂ ସେଗୁଡ଼ିକର ବହୁଳ ତଥା ବହୁମୁଖୀ ଉପଯୋଗ ଯୋଗୁଁ ଅର୍ଥନୀତି ଜଟିଳ ରୂପ ଧାରଣ କରିଛି । ଯୁଦ୍ଧୋତ୍ତର କାଳରେ ପାଶ୍ଚାତ୍ୟ ଜଗତର ମନୁଷ୍ୟ ଅର୍ଥନୈତିକ ଅଭିବୃଦ୍ଧିର କୌଣସି ସୀମା ନ ଥିବା ସମ୍ପର୍କରେ ଯେଉଁ ଗଭୀର ଆଶାବାଦୀ ମନୋଭାବ ପୋଷଣ କରିଥିଲା, ଚଳିତ ଶତାବ୍ଦୀର ସପ୍ତଦଶକର ପ୍ରାରମ୍ଭ କାଳଠାରୁ ବାସ୍ତବ ପରିସ୍ଥିତିର ତାଡ଼ନାରେ ତା’ ମନରୁ ସେପରି ଉଚ୍ଚାଶା ମଉଳି ଯାଉଛି । କୌଣସି ଏକ ନିର୍ଦ୍ଦିଷ୍ଟ ତତ୍ତ୍ୱ ବା ଧାରଣା ଅବଲମ୍ୱନରେ ଅର୍ଥନୈତିକ ସମସ୍ୟାଗୁଡ଼ିକୁ ସମାଧାନ କରିବା ସମ୍ଭବ ହେଉ ନ ଥିବାରୁ ରାଷ୍ଟ୍ରନାୟକମାନେ ଅର୍ଥନୀତି କ୍ଷେତ୍ରରେ ରକ୍ଷଣଶୀଳ ପ୍ରତିକ୍ରିୟା ପ୍ରକାଶ କରିବାକୁ ସ୍ପୃହଣୀୟ ମଣୁଛନ୍ତି । ଯୁଗ-ସମସ୍ୟାର ସମାଧାନ ପାଇଁ କୌଣସି ଉପାୟ ନିର୍ଦ୍ଧାରଣ କରାଯିବା ସମ୍ଭବ ହେଉନଥିବାରୁ ପ୍ରେସିଡ଼େଣ୍ଟ ରିଗାନ୍, ଶ୍ରୀମତୀ ଥାଚର୍‍ ଓ କୋହଲ୍ ପ୍ରମୁଖ ରାଷ୍ଟ୍ରନାୟକମାନେ ଅନନ୍ୟୋପାୟ ହୋଇ ଅତୀତ ଆଡ଼କୁ ଦୃଷ୍ଟିପାତ କରୁଛନ୍ତି । ମାତ୍ର ବ୍ୟାପକ ଟେକ୍ନୋଲଜି ଭିତ୍ତିକ ପରିବର୍ତ୍ତନଗୁଡ଼ିକର ମୁକାବିଲା କରିବାପାଇଁ ଅତୀତର ଅଭିଜ୍ଞତାରୁ କୌଣସି ଶିକ୍ଷା ମିଳିବ କିପରି ? ନୂଆ ନୂଆ ଟେକ୍ନୋଲଜିଗୁଡ଼ିକର ସୁଦୂରପ୍ରସାରୀ ହିତକାରୀ ଓ ଅନିଷ୍ଟକାରୀ ବିନିଯୋଗ ଯୋଗୁଁ ଯେଉଁ ଅଦ୍ଭୁତପୂର୍ବ ସମସ୍ୟାଗୁଡ଼ିକ ସୃଷ୍ଟି ହୋଇଛି, ତାହାର ମୁକାବିଲା କରିବାପାଇଁ ଭିକ୍ଟୋରୀୟ ଯୁଗକୁ ଫେରିଯିବାପାଇଁ ଶ୍ରୀମତୀ ଥାଚର୍‍ଙ୍କ ନେତୃତ୍ୱ ନିଶ୍ଚିତଭାବରେ ଫଳପ୍ରସୂ ହେବ ନାହିଁ; କିମ୍ୱା କେନିସୀୟ ଦିକ୍‍ଦର୍ଶନକୁ ବିଶ୍ୱସ୍ତଭାବରେ କାର୍ଯ୍ୟକାରୀ କରାଇବାଦ୍ୱାରା ମିକାଏଲ୍ ଫୁଟ୍ ସାମ୍ପ୍ରତିକ ସମସ୍ୟାଗୁଡ଼ିକୁ ସମାଧାନ କରିପାରିବେ ନାହିଁ । ଅଥବା, ସମକାଳୀନଭାବରେ ବେକାରୀ ଓ ମୁଦ୍ରାସ୍ଫୀତି ଯୋଗୁଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ସୃଷ୍ଟ ‘ଷ୍ଟାଗ୍‍ଫ୍ଳେଶନ୍’ ରୂପୀ ସମସ୍ୟାଟିକୁ ‘ସପ୍ଲାଇ ସାଇଡ଼୍ ଇକୋନୋମିକ୍‍ସ’ ଭଳି ସୁବିଧାବାଦୀ ବା ସହଜସାଧ୍ୟ ପନ୍ଥା ଅବଲମ୍ୱନରେ ସ୍ଥାୟୀ ଭାବରେ ବା ସନ୍ତୋଷପ୍ରଦ ମାର୍ଗରେ ସମାଧାନ କରିହେବ ନାହିଁ ।

 

(୨)

 

କେନ୍‍ସଙ୍କ ଅନବଦ୍ୟ କୃତି ରୂପେ ‘ଦି ଜେନେରାଲ୍ ଥିଓରି ଅଫ୍ ଏମ୍ପ୍ଲୟମେଣ୍ଟ ଇଣ୍ଟରେଷ୍ଟ ଆଣ୍ଡ୍ ମନି’ ଶୀର୍ଷକ ପୁସ୍ତକଟି ୧୯୩୬ ମସିହାରେ ଆତ୍ମପ୍ରକାଶ କଲା । ସମଷ୍ଟି-ଅର୍ଥନୀତି (mecroeconomics) କ୍ଷେତ୍ରରେ ତବବଧି ଉଦ୍ଭାବିତ ତଥା ପ୍ରାୟୋଜକ କ୍ଷେତ୍ରରେ ପ୍ରଯୁଜ୍ୟ ତତ୍ତ୍ୱଗୁଡ଼ିକଠାରୁ ଏହି ପୁସ୍ତକରେ ସନ୍ନିବି ତତ୍ତ୍ୱର ଗୁଣାତ୍ମକ ପାର୍ଥକ୍ୟ କେନ୍‍ସଙ୍କ ଚିନ୍ତାଧାରାର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କଲା । ବ୍ୟଷ୍ଟି-ଅର୍ଥନୀତି କ୍ଷେତ୍ରରେ ତଦବଧି ପ୍ରଚଳିତ ସର୍ବବିଧ ଧାରଣାଗୁଡ଼ିକୁ କୁଠାରାଘାତ କରିବା ସଙ୍ଗେ ସଙ୍ଗେ ଏହା ତତ୍କାଳିକ ଅର୍ଥନୀତି କ୍ଷେତ୍ରରେ ମୁଖ୍ୟ ସମସ୍ୟାଗୁଡ଼ିକର ସମାଧାନ କରିବାପାଇଁ ଦିକ୍‍ଦର୍ଶନ ଯୋଗାଇଦେଲା । କେନ୍‍ସଙ୍କ ବୌଦ୍ଧିକ ସନ୍ତାନର ଆବିର୍ଭାବ ଘଟିବା ପରଠାରୁ ଇତ୍ୟବସରରେ ପ୍ରାୟ ୪୮ ବର୍ଷ ବିତିଗଲାଣି । ଏଣୁ ତାଙ୍କ ତାତ୍ତ୍ୱିକ ଅବଦାନର ମହନୀୟତା ତଥା ଗୁଣାତ୍ମକମାନ ନିର୍ଣ୍ଣୟ କରିବା ଉଦ୍ଦେଶ୍ୟରେ ପାର୍ଥିବ ଅର୍ଥନୈତିକ ଜଗତ ପ୍ରତି ପଶ୍ଚାତ୍ ଦୃଷ୍ଟି ନିକ୍ଷେପ କରିବା ସମୀଚୀନ ବୋଧ ହେଉଛି ।

ପ୍ରବୀଣ ଅର୍ଥନୀତିଜ୍ଞମାନଙ୍କ ଦ୍ୱାରା ପୂର୍ବରୁ ଉଭାବିତ ତାତ୍ତ୍ୱିକ ବିଚାର ଅନୁଯାୟୀ ଆମେ ଜାଣିଥିଲୁ ଯେ, ଯୋଗାଣ ହିଁ ନିଜ ପାଇଁ ଚାହିଦା ସୃଷ୍ଟି କରିପାରେ : supply creates its own demand. କେବଳ ବାଣିଜ୍ୟ-ଚକ୍ର (trade cycle) ଭଳି ବିଶେଷ କ୍ଷେତ୍ରଗୁଡ଼ିକର ଅଧ୍ୟୟନ ଓ ଅନୁଶୀଳନକୁ ବାଦ ଦେଲେ ବ୍ୟଷ୍ଟି ଅର୍ଥନୀତି ଭିତ୍ତିକ ପୂର୍ବ ପ୍ରଚଳିତ ଚାହିଦା ଓ ଯୋଗାଣର ପାରସ୍ପରିକ ସମ୍ପର୍କ ଅନୁଯାୟୀ କାର୍ଯ୍ୟକ୍ଷମ ସବୁ ନାଗରିକମାନଙ୍କୁ ଉତ୍ପାଦନମୁଖୀ ଜୀବିକା ଯୋଗାଇ ଦେବା କ୍ଷେତ୍ରରେ କୌଣସି ଅସୁବିଧା ସୃଷ୍ଟି ହେବାର ଅବକାଶ ନ ଥାଏ; ଏଣୁ ବେକାରୀ ସମସ୍ୟାକୁ ବ୍ୟଷ୍ଟି ଅର୍ଥନୈତିକ ବିଚାରର ଅନ୍ତର୍ଭୁକ୍ତ କରାଯାଏନାହିଁ । ଯଦି ସମ୍ପୂର୍ଣ୍ଣ କର୍ମଯୋଗାଣ (full employment) ପାଇଁ ପରିସ୍ଥିତି ପ୍ରତିକୂଳ ହୁଏ, ତାହାହେଲେ ବିଚାର କରାଯାଏ ଯେ, ମଜୁରୀର ହାର ଅତ୍ୟଧିକ ହୋଇଯାଇଛି କିମ୍ୱା ଅନ୍ୟ କୌଣସି ଏକ ବିଲକ୍ଷଣ ସାମୟିକ ଭାବରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି । ବ୍ୟଷ୍ଟି-ଅର୍ଥନୀତି କ୍ଷେତ୍ରରେ କେବଳ ଜାତୀୟ ସମ୍ପଦ ବା ବିଭବଗୁଡ଼ିକର ଯଥାବସ୍ଥାପନ ବା ବଣ୍ଟନ (allocation of resources) ପ୍ରତି ଅଗ୍ରାଧିକାର ଆରୋପ କରାଯାଏ । ଜାତୀୟ ବିଭବ ମିଳି ନ ପାରିବାର ବା ସୃଷ୍ଟି ନ ହେବାର ଆଶଙ୍କା ଅର୍ଥନୀତିଜ୍ଞମାନଙ୍କୁ ବିଚଳିତ କରେ ନାହିଁ ।

କେନ୍‍ସ ଏଭଳି ବ୍ୟଷ୍ଟି-ଅର୍ଥନୈତିକ ଦୃଷ୍ଟିକୋଣରେ ଅମୂଳଚୂଳ ପରିବର୍ତ୍ତନ ଘଟାଇବାକୁ ସ୍ପୃହଣୀୟ ମଣିଲେ । ସ୍ଥୂଳତଃ ସେ ବିଭବଗୁଡ଼ିକର ଯଥାବସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାଟିକୁ ସ୍ୱୟଂ ସମାହିତ ସମସ୍ୟାରୂପେ ବିଚାର କଲେ । ଏହାକୁ ଗୌଣ ସମସ୍ୟାରୂପେ ବିଚାର କରି ଏହାକୁ ଯଥାବିଧି ସମ୍ପାଦନ କରିବାର ଦାୟିତ୍ୱଟିକୁ ବ୍ୟବସାୟୀମାନଙ୍କ ହାତରେ ସମର୍ପିଦେବାକୁ ସେ ଉଚିତ ମଣିଥିଲେ । ସେ ଚାହିଦା ବା ‘demand’ ପ୍ରତି ପ୍ରାଧାନ୍ୟ ଆରୋପ କଲେ । ପୂର୍ବ ପ୍ରଚଳିତ ଧାରଣାକୁ ଖଣ୍ଡନ କରିବା ପୂର୍ବକ ସେ ଘୋଷଣା କଲେ ଯେ, ଚାହିଦା ବା ‘demand’ କର୍ମଯୋଗାଣକୁ ସମ୍ପୂର୍ଣ୍ଣଭାବରେ ସଫଳ କରାଇବା ଦିଗରେ କୌଣସି ସ୍ୱାଭାବିକ ପ୍ରବୃତ୍ତି ଦର୍ଶାଏ ନାହିଁ ।

ଅର୍ଥନୀତି କ୍ଷେତ୍ରରେ ପ୍ରୟୋଗ କରାଯାଉଥିବା କ୍ଲାସିକାଲ୍ ତତ୍ତ୍ୱାନୁଯାୟୀ ସୁଧର ହାର ଓ ମଜୁରୀର ପରିମାଣ ସମ୍ମିଳିତ ଭାବରେ କର୍ମଯୋଗାଣକୁ ସମ୍ପୂର୍ଣ୍ଣ ସଫଳ କରାଇବା ଦିଗରେ ଆବଶ୍ୟକ ହେଉଥିବା ସଂଶୋଧନମୂଳକ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଇବା ଦିଗରେ ସହାୟକ ହୁଏ । କେନ୍‍ସଙ୍କ ଯୁକ୍ତି ଅନୁସାରେ ଏପରି କୌଶଳ କର୍ମଯୋଗାଣକୁ ସମ୍ପୂର୍ଣ୍ଣ କରାଇବା ପଥରେ କୌଣସି ଫଳପ୍ରଦ ଭୂମିକା ଗ୍ରହଣ କରେ ନାହିଁ । ସୁଧର ହାର ଭଳି ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଭାବର ପାରମ୍ପରିକ ଗୁରୁତ୍ୱକୁ ସେ ଏକ ଅର୍ଥହୀନ ବିଚାର ରୂପେ ସମାଲୋଚନା କଲେ । ସେ ଜଣାଇଦେଲେ ଯେ, ସଞ୍ଚୟ କରିବାର ପ୍ରବୃତ୍ତି ପରବର୍ତ୍ତୀ କାଳରେ ସଞ୍ଚିତ ପୁଞ୍ଜିକୁ ଉତ୍ପାଦନ କ୍ଷେତ୍ରରେ ଖଟାଇବା ପାଇଁ କାହାକୁ ବାଧ୍ୟ କରିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ସୁଧର ହାର ବା ଅର୍ଥଯୋଗାଣ (money supply) ପ୍ରକ୍ରିୟାକୁ କେବଳ ଇଚ୍ଛାକୃତ ଭାବରେ ବଦଳାଇ ଦେବାଦ୍ୱାରା ଉତ୍ପାଦନ ଅଭିମୁଖୀ ପୁଞ୍ଜି ଖଟାଇବାପାଇଁ ଅର୍ଥନୈତିକ ପରିବେଶ ଅନୁକୂଳ ହେବାର ସମ୍ଭାବନା ନାହିଁ । ଖାଉଟିମାନଙ୍କ ସଂଗ୍ରହପ୍ରବଣ ମନୋବୃତ୍ତିରେ ପରିଲକ୍ଷିତ ମାନ୍ଦା ଅବସ୍ଥାକୁ ସୁଧାରିବାପାଇଁ ଅଧିକରୁ ଅଧିକ ପୁଞ୍ଜି ଖଟାଇବା ଦିଗରେ ନାଗରିକମାନଙ୍କୁ ଉଲ୍ଲିଖିତ ପ୍ରକାରେ ଉତ୍ସାହିତ କରାଯିବାଦ୍ୱାରା କୌଣସି ସୁଫଳ ମିଳିବ ନାହିଁ; ବରଂ ଏତଦ୍ଦ୍ୱାରା ଅର୍ଥନୈତିକ କ୍ରିୟାଶୀଳତା ଏକ ନିମ୍ନସ୍ତରରେ ସ୍ଥିର ରହିଯିବ ।

ପୁଞ୍ଜି ବିନିଯୋଗ ବା ‘investment’କୁ ହିଁ ସେ ଅର୍ଥନୈତିକ ପ୍ରଗତିର ଚାପିକାଠି ରୂପେ ବିଚାରିଥିଲେ । ସେ ଦର୍ଶାଇଥିଲେ ଯେ, ଚାହିଦାରେ ହିଁ ଦୋଳାୟମାନ ପରିସ୍ଥିତି ବା ସର୍ବାପେକ୍ଷା ଅଧିକ ବିଚଳନ ସୃଷ୍ଟି ହେଉଛି । ଏଣୁ ଚାହିଦା ସୃଷ୍ଟିପାଇଁ ଉଦ୍ଦୀପନା ଯୋଗାଇ ଦେବାଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା କେବଳ ସରକାରୀ ପୃଷ୍ଠପୋଷକତା ବିନିମୟରେ ସଫଳଭାବରେ ସମାହିତ ହେବାର ଅବକାଶ ରହିଛି । ଏଣୁ ସେ ପୁଞ୍ଜି ଖଟାଇବା ଦିଗରେ ନୀତି ପ୍ରଣୟନ କରାଇବା ବ୍ୟାପାର ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଚିତ ମନେକଲେ । ସରକାର ପୁଞ୍ଜି ବିନିଯୋଗ ବ୍ୟାପାରରେ ସକ୍ରିୟ ଭୂମିକା ଗ୍ରହଣ କରିବାଦ୍ୱାରା ତଥା ଆବଶ୍ୟକ ସ୍ଥଳେ ନିଅଣ୍ଟିଆ ବଜେଟ ଜରିଆରେ ଚାହିଦା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାଦ୍ୱାରା ଅର୍ଥନୈତିକ କ୍ରିୟାଶୀଳତା ମାନ୍ଦା ହୋଇଯିବା ଭଳି ପରିସ୍ଥିତି ଉପୁଜିବ ନାହିଁ । ଜାତୀୟ ବିଭବର ପରିପୂର୍ଣ୍ଣ ଉପଯୋଗ ସମ୍ଭବ ହେଉନଥିବା ବେଳେ ସରକାର ସଂତୁଳିତ ବଜେଟ ପ୍ରଣୟନପାଇଁ ଆଗ୍ରହୀ ହେବା ବିଜ୍ଞତାର ପରିଚାୟକ ନୁହେଁ । ବରଂ, ସେ ଏହାକୁ ନିର୍ବୋଧତା ପରିଚାୟକରୂପେ ବିଚାରିଥିଲେ । ଏଥିପାଇଁ ଅବଶ୍ୟ କେନିସୀୟ ଅର୍ଥନୀତିକୁ ମୁଦ୍ରାସ୍ଫୀତିର ଆବର୍ଦ୍ଧକ ରୂପେ ବିଚାର କରାଯାଉଛି ।

କେନ୍‍ସ ସ୍ୱରଚିତ ପୁସ୍ତକ ଜରିଆରେ ସମଷ୍ଟି-ଅର୍ଥନୀତି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟାଇବାକୁ ଚାହୁଁଥିଲେ । ଏ ପୁସ୍ତକଟି ପ୍ରକାଶିତ ହେବାର ଏକବର୍ଷ ପୂର୍ବରୁ ସେ ସ୍ୱନାମଧନ୍ୟ ସାହିତ୍ୟିକ ବର୍ଣ୍ଣାଡ଼୍ ଶ’ଙ୍କ ନିକଟକୁ ଗୋଟିଏ ପତ୍ରରେ ଲେଖିଥିଲେ, ‘‘I believe myself to be writing a book which will largely revolutionise.....the way the world thinks about economic problem.....The Ricardian foundations of Marxism will be knocked away” । କେନିସୀୟ ଅର୍ଥନୀତିର ପ୍ରବର୍ତ୍ତନ ଯୋଗୁଁ ମାର୍କସବାଦର ରିକାର୍ଡ଼ୋ ପ୍ରବର୍ତ୍ତିତ ମୂଳଦୁଆ ଭୁଷୁଡ଼ିଯିବା ଭଳି ଗୋଟିଏ ଦୃଢ଼ ଦାବୀକୁ ଅଭିଜ୍ଞତା ଭିତ୍ତିକ ଚିନ୍ତନ ବଳରେ ବିଚାର କଲେ ତାହା ପୂରାପୂରି ଅଯୌକ୍ତିକ ବୋଧ ହେଉଛି । ବରଂ, କେନିସୀୟ ଅର୍ଥନୀତିର ପ୍ରବର୍ତ୍ତନ ଯୋଗୁଁ ପୁଞ୍ଜିବାଦୀ ଅର୍ଥନୀତିର (capitalism) ସ୍ୱରୂପ ବଦଳିଯାଉଛି । କେନିସୀୟ ଅର୍ଥନୀତିକ ବିଚାରକୁ ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟକାରୀ କରାଇବାପାଇଁ ଏହାର ଜନୈକ ଦୃଢ଼ ସମର୍ଥକରୂପେ ସ୍ୱର ଉତ୍ତୋଳନ କରିଥିବା ମାର୍କିନ୍ ଅର୍ଥନୀତିଜ୍ଞ ପ୍ରଫେସର ସେମୁର ହାରିସ୍‍ଙ୍କ ମତାନୁଯାୟୀ କେନ୍‍ସ ପୁଞ୍ଜିବାଦକୁ ଧ୍ୱଂସ କରିବା ପରିବର୍ତ୍ତେ ଏହାକୁ ରକ୍ଷା କରିବାପାଇଁ ଯତ୍ନବାନ୍ ହୋଇଥିଲେ । ଏହାହିଁ ଥିଲା ତାଙ୍କ ବୌଦ୍ଧିକ ପ୍ରୟାସର ଆଭିମୁଖ୍ୟ : “Keyne’s mission.....was to save capitalism, not to destroy it.”

Image

 

(୩)

 

କେନ୍‍ସଙ୍କ ଅର୍ଥନୈତିକ ବିଚାରକୁ ସ୍ୱଳ୍ପମିଆଦୀ ସୂତ୍ରରେ ଉନ୍ନତ ରାଷ୍ଟ୍ରଗୁଡ଼ିକରେ କାର୍ଯ୍ୟକାରୀ କରାଯିବାଦ୍ୱାରା ଏବଂ ଚାହିଦାର ଅଭାବ ପୂରଣ ଦିଗରେ ସରକାରୀ ସୂତ୍ରରେ ସମୟୋଚିତ ପଦକ୍ଷେପ କାର୍ଯ୍ୟକାରୀ କରାଯିବାଦ୍ୱାରା ସଂପୃକ୍ତ ରାଷ୍ଟ୍ରଗୁଡ଼ିକରେ ଜାତୀୟ ଅର୍ଥନୀତି ସାମୟିକ ଭାବରେ ସ୍ୱଚ୍ଛଳ ରୂପ ଧାରଣ କରିଛି । ସରକାର ସ୍ୱେଚ୍ଛାକୃତ ଭାବରେ ମୋଟ ଚାହିଦାର ପରିମାଣକୁ ବଢ଼ାଇ ଦେବାପାଇଁ ନିଅଣ୍ଟିଆ ବଜେଟ ଜରିଆରେ ପୁଞ୍ଜି ଯେଗାଇଦେଇ ବିହିତ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଇବାଦ୍ୱାରା ଚାହିଦାର ଅଭାବ ଯୋଗୁଁ ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ହୋଇପାରୁନଥିବା ଅବସ୍ଥାପନାଗତ ଯନ୍ତ୍ରପାତିଗୁଡ଼ିକୁ ଓ କାର୍ଯ୍ୟକ୍ଷମ ନାଗରିକମାନଙ୍କୁ ସକ୍ରିୟ କରାଯିବା ସମ୍ଭବ ହୋଇଛି । ମାତ୍ର ଏତଦ୍ଦ୍ୱାରା ଦୀର୍ଘମିଆଦୀ ସୂତ୍ରରେ ଜାତୀୟ ଅର୍ଥନୀତିକୁ ସ୍ଥିର ତଥା ସ୍ୱଚ୍ଛଳ ରୂପ ପ୍ରଦାନ କରିବା ସମ୍ଭବ ହୋଇନାହିଁ । ଜନସଂଖ୍ୟାର ଅଭିବୃଦ୍ଧି, ଉତ୍ପାଦନ ପ୍ରକ୍ରିୟାର ମାନରେ ଅଭିବୃଦ୍ଧି ଘଟାଇବାପାଇଁ ଉଦ୍ଦିଷ୍ଟ ଟେକ୍ନୋଲଜି ଗୁଡ଼ିକର ଢାଞ୍ଚାରେ ଦ୍ରୁତ ପରିବର୍ତ୍ତନ ଏବଂ ବେକାରୀ ସମସ୍ୟା ଉପରେ ଏଗୁଡ଼ିକର ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଭାବ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ପ୍ରଗତି କ୍ଷେତ୍ରରେ ସୃଷ୍ଟି ସମସ୍ୟାରାଜି ପ୍ରଭୃତି ବହୁବିଧ ଜଟିଳ ସମସ୍ୟାଗୁଡ଼ିକୁ ସମାଧାନ କରିବାପାଇଁ ଏହା କୌଣସି ସନ୍ତୋଷପ୍ରଦ ଦିକ୍‍ଦର୍ଶନ ଯୋଗାଇ ପାରୁନାହିଁ । ମୋଟ ଚାହିଦାକୁ (aggregate demand) ଇଚ୍ଛାକୃତ ଭାବରେ ବଢ଼ାଇଦେବାର ଫଳ ସ୍ୱରୂପ ମୁଦ୍ରାସ୍ଫୀତି ଯେପରି ବିଷମ ପରିସ୍ଥିତି ସୃଷ୍ଟି କରୁଛି ଏବଂ ମୁଦ୍ରାସ୍ଫୀତିସହ ସମକାଳୀନ ଭାବରେ ବେକାରୀ ସମସ୍ୟାର ଉତ୍ପୀଡ଼ନ ଜନଜୀବନକୁ ଯେପରି ଅଦୃଷ୍ଟ କରି ପକାଉଛି, ତାହାର ସମାଧାନ ଦିଗରେ କେନିସୀୟ ଅର୍ଥନୀତି ଅପାରଗ ହୋଇଛି ।

 

ସମଷ୍ଟି-ଅର୍ଥନୀତି କ୍ଷେତ୍ରରେ ଆଧୁନିକ ଯୁଗର ଦୁଇଜଣ ଅର୍ଥନୀତିଜ୍ଞଙ୍କ ବୌଦ୍ଧିକ ଅବଦାନପ୍ରତି ଗୁରୁତ୍ୱ ଆରୋପ କରାଯାଉଛି; ଯଥା :—ମାର୍କସ ଓ କେନ୍‍ସ । ଉଭୟଙ୍କ ବିଚାରଧାରା ପରସ୍ପରଠାରୁ ପୃଥକ୍ ହୋଇଥିଲେ ମଧ୍ୟ ଉଭୟଙ୍କ ବୌଦ୍ଧିକ ଅବଦାନରେ ଗୋଟିଏ ବିଚିତ୍ର ଭାବଗତ ସାମ୍ୟ ପରିଲକ୍ଷିତ ହୁଏ । ଉଭୟେ ଉତ୍ପାଦନ-ପ୍ରକ୍ରିୟାର ତତ୍କାଳୀନ ରୂପକୁ ବିଚାରକୁ ନେଇ ତଥା ଉତ୍ପାଦନର ପରିମାଣ ଓ ଢାଞ୍ଚାକୁ ବଦଳାଇଦେବା କ୍ଷେତ୍ରରେ ଆଗାମୀ ଯୁଗମାନଙ୍କରେ ଟେକ୍ନୋଲଜିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିଚାରକୁ ନ ନେଇ ନିଜ ନିଜ ମତବ୍ୟକ୍ତ କରିଛନ୍ତି । ଏଣୁ ସାମ୍ପ୍ରତିକ ଯୁଗର ଉତ୍ପାଦନ ପ୍ରକ୍ରିୟା, ଯୋଗାଯୋଗ ଓ ପରିବହନ ସଂକ୍ରାନ୍ତୀୟ ବ୍ୟାପାରଗୁଡ଼ିକୁ ଆଧୁନିକ ବିଜ୍ଞାନ ନିର୍ଭରଶୀଳ ବିଚକ୍ଷଣ ଟେକ୍‌ନୋଲଜିଗୁଡ଼ିକ ଜରିଆରେ କାର୍ଯ୍ୟକାରୀ କରାଇବାଦ୍ୱାରା ଜାତୀୟ ତଥା ଆନ୍ତର୍ଜାତୀୟ ଅର୍ଥନୀତି କ୍ଷେତ୍ରରେ ଯେଉଁ ପ୍ରକାର ଅଦ୍ଭୁତପୂର୍ବ ପରିସ୍ଥିତି ସୃଷ୍ଟି ହେଉଛି ତାହାର ସମାଧାନ ଦିଗରେ ଉଭୟବିଧ ଅର୍ଥନୀତି ଫଳପ୍ରଦ ହେଉନାହିଁ । ଡେନାଲ୍ଡ଼ଉଇଲହେମ ନାମକ ଜନୈକ ପ୍ରବୀଣ ବୁଦ୍ଧିଜୀବୀ ସ୍ୱରଚିତ “Creative alternative to communism” ଶୀର୍ଷକ ଏକ ବହୁଚର୍ଚ୍ଚିତ ଭାବେଦ୍ଦୀପକ ପୁସ୍ତକରେ ଏହି ଘଟଣାକୁ ଉପଲକ୍ଷ୍ୟ କରି ଲେଖିଛନ୍ତି : —

 

“Marxism contains a fundamentally archaic element which pervades the system wherever it is found. The system rests squarely upon the static assumption that, under so called capitalism, the productive forces automatically become antagonistic to the existing social organization with the consequence that a violent social revolution inevitably ensues. Marx thereby made the error which was remarkably comparable with that which Keynes was to commit some decades later by aceepting the productive forces as essentially given, he denied himself the possibility of their creative modification through science and technology so as to harmonize them with the social situation....Beacuse of the recent ascendancy of the Keynesian economics and Marxian gospels, man has appreared to be left with a stark choice : either he should try to operate the world’s mixed economies with a minimum of structural alteration, or he should subject those economies to revolutionary social change.”

 

ମିଶ୍ରିତ ଅର୍ଥନୀତି ପ୍ରବର୍ତ୍ତିତ ସବୁ ରାଷ୍ଟ୍ରଗୁଡ଼ିକରେ ସଂପ୍ରତି ‘ଷ୍ଟାରଫେଶନ୍’ର ଉତ୍ପୀଡ଼ନ ଜନଜୀବନରେ ଅଶାନ୍ତି ଭରି ଦେଇଛି । କେନିସୀୟ ବିଚାରଧାରାକୁ ବଦଳାଇ ଦେବାପାଇଁ ତଥା ଯୁଗାନୁବର୍ତ୍ତୀ କରିଦେବାପାଇଁ ମିଲଟନ୍ ଫ୍ରିଡ଼୍‍ମାନ ପ୍ରମୁଖ ବହୁ ଅର୍ଥନୀତିଜ୍ଞ ସମଷ୍ଟି–ଅର୍ଥନୀତି କ୍ଷେତ୍ରରେ ଅଭିନବ ଚିନ୍ତାଧାରାର ସୂତ୍ରପାତ ଘଟାଇଛନ୍ତି । ଆଜି ଯଦି କେନ୍‍ସ ଜୀବିତ ଥାଆନ୍ତେ, ତାହାହେଲେ ସେ କ’ଣ ନିଜ ବିଚାରର ପ୍ରୟୋଗିକ ଆଭିମୁଖ୍ୟକୁ ସ୍ୱୀକୃତି ପ୍ରଦାନ କରିବାକୁ କୁଣ୍ଠାବୋଧ କରନ୍ତେ ନାହିଁ ? ଏପରି ଏକ କୌତୁହଳୀ ପ୍ରଶ୍ନର ଉତ୍ତର ଅତି ସ୍ପଷ୍ଟ । ରକ୍ଷଣଶୀଳ ମନୋଭାବ ପ୍ରତି ବିତସ୍ପୃହ ଆଚରଣ ପ୍ରଦର୍ଶନ କରିଥିବା ଏହି ଚତୁର ତଥା ପ୍ରତିଭାଧର ଅର୍ଥନୀତିଜ୍ଞ ନିଶ୍ଚିତ ଭାବରେ ଯୁଗ-ସମସ୍ୟାର ସମାଧାନ ପାଇଁ ବିକଳ୍ପ ତାତ୍ତ୍ୱିତ ସ୍ପଷ୍ଟୀକରଣ ଯୋଗାଇ ଦେବାକୁ ବିଜ୍ଞତାର ପରିଚାୟକ ରୂପେ ବିଚାର କରିଥାଆନ୍ତେ । ଡକ୍ଟର ଭି. କେ. ଆର୍. ଭି. ରାଓ ନାମକ ଆମ ଦେଶର ଜନୈକ ପ୍ରବୀଣ ଅର୍ଥନୀତିଜ୍ଞ ଏହି ଘଟଣାକୁ ଉପଲକ୍ଷ୍ୟ କରି ଲେଖିଛନ୍ତି :

 

“What Keynes would have done in the current situation is any boby’s guess, but I have no doubt that he would have advocated a new policy and not bothered by how far it was consitant with the polices he advocated earlier. For Keynes was essentially unorthodox and more interested in policy measures than in theoretical formulations or consistency with previously advocated policies. In fact, that was the greatness of Keynes, that he adjusted his policies to current requirements and then used his ingenuity to find theretical justification.”

 

ବର୍ତ୍ତମାନ ଗଣତାନ୍ତ୍ରିକ ଶାସନ ପ୍ରବର୍ତ୍ତିତ ରାଷ୍ଟ୍ରମାନଙ୍କରେ ମିଶ୍ରିତ ଅର୍ଥନୀତି ଯେଉଁ ରୂପ ଧାରଣ କରିଛି ତାହାକୁ ଲକ୍ଷ୍ୟ କରିବାଦ୍ୱାରା ଆମେ ସମଷ୍ଟି-ଅର୍ଥନୀତି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ତଥା ବିପ୍ଳବାତ୍ମକ ତତ୍ତ୍ୱ ବା ଧାରଣାର ଚାହିଦା ଅନୁଭବ କରୁଛି । କେନିସୀୟ ଅର୍ଥନୀତିକୁ ପରିସ୍ଥିତିର ତାଡ଼ନାରେ ବଦଳାବଦଳି କରିବାଦ୍ୱାରା କିମ୍ୱା ମାର୍କସୀୟ ଓ କେନିସୀୟ ଅର୍ଥନୀତି ମଧ୍ୟରେ କୌଣସି ପ୍ରକାର ସମନ୍ୱୟ ପ୍ରତିଷ୍ଠା କରିବାପାଇଁ ଯତ୍ନଶୀଳ ହେବାଦ୍ୱାରା ଭବିଷ୍ୟତର ମୁକାବିଲା କରିବା ସମ୍ଭବ ହେବ ନାହିଁ । ଟେକ୍ନୋଲଜି କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନ ଗୁଡ଼ିକୁ ଲକ୍ଷ୍ୟକରି ତଥା ଅର୍ଥନୈତିକ ସମସ୍ୟା ସୁଧାରିବା ଦିଗରେ ରାଜନୀତିର କ୍ରମବର୍ଦ୍ଧମାନ ପ୍ରଭାବକୁ ଏକ ପ୍ରଣିଧାନଯୋଗ୍ୟ ସମସ୍ୟାରୂପେ ଗ୍ରହଣ କରି ଆମେ ମିଶ୍ରିତ ଅର୍ଥନୀତି ପ୍ରବର୍ତ୍ତିତ ରାଷ୍ଟ୍ରଗୁଡ଼ିକ ଆଡ଼କୁ ଦୃଷ୍ଟିପାତ କରିବାଦ୍ୱାରା ଜାଣିପାରୁଛୁ ଯେ, ଏଣିକି ଉନ୍ନତ ରାଷ୍ଟ୍ରଗୁଡ଼ିକ କେବଳ ଯୁଦ୍ଧକୁ ତେଜାଇ ରଖିବାଦ୍ୱାରା ତଥା ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧ ସରଞ୍ଜାମ ରତ୍ପାନୀ କରିବାଦ୍ୱାରା ନିଜ ଦେଶର ଅର୍ଥନୈତିକ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଲୋଭିତ ହେବେ । ଏହା ବ୍ୟତୀତ ଅନ୍ୟ କୌଣସି ପନ୍ଥା ସେହି ଦେଶଗୁଡ଼ିକର ଅର୍ଥନୀତିକୁ ଦୀର୍ଘକାଳୀନ ସୂତ୍ରରେ ସ୍ଥିର ରୂପ ପ୍ରଦାନ କରିବାର ଆବଶ୍ୟକ ନାହିଁ । ଏଥିପାଇଁ ପୃଥିବୀ ବକ୍ଷରେ ଦିନକୁଦିନ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଭବିଷ୍ୟତରେ ଏହା ମନୁଷ୍ୟକୁ ଯେଉଁ ପ୍ରକାର ସଂକଟାପନ୍ନ ପରିସ୍ଥିତିର ସମ୍ମୁଖୀନ ବିଶଦ ବର୍ଣ୍ଣନା ଯୋଗାଇଦେବା ଅନାବଶ୍ୟକ ବୋଧ ହେଉଛି । ଏଣୁ ବର୍ତ୍ତମାନ ସମଷ୍ଟି ଅର୍ଥନୀତିକୁ ଏକ ନୂତନ ରୂପ ଦେବାପାଇଁ ନିଜେ ଯୁଗସ୍ରଷ୍ଟା ଚିନ୍ତାନାୟକଙ୍କ ବଳିଷ୍ଠ ନେତୃତ୍ୱହିଁ ଏକାନ୍ତ ଆବଶ୍ୟକ ହେଉଛି । ଆମେ ଆଶା କରିବା ଯେ, ଅତୀତର ଅଭିଜ୍ଞତାକୁ ବିଚାରକୁ ନେଇ ତତା ନିଜର ଚିନ୍ତାଶକ୍ତି ଅନ୍ତଃଦୃଷ୍ଟି ଓ ସୁଦୂରପ୍ରସାରୀ ଦୃଷ୍ଟିଭଙ୍ଗୀ ପ୍ରୟୋଗ କରି ନିକଟ ଭବିଷ୍ୟତରେ କୌଣସି ମହାମତି ଚିନ୍ତାନାୟକ ସମଷ୍ଟି – ଅର୍ଥନୀତିକୁ ଶୁଭଙ୍କର ରୂପ ପ୍ରଦାନ କରିବାପାଇଁ ତଥା ଏକ ‘ଆନ୍ତଃରାଷ୍ଟ୍ରୀୟ ଅର୍ଥନୈତିକ ଶୃଙ୍ଖଳା’ର ପ୍ରତିଷ୍ଠାପାଇଁ ବିଭିନ୍ନ ଦେଶର ରାଜନୈତିକ ନେତୃବର୍ଗଙ୍କୁ ଯୁଗୋପଯୋଗୀ ଦିକ୍‍ଦର୍ଶନ ପ୍ରଦାନ କରିବାକୁ ସମର୍ଥ ହେବେ । କେନ୍‍ସଙ୍କ ଭଳି ଜଣେ ତୁଙ୍ଗ ବୁଦ୍ଧିଜୀବୀଙ୍କ ଜନ୍ମ – ଶତବାର୍ଷିକୀରେ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ନିବେଦନ କରିବା ଅବସରରେ ଏପରି ଏକ ଆଶାବାଦୀ ମନୋଭାବ ପୋଷଣ କରିବା ଅବାନ୍ତର ବୋଧ ହେଉନାହିଁ । ପ୍ରାସଙ୍ଗିକ ପରିପ୍ରେକ୍ଷୀରେ ଡୋନାଲ୍ଡ଼ ଉଇଲହେଲ୍‍ମଙ୍କ* ପୁସ୍ତକରୁ କତିପୟ ବାକ୍ୟ ଉଦ୍ଧାର କରି ଏହି ପ୍ରବନ୍ଧର ପରିସମାପ୍ତି ଘଟାଇବା ସମୀଚୀନ ବୋଧ ହେଉଛି । ସେ ଲେଖିଛନ୍ତି :

 

“For the task before us we need two kinds of leadership : the charismatic, such as provided by a Charlemagne or Jefferson or Wilbherforce or Lincoln or Churchill; and the leadership of well conceived idea. Fortunately for humanity, the availability of the second kind of leadership greatly assists in generating the first. This book aims to help both in creating such ideas and also in stimulating the rising generation of leaders to take them up and walk with them.” ଏହି ପ୍ରବନ୍ଧଟି ଡୋନାଲ୍ ଉଇଲ୍ହେଲ୍ମଙ୍କ ପୁସ୍ତକର ଲକ୍ଷ୍ୟ ଭଳି ଓଡ଼ିଆ ପାଠକ ପାଠିକାମାନଙ୍କଠାରେ ସାମାନ୍ୟ ମାନସ ଆଲୋଡ଼ନ ସୃଷ୍ଟି କରିପାରିଲେ ମୋର ଶ୍ରମ ସାର୍ଥକ ହୋଇଛି ବୋଲି ବିଚାରିବି ।

 

 Donald Wilhelm; Creative Alternatives to Communism: guidelines for tomorrow’s World; MacMillan, 1978, (p154-155)

Image

 

ଭୂପୃଷ୍ଠରେ ଜୀବ ଜଗତର ସର୍ଜନା ସମ୍ଭବ ହେଲା କିପରି ?

(୧)

 

ଏକ ଅଭିନବ ତଥା ବିବାଦୀୟ ତତ୍ତ୍ୱ :

 

ବସୁମାତା ଧରଣୀ ବକ୍ଷରେ ଜୀବଜଗତର ସର୍ଜନା ସମ୍ଭବ ହେଲା କିପରି ? ମହାମତି ଦାରଉଇନଙ୍କ ଦ୍ୱାରା ପରିବେଷିତ ବିବରତ୍ନବାଦ ଜନପ୍ରିୟ ହୋଇଯିବା ପରେ ଆମେ ଜାଣିପାରିଲୁ ଯେ, ପୃଥିବୀରୂପୀ ଗ୍ରହ ସୃଷ୍ଟି ହେବା ପରଠାରୁ ପ୍ରାକୃତିକ ବିବର୍ତନର କ୍ରମ ପରିଣତି ସ୍ୱରୂପ ଜଡ଼ ବସ୍ତୁଗୁଡ଼ିକରୁ ସମୟକ୍ରମେ ଜୈବିକ ବସ୍ତୁ ଓ ତତ୍ ନିର୍ଭରଶୀଳ ଜୀବଜଗତର ସୃଷ୍ଟି ସମ୍ଭବ ହୋଇଛି । ସୃଷ୍ଟି ହେବା ପରେ ପୃଥିବୀର ଭୌତିକ ପରିବେଶରେ ଏପରି ପ୍ରାକୃତିକ ପରିବର୍ତ୍ତନଗୁଡ଼ିକ ସଂଘଟିତ ହୋଇଛି ଏବଂ ପୁଷ୍ଟିସାର ଓ ଆମିନୋ ଅମ୍ଳଗୁଡ଼ିକର ଗଠନ ପାଇଁ ଏପରି ଅନୁକୂଳ ରାସାୟନିକ ପ୍ରକ୍ରିୟା ସଂଘଟିତ ହୋଇଛି ଯେ, କାଳକ୍ରମେ ପ୍ରାକୃତିକ ବରଣ (natural selection) ପ୍ରକ୍ରିୟା ଅବଲମ୍ୱନରେ ଧରଣୀ ବକ୍ଷରେ ବହୁବିଧ ଜୀବର ସର୍ଜନା ଓ ବଂଶବୃଦ୍ଧିପାଇଁ ପରିବେଶ ଏକାନ୍ତ ଅନୁକୂଳ ହୋଇଛି । ଏପରି ଚିନ୍ତାଧାରାର ସତ୍ୟତା ସପକ୍ଷରେ ପ୍ରଭୂତ ପ୍ରାମାଣିକ ତଥ୍ୟ ସଂଗ୍ରହ କରାଯାଉଥିବା ଅବସରରେ ଏବଂ ଜୀବଜଗତର ସର୍ଜନା ସମ୍ୱନ୍ଧୀୟ ବିବର୍ତନାଶ୍ରୟୀ ତଥା ରାସାୟନିକ ପ୍ରକ୍ରିୟାଶ୍ରୟୀ ସ୍ପଷ୍ଟୀକରଣ ଯୋଗାଇଦେବା ପାଇଁ ବୈଜ୍ଞାନିକମାନେ ବହୁ ଶୃଙ୍ଖଳା ଭିତ୍ତିକ ଗବେଷଣା ଚଳାଇବା ଅବସରରେ, ସଂପ୍ରତି ଗୋଟିଏ ଅଭିନବ ତତ୍ତ୍ୱର ପ୍ରତିଷ୍ଠା ପୃଥିବୀର ବୌଦ୍ଧିକ ଜଗତରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ।

 

ସ୍ୱନାମଧନ୍ୟ ବ୍ରିଟିଶ ଜ୍ୟୋତିଃପଦାର୍ଥବିଜ୍ଞାନୀ ଫ୍ରେଡ଼୍ ହଏଲ୍ ଓ ତାଙ୍କ ସହଯୋଗୀ ଗବେଷକ ଚନ୍ଦ୍ର ବିକ୍ରମ ସିଂହ (Chandra Wickrama Singhe) ଜୀବଜଗତର ସର୍ଜନା ପାଇଁ ଧୂମକେତୁ ବା କମେଟ୍‍ଗୁଡ଼ିକୁ ଦାୟୀ କରିଛନ୍ତି । ଏହି ଦୁଇଜଣ ପ୍ରବୀଣ ଗବେଷକଙ୍କ ମତାନୁଯାୟୀ ଆମ ପୂର୍ବପୁରୁଷମାନେ କୌଣସି ଧୂମକେତୁର ଆର୍ଦ୍ର ତଥା ଉଷୁମ ନିଉକ୍ଳିଅସରେ ବିବର୍ତିତ ହୋଇଥିଲେ । କମେଟ୍ ଗର୍ଭରେ ଏକକୋଷୀ ବ୍ୟାକ୍ଟେରିଆଗୁଡ଼ିକ ସର୍ଜନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା । ଭ୍ରମଣରତ କମେଟ୍ରେ ଥାଇ ଏଗୁଡ଼ିକ ଆନ୍ତଃନାକ୍ଷତ୍ରିକ (interstellar) ସ୍ଥାନରୁ ନିଜ ନିଜର ପରିପୁଷ୍ଟି ଘଟାଇବା ପାଇଁ ଆନୁଷଙ୍ଗିକ ଜୈବିକ ଅଣୁଗୁଡ଼ିକୁ ପାଇ ପାରୁଥିଲେ । ସୂର୍ଯ୍ୟାଲୋକର ଚାପଦ୍ୱାରା ପ୍ରଭାବିତ ହେବା ଫଳରେ ଏହି କ୍ଷୁଦ୍ରାକୃତି ବ୍ୟାକ୍ଟେରିଆଗୁଡ଼ିକ ଆମ ଗାଲାକ୍‍ସିରେ ଇତଃସ୍ତତଃ ବିଛାଡ଼ି ହୋଇଗଲେ । ଏମାନଙ୍କ ମଧ୍ୟରୁ କେତେକ ଆମ ବାସସ୍ଥଳୀ ପୃଥିବୀ ବକ୍ଷରେ ନିପତିତ ହେବା ପରେ ଭୂପୃଷ୍ଠରେ ଜୀବ ଜଗତର ସର୍ଜନା ଆରମ୍ଭ ହେଲା । ହଏଲ୍ ଓ ଚନ୍ଦ୍ର ବିଶ୍ୱକୁ ଗୋଟିଏ ବିରାଟକାୟ ଜୈବିକ ମେସିନ୍ (Biological Machine) ରୂପେ ବିଚାର କରିବା ସଙ୍ଗେ ସଙ୍ଗେ ଘୋଷଣା କରିଛନ୍ତି ଯେ, ଭ୍ରାମ୍ୟମାଣ କମେଟ୍‍ଗୁଡ଼ିକ ଆତ ମଞ୍ଜି ଭଳି ବୀଜଗୁଡ଼ିକୁ ବିକ୍ଷେପ କରିବା ଦାୟିତ୍ୱଟିକୁ ତୁଲାଉଛନ୍ତି-। କମେଟ୍ କର୍ତ୍ତୃକ ବୀଜ ବିକ୍ଷେପଣ ପ୍ରକ୍ରିୟା ଯୋଗୁଁ ଭୂପୃଷ୍ଠରେ ତଥା ଇତର ଗ୍ରହ ପୃଷ୍ଠର ଅନୁକୂଳ ଭୌତିକ ପରିବେଶରେ ଜୀବ ଜଗତର ସର୍ଜନା ସମ୍ଭବ ହୋଇଛି ।

 

(୨)

 

କ୍ଷୁଦ୍ର ବା ବୃହତ୍ ନିର୍ବିଶେଷରେ ଗୋଟିଏ ଜୀବର ସର୍ଜନା ପାଇଁ କେତେକ ଜଟିଳ ଜୈବିକ ଅଣୁଗୁଡ଼ିକର ପ୍ରାକ୍ ଚାହିଦା ରହିଛି । ଏପରି ଜଟିଳ ଅଣୁଗୁଡ଼ିକ ପ୍ରଥମେ ନାକ୍ଷତ୍ରିକ ଧୂଳିକଣାପୂର୍ଣ୍ଣ ପରିବେଶରେ ସୃଷ୍ଟି ଲାଭ କରିଥିବା ଅସ୍ୱାଭାବିକ ନୁହେଁ । ଏରୂପ ଅଣୁଗୁଡ଼ିକର ଉପସ୍ଥିତି ସମ୍ପର୍କରେ ଇତ୍ୟବସରରେ ପ୍ରଭୂତ ପ୍ରାମାଣିକ ତଥ୍ୟ ସଂଗ୍ରହ କରାଯାଇଛି । ଏଣୁ ହଏଲ୍ ଓ ଚନ୍ଦ୍ର କିଛି ବର୍ପ ପୂର୍ବରୁ ସର୍ବପ୍ରଥମେ ଆନ୍ତଃନାକ୍ଷତ୍ରିକ ପରିବେଶରେ ଜୀବ ସୃଷ୍ଟି ପାଇଁ ଏକାନ୍ତ ଆବଶ୍ୟକ ଜୈବିକ ଉପାଦାନଗୁଡ଼ିକର ଅବସ୍ଥିତି ସମ୍ପର୍କରେ ତଥା ବିକ୍ଷେପଣ ପ୍ରକ୍ରିୟାର ସଂଘଟନ ଯୋଗୁଁ ପୃଥିବୀଭଳି ଗ୍ରହଗୁଡ଼ିକର ପୃଷ୍ଠଦେଶରେ ଏଗୁଡ଼ିକ ନିପତିତ ହେବା ସମ୍ପର୍କରେ ଯେଉଁ ମତ ବ୍ୟକ୍ତ କରିଥିଲେ; ତାହା ଜ୍ୟୋତିର୍ବିଜ୍ଞାନୀ ଓ ଜୀବବିଜ୍ଞାନୀମାନଙ୍କ ଗ୍ରହଣଯୋଗ୍ୟ ହୋଇଥିଲା । ବିଶେଷତଃ ଆନ୍ତନାକ୍ଷତ୍ରିକ ସ୍ଥାନରେ ଫର ମାଲ୍ଡ଼ିହାଇଡ଼୍ ଓ ଆଲକୋହଲ୍ ଜାତୀୟ ଅଣୁଗୁଡ଼ିକର ଉପସ୍ଥିତି ସମ୍ପର୍କୀୟ ଚାଞ୍ଚଲ୍ୟକର ପ୍ରାମାଣିକ ତଥ୍ୟରାଜି ସେମାନଙ୍କୁ ଏ ପ୍ରକାର ସ୍ପଷ୍ଟୀକରଣଗୁଡ଼ିକୁ ଗ୍ରହଣ କରିନେବାକୁ ଉତ୍ସାହିତ କରିଥିଲା ।

 

ଏଠାରେ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି ଯେ, କୌଣସି ଗୋଟିଏ ଜୀବର ସୃଷ୍ଟି ପାଇଁ ଡିଏନଏ (ଡିଅକ୍‍ସିରିବୋନିଉକ୍ଳିକ୍ଏସିଡ଼) ଅଣୁ ଏକାନ୍ତ ଆବଶ୍ୟକ । ଏହା ପଲିମର୍ ଶ୍ରେଣୀଭୁକ୍ତ ଏକପ୍ରକାର ବୃହଦାକୃତି ଅଣୁ । ଭୂପୃଷ୍ଠର ଭୌତିକ ପରିବେଶରେ ବ୍ୟାକ୍ଟେରିଆ ଭଳି ଏକକୋଷୀ ଜୀବର ସର୍ଜନା ଘଟିବା ବେଳକୁ ଅଙ୍ଗାରକାମ୍ଳ ଓ ଜଳର ଉପସ୍ଥିତି ସଂପର୍କରେ ବୈଜ୍ଞାନିକମାନେ ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ଜଳ ଓ ଅଙ୍ଗାରକାମ୍ଳ ଯେଉଁ ପ୍ରାକୃତିକ ତଥା ରାସାୟନିକ ପ୍ରକ୍ରିୟାର ପ୍ରଭାବ ଫଳରେ କାଳକ୍ରମେ ଡିଏନ୍ଏ ଅଣୁକୁ ରୂପାନ୍ତରୀତ ହୋଇଛି, ତାହାର ରହସ୍ୟ ଭେଦ କରିବା ଦିଗରେ ବୈଜ୍ଞାନିକମାନଙ୍କ ସକଳ ଉଦ୍ୟମ ଏଯାବତ୍ ଫଳପ୍ରସୂ ହୋଇନାହିଁ । ମାତ୍ର ଯଦି ଭୂପୃଷ୍ଠରେ ଆନ୍ତଃନାକ୍ଷତ୍ରିକ ସ୍ଥାନର ଆପତିତ ତଥା ଅପେକ୍ଷାକୃତ ଜଟିଳ ଫରମାଲ୍ ଡିହାଇଡ଼୍ ଓ ଆଲକୋହଲ୍ ଜାତୀୟ ଜୈବିକ ଅଣୁଗୁଡ଼ିକର ଉପସ୍ଥିତିକୁ ସ୍ୱୀକାର କରାଯାଏ, ତାହାହେଲେ କାଳକ୍ରମେ ଶେଷୋକ୍ତ ଅଣୁଗୁଡ଼ିକର ରାସାୟନିକ ସମ୍ମିଳନ ପ୍ରକ୍ରିୟା ଅବଲମ୍ୱନରେ ଡିଏନ୍ଏ ଅଣୁର ସୃଷ୍ଟି ସଂପର୍କରେ ସ୍ପଷ୍ଟୀକରଣ ଯୋଗାଇଦେବା ବ୍ୟାପରଟି ସହଜ ହୋଇଯିବ ।

 

ଏ ଦୃଷ୍ଟିରୁ ହଏଲ୍ ଓ ଚନ୍ଦ୍ରଙ୍କ ଦ୍ୱାରା ପରିବେଷିତ ପ୍ରାଥମିକ ସ୍ପଷ୍ଟୀକରଣଟିକୁ ଅବଶ୍ୟ ସେମାନେ ଗ୍ରହଣ କରିବାକୁ ବିମୁଖ ହୋଇ ନ ଥିଲେ; ମାତ୍ର ପରବର୍ତ୍ତୀ କାଳରେ ହଏଲ୍ ଓ ଚନ୍ଦ୍ର ଜୀବଜଗତର ସର୍ଜନା ସମ୍ୱନ୍ଧୀୟ ପୂର୍ଣ୍ଣାଙ୍ଗ ତତ୍ତ୍ୱଟିକୁ ପ୍ରତିଷ୍ଠା କରିଦେବା ପରେ ସମସାମୟିକ ଜ୍ୟୋତିର୍ବିଜ୍ଞାନୀ ଓ ଜୀବବିଜ୍ଞାନୀମାନେ ନିର୍ବିବାଦରେ ସେମାନଙ୍କଦ୍ୱାରା ପ୍ରତିଷ୍ଠିତ ତତ୍ତ୍ୱଟିକୁ ଗ୍ରହଣ କରିନେବାକୁ ଅମଙ୍ଗ ହେଉଛନ୍ତି । ଏଥିପାଇଁ ସଂପ୍ରତି ପୃଥିବୀର ବୌଦ୍ଧିକ ମହଲରେ ବେଶ୍ ଚହଳ ସୃଷ୍ଟି ହୋଇଛି ।

 

(୩)

 

ହଏଲ୍ ଲେଖିଛନ୍ତି, ‘‘ସୃଷ୍ଟି ଲାଭ କରିବା ପରଠାରୁ ପୃଥିବୀ ସଜୀବ ଜୀବକୋଷଗୁଡ଼ିକଦ୍ୱାରା ପରିବେଷ୍ଟିତ ହୋଇଛି । ପୃଥିବୀ ପ୍ରାଣସତ୍ତା ଆଧାରିତ ସଜୀବ ବସ୍ତୁଦ୍ୱାରା ସଂକ୍ରମିତ ହୋଇଛି ବୋଲି କୁହାଯାଇପାରେ ।’’ ସେ ସୂଚାଇଛନ୍ତି ଯେ, ଆମ ବାସସ୍ଥଳୀ ପୃଥିବୀରେ ଜୀବନ ଧାରଣ କରିଥିବା ବ୍ୟାକ୍ଟେରିଆଗୁଡ଼ିକର ମୋଟ ଓଜନ ପ୍ରାୟ ୧୦ ବିଲ୍ଲିଅନ୍ ଯନ୍ (୧ ବିଲ୍ଲିଅନ୍=୧୦୦କୋଟି) ହୋଇଛି । ଅଥଚ ବ୍ୟାକ୍ଟେରିଆମାନଙ୍କ ଓଜନ ତୁଳନାରେ ପୃଥିବୀ ବାସୀ ମନୁଷ୍ୟମାନଙ୍କ ଓଜନ ଅତି କମ୍ ହୋଇଛି । ଅଭିକ୍ରିୟାତ୍ମକ ଗବେଷଣାର ଫଳରୁ ଜଣାପଡ଼ିଛି ଯେ, କେତେକ ଧରଣର ବ୍ୟାକ୍ଟେରିଆ ଶକ୍ତିଶାଳୀ ରଂଜନ ରଶ୍ମି, ଗାମା ରଶ୍ମି ଓ ମହାଜାଗତିକ ରଶ୍ମିଦ୍ୱାରା ପ୍ରଭାବିତ ହେଲେ ମଧ୍ୟ ସେମାନଙ୍କର ମୃତ୍ୟୁ ଘଟେ ନାହିଁ । ଏଣୁ, ଶେଷୋକ୍ତ ଧରଣର ବ୍ୟାକ୍ଟେରିଆ ଆନ୍ତଃନାକ୍ଷତ୍ରିକ ମହାକାଶରେ ବିଚରଣ କରୁଥିବା ବେଳେ ସେମାନଙ୍କର ମୃତ୍ୟୁ ନ ଘଟିବା ସ୍ୱାଭାବିକ ଏବଂ ସେମାନେ ବିକ୍ଷିପ୍ତ ହୋଇ ଭୂପୃଷ୍ଠକୁ ଚାଲିଆସିବା ଯୋଗୁଁ ପୃଥିବୀ ବକ୍ଷରେ ଜୀବଜଗତରେ ଆଦୃ ସୃଷ୍ଟି ସଂଭବ ହେବା କିଛି ବିଚିତ୍ର ନୁହେଁ ।

 

ହଏଲ୍ ସୂଚାଇଛନ୍ତି ଯେ, ବାହ୍ୟ ମହାକାଶର ଯେଉଁ ସଜୀବ ଜୀବକୋଷଗୁଡ଼ିକ ବିଚରଣ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସେଠାକାର ଅତ୍ୟଧିକ ଥଣ୍ଡା ପରିବେଶରେ ନିଷ୍କ୍ରିୟ (dormant) ଅବସ୍ଥାରେ ରହିଛନ୍ତି । କୌଣସି ନୂତନ ନକ୍ଷତ୍ର ବା ଗ୍ରହ ସୃଷ୍ଟି ହେବାକ୍ଷଣି ଏମାନଙ୍କ ମଧ୍ୟରୁ କେତେକ ସେହି ନବଗଠିତ ବସ୍ତୁ ପିଣ୍ଡକୁ ଚାଲି ଆସୁଛନ୍ତି ଏବଂ ସେଠାକାର ପରିବେଶ ଏମାନଙ୍କରସ୍ଥାୟିତ୍ୱ ଓ ଉତ୍ତରୋତ୍ତର ବିବର୍ତନପାଇଁ ଅନୁକୂଳ ହୋଇଥିଲେ ସେଠାରେ ଜୀବଜଗତର ସ୍ଥାୟିତ୍ୱ ବଜାୟ ରହୁଛି । କୌଣସି ଗୋଟିଏ ପୁରୁଣା ନକ୍ଷତ୍ର ବିସ୍ଫୋରିତ ହେବାବେଳେ, ଅନ୍ୟ ବସ୍ତୁଖଣ୍ଡଗୁଡ଼ିକ ଭଳି ତତ୍‍ସନ୍ନିବିଷ୍ଟ ସଜୀବ ଜୀବକୋଷଗୁଡ଼ିକ ମଧ୍ୟ ଗାଲାକ୍‍ସିର ସେହି ଅଂଚଳରେ ବିଛାଡ଼ି ହୋଇଯାଉଛନ୍ତି ।

 

ଏହି ମତବାଦର ସମାଲୋଚକମାନେ ଯୁକ୍ତି ପରିବେଷଣ କରୁଛନ୍ତି ଯେ, ଏହାର ସତ୍ୟତା ପରୀକ୍ଷା କରିବାପାଇଁ ସର୍ବପ୍ରଥମେ ଆନ୍ତଃନାକ୍ଷତ୍ରିକ ମହାକାଶୀୟ ବାଦଲରେ ଏପରି ବ୍ୟାକ୍ଟେରିଆଗୁଡ଼ିକର ଅବସ୍ଥିତିକୁ ଠାବ କରିବାକୁ ହେବ । ଶେଷୋକ୍ତ ଅନୁସନ୍ଧାନ ପାଇଁ ସେମାନେ ଅବଶୋଷଣ ବର୍ଣ୍ଣାଳି (absorption spectrum) ଭିତ୍ତିକ ତଥ୍ୟ ସଂଗ୍ରହ କରିବାକୁ ପରାମର୍ଶ ଦେଉଛନ୍ତି । ଆମେ ଜାଣୁ ଯେ, ପ୍ରତ୍ୟେକ ଉପାଦାନ ଆପତିତ ଆଲୋକକୁ ଏକ ସ୍ୱତନ୍ତ୍ର ମାର୍ଗରେ ଶୋଷଣ କରିପାରେ; ଏଣୁ ତାହାର ଅବଶୋଷଣ ବର୍ଣ୍ଣାଳି ଏକ ସ୍ୱତନ୍ତ୍ର ରୂପ ଧାରଣ କରେ । ଏ ଦୃଷ୍ଟିରୁ ଆନ୍ତଃନାକ୍ଷତ୍ରିକ ମହାକାଶର ଥିବା ବ୍ୟାକ୍ଟେରିଆଗୁଡ଼ିକ ନାକ୍ଷତ୍ରିକ ଆଲୋକକୁ ନିଶ୍ଚିତଭାବରେ ଏକ ଚାରିତ୍ରିକ ବା ସ୍ୱତନ୍ତ୍ର ମାର୍ଗରେ ଶୋଷଣ କରୁଥିବେ ଏବଂ ସେମାନଙ୍କ ବିଦ୍ୟୁତ୍-ଚୁମ୍ୱକୀୟ ଅବଶୋଷଣ ବର୍ଣ୍ଣାଳି ନିଶ୍ଚିତଭାବରେ ଅନ୍ୟାନ୍ୟ ଜ୍ଞାତ ବସ୍ତୁଗୁଡ଼ିକଠାରୁ ଭିନ୍ନ ପ୍ରକାର ହେବ । ହଏଲ୍ ମଧ୍ୟ ସମାଲୋଚକମାନଙ୍କ ବକ୍ତବ୍ୟକୁ ସମର୍ଥନ କରି ଏପରି ଅଭିକ୍ରିୟାତ୍ମକ ଗବେଷଣା ଚଳାଇବାପାଇଁ ଚନ୍ଦ୍ର ବିକ୍ରମ ସିଂହକୁ ପରାମର୍ଶ ଦେଇଛନ୍ତି । ମହାକାଶୀୟ ଧୂଳିକଣାଗୁଡ଼ିକ ଯୋଗୁଁ ନକ୍ଷତ୍ରାଗତ ଆଲୋକ ରଶ୍ମି ଯେପରିଭାବରେ ନିଷ୍ପ୍ରଭ (extinction) ହୋଇଯାଉଛି; କ୍ଷୁଦ୍ରାକୃତି ବ୍ୟାକ୍ଟେରିଆଗୁଡ଼ିକ କ୍ଷେତ୍ରରେ ଆଲୋକର ଅବଶୋଷଣ ଠିକ୍ ଏକାଭଳି ହେବ ।

 

ଆନ୍ତଃନାକ୍ଷତ୍ରିକ ମହାକାଶରେ ନକ୍ଷତ୍ରାଗତ ବିଦ୍ୟୁତ୍-ଚୁମ୍ୱକୀୟ ରେଖାମାଳାର ଅବଶୋଷଣ ବର୍ଣ୍ଣାଳି ସମ୍ୱନ୍ଧରେ ସୁଦୀର୍ଘ ୨୦ ବର୍ଷ କାଳ ପର୍ଯ୍ୟନ୍ତ ଅଭିକ୍ରିୟା ଚଳାଇବା ପରେ ଚନ୍ଦ୍ର ଘୋଷଣା କରିଛନ୍ତି ଯେ, ଏହି ବର୍ଣ୍ଣାଳିଗୁଡ଼ିକର ରୂପରେଖରୁ ବ୍ୟାକ୍ଟେରିଆ-ତତ୍ତ୍ୱର ସତ୍ୟତା ପ୍ରତିପାଦିତ ହେଉଛି ।

 

(୪)

 

ହଏଲ୍ ଓ ଚନ୍ଦ୍ରଙ୍କ ଦ୍ୱାରା ପରିଚାଳିତ ଗବେଷଣା ଏପରି ଭାବରେ ସମସ୍ୟାମୟିକ ବୈଜ୍ଞାନିକମାନଙ୍କ ଶୁଭ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ନିକଟ ଅତୀତରେ ହଏଲ୍‍ଙ୍କଦ୍ୱାରା ପରିବେଷିତ ଏକ ମନ୍ତବ୍ୟକୁ ଆଳ କରି ଜ୍ୟୋତିର୍ବିଜ୍ଞାନ ଓ ଜୀବ ବିଜ୍ଞାନ ଜଗତରେ ଚହଳ ସୃଷ୍ଟି ହୋଇଛି । ଜ୍ୟୋତିଃପଦାର୍ଥ ବିଜ୍ଞାନ ଜଗତରେ ଅଭିନବ ତଥା ଚମକପ୍ରଦ ତତ୍ତ୍ୱଗୁଡ଼ିକୁ ପ୍ରତିଷ୍ଠା କରି ତଥା ବିଜ୍ଞାନାଶ୍ରୟୀ ରୋମାଞ୍ଚକର ଉପନ୍ୟାସଗୁଡ଼ିକୁ ରଚନା କରି ହଏଲ୍ ଜନମାନସରେ ପୂର୍ବରୁ ଯେଉଁ ପ୍ରକାର ରୋମାଞ୍ଚ ସୃଷ୍ଟି କରିଛନ୍ତି, ଆଲୋଚ୍ୟ କ୍ଷେତ୍ରରେ ସେ ତଦପେକ୍ଷା ଅଧିକ ରୋମାଞ୍ଚ ଓ କୌତୂହଳ ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି । ତାଙ୍କ ମତାନୁଯାୟୀ ଜୀବ ବିଜ୍ଞାନ ହିଁ ଜ୍ୟୋତିର୍ବିଜ୍ଞାନର ରୂପରେଖକୁ ନିୟନ୍ତ୍ରଣ କରୁଛି । ସମଗ୍ର ବିଶ୍ୱର ଆୟତନ ପରିପ୍ରେକ୍ଷୀରେ ଧୂଳିକଣାତୁଲ୍ୟ ନିଜର ସ୍ଥାୟିତ୍ୱ ବଜାୟ ରଖିଥିବା ଏହି ଧରଣୀ ବକ୍ଷରେ ମନୁଷ୍ୟଭଳି ବୁଦ୍ଧିମାନ୍ ଓ ବିଚାରବୋଧସଂପନ୍ନ ଜୀବର ସର୍ଜନା ସଂଭବ ହୋଇଛି । ଏଣୁ ବିଶ୍ୱର କୌଣସି ନା କୌଣସି ଗାଲାକ୍‍ସ୍ଥିତ ଏକ ବା ଏକାଧିକ ବସ୍ତୁପିଣ୍ଡରେ ମନୁଷ୍ୟଠାରୁ ଯଥେଷ୍ଟ ଅଧିକ ବୃଦ୍ଧିମାନ୍ ଓ କାରିଗରୀ ବିଦ୍ୟାନିପୁଣ ଜୀବର ସର୍ଜନା ସଂଭବ ହୋଇଥିବା ଅସ୍ୱାଭାବିକ ବୋଧ ହେଉନାହିଁ । ଶେଷୋକ୍ତ ବୁଦ୍ଧିମାନ୍ ଜୀବଗୁଡ଼ିକ ନିଜ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ତଥା ନିଜ ବାସସ୍ଥଳୀର ନିରାପତ୍ତା ପାଇଁ ଜ୍ୟୋତିଃବୈଜ୍ଞାନିକ ପ୍ରକ୍ରିୟାଗୁଡ଼ିକୁ ନିୟନ୍ତ୍ରଣ କରିବା ମଧ୍ୟ ଅବାନ୍ତର ଜଣାପଡ଼ୁନାହିଁ । ଅର୍ଥାତ୍, ସୋମନଙ୍କ ବିଚକ୍ଷଣ କରାମତି ଯୋଗୁଁ ବିଶ୍ୱରେ ଜ୍ୟୋତିଃବୈଜ୍ଞାନିକ ପ୍ରକ୍ରିୟାଗୁଡ଼ିକ ସଂଘଟିତ ହେବାର ଫଳ ସ୍ୱରୂପ ପୁରୁଣା ବସ୍ତୁପିଣ୍ଡଗୁଡ଼ିକର ବିଲୋପ ଘଟିବା ସଂଗେ ସଂଗେ ନୂଆ ନୂଆ ବସ୍ତୁପିଣ୍ଡଗୁଡ଼ିକର ଆବିର୍ଭାବ ଘଟୁଛି । ଏ ପରି ପ୍ରେକ୍ଷୀରେ ହଏଲ୍ କହିଛନ୍ତି, “What, if biology realy controls the astronomer’s world ? It would seem to me that if ininuscule Earth can produce a creature with our own measure of intelligence the whole galaxy would be able to manage an intelligence to which the mani-population of astronomical processes would be reasonably straight forward.” । ହଏଲ୍‍ଙ୍କ ବକ୍ତବ୍ୟରୁ ବୁଝି ହେଉଛି ଯେ, ପୁରୁଣା ନକ୍ଷତ୍ରଗୁଡ଼ିକର ବିଲୟ ଓ ନୂଆ ନକ୍ଷତ୍ରଗୁଡ଼ିକର ଆବିର୍ଭାବ ଘଟିବାପାଇଁ ତଥା ଜୀବ ଜଗତର ସର୍ଜନା ଉପଲକ୍ଷେ ଗ୍ରହଗୁଡ଼ିକର ପୃଷ୍ଠଦେଶକୁ ବ୍ୟାକ୍ଟେରିଆମାନଙ୍କ ଦ୍ୱାରା ସଂକ୍ରମିତ କରିବାପାଇଁ କୌଣସି ମହାଜାଗତିକ ବୈଦ୍ଧିକତା ହିଁ ଦାୟୀ । ହଏଲ୍ ଯୁକ୍ତି ଦର୍ଶାଇଛନ୍ତି ଯେ, ବୃହଦାକୃତି ଗାଲାକ୍ସିଗୁଡ଼ିକର ବିସ୍ଫୋରଣ କୌଣସି ଜ୍ୟୋତିଃବୈଜ୍ଞାନିକ କାରଣ ଯୋଗୁଁ ସଂଘଟିତ ହେବା ପରିବର୍ତ୍ତେ ଜୈବ-ବୈଜ୍ଞାନିକ କାରଣ ଯୋଗୁଁ ଘଟୁଛି । ଗାଲାକ୍‍ସି ଗୁଡ଼ିକର ବିସ୍ଫୋରଣ ଘଟିବା ଫଳରେ ତତ୍‍ସନ୍ନିବିଷ୍ଟ ବ୍ୟାକ୍ଟେରିଆଗୁଡ଼ିକ ମହାକାଶର ସୁବିସ୍ତୃତ ଅଂଚଳରେ ଥିବା ଅନେକ ଜ୍ୟୋତିଷ୍କ ବା ବସ୍ତୁପିଣ୍ଡର ପୃଷ୍ଠଦେଶରେ ଜୀବ ଜଗତର ସର୍ଜନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି । ଗାଲାକ୍‍ସି ଗୁଡ଼ିକର ବିସ୍ଫୋରଣ ପାଇଁ ସୁଯୋଗକୁ ଦାୟୀ କରିବା ପରିବର୍ତ୍ତେ ସେ ସୂଚାଇଛନ୍ତି ଯେ, କୌଣସି ବୁଦ୍ଧିମାନ୍ ଜୀବଗୋଷ୍ଠୀର କରାମତି ଯୋଗୁଁ ଏହା ନିର୍ଦ୍ଧାରିତ ପରିକଳ୍ପନା ଅନୁଯାୟୀ ଘଟୁଛି ।

 

ଏପରି ଏକ ଚାଞ୍ଚଲ୍ୟକର ବକ୍ତବ୍ୟ ସପକ୍ଷରେ କୌଣସି ପ୍ରାମାଣିକ ତଥ୍ୟ ଉପସ୍ଥାପନା କରିବା ସଂଭବ ହୋଇ ନ ଥିବାରୁ ଏବଂ ଅଦ୍ୟାବଧି ପୃଥିବୀ ଭିନ୍ନ ଅନ୍ୟ କୌଣସି ବସ୍ତୁପିଣ୍ଡର ପୃଷ୍ଠଦେଶରେ ମନୁଷ୍ୟଭଳି ବିଚାରବୋଧସଂପନ୍ନ ଜୀବର ଉପସ୍ଥିତି ସଂପର୍କରେ ନିର୍ଭରଯୋଗ୍ୟ ପ୍ରମାଣ ସଂଗୃହୀତ ହୋଇ ନ ଥିବାରୁ ହଏଲ୍‍ଙ୍କ ବକ୍ତବ୍ୟକୁ ଏକ ବିଜ୍ଞାନସମ୍ମତ ମତରୂପେ ଗ୍ରହଣ କରିନେବା ସଂଭବ ହେଉନାହିଁ । ସମସାମୟିକ ବହୁ ପ୍ରବୀଣ ବୈଜ୍ଞାନିକ ହଏଲ୍‍ଙ୍କ ଦ୍ୱାରା ଘୋଷିତ ଏରୂପ କୌତୂହଳୋଦ୍ଦୀପକ ମତକୁ କେବଳ ତାଙ୍କ କଳ୍ପନାପ୍ରବଣତାର ନିଦର୍ଶନରୂପେ ବିଚାର କରୁଛନ୍ତି । ଏଠାରେ ସ୍ୱୀକାର କରିବାକୁ ହେବ ଯେ, ହଏଲ୍ ବୌଦ୍ଧିକ ମହଲରେ ଏପରି କୌତୂହଳ ସୃଷ୍ଟି କରିବା ପରେ ଭୂପୃଷ୍ଠରେ ଜୀବ ଜଗତର ସର୍ଜନା ତଥା ପୃଥିବେତର କୌଣସି ଗ୍ରହ ପୃଷ୍ଠରେ ବିଚାରବୋଧସଂପନ୍ନ ଜୀବର ଅନୁସନ୍ଧାନ ଆଧାରିତ ବହୁମୁଖୀ ଗବେଷଣାଗୁଡ଼ିକୁ ପୂର୍ବାପେକ୍ଷା ଆହୁରି ଜୋର୍ ଜୋରସୋରରେ ପରିଚାଳନା କରାଯାଉଛି । ଆଶା କରାଯାଉଛି ଯେ, ବୈଜ୍ଞାନିକମାନଙ୍କ ନିରବଚ୍ଛିନ୍ନ ତତା ଏକନିଷ୍ଠ ସାଧନା ଫଳରେ ଭୂପୃଷ୍ଠରେ ଜୀବ ଜଗତର ସର୍ଜନାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ରହସ୍ୟଟି ଅଚିରେ ଉଦ୍‍ଘାଟିତ ହେବ । ଏତଦ୍ଦ୍ୱାରା ହଏଲ୍‍ଙ୍କ ବକ୍ତବ୍ୟର ଯଥାର୍ଥତା ପ୍ରତିପାଦିତ ହୋଇପାରିବ ।

 

Bibliography :–(1) Fred Hoyle; The Intelligent Universe, Michael Joseph, 1983.

 

(2) Francies Crick, Life Itself : Its Origin and Nature; Futura Macdonald & Co., London and Sydney, 1982.

Image

 

Unknown

ସୃଷ୍ଟି ବୈଚିତ୍ର୍ୟ

 

ଉଚ୍ଛୃଙ୍ଖଳତା, ଅବାଧ୍ୟତା, ଯୁଦ୍ଧଖୋର ମନୋଭାବ, କଳହ ପ୍ରବଣତା ପ୍ରଭୃତି ଦୁର୍ଗୁଣଗୁଡ଼ିକର ପରିପ୍ରକାଶ ଘଟାଇ ମନୁଷ୍ୟ ପୃଥିବୀର ବୌଦ୍ଧିକ, ରାଜନୈତିକ, ସାମାଜିକ ଓ ଭୌତିକ ପରିବେଶକୁ ଦୁଷିତ କରୁଛି । ପ୍ରତ୍ୟେକ ଦେଶ ଭିତରେ ତଥା ଦେଶ ଦେଶ ମଧ୍ୟରେ ସାମାଜିକ ଅନ୍ୟାୟ ଓ ଅର୍ଥନୈତିକ ବୈଷମ୍ୟର ପ୍ରାଦୁର୍ଭାବ ମନୁଷ୍ୟର ସାମାଜିକ ଜୀବନରେ ଅଶାନ୍ତି ଓ ଉତ୍ତେଜନା ସୃଷ୍ଟି କରୁଛି । ସମ୍ୱେଦନା, ସଂପ୍ରୀତି ଓ ସହାବସ୍ଥାନଭଳି ସୁଗୁଣଗୁଡ଼ିକ ବିନିମୟରେ ମନୁଷ୍ୟର ଆତ୍ମିକ ଓ ସାମାଜିକ ଜୀବନକୁ ସୁଖଶାନ୍ତିମୟ କରାଇବା ଆଉ ସମ୍ଭବ ହେଉନାହିଁ । ମନୁଷ୍ୟଠାରେ ପରିଲକ୍ଷିତ ଏପରି କଳହପ୍ରିୟ, ଯୁଦ୍ଧଖୋର ତତା ସ୍ୱାର୍ଥାନ୍ୱେଷୀ ମନୋଭାବକୁ ଅନେକେ ଅନୁବଂଶିକୀ ଦୃଷ୍ଟିକୋଣରୁ ତାହାର ଅନ୍ୟତମ ଚାରିତ୍ରିକ ବୈଶିଷ୍ଟ୍ୟରୂପେ ବିଚାର କରନ୍ତି । ଜୀବକୋଷରେ ସ୍ଥାନ ପାଇଥିବା କୌଣସି ପ୍ରକାରର ଜିନ୍ ପରିସ୍ଥିତିର ତାଡ଼ନାରେ ସ୍ୱାର୍ଥ ସଂରକ୍ଷଣପାଇଁ ମନୁଷ୍ୟକୁ ଏପରି ଭାବାବେଗର ବଶବର୍ତ୍ତୀ କରାଉଥିବା ସମ୍ପର୍କରେ କେତେକ ବୁଦ୍ଧିଜୀବୀ ଯେଉଁ ପ୍ରକାର ପ୍ରାକ୍ ସୂଚନା ଯୋଗାଇ ଦେଉଛନ୍ତି, ତାହାର ସତ୍ୟତାକୁ କେତେକେ ସମର୍ଥନ କରୁଥିବା ସ୍ଥଳେ ଆଉ କେତେକେ ଏଥିପ୍ରତି ସଂଶୟ ଆରୋପ କରୁଛନ୍ତି । ଶେଷୋକ୍ତ ସଂଶୟବାଦୀ ବୈଜ୍ଞାନିକମାନଙ୍କ ମତାନୁଯାୟୀ ମନୁଷ୍ୟ ବା ‘ହୋମୋସାପିଏନ୍’ ରୂପୀ ବିଚାରବୋଧସମ୍ପନ୍ନ ଜୀବର ଅନନ୍ୟସାଧାରଣ ସଂସ୍କୃତି ତାହାର ଅବୟବାଶ୍ରୟୀ କ୍ରିୟଶୀଳତା ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ ହୋଇନାହିଁ; ଏଣୁ କେବଳ ଜୈବିକ ଦୃଷ୍ଟିକୋଣରୁ ବିଚାର କରି ମନୁଷ୍ୟର ଉଚ୍ଛୃଙ୍ଖଳତାର (aggressiveness) କାରଣ ସମ୍ପର୍କରେ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ବିଜ୍ଞତାର ପରିଚାୟକ ନୁହେଁ । ହୋମୋସାପିଏନ୍ ରୂପୀ ପ୍ରାଣୀର ସର୍ଜନା ଓ ତାହାର ବିବର୍ତ୍ତନ ସମ୍ୱନ୍ଧରେ ପର୍ଯ୍ୟାପ୍ତ ପ୍ରାମାଣିକ ତଥ୍ୟ ସଂଗ୍ରହ କରିବା ପରେ ତଥା ତଦାଶ୍ରୟୀ ତାତ୍ତ୍ୱିକ ବିଚାର ଚଳାଇବା ପରେ କେତେକ ବୈଜ୍ଞାନିକ ମତ ବ୍ୟକ୍ତ କଲେଣି ଯେ, ଉଚ୍ଛୃଙ୍ଖଳତାକୁ ମନୁଷ୍ୟର ଏକ ଚାରିତ୍ରିକ ବିଭାବ ରୂପେ ବିଚାର କରିବା ଯଥାର୍ଥ ନୁହେଁ । ସ୍ୱନାମଧନ୍ୟ ନୃତତ୍ତ୍ୱବିତ୍ ରିଚାର୍ଡ଼ ଇ. ଲିକି ସ ନିଉସାଇଣ୍ଟିଷ୍ଟ୍ ଶୀର୍ଷକ ସୁପ୍ରସିଦ୍ଧ ବିଜ୍ଞାନ ପତ୍ରିକାର ସହକାରୀ ସମ୍ପାଦକ ରବର୍ଟ ଲେୱିନ୍‍ଙ୍କ ସମ୍ମିଳିତ ପ୍ରଚେଷ୍ଟା ବଳରେ ଲିଖିତ ORIGINS ଶୀର୍ଷକ ଗୋଟିଏ ଉପାଦେୟ ଗ୍ରନ୍ଥ ଇତ୍ୟବସରରେ ପ୍ରକାଶିତ ହୋଇଛି । ଏହି ଗ୍ରନ୍ଥରେ ମନୁଷ୍ୟର ସୃଷ୍ଟି, ତାହାର ବିବର୍ତ୍ତନ ଓ ମନୁଷ୍ୟ ଜାତିର ଭବିଷ୍ୟତ ସମ୍ପର୍କରେ ଲିକି ଓ ଲେୱିନ୍ ବହୁଶାସ୍ତ୍ରଦର୍ଶୀ ବିଚାର ବଳରେ ଏକ ଅଭିନବ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ସ୍ଥାପତ୍ୟ ବିଦ୍ୟା, ନୃତତ୍ତ୍ୱ, ପ୍ରାଣୀମାନଙ୍କ ବ୍ୟବହାର ସମ୍ପର୍କୀୟ ଗବେଷଣା ଓ ଭୂତତ୍ତ୍ୱ ଆଦି ବହୁବିଧ ଶୃଙ୍ଖଳାଶ୍ରୟୀ ତଥ୍ୟଗୁଡ଼ିକୁ ଅଧ୍ୟୟନ ଓ ଅନୁଶୀଳନ କରି ଲିକି ଓ ଲେଓ୍ୱିନ୍ ଏହି ସଦ୍ୟ ପ୍ରକାଶିତ ଗ୍ରନ୍ଥଟିରେ ସୂଚାଇଛନ୍ତି ଯେ, ମନୁଷ୍ୟେତର ପ୍ରାଣୀମାନେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଭୁତ୍ୱ ବିସ୍ତାର କରିବାପାଇଁ ଯେଉଁ ପ୍ରକାର ବ୍ୟବହାର ପ୍ରଦର୍ଶନ କରନ୍ତି, ତତ୍‍ଭିତ୍ତିକ ବିଚାର ବଳରେ ମନୁଷ୍ୟର ଯୁଦ୍ଧଖୋର କ୍ରିୟାଶୀଳତା ସମ୍ପର୍କରେ ସିଦ୍ଧାନ୍ତ ଗ୍ରହଣ କରିବା ଠିକ୍ ନୁହେଁ । ଇତର ପ୍ରାଣୀମାନେ ଆତ୍ମସଂରକ୍ଷଣ ଓ ସ୍ୱାର୍ଥ ସଂରକ୍ଷଣପାଇଁ ପ୍ରବୃତ୍ତିଗତ ତାଡ଼ନା ବଳରେ ଯେପରି ହିଂସ୍ର ଆଚରଣ ପ୍ରଦଶନ କରନ୍ତି, ମନୁଷ୍ୟ ତଦନୁରୂପ ଜୈବିକ ବିବର୍ତ୍ତନଭିତ୍ତିକ ତଥା ଅନୁବଂଶିକ ପରମ୍ପରାର ଅନୁଗାମୀ ହୋଇଥିବାର ଯେଉଁ ମତବାଦ ସମ୍ପ୍ରତି କେତେକ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ତ୍ରୁଟିହୀନ ତଥା ଗ୍ରହଣଯୋଗ୍ୟ ସିଦ୍ଧାନ୍ତରୂପେ ସ୍ୱୀକୃତ ହୋଇଛି, ଲିକି ଓ ଲେୱିନ୍ ସେପରି ମତବାଦ ବିରୋଧରେ ପ୍ରାମାଣିକ ତଥ୍ୟାଶ୍ରୟୀ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଛନ୍ତି ।

 

ମନୁଷ୍ୟର ଜୈବିକ ବିବର୍ତ୍ତନ ସମ୍ପର୍କରେ ଆମେ ଯେଉଁ ଜ୍ଞାନ ଅର୍ଜନ କରିଛୁ, ତାହା ମୁଖ୍ୟତଃ ଜୀବକାବଶେଷ ଭିତ୍ତିକ ଗବେଷଣାଯୋଗୁଁ ସମ୍ଭବ ହୋଇଛି । ମାତ୍ର କେତେକ କ୍ଷେତ୍ରରେ ମିଳୁଥିବା ସାକ୍ଷ୍ୟ ପର୍ଯ୍ୟାପ୍ତ ହୋଇନଥିବା ଯୋଗୁଁ କୌଣସି ନିଃସନ୍ଦିଗ୍ଧ ଧାରଣାରେ ଉପନୀତ ହେବା ସମ୍ଭବ ହେଉନାହିଁ । ପ୍ରାୟ ୯ ଠାରୁ ୧୨ ନିୟୁତ ବର୍ଷ ପୂର୍ବର ଅଳ୍ପ କେତେକ ରାମାପିଥେକ୍ସ ଜାତୀୟ ଜୀବକୋଷର ସନ୍ଧାନ ମିଳିଛି । ମାତ୍ର ଜୈବିକ ବିବର୍ତ୍ତନ ପ୍ରକ୍ରିୟାର ନିରବଚ୍ଛିନ୍ନ ସଂଘଟନ ଯୋଗୁଁ ଏହି କାଳଠାରୁ ଆଉ ପ୍ରାୟ ୧୦ ନିୟୁତ ବର୍ଷ ପର୍ଯ୍ୟନ୍ତ ଧରଣୀ ବକ୍ଷରେ ବସବାସ କରିଥିବା ଏ ଜାତୀୟ କୌଣସି ପ୍ରାଣୀର ଜୀବାବଶେଷକୁ ଠାବ କରାଯାଇନାହିଁ । ନୃତତ୍ତ୍ୱବିତ୍‍ମାନେ ଇତ୍ୟବସରରେ ଅଷ୍ଟ୍ରାଲୋପିଥେକ୍ସ୍, ଅଷ୍ଟ୍ରାଲୋପିଥେକ୍ସ ବୋଇସି୍‍, ଆଦ୍ୟ ହୋମୋ ଜାତୀୟ ତଥା ପରିବର୍ତ୍ତୀକାଳର ରାମାପିଥେକ୍ସ ଜାତୀୟ ହୋମିନିଡ଼୍ ଶ୍ରେଣୀଭୁକ୍ତ ପ୍ରାୟ ତିନି ନିୟୁତ ବର୍ଷ ପୂର୍ବର ଜୀବାବଶେଷଗୁଡ଼ିକୁ ଠାବ କରିଛନ୍ତି । ଅର୍ଥାତ୍, ପ୍ରାୟ ୯ ଠାରୁ ୧୨ ନିୟୁତ ବର୍ଷଠାରୁ ପ୍ରାୟ ୩ ନିୟୁତ ବର୍ଷ ପର୍ଯ୍ୟନ୍ତ ଅତୀତରେ ଧରଣୀ ବକ୍ଷରେ ଆବିର୍ଭୂତ କୌଣସି ଜୀବାବଶେଷ ସମ୍ୱନ୍ଧରେ ପ୍ରାମାଣିକ ତଥ୍ୟ ସଂଗୃହୀତ ହୋଇନାହିଁ । ପୁଣି ତିନି ନିୟୁତ ବର୍ଷ ପୂର୍ବର ସର୍ବବିଧ ହୋମିନିଡ଼୍ ଜାତୀୟ ଜୀବର ବିବର୍ତ୍ତନ ଏକଦିଶୀ ମାର୍ଗରେ ସଙ୍ଘଟିତ ହୋଇଛି । ବହୁରୂପୀ ହୋମିନିଡ଼୍‍ଗୁଡ଼ିକର ବିଭିନ୍ନତାରେ କ୍ରମ ସଂକୋଚନ ଘଟିବାର ଅନ୍ତିମ ପରିଣତି ସ୍ୱରୂପ କେବଳ ହୋମୋ-ଇରେକ୍ଟସ୍ ଜାତୀୟ ପ୍ରାଣୀର ବିବର୍ତ୍ତନ ସମ୍ଭବ ହୋଇଛି । ଜୀବାବଶେଷଭିତ୍ତିକ ପ୍ରାମାଣିକ ତଥ୍ୟରୁ ଜଣାପଡ଼ୁଛି ଯେ, ପ୍ରାୟ ଏକ ନିୟୁତ ବା ଏକ ନିୟୁତର ତ୍ରି-ଚତୁର୍ଥାଂଶ ବର୍ଷ ପୂର୍ବରୁ ସଳଖ ଭାବରେ ଦଣ୍ଡାୟମାନ ହୋଇପାରୁଥିବା ଦ୍ୱିପଦଯୁକ୍ତ ମନୁଷ୍ୟରୂପୀ ପ୍ରାଣୀ ଧରଣୀ ବକ୍ଷରେ ଶିକାରୀ ଓ ଖାଦ୍ୟ ଜୀବରୂପେ ବାସ କରୁଛି । ହୋମୋ-ଇରେକ୍ଟସ୍ ଶିକାରୀ ଓ ସଂଗ୍ରହକାରୀ ଭାବରେ ବହୁବର୍ଷ ବ୍ୟାପୀ ଜୀବନ ବିତାଇବା ପରେ ଏଇ ମାତ୍ର ଦଶ ହଜାର ବର୍ଷ ପୂର୍ବେ କୃଷିଭିତ୍ତିକ ସଭ୍ୟତାର ଅଭ୍ୟୁଦୟ ଘଟାଇଛି ।

 

ହୋମିନିଡ଼୍ ଜାତୀୟ ଜୀବର ବିବର୍ତ୍ତନର ଆଦ୍ୟପର୍ବ ବହୁରୂପୀ ହୋଇଥିବା ସ୍ଥଳେ ଏହାରର ପରିପ୍ରକାଶ ପ୍ରାୟ ଏକ ନିୟୁତ ବର୍ଷ ପୂର୍ବରୁ ଏକରୂପୀ ହୋଇଛି । ପ୍ରାୟ ତିନି ନିୟୁତ ବର୍ଷ ବ୍ୟାପୀ ମନୁଷ୍ୟ ଶିକାର କରି ଓ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ଧରଣୀ ବକ୍ଷରେ ନିଜର ସ୍ଥାୟିତ୍ୱ ବଜାୟ ରଖିପାରିଛି । ଶିକାର କରିବାପାଇଁ ଓ ଖାଦ୍ୟ ସଂଗ୍ରହ କରିବାପାଇଁ ତଥା ବ୍ୟକ୍ତିକ, ପାରିବାରିକ ଓ ସାମାଜିକ ଜୀବନକୁ ଜୀବିକାର୍ଜନ ଦିଗରେ ସୁବିଧାଜନକ ଢାଞ୍ଚାରେ ପରିଚାଳନା କରିବାପାଇଁ ମନୁଷ୍ୟ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ତତ୍‍ସମ୍ପର୍କୀୟ ଆହୁରି ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ କରିବାପାଇଁ ଲିକି ଓ ୱିଲେନ୍‍ଙ୍କ ପରାମର୍ଶ ଯୁକ୍ତିସଙ୍ଗତ ବୋଧ ହେଉଛି । କେଉଁ ପ୍ରକାର ପରିସ୍ଥିତିରେ ମନୁଷ୍ୟ ଏକ ସୁଦୀର୍ଘ ପରମ୍ପରାକୁ ଅବ୍ୟାହତ ରଖିବା ପରିବର୍ତ୍ତେ କୃଷିକୁ ଏକ ଜୀବିକାରୂପେ ଆଦରି ନେବାକୁ ସ୍ପୃହଣୀୟ ମଣିଛି । ତତ୍‍ସମ୍ପର୍କୀୟ ଆହୁରି ପର୍ଯ୍ୟାପ୍ତ ଅନୁସନ୍ଧାନ ଚଳାଇବା ସପକ୍ଷରେ ସେମାନଙ୍କ ପରାମର୍ଶ ହୃଦୟଗ୍ରାହୀ ହୋଇଛି । କାରଣ, କୃଷିଭିତ୍ତିକ ସମାଜର ଅଭ୍ୟୁଦୟ ଘଟାଇବାପାଇଁ ଯେଉଁ ପରିସ୍ଥିତି ବା ଯେଉଁ ପ୍ରକାର ସାମାଜିକ କର୍ମପ୍ରବଣତା ମନୁଷ୍ୟକୁ ବାଧ୍ୟ କରିଥିଲା, ତତ୍‍ସମ୍ପର୍କୀୟ ନିର୍ଭରଯୋଗ୍ୟ ସିଦ୍ଧାନ୍ତରେ ଉପନୀତ ହେବାଦ୍ୱାରା ହିଁ ଆମେ ଆଧୁନିକ ସମାଜର ଗତିବିଧି ସମ୍ପର୍କରେ ଜାଣିବାପାଇଁ ସମ୍ୟକ୍ ଅନ୍ତଃଦୃଷ୍ଟି ପ୍ରୟୋଗ କରିବାକୁ ସମର୍ଥ ହେବା ଏବଂ ଏପରି ବୌଦ୍ଧିକ ପ୍ରୟାସ ଅବଲମ୍ୱନରେ ମଧ୍ୟ ସମକାଳୀନ ଭାବରେ ଆମେ ମନୁଷ୍ୟର ଭବିଷ୍ୟତକୁ ନିୟନ୍ତ୍ରଣ କରିପାରିବାଭଳି ଠିକଣା କର୍ତ୍ତବ୍ୟବୋଧ ସମ୍ପର୍କରେ ସଚେତନ ହୋଇପାରିବା ।

 

ବିଗତ ଦୁଇଟି ମହାଯୁଦ୍ଧର ସଙ୍ଘଟନରୁ ଆମେ ମନୁଷ୍ୟର ଆତ୍ମଘାତୀ କ୍ରିୟାଶୀଳତା ସମ୍ପର୍କରେ ତିକ୍ତ ଅଭିଜ୍ଞତା ଅର୍ଜନ କରିଛୁ । ଦ୍ୱିତୀୟ ମହାଯୁଦ୍ଧର ଅବସାନ ଘଟିବା ପରଠାରୁ ପୃଥିବୀ ବକ୍ଷରେ ମାରଣାସ୍ତ୍ରଗୁଡ଼ିକର ପ୍ରସ୍ତୁତି ଓ ବିକାକିଣାକୁ କେନ୍ଦ୍ର କରି ଏକ ବିଚିତ୍ର ପ୍ରକାରର ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି । ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମାରଣାସ୍ତ୍ର ଯୋଗାଣକୁ ଏକ ଅମୋଘ ରାଜନୈତିକ ଅସ୍ତ୍ର ତଥା ପ୍ରଚୁର ଲାଭପ୍ରଦାୟକ ବ୍ୟବସାୟରୂପେ ବିଚାର କରୁଛନ୍ତି । ଏହାକୁ କେନ୍ଦ୍ର କରି ଆନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ଛକାପଞ୍ଝା ଖେଳ ଚାଲିଥିବାବେଳେ ନିଉକ୍ଳିଆର୍ ମାରଣାସ୍ତ୍ରଗୁଡ଼ିକର ପ୍ରସ୍ତୁତି ଓ ବ୍ୟବହାର ଦିଗରେ ଯନ୍ତ୍ର-କୌଶଳଗୁଡ଼ିକୁ ସମୁନ୍ନତ କରାଯାଉଛି । କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ କୌଣସି ରାଷ୍ଟ୍ରର ଅପରିଣାମଦର୍ଶୀ ବିଚାର ଯୋଗୁଁ ବୋତାମ ଟିପିଦେବା ଫଳରେ ନିଉକ୍ଳିଆର୍ ବୋମାକୁ ଯୁଦ୍ଧରେ ବ୍ୟବହାର କରାଯିବାର ଆଶଙ୍କା ମନୁଷ୍ୟକୁ ଉଦ୍‍ବିଗ୍ନ କରିଛି । ତଥାପି, ଏହି ବୋମାର ପ୍ରସ୍ତୁତି ପାଇଁ ତଥା ଏହାକୁ କ୍ଷେପଣ କରାଯିବାର କୌଶଳକୁ ସମୁନ୍ନତ କରାଯିବାପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ଭୂପୃଷ୍ଠର ବିପୁଳ ସଂଖ୍ୟକ ନାଗରିକ ଅର୍ଦ୍ଧାହାରରେ ବା ଅନାହାରରେ ଜୀବନ ବିତାଉଥିବାବେଳେ, ସେମାନଙ୍କ ଅନ୍ନ, ବସ୍ତ୍ର ଭଳି ଜୀବନ ଧାରଣର ନ୍ୟୂନତମ ଚାହିଦା ପୂରଣ ଦିଗରେ ଅର୍ଥ ବା ପ୍ରାକୃତିକ ବିଭବର ସଦୁପଯୋଗ ଦିଗରେ ଉନ୍ନତ ରାଷ୍ଟ୍ରଗୁଡ଼ିକ କୁଣ୍ଠା ପ୍ରଦର୍ଶନ କରୁଥିବା ସ୍ଥଳେ ସାମରିକ ଶକ୍ତିର ଆବର୍ଦ୍ଧନ ପାଇଁ ପୁଞ୍ଜି, ଜନସମ୍ୱଳ ଓ ପ୍ରାକୃତିକ ବିଭବର ଯଥେଚ୍ଛା ଉପଯୋଗ ପାଇଁ ପରିବେଶ ଅନୁକୂଳ ହେଉଛି । ଆଧୁନିକ ଯୁଗର ଏପରି ବିଲକ୍ଷଣଗୁଡ଼ିକୁ ଲକ୍ଷ୍ୟ କରି ‘ତଉଙ୍ଗ୍ ଶିଶୁ’ (Taung Baby) ର ଆବିଷ୍କର୍ତ୍ତା ତଥା ପ୍ରବୀଣ ନୃତତ୍ତ୍ୱବିତ୍ ରେମଣ୍ଡ ଡାର୍ଟ ଏବଂ ନୋବେଲ ପୁରସ୍କାରପ୍ରାପ୍ତ କୃତବିଦ୍ୟ ବୈଜ୍ଞାନିକ ଡକ୍ଟର କୋନାର୍ଡ଼ ଲରେଞ୍ଜ ପ୍ରମୁଖ ଚିନ୍ତାନାୟକମାନେ ମତବ୍ୟକ୍ତ କରୁଛନ୍ତି ଯେ, ଉଚ୍ଛୃଙ୍ଖଳତା, କ୍ରୋଧ, କଳହପ୍ରବଣତା ଭଳି ବ୍ୟବହାରଗୁଡ଼ିକ ମନୁଷ୍ୟର ଚାରିତ୍ରିକ ବୈଶିଷ୍ଟ୍ୟ । ମନୁଷ୍ୟ ଅନୁବଂଶିକ ସୂତ୍ରରେ ଏପରି ଗୁଣର ଅଧିକାରୀ ହୋଇଥିବା ସମ୍ପର୍କରେ ସେମାନେ ବିଜ୍ଞାନ ସମ୍ମତ ଢାଞ୍ଚାରେର ଯେଉଁ ସ୍ପଷ୍ଟୀକରଣ ପ୍ରଦାନ କରୁଛନ୍ତି, ଯୁଗ-ଚଳଣିରୁ ତତା ଅଭିଜ୍ଞତାରୁ ତାହାର ସତ୍ୟତା ଅନାୟାସରେ ପ୍ରତିପାଦିତ ହେଉଥିବାରୁ ତାହା ଜନସାଧାରଣଙ୍କ ହୃଦୟଗ୍ରାହୀ ହୋଇପାରୁଛି । ଡାର୍ଟ୍ ଓ ଲରେଞ୍ଜଙ୍କ ଦ୍ୱାରା ପ୍ରଦତ୍ତ ସ୍ପଷ୍ଟୀକରଣକୁ ଗଭୀର ଅଧ୍ୟୟନ ଓ ଅନୁଶୀଳନଭିତ୍ତିକ ସମାଲୋଚନା ବଳରେ ଖଣ୍ଡନ କରିବାପାଇଁ ଏଯାବତ୍ କୌଣସି ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭବ ହୋଇନାହିଁ ।

 

ସ୍ୱନାମଧନ୍ୟ ଉପନ୍ୟାସ ରଚୟିତା ତତା ୧୯୮୩ ମସିହାର ନୋବେଲ୍ ପୁରସ୍କାର ବିଜେତା ଉଇଲ୍ଲିଆମ୍ ଗୋଲଡ଼ିଙ୍ଗ୍ ‘ଲର୍ଡ଼୍ ଅଫ୍ ଦି ଫ୍ଳାଇଜ୍’ ଶୀର୍ଷକ ଏକ ସୁଖପାଠ୍ୟ ତଥା ଜନପ୍ରିୟ ଉପନ୍ୟାସରେ ମନୁଷ୍ୟର କଳ୍ପନାପ୍ରବଣ, ସ୍ୱାର୍ଥନ୍ୱେଷୀ ତତା ଆତ୍ମବିନାଶୀ ପ୍ରବୃତ୍ତି ସମ୍ପର୍କରେ ସାହିତ୍ୟିକ ବ୍ୟାଖ୍ୟା ପ୍ରଦାନ କରିଛନ୍ତି । ବିବର୍ତ୍ତନର ଅବାରିତ ଧାରାକୁ ହିଁ ଚତୁଷ୍ପଦ ବାନରରୂପୀ ପ୍ରାଣୀଠାରୁ ମନଷ୍ୟରୂପୀ ବିଚାରବୋଧସମ୍ପନ୍ନ ପ୍ରାଣୀର ସର୍ଜନାପାଇଁ ଦାୟୀ କରାଯାଉଛି । ଏଣୁ ମନୁଷ୍ୟ ଦାୟାଦିକ ସୂତ୍ରରେ ବାନରଠାରୁ ହି କଳହପ୍ରବଣ ପ୍ରବୃତ୍ତିଟିକୁ ଆହରଣ କରିଥିବାର ଧାରଣା ଅନାୟାସରେ ଜନସମର୍ଥନ ଲାଭ କରି ପାରୁଛି । ପୁଣି ବୁଦ୍ଧିଜୀବୀମାନେ ଅପର୍ଯ୍ୟାପ୍ତ ପ୍ରାମାଣିକ ତଥ୍ୟାବଲମ୍ୱନରେ ମତ ବ୍ୟକ୍ତ କରୁଛନ୍ତି ଯେ, ମନୁଷ୍ୟରୂପୀ ଜୀବ ନିଜର ସୃଷ୍ଟିକାଳୀନ ଆଦ୍ୟ ପର୍ବରେ ବାନରରୂପୀ ନିରାମିଷାଶୀ ଜୀବ ଭାବରେ ଜୀବନ ଯାପନ କରୁଥିବା ସ୍ଥଳେ ସମୟକ୍ରମେ ତାହାର ମାଂସାଶୀ ପ୍ରାଣୀ ଭାବରେ ରୂପାନ୍ତର ଘଟିଛି । ଏପରି ରୂପାନ୍ତର ଘଟିବାର ଫଳସ୍ୱରୂପ ସେ ଇତର ଜୀବମାନଙ୍କ ମାଂସ ଭକ୍ଷଣ କରିବା ସଙ୍ଗେ ସଙ୍ଗେ ନର ମାଂସ ଖାଦକ (cannibalist) ଭାବରେ ଜୀବନ ବିତାଇଛି ।

 

ନରମାଂସ ଖାଦକ ଭାବରେ ମନୁଷ୍ୟ ଜୀବନଯାପନ କରିଥିବାର ସ୍ଥାପତ୍ୟ ବିଦ୍ୟାଶ୍ରୟୀ ପ୍ରମାଣ, ଆଞ୍ଚଳିକ ମାଲିକାନା ଜାହିର୍ କରିବାର ପ୍ରବୃତ୍ତି, କଳହପ୍ରବଣତା, ଯୁଦ୍ଧଖୋର ମନୋବୃତ୍ତି ଏବଂ ଅତୀତରେ ଶିକାରୀ ଭାବରେ ଜୀବନଯାପନ କରିବାର ବିବର୍ତ୍ତନାଶ୍ରୟୀ ପୃଷ୍ଠଭୂମି ପ୍ରଭୃତି ବିଭାବଗୁଡ଼ିକୁ ବିଚାରକୁ ନିଆଯାଇ ଆଧୁନିକ ଯୁଗରେ ମନୁଷ୍ୟ ସମ୍ପର୍କରେ ଗୋଟିଏ ‘ମିଥ୍’ (myth) ସୃଷ୍ଟି ହୋଇଛି ଏବଂ ସମସ୍ତଙ୍କ ଆସ୍ଥାଭାଜନ ହେବା ଭଙ୍ଗୀରେ ମଧ୍ୟ ଏହି ମିଥ୍ଟିକୁ ପ୍ରଚାର କରାଯାଉଛି । ମନୁଷ୍ୟର ମନରେ ବିଶ୍ୱାସ ଜାତ କରାଯାଉଛି ଯେ, କଳହପ୍ରବଣତା (belligerence) ତାହାର ଏକ ନିଜସ୍ୱ ପ୍ରବୃତ୍ତି; ଯୁଦ୍ଧ ଓ ହିଂସା ତାହାର ଜିନ୍‍ ରେ ସ୍ଥାନ ପାଇଛି-। * 1

 

1. “A dangerous persuasive myth of our time that mankind is incorrigibly belligerent, that was and violence is in our genes.”

 

ମନୁଷ୍ୟର ସହଜାତ ପ୍ରକୃତି ସମ୍ପର୍କୀୟ ଏପରି ନୈରାଶ୍ୟବ୍ୟଞ୍ଜକ ମତକୁ ଲିକି ଓ ଲେୱିନ୍ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେମାନେ ଏହାକୁ ଏକ କଳ୍ପନାବିଳାସ “Fiction-dangerous fiction”) ରୂପେ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ସୂଚାଇଛନ୍ତି ଯେ, ଏତଦ୍ଦ୍ୱାରା ସମାଜରେ ପରିଲକ୍ଷିତ ଦୂରାଚାରଗୁଡ଼ିକୁ ପ୍ରଶ୍ରୟ ଦିଆଯାଉଛି । ପାପର ପ୍ରକ୍ଷାଳନ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ, ମନୁଷ୍ୟର ସହଜାତ ପ୍ରବୃତ୍ତି ପରିପ୍ରେକ୍ଷୀରେ ଏପରି ପାପାଚାରକୁ ସହ୍ୟ କରିବାପାଇଁ, ନ୍ୟସ୍ତସ୍ୱାର୍ଥ ଉପଭୋଗୀ ଗୋଷ୍ଠୀଗୁଡ଼ିକର ଚକ୍ରାନ୍ତ ବଳରେ ଆଦର୍ଶଭିତ୍ତିକ ପ୍ରଚାର ବିନିମୟରେ ଏହି ସ୍ଥିତାବସ୍ଥାକୁ ବଜାୟ ରଖିବାପାଇଁ ଉଦ୍ୟମ ହେଉଛି । ଏପରି ବ୍ୟବସ୍ଥାକୁ ଆଉ ପ୍ରଶ୍ରୟ ଦିଆ ନ ଯିବା ସପକ୍ଷରେ ମତ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଲିକି ଓ ଲେୱିନ୍ ମନୁଷ୍ୟକୁ ଗୋଟିଏ ‘ସହଯୋଗୀ ପ୍ରାଣୀ’ (Co-operative animal) ଭାବରେ ଚିତ୍ରଣ କରିଛନ୍ତି । ଶିକାର ଓ ସହଯୋଗ ମଧ୍ୟରେ ଅଭିନ୍ନ ସମ୍ପର୍କ ରହିଛି । ଆମ ପୂର୍ବପୁରୁଷମାନେ ସୁଦୀର୍ଘକାଳନବ୍ୟାପୀ ଶିକାରକୁ ଜୀବିକା ଭାବରେ ଆଦରି ନେବା ଅବସରରେ କଳହପ୍ରବଣତା, ଅବାଧ୍ୟତା ଓ ସ୍ୱାର୍ଥପରତା ପରିବର୍ତ୍ତେ ସହଯୋଗିତା ଓ ସହାବସ୍ଥାନକୁ ହିଁ ଜୀବନନାଦର୍ଶରୂପେ ଗ୍ରହଣ କରିଛନ୍ତି । ଶିକାରରୂପୀ ବୃତ୍ତିର ସଂଘଟନ ପାଇଁ ସହଯୋଗିତା ଏକ ଅପରିହାର୍ଯ୍ୟ ବିଭାବ । ଶିକାର ଉଦ୍ଦେଶ୍ୟରେ ଆୟୋଜନ କରିବା ପାଇଁ, ଦଳବଦ୍ଧ ତଥା ପ୍ରାକ୍‍କଳ୍ପିତ ଉପାୟରେ ବଣ୍ୟ ଜନ୍ତୁଙ୍କୁ ହତ୍ୟା କରିବାପାଇଁ; ନିହତ ପଶୁମାନଙ୍କୁ ଯଥାସ୍ଥାନକୁ ବୋହିନେବା ପାଇଁ, ଭାଗ ବାଣ୍ଟି ମାଂସ ଭକ୍ଷଣ କରିବାପାଇଁ ସହଯୋଗମୂଳକ କାର୍ଯ୍ୟାନୁଷ୍ଠାନର ଅନିବାର୍ଯ୍ୟତା ଅନାୟାସରେ ଉପଲବ୍ଧ ହେଉଛି ।

 

ଶିକାର କରି ତଥା ବଣରୁ ଫଳମୂଳ ସଂଗ୍ରହ କରି ପେଟ ପୋଷିବାପାଇଁ ଯେଉଁପ୍ରକାର ପାରିବାରିକ ତଥା ସାମାଜିକ ସ୍ତରୀୟ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ, ତାହାକୁ ପୂରଣ କରିବାପାଇଁ ପିଲାମାନଙ୍କୁ ବାଲ୍ୟକାଳରୁ ଯଥୋଚିତ ତାଲିମ୍ ଦିଆଯାଉଥିଲା । ଦଳଭୁକ୍ତ ହୋଇ ବାସକରୁଥିବା ଶିକାରୀ ପରିବାରଗୁଡ଼ିକର ଜୀବିକାର୍ଜନକୁ ସ୍ୱଚ୍ଛଳ କରିବାପାଇଁ ଉଦ୍ଦିଷ୍ଟ ସମସ୍ୟାଗୁଡ଼ିକ ସହିତ ପିଲାମାନେ ବାଲ୍ୟକାଳରୁ ପରିଚିତ ହେଉଥିଲେ । ଶିକାରପାଇଁ ଉଦ୍ଦିଷ୍ଟ ଯନ୍ତ୍ରପାତି ପ୍ରସ୍ତୁତ କରିବା, ମଞ୍ଚା ତିଆରି କରିବା, ମାଂସକୁ ନିଆଁରେ ସିଝାଇବା, ଗୋଟିଏ ଅଞ୍ଚଳରେ ଶିକାର ପାଇଁ ଉଦ୍ଦିଷ୍ଟ ବଣ୍ୟଜନ୍ତୁ ଦୁଷ୍ପ୍ରାପ୍ୟ ହୋଇଯିବା ପରେ ଅନ୍ୟ କୌଣସି ଅଞ୍ଚଳରେ ବସତି ସ୍ଥାପନ କରିବା, ମାଂସ ଭିନ୍ନ ଅନ୍ୟ ଖାଦ୍ୟଦ୍ରବ୍ୟ ସଂଗ୍ରହ କରିବା ଓ ସେଗୁଡ଼ିକୁ ସାଇତି ରଖିବାଭଳି ବ୍ୟାପାରଗୁଡ଼ିକୁ ଦଳଭୁକ୍ତ ବିଭିନ୍ନ ବୟସର ପୁରୁଷ ଓ ମହିଳାମାନଙ୍କଦ୍ୱାରା ସୁଚାରୁରୂପେ ପରିଚାଳନା କରିବା ହିଁ ଏପରି ଏକ ଅର୍ଥନୀତିର ଆଭିମୁଖ୍ୟ ହୋଇଥିଲା । ଶିକାର ଓ ବସତି ସ୍ଥାପନ ଆଧାରିତ ସମସ୍ୟାଗୁଡ଼ିକର ସୁବିଧାଜନକ ସମାଧାନ ଏକ ବୁଦ୍ଧିସାପେକ୍ଷ ବ୍ୟାପାରରେ ପରିଣତ ହୋଇଥିଲା । ଏ ପ୍ରକାର ଅର୍ଥନୀତିକୁ ସୁଦୀର୍ଘକାଳ ବ୍ୟାପୀ ବଳବତ୍ତର ରଖାଯିବାର କାରଣ ହେଉଛି ଯେ, ବଂଶାନୁକ୍ରମେ ପିଲାମାନଙ୍କୁ ଦାୟାଦିକ ବୃତ୍ତି ସମ୍ପର୍କରେ ଠିକଣା ତାଲିମ ଦିଆଯିବା ସମ୍ଭବ ହୋଇଥିଲା ଏବଂ ସମକାଳୀନ ଭାବରେ ସହଯୋଗିତାମୂଳକ ସହାବସ୍ଥାନ ପ୍ରତି ପ୍ରାଧାନ୍ୟ ଆରୋପିତ ହୋଇଥିଲା । ଶିକାର ଓ ଖାଦ୍ୟ ସଂଗ୍ରହକୁ ଲିକି ଓ ଲେୱିନ୍ ମିଶ୍ରିତ ଅର୍ଥନୀତିର (mixed economy) ପ୍ରଥମ ସେପାନରୂପେ ବର୍ଣ୍ଣନା କରିଛନ୍ତି । ସେମାନେ ସୁସ୍ପଷ୍ଟଭାବରେ ବୁଝାଇ ଦେଇଛନ୍ତି ଯେ, ସଂଗୃହୀତ ଖାଦ୍ୟକୁ ପରସ୍ପର ମଧ୍ୟରେ ଭାଗ ବାଣ୍ଟି ଭକ୍ଷଣ କରିବା ହିଁ ଆଦ୍ୟ ମିଶ୍ରିତ ଅର୍ଥନୀତିର ଚାବିକାଠି (The key to the firstg mixed economy was sharing.”)

 

ଅନ୍ୟୂନ ତିନି ନିୟୁତ ବର୍ଷ ବ୍ୟାପି ମନୁଷ୍ୟ ଶିକାରୀ ଭାବରେ ଯେଉଁପ୍ରକାର ସହଯୋଗିତାମୂଳକ ମନୋଭାବ ଘେନି ଜୀବନ ଯାପନ କରୁଥିଲା ଏବଂ ଯେଉଁ ପରମ୍ପରାକୁ ଏପରି ସୁଦୀର୍ଘକାଳ ବ୍ୟାପୀ ଅବ୍ୟାହତ ରଖାଯିବାର ଫଳସ୍ୱରୂପ ମନୁଷ୍ୟର ମାନସପଟରେ ମାନବିକତାବୋଧର ସର୍ଜନା ସମ୍ଭବ ହୋଇଥିଲା, ଏଇ ମାତ୍ର ଦଶ ହଜାର ବର୍ଷ ପୂର୍ବେ କୃଷିଭିତ୍ତିକ ସଂସ୍କୃତିର ଅଭ୍ୟୁଦୟ ଘଟିବା ପରଠାରୁ ତାହା ପ୍ରାୟ ଧ୍ୱଂସ ହୋଇଗଲା । କୃଷିକୁ ଜୀବିକାରୂପେ ଆଦରି ନେବା ପରଠାରୁ ମନୁଷ୍ୟ ନିଜ ସମ୍ପର୍କରେ ତଥା ପ୍ରକୃତି ସମ୍ପର୍କରେ ଭିନ୍ନ ପ୍ରକାର ମନୋଭାବ ପୋଷଣ କଲା । ପ୍ରକୃତିର ସ୍ୱୟଂସତୁଳିତ ପରିବେଶକୁ ଅଧିକରୁ ଅଧିକ ଲାଭପ୍ରଦାୟକ ମାର୍ଗରେ ବଦଳାଇ ଦେବାପାଇଁ ସେ କୃଷିର ସମୁନ୍ନତି ସାଧନ ଦିଗରେ ବୁଦ୍ଧି ଖଟାଇଲା । ସେ ଜାଣିଗଲା ଯେ, ବ୍ୟକ୍ତିଗତ ମାଲିକାନା ସ୍ୱତ୍ତ୍ୱରେ ଅମଳ ହେଉଥିବା ଖାଦ୍ୟକୁ ସଞ୍ଚୟ କରିହେବ ଏବଂ ଅନ୍ୟମାନଙ୍କ ଖାଦ୍ୟାଭାବ ପୂରଣ କରିବାପାଇଁ ସଞ୍ଚିତ ଖାଦ୍ୟକୁ ଲାଭପ୍ରଦ ମାର୍ଗରେ ବିକିବା ସମ୍ଭବ ହେବ । ପୁଣି କୃଷିର ସମୁନ୍ନତି ସାଧନ ତଥା ପ୍ରସାର ଯୋଗୁଁ ଖାଦ୍ୟାଭାବରୂପୀ ଏକ ଗୁରୁତର ତଥା ଜଟିଳ ସମସ୍ୟା ଲାଘବ ହୋଇଯିବା ଯୋଗୁଁ ଜନସଂଖ୍ୟାର ବୃଦ୍ଧିର ହାର ଅଦ୍ଭୁତପୂର୍ବ ବାର୍ଗରେ ତ୍ୱରାନ୍ୱିତ ହେଲା । ଛୋଟ ଛୋଟ ଶସ୍ୟ ଅମଳକ୍ଷମ ଉର୍ବର ଅଞ୍ଚଳକୁ କେନ୍ଦ୍ରକରି ଅଧିକରୁ ଅଧିକ ସଂଖ୍ୟକ ପରିବାର ବସତି ସ୍ଥାପନା କରିବାକୁ ଆଗ୍ରହୀ ହେଲେ; ଖାଦ୍ୟଶସ୍ୟର କ୍ରୟ ବିକ୍ରୟକୁ କେନ୍ଦ୍ରକରି ବେପାରର ଢାଞ୍ଚା ଦିନକୁଦିନ ଜଟିଳ ରୂପ ଧାରଣ କଲା । କୃଷିପ୍ରଧାନ ସଭ୍ୟତା ଓ ସଂସ୍କୃତିର ସ୍ଥାୟିତ୍ୱ ବଳବତ୍ତର ହୋଇଯିବାବେଳକୁ ଶିକାରୀ ଓ ଖାଦ୍ୟ ଅନ୍ୱେଷଣକାରୀ ମନୁଷ୍ୟର ପ୍ରକୃତି ବା ଜୀବନ ଦର୍ଶରେ ଦୁମୂଳ ପରିବର୍ତ୍ତନ ଘଟିଲା । ଏଣିକି ସହଯୋଗିତାମୂଳକ ସହାବସ୍ଥାନକୁ ଜୀବନାଦର୍ଶରୂପେ ଗ୍ରହଣ କରିବା ପରିବର୍ତ୍ତେ ମନୁଷ୍ୟ ସ୍ୱାର୍ଥପର, କ୍ଷମତାଲୋଭୀ, ଅର୍ଥଲୋଲୁପ ଓ କଳହପ୍ରବଣ ତଥା ଶୋଷଣପ୍ରବଣ ମନୋଭାବ ପ୍ରଦର୍ଶନ କରିବା ପୂର୍ବ ସମାଜରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ସ୍ପୃହଣୀୟ ମଣିଲା । ଏହି ଦୃଷ୍ଟିକୋଣର ବିଚାର କରି ଲିକି ଓ ଲେୱିନ୍ ସୂଚାଇଛନ୍ତି ଯେ, ଶିକାରୀ ଓ ଖାଦ୍ୟ ଅନ୍ୱେଷଣକାରୀ ଅବସ୍ଥାରୁ କୃଷକ ଅବସ୍ଥାକୁ ରୂପାନ୍ତର ଘଟିବା ହିଁ ମନୁଷ୍ୟର ଇତିହାସରେ ସର୍ବାପେକ୍ଷା ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା । (“The invention of agriculture was without exaggeration, the mostg significant event in the history of mankind.”) । କୋନର୍ଡ଼ ଲରେଞ୍ଜ ସୂଚାଇଛନ୍ତି ଯେ, ଫେକିଙ୍ଗ୍-ମଣିଷର (Peking Man) ପ୍ରୋମେଥିଅସ୍‍ରୂପୀ କର୍ମକୁଶଳତା ହିଁ ମନୁଷ୍ୟଠାରେ ଦାୟାଦିକ ସୂତ୍ରରେ ଉଚ୍ଛୃଙ୍ଖଳତାର ବୀଜ ସଂଚାରିତ କରାଇଛି । ପେକିଙ୍ଗ୍-ମଣିଷ ଅଗ୍ନିକୁ ସାଇତି ରଖିବାର ଉପାୟ ଜାଣିଯିବା ପରେ ମନୁଷ୍ୟ ମାଂସକୁ ସିଝାଇ ଖାଇବାର କୌଶଳଟିକୁ ଆପଣାର କରି ପାରିଲା । ମାତ୍ର ଏହାଫଳରେ ମନୁଷ୍ୟ ସ୍ୱଜାତିର ମାଂସକୁ ସିଝାଇବାକୁ ମଧ୍ୟ କୁଣ୍ଠାବୋଧ କଲାନାହିଁ । *2 କୋନାର୍ଡ଼୍ ଲରେଞ୍ଜ ମନୁଷ୍ୟ ନରଖାଦକ ସାଜିବାର ଇତିହାସ ଓ ମାଂସ ସିଝାଇ ଖାଇବାର ପଦ୍ଧତି ସଂପର୍କରେ ଯେଉଁ ମତ ବ୍ୟକ୍ତ କରିଛନ୍ତି ଏବଂ ଯାହାକୁ ସେ ମନୁଷ୍ୟର ଚାରିତ୍ରିକ ସ୍ୱାତନ୍ତ୍ର୍ୟ ରୂପେ ପ୍ରତିପାଦନ କରିବାକୁ ଯତ୍ନବାନ୍ ହୋଇଛନ୍ତି, ଲିକି ଓ ଲେୱିନ୍ ସେପରି ବୌଦ୍ଧିକତା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ପ୍ରାମାଣିକ ତଥ୍ୟରାଜିକୁ ବସ୍ତୁବାଦୀ ଦୃଷ୍ଟିକୋଣରୁ ବିଚାର କରି ଲେଖନଦ୍ୱୟ ଲରେଞ୍ଜ ତଥା ତାଙ୍କ ସମଧର୍ମୀ ବୁଦ୍ଧିଜୀବୀମାନଙ୍କର ମନୁଷ୍ୟର ପ୍ରକୃତି ସଂପର୍କୀୟ ସ୍ପଷ୍ଟୀକରଣକୁ ଖଣ୍ଡନ କରିବାରେ ବିଚକ୍ଷଣ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି ।

 

2. “Peking Man, the Prometheus who learned to preserve fire, sused it to roast his brother; besides the first traces of the regular use of fire like the mutilated and roasted bones of sinanthropus Pekinensis himself.”

 

ସାମାଜିକ ବିଜ୍ଞାନ ତଥା ଜ୍ଞାନାର୍ଜନର ବହୁବିଧ ଶୃଙ୍ଖଳା ମଧ୍ୟରେ ଆପେକ୍ଷିକ ଦୃଷ୍ଟିକୋଣରୁ ବୈଜ୍ଞାନିକ ପଦ୍ଧତି ଅଧିକ ପରିମାଣରେ ବ୍ୟକ୍ତିନିରପେକ୍ଷ ମାର୍ଗର ଅନୁଗାମୀ ହୋଇଛି-। ତଥାପି ବୈଜ୍ଞାନିକ ଆବିଷ୍କାର ବା ଉଦ୍ଭାବନ ଯୁଗାଦର୍ଶର ଅନୁବର୍ତ୍ତୀ ହେବାର ଦୃଷ୍ଟାନ୍ତ ବିରଳ ନୁହେଁ । ବିଜ୍ଞାନ ଅଭିନବ ଆଦର୍ଶର ଉତ୍‍ପ୍ରେରକ ଭୂମିକା ଗ୍ରହଣ କରେ ଏବଂ ସମକାଳୀନଭାବରେ ଏହା ଯୁଗାଦର୍ଶୀ ବା ଯୁଗ ସଂସ୍କୃତିଦ୍ୱାରା ପ୍ରଣୋଦିତ ହୁଏ । ଏହି ଦୃଷ୍ଟିକୋଣରୁ ବିଚାର କରିବାଦ୍ୱାରା ବୁଝିହେଉଛି ଯେ ମନୁଷ୍ୟର ପ୍ରକୃତି ବା ସ୍ୱରୂପ ଉଦ୍‍ଘାଟନ କରିବାପାଇଁ ଡାର୍ଟ୍ ଓ ଲରେଞ୍ଜଙ୍କ ଭଳି ତୁଙ୍ଗ ବୁଦ୍ଧିଜୀବୀମାନଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଗବେଷଣାର ଆଭିମୁଖ୍ୟ ଯୁଗାନୁବର୍ତ୍ତୀ ହୋଇଛି-। ଇତିହାସ ତଥା ବୈଜ୍ଞାନିକ ପଦ୍ଧତିର ସ୍ୱାତନ୍ତ୍ର୍ୟକୁ ବିଚାରକୁ ନେବାଦ୍ୱାରା ଆମେ ଅବଧାରିତ ହେଉଛୁ ଯେ, ବିଜ୍ଞାନ କେବଳ ସାମୟିକ ଭାବରେ ଏପରି ଯୁଗାଦର୍ଶର ଅନୁଗାମୀ ହୁଏ, ମାତ୍ର ବୈଜ୍ଞାନିକ ଗବେଷଣା-ପ୍ରସୂତ ଅଭିନବ ଚେତନାର ଆବିର୍ଭାବ ଫଳରେ ଏହା ମନୁଷ୍ୟକୁ ଅଭିନବ ଚେତନାର ଅନୁଗାମୀ ହେବାକୁ ପଥ ପଦର୍ଶନ କରେ । ଆଲୋଚ୍ୟ ଗବେଷଣା ବିଶେଷଭାବରେ ମନୁଷ୍ୟକେନ୍ଦ୍ରିକ ହୋଇଥିବା ଯୋଗୁଁ ହିଁ ଏହାର ଆଭିମୁଖ୍ୟ ଯୁଗାନୁବର୍ତ୍ତୀ ହେବା ଆଦୌ ଅସ୍ୱାଭାବିକ ବୋଧ ହେଉନାହିଁ ।

 

ମାତ୍ର ଏଠାରେ ଆମେ ବୁଝିବାର କଥା ଯେ, ଉଚ୍ଛୃଙ୍ଖଳତା, ଅଦାଧ୍ୟତା, ସ୍ୱାର୍ଥପରତା, କ୍ରୋଧଭଳି ପ୍ରବୃତ୍ତିଗୁଡ଼ିକ ମନୁଷ୍ୟର ସହଜାତ ପ୍ରକୃତି ହୋଇପାରେ; ମାତ୍ର ଶିକାରୀ ତଥା ଖାଦ୍ୟ ଅନ୍ୱେଷଣକାରୀ ପରମ୍ପରାର ସୁଦୀର୍ଘକାଳୀନ ସ୍ଥାୟିତ୍ୱ ମନୁଷ୍ୟକୁ ଅନୁବଂଶିକ ସୂତ୍ରରେ ଏପରି ଗୁଣର ଅଧିକାରୀ କରାଇଥିବାର ସିଦ୍ଧାନ୍ତକୁ ନିର୍ବିବାଦରେ ଗ୍ରହଣ କରିନେବା ବିଜ୍ଞତାର ପରିଚାୟକ ନୁହେଁ । ଅନୁବଂଶିକୀ ପର୍ଯ୍ୟାୟଭୁକ୍ତ ଜିନ୍ ସଂପର୍କୀୟ ଗବେଷଣାର ଯେପରି ତ୍ୱରାନ୍ୱିତ ସମୃଦ୍ଧି ସାଧିତ ହେଉଛି ମନୁଷ୍ୟ ନୃତତ୍ତ୍ୱ ତଥା ମନସ୍ତତ୍ତ୍ୱ ସମ୍ୱନ୍ଧୀୟ ଗବେଷଣାର ସମୃଦ୍ଧି ସାଧନା ପାଇଁ ଦିନକୁ ଦିନ ଯେପରି ଅଭିନବ ଟେକ୍ନୋଲଜିଗୁଡ଼ିକୁ ପ୍ରୟୋଗ କରାଯାଉଛି ଏବଂ କମ୍ପ୍ୟୁଟର ଭଳି କର୍ମକୁଶଳୀ ଯନ୍ତ୍ରଗୁଡ଼ିକ ଜରିଆରେ ଏବଂବିଧ ଗବେଷଣାର ମାନକୁ ଉନ୍ନତ କରାଯିବାର ଉଦ୍ୟମ ଯେପରି ଅବ୍ୟାହତ ରହିଛି, ତଜ୍ଜନିତ ମନୁଷ୍ୟ ନିଶ୍ଚିତଭାବରେ ନିଜ ପ୍ରକୃତି ସମ୍ୱନ୍ଧରେ ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରିପାରିବ । ଲିକି ଓ ଲେୱିନ୍‍ଙ୍କ ସମୟୋଚିତ ପରାମର୍ଶ ଅନୁଯାୟୀ ଏ ସଂପର୍କୀୟ ଅଧ୍ୟୟନ ଓ ଅନୁଶୀଳନ ଦିଗରେ ବିହିତ ପ୍ରଯତ୍ନ ଚଳାଇବା ଦ୍ୱାରା ହିଁ ଆମେ ସମୟ କ୍ରମେ ମନୁଷ୍ୟର ପ୍ରକୃତି ସମ୍ୱନ୍ଧରେ ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରିବା ସଙ୍ଗେ ସଙ୍ଗେ ତାହାର ଭବିଷ୍ୟତ ନିର୍ଦ୍ଧାରଣ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମର୍ଥ ହେବା ।

 

ମନୁଷ୍ୟ ମାଂସକୁ ସିଝାଇ ଖାଇବାର କୌଶଳଟିକୁ ଆପଣାର କରି ପାରିଲା । ମାତ୍ର ଏହାଫଳରେ ମନୁଷ୍ୟ ସ୍ୱଜାତିର ମାଂସକୁ ସିଝାଇବାକୁ ମଧ୍ୟ କୁଣ୍ଠାବୋଧ କଲାନାହିଁ । *2 କୋନାର୍ଡ଼୍ ଲରେଞ୍ଜ ମନୁଷ୍ୟ ନରଖାଦକ ସାଜିବାର ଇତିହାସ ଓ ମାଂସ ସିଝାଇ ଖାଇବାର ପଦ୍ଧତି ସଂପର୍କରେ ଯେଉଁ ମତ ବ୍ୟକ୍ତ କରିଛନ୍ତି ଏବଂ ଯାହାକୁ ସେ ମନୁଷ୍ୟର ଚାରିତ୍ରିକ ସ୍ୱାତନ୍ତ୍ର୍ୟ ରୂପେ ପ୍ରତିପାଦନ କରିବାକୁ ଯତ୍ନବାନ୍ ହୋଇଛନ୍ତି, ଲିକି ଓ ଲେୱିନ୍ ସେପରି ବୌଦ୍ଧିକତା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ପ୍ରାମାଣିକ ତଥ୍ୟରାଜିକୁ ବସ୍ତୁବାଦୀ ଦୃଷ୍ଟିକୋଣରୁ ବିଚାର କରି ଲେଖକଦ୍ୱୟ ଲରେଞ୍ଜ ତଥା ତାଙ୍କ ସମଧର୍ମୀ ବୁଦ୍ଧିଜୀବୀମାନଙ୍କର ମନୁଷ୍ୟର ପ୍ରକୃତି ସଂପର୍କୀୟ ସ୍ପଷ୍ଟୀକରଣକୁ ଖଣ୍ଡନ କରିବାରେ ବିଚକ୍ଷଣ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି ।

 

2. “Peking Man, the Prometheus who learned to preserve fire, sused it to roast his brother; besides the first traces of the regular use of fire like the mutilated and roasted bones of sinanthropus Pekinensis himself.”

 

ସାମାଜିକ ବିଜ୍ଞାନ ତଥା ଜ୍ଞାନାର୍ଜନର ବହୁବିଧ ଶୃଙ୍ଖଳା ମଧ୍ୟରେ ଆପେକ୍ଷିକ ଦୃଷ୍ଟିକୋଣରୁ ବୈଜ୍ଞାନିକ ପଦ୍ଧତି ଅଧିକ ପରିମାଣରେ ବ୍ୟକ୍ତିନିରପେକ୍ଷ ମାର୍ଗର ଅନୁଗାମୀ ହୋଇଛି-। ତଥାପି ବୈଜ୍ଞାନିକ ଆବିଷ୍କାର ବା ଉଦ୍ଭାବନ ଯୁଗାଦର୍ଶର ଅନୁବର୍ତ୍ତୀ ହେବାର ଦୃଷ୍ଟାନ୍ତ ବିରଳ ନୁହେଁ । ବିଜ୍ଞାନ ଅଭିନବ ଆଦର୍ଶର ଉତ୍‍ପ୍ରେରକ ଭୂମିକା ଗ୍ରହଣ କରେ ଏବଂ ସମକାଳୀନଭାବରେ ଏହା ଯୁଗାଦର୍ଶୀ ବା ଯୁଗ ସଂସ୍କୃତିଦ୍ୱାରା ପ୍ରଣୋଦିତ ହୁଏ । ଏହି ଦୃଷ୍ଟିକୋଣରୁ ବିଚାର କରିବାଦ୍ୱାରା ବୁଝିହେଉଛି ଯେ ମନୁଷ୍ୟର ପ୍ରକୃତି ବା ସ୍ୱରୂପ ଉଦ୍‍ଘାଟନ କରିବାପାଇଁ ଡାର୍ଟ୍ ଓ ଲରେଞ୍ଜଙ୍କ ଭଳି ତୁଙ୍ଗ ବୁଦ୍ଧିଜୀବୀମାନଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଗବେଷଣାର ଆଭିମୁଖ୍ୟ ଯୁଗାନୁବର୍ତ୍ତୀ ହୋଇଛି-। ଇତିହାସ ତଥା ବୈଜ୍ଞାନିକ ପଦ୍ଧତିର ସ୍ୱାତନ୍ତ୍ର୍ୟକୁ ବିଚାରକୁ ନେବାଦ୍ୱାରା ଆମେ ଅବଧାରିତ ହେଉଛୁ ଯେ, ବିଜ୍ଞାନ କେବଳ ସାମୟିକ ଭାବରେ ଏପରି ଯୁଗାଦର୍ଶର ଅନୁଗାମୀ ହୁଏ, ମାତ୍ର ବୈଜ୍ଞାନିକ ଗବେଷଣା-ପ୍ରସୂତ ଅଭିନବ ଚେତନାର ଆବିର୍ଭାବ ଫଳରେ ଏହା ମନୁଷ୍ୟକୁ ଅଭିନବ ଚେତନାର ଅନୁଗାମୀ ହେବାକୁ ପଥ ପଦର୍ଶନ କରେ । ଆଲୋଚ୍ୟ ଗବେଷଣା ବିଶେଷଭାବରେ ମନୁଷ୍ୟକେନ୍ଦ୍ରିକ ହୋଇଥିବା ଯୋଗୁଁ ହିଁ ଏହାର ଆଭିମୁଖ୍ୟ ଯୁଗାନୁବର୍ତ୍ତୀ ହେବା ଆଦୌ ଅସ୍ୱାଭାବିକ ବୋଧ ହେଉନାହିଁ ।

 

ମାତ୍ର ଏଠାରେ ଆମେ ବୁଝିବାର କଥା ଯେ, ଉଚ୍ଛୃଙ୍ଖଳତା, ଅବାଧ୍ୟତା, ସ୍ୱାର୍ଥପରତା, କ୍ରୋଧଭଳି ପ୍ରବୃତ୍ତିଗୁଡ଼ିକ ମନୁଷ୍ୟର ସହଜାତ ପ୍ରକୃତି ହୋଇପାରେ; ମାତ୍ର ଶିକାରୀ ତଥା ଖାଦ୍ୟ ଅନ୍ୱେଷଣକାରୀ ପରମ୍ପରାର ସୁଦୀର୍ଘକାଳୀନ ସ୍ଥାୟିତ୍ୱ ମନୁଷ୍ୟକୁ ଅନୁବଂଶିକ ସୂତ୍ରରେ ଏପରି ଗୁଣର ଅଧିକାରୀ କରାଇଥିବାର ସିଦ୍ଧାନ୍ତକୁ ନିର୍ବିବାଦରେ ଗ୍ରହଣ କରିନେବା ବିଜ୍ଞତାର ପରିଚାୟକ ନୁହେଁ । ଅନୁବଂଶିକୀ ପର୍ଯ୍ୟାୟଭୁକ୍ତ ଜିନ୍ ସଂପର୍କୀୟ ଗବେଷଣାର ଯେପରି ତ୍ୱରାନ୍ୱିତ ସମୃଦ୍ଧି ସାଧିତ ହେଉଛି ମନୁଷ୍ୟ ନୃତତ୍ତ୍ୱ ତଥା ମନସ୍ତତ୍ତ୍ୱ ସମ୍ୱନ୍ଧୀୟ ଗବେଷଣାର ସମୃଦ୍ଧି ସାଧନା ପାଇଁ ଦିନକୁ ଦିନ ଯେପରି ଅଭିନବ ଟେକ୍ନୋଲଜିଗୁଡ଼ିକୁ ପ୍ରୟୋଗ କରାଯାଉଛି ଏବଂ କମ୍ପ୍ୟୁଟର ଭଳି କର୍ମକୁଶଳୀ ଯନ୍ତ୍ରଗୁଡ଼ିକ ଜରିଆରେ ଏବଂ ବିଧ ଗବେଷଣାର ମାନକୁ ଉନ୍ନତ କରାଯିବାର ଉଦ୍ୟମ ଯେପରି ଅବ୍ୟାହତ ରହିଛି, ତଜ୍ଜନିତ ମନୁଷ୍ୟ ନିଶ୍ଚିତଭାବରେ ନିଜ ପ୍ରକୃତି ସମ୍ୱନ୍ଧରେ ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରିପାରିବ । ଲିକି ଓ ଲେୱିନ୍‍ଙ୍କ ସମୟୋଚିତ ପରାମର୍ଶ ଅନୁଯାୟୀ ଏ ସଂକର୍କୀୟ ଅଧ୍ୟୟନ ଓ ଅନୁଶୀଳନ ଦିଗରେ ବିହିତ ପ୍ରଯତ୍ନ ଚଳାଇବା ଦ୍ୱାରା ହିଁ ଆମେ ସମୟ କ୍ରମେ ମନୁଷ୍ୟର ପ୍ରକୃତି ସମ୍ୱନ୍ଧରେ ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରିବା ସଙ୍ଗେ ସଙ୍ଗେ ତାହାର ଭବିଷ୍ୟତ ନିର୍ଦ୍ଧାରଣ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମର୍ଥ ହେବା ।

Image

 

ଆଧୁନିକ ପଦାର୍ଥ-ବିଜ୍ଞାନର ଦିକ୍‍ଦର୍ଶନକାରୀ ଭୂମିକା

 

ଫେଲିସ ବ୍ଳଚ ଓ ହାଇଜେନବର୍ଗ ଚଳିତ ଶତାବ୍ଦୀର ଦୁଇଜଣ ସ୍ୱନାମଧନ୍ୟ ପଦାର୍ଥ-ବିଜ୍ଞାନୀ । ଏକଦା ସାଥୀହୋଇ ଉଭୟେ ସମୁଦ୍ର ତଟରେ ବିଚରଣ କରୁଥିଲେ । ନିର୍ମଳ ଆକାଶ । ଫେନିଳ ତରଙ୍ଗାୟିତ ଜଳରାଶି । ଏପରି ଏକ ମନଲୋଭା ପ୍ରାକୃତିକ ପରିବେଶରେ ଦୁଇବନ୍ଧୁ ଚିତ୍ତବିନୋଦନ କରୁଥିବାବେଳେ ପ୍ରସଙ୍ଗ ବଦଳାଇ ହଠାତ୍ ବ୍ଳଚ୍ ମହାକାଶର ବିନ୍ୟାସ (structgure of surface) ସମ୍ପର୍କରେ ଏକ ଗାଣିତିକ ତଥ୍ୟାଶ୍ରୟୀ ଅଭିନବ ତତ୍ତ୍ୱର ତାତ୍ପର୍ଯ୍ୟ ବର୍ଣ୍ଣନା କଲେ । ସେ ଗାଣିତିକ ଭାଷାରେ ମହାକାଶର ବିନ୍ୟାସ ସମ୍ୱନ୍ଧରେ ବୁଝାଇ ଦେବାପରେ ହାଇଜେନବର୍ଗ ପ୍ରତ୍ୟୁତ୍ତରରେ କହିଲେ, ‘‘ମହକାଶର ବର୍ଣ୍ଣ ନୀଳ ଓ ଏଠାରେ ପକ୍ଷୀମାନେ ଉଡ଼ନ୍ତି ।’’ [space is blue and birds fly in it.”]

 

ବୈଜ୍ଞାନିକ ମହଲରେ ଏ କଥୋପକଥନଟି ବେଶ୍ ଜଣାଶୁଣା । କ୍ୱାଣ୍ଟମ୍ ତତ୍ତ୍ୱର ସର୍ବାପେକ୍ଷା ମହନୀୟ ଅବଦାନଟି ଏହି କଥୋପକଥନ ଜରିଆରେ ଅଭିବ୍ୟକ୍ତ ହେଉଛି । ବିଂଶ ଶତାବ୍ଦୀରେ ମନୁଷ୍ୟର ଚେତନାରେ କ୍ରାନ୍ତିକାରୀ ଉତ୍ତରଣ ଘଟାଇଥିବା ଦୁଇଟି ତତ୍ତ୍ୱ (ଯଥା : ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍ ତତ୍ତ୍ୱ) ମଧ୍ୟରୁ ଏହା ଅନ୍ୟତମ । କୌଣସି ଏକ ଅଭିନବ ବସ୍ତୁକଣିକାର ଅବସ୍ଥିତି ସମ୍ପର୍କରେ ପ୍ରାକ୍‍ସୂଚନା, କୌଣସି ଏକ ଅଭିନବ ସମୀକରଣର ପ୍ରତିଷ୍ଠା କିମ୍ୱା କୌଣସି ପ୍ରାକୃତିକ ଦୃଶ୍ୟର ରହସ୍ୟ ଭେଦ ପ୍ରଭୃତି ଘଟଣାକୁ କେନ୍ଦ୍ରକରି ବିଚାର କରିବାଦ୍ୱାରା ଏହି ମହନୀୟ ତତ୍ତ୍ୱଟିର ମହତ୍ୱ ଉପଲବ୍ଧ ହୁଏନାହଁ । ଏହା ମନୁଷ୍ୟକୁ ଦାର୍ଶନିକ ଦୃଷ୍ଟିକୋଣରୁ ଯେଉଁ ଅଭିନବ ଦିକ୍‍ଦର୍ଶନ ପ୍ରଦାନ କରିପାରିଛି, ତତ୍‍ସମ୍ପର୍କୀୟ ପ୍ରାଞ୍ଜଳ ବୋଧଗମ୍ୟତା ପ୍ରାପ୍ତ ହେବାଦ୍ୱାରା ହିଁ ଆମେ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଉନ୍ମୋଚନ ଦିଗରେ ବୌଦ୍ଧିକ ଦୃଷ୍ଟିରୁ ନିଜ ନିଜକୁ ପ୍ରସ୍ତୁତ କରିବାକୁ ସମର୍ଥ ହେବା । ଆଧୁନିକ ଯୁଗର ପଦାର୍ଥ ବିଜ୍ଞାନ ବହୁ ବିରୋଧାଭାସଗୁଡ଼ିକର (paradox) ସମକାଳୀନ ସ୍ଥାୟିତ୍ୱଯୋଗୁଁ ଦୁର୍ବୋଧ୍ୟ ଜଣାପଡ଼ୁଛି; କେବଳ ସଂପୃକ୍ତ ବିଶେଷଜ୍ଞମାନଙ୍କ ବ୍ୟତୀତ ଅନ୍ୟମାନେ ଏହାର ତାତ୍ପର୍ଯ୍ୟ ସମ୍ପର୍କରେ ଅବଧାରିତ ହେବା ସମ୍ଭବ ହେଉନାହିଁ । ଅନୁପୂରକ ସିଦ୍ଧାନ୍ତ (principle of complimentarity) ଏପରି ଦୁର୍ବୋଧ୍ୟତାର ଅପସାରଣ ଘଟାଇବାପାଇଁ ଉଦ୍ଦିଷ୍ଟ ହୋଇଛି । ଏହି ଐତିହାସିକ ସିଦ୍ଧାନ୍ତଟି ଆମ୍ଭମାନଙ୍କ ପ୍ରାକୃତିକ କ୍ରିୟାଶୀଳତାର ବୈଚିତ୍ର ସମ୍ପର୍କରେ ସଚେତନ କରାଇବା ସଙ୍ଗେ ସଙ୍ଗେ ଏହାର ରହସ୍ୟ ଭେଦ କରିବାପାଇଁ ବିହିତ କର୍ମପନ୍ଥାର ଅନୁଗାମୀ ହେବା ଦିଗରେ ପଥ ପ୍ରଦର୍ଶକ ଭୂମିକା ଗ୍ରହଣ କରିଛି । ହାଇଜେନ୍‍ବର୍ଗ ଓ ବ୍ଳଚଙ୍କ କଥୋପକଥନରେ ହି ସିଦ୍ଧାନ୍ତଟିର ଗୁଢ଼ାର୍ଥ ସମ୍ୟକ୍‍ଭାବରେ ପ୍ରତିଫଳିତ ହୋଇଛି । ଗୋଟିଏ ବିଷୟ ସମ୍ପର୍କରେ ଆମେ ଦୁଇଟି ଭନ୍ନ ଭିନ୍ନ ମାର୍ଗରେ ବର୍ଣ୍ଣନା ପ୍ରଦାନ କରିପାରିବା । ତନ୍ମଧ୍ୟରୁ ଗୋଟିଏ ମାର୍ଗରେ ସଂପୃକ୍ତ ବିଷୟ ସମ୍ପର୍କରେ ବର୍ଣ୍ଣନା ପ୍ରଦାନ କରି ତାହାର ପ୍ରକୃତି ସମ୍ପର୍କୀୟ ସ୍ପଷ୍ଟୀକରଣ ନିର୍ଣ୍ଣୟ କରିବାବେଳେ ଅନ୍ୟ ମାର୍ଗଦ୍ୱାରା ଉନ୍ମୋଚିତ ହୋଇପାରିଥିବା ତାହାର ନିଜସ୍ୱ ବିଭାବଗୁଡ଼ିକର ପରିପ୍ରକାଶ ସମ୍ଭବ ହୁଏନାହିଁ ! ଅର୍ଥାତ୍, ସମକାଳୀନ ଭାବରେ ଏକପ୍ରକାର ଦୃଷ୍ଟିକୋଣରୁ ବିଚାରକରି ଗୋଟିଏ ବସ୍ତୁ ବା ଦୃଶ୍ୟର ଦ୍ୱିବିଧ ପ୍ରକୃତି ସମ୍ପର୍କରେ ଜ୍ଞାନ ଅର୍ଜନ କରିବା ସମ୍ଭବ ନୁହେଁ ।

 

କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନର ଅୟମାରମ୍ଭ ଘଟିଲା ୧୯୦୦ ମସିହାରେ । ପରମାଣୁଗୁଡ଼କର ଗଠନ, ପରମାଣୁଗୁଡ଼ିକୁ ଗଠନ କରିଥିବା ବସ୍ତୁକଣିକାମାନଙ୍କର ଧର୍ମ, ଅଣୁଗୁଡ଼ିକର ପାରମାଣବିକ ବିନ୍ୟାସ ପ୍ରଭୃତି ବିଷୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିବାପାଇଁ ଏହି ତତ୍ତ୍ୱଟିକୁ ପଦାର୍ଥବିଜ୍ଞାନୀମାନେ ଗୋଟିଏ ହାତବାରିସୀ ଭାବରେ ପ୍ରୟୋଗ କଲେ । ବିଭିନ୍ନ ଭୌତିକ ଦୃଶ୍ୟର ରହସ୍ୟ ଭେଦପାଇଁ କ୍ୱାଣ୍ଟମ୍ ଯାନ୍ତ୍ରିକୀକୁ ଗାଣିତିକ ଦୃଷ୍ଟିକୋଣରୁ ସମୁନ୍ନତ କରାଯାଇ ବିଚକ୍ଷଣ ଭାବରେ ପ୍ରୟୋଗ କରାଗଲା । ଏଣୁ, ପଦାର୍ଥ ବିଜ୍ଞାନ ଜଗତରେ ଜଟିଳତାର ଅଭିବୃଦ୍ଧି ଘଟିଲା । ଗୋଟିଏ ବସ୍ତୁ ବା ଦୃଶ୍ୟର ଦ୍ୱିବିଧ ପରିସରର ବିରୋଧାତ୍ମକ ପ୍ରକୃତି ସମ୍ପର୍କୀୟ ଜ୍ଞାନ ବୈଜ୍ଞାନିକମାନଙ୍କୁ ଏକ ବିଷମ ପରିସ୍ଥିତିର ସମ୍ମୁଖୀନ କରାଇଲା । ଆଲୋକର ଦ୍ୱିବିଧ ପ୍ରକୃତି ସମ୍ପର୍କୀୟ ପ୍ରାମାଣିକ ତଥ୍ୟ ପର୍ଯ୍ୟବେସିତ ଜ୍ଞାନ ହିଁ ପ୍ରଥମେ ବୈଜ୍ଞାନିକ ମହଲରେ ଆଲୋଡ଼ନ ସୃଷ୍ଟି କଲା । ଜଣାଗଲା ଯେ, ଆଲୋକ ଶବ୍ଦ ତରଙ୍ଗ ଭଳି ତରଙ୍ଗ ପ୍ରକୃତି ପ୍ରଦର୍ଶନ କରୁଛି ଏବଂ ଏହା ଇଲେକ୍‍ଟ୍ରନ୍‍ କଣିକାଭଳି କଣିକା ପ୍ରକୃତି ମଧ୍ୟ ଦର୍ଶାଉଛି । ସେହିପରି ଭାବରେ ଇଲେକ୍‍ଟ୍ରନ୍‍ କଣିକା ଯେ କୌଣସି ଏକ ବସ୍ତୁ କଣିକା ସୁଲଭ କଣିକା ପ୍ରକୃତି ପ୍ରଦର୍ଶନ କରୁଛି ଏବଂ ଏହା ମଧ୍ୟ ଆଲୋକ ତରଙ୍ଗଭଳି ତରଙ୍ଗ ପ୍ରକୃତି ଦର୍ଶାଇପାରୁଛି । ବୈଜ୍ଞାନିକମାନେ ଉଭୟ ତାତ୍ତ୍ୱିକ ଓ ଅଭିକ୍ରିୟାତ୍ମକ ଗବେଷଣା ବଳରେ ଜଣାଇଦେଲେ ଯେ, ଗୋଟିଏ କଣିକାର ଅବସ୍ଥିତିକୁ ଯେତେ ଅଧିକ ଠିକ୍ ଭାବରେ ଚିହ୍ନଟ କରାଯାଉଛି, ତାହାର ସଂବେଗ (momentum) ମାପିବାବେଳେ ତଦନୁପାତିକ ଅନିଶ୍ଚିତତା ସୃଷ୍ଟି ହେଉଛି । ପୁଣି, ସଂବେଗ ମାପିବା ପାଇଁ ଅଭିକ୍ରିୟାର ଗୁଣାତ୍ମକମାନଙ୍କୁ ସମୁନ୍ନତ କରାଯିବାଦ୍ୱାରା ତାହାର ଅବସ୍ଥିତି ଆଧାରିତ ମାପ ସ୍ପଷ୍ଟ ହେଉନାହିଁ । ଯେଉଁ ବସ୍ତୁଗୁଡ଼ିକର ସମାହାରରେ ଏ ବିଚିତ୍ରବର୍ଣ୍ଣା ବିଶ୍ୱର ଗଠନ ସମ୍ଭବ ହୋଇଛି, ସେଗୁଡ଼ିକର ବାସ୍ତବ ରୂପାୟନ କମ୍ପନପ୍ରବଣ ଶକ୍ତି ଏକକଗୁଡ଼ିକର ସମାହାରଯୋଗୁଁ ସମ୍ଭବ ହୋଇଛି । ଆମ ଦୃଷ୍ଟିଗୋଚର ହେଉନଥିବା ଏହି କମ୍ପନପ୍ରବଣ ଏକକଗୁଡ଼ିକୁ (bits of vibrating energy) ପଦାର୍ଥ ବିଜ୍ଞାନର ଭାଷାରେ ‘କ୍ୱାଣ୍ଟା’ ଏହା କ୍ୱାଣ୍ଟମ୍‍ର ବହୁବାଚକ ଶବ୍ଦ) କୁହାଯାଏ । ଏହି କ୍ୱାଣ୍ଟାର ସ୍ଥାୟିତ୍ୱ ସମ୍ପର୍କରେ ଅବଧାରିତ ହେବାପାଇଁ ଆମେ ଯଦି କୌଣସି ପ୍ରକାର ଅଭିକ୍ରିୟା ଚଳାଇବା, ତାହାହେଲେଲ ଆମ ଅଭିକ୍ରିୟାର ମାନ ଯେତେ ଉନ୍ନତ ହେଲେ ମଧ୍ୟ ଆମର ଶ୍ରମ ନିଶ୍ଚିତଭାବରେ ବ୍ୟର୍ଥ ହୋଇଯିବ । ହାତ ପାପୁଲି ଉପରେ ବରଫ ଖଣ୍ଡ ମିଳାଇଯବାପରି ସକଳ ଉଦ୍ୟମ ସତ୍ତ୍ୱେ କମ୍ପନୟିତ କ୍ୱାଣ୍ଟା ଆମ ଦୃଷ୍ଟି ପଥାରୂଢ଼ ହେବନାହିଁ ।

 

ପ୍ରାକୃତିକ ବିଭାବଗୁଡ଼ିକର ଅନ୍ତର୍ନିହିତ ବିରୋଧାତ୍ମକ ପ୍ରକୃତି ସମ୍ପର୍କରେ ବୋଧଗମ୍ୟ ଧାରଣା ଯୋଗାଇ ଦେବାପାଇଁ ନିଏଲ୍‍ସ ବୋହର ‘ଅନୁପୂରକ ସିଦ୍ଧାନ୍ତ’ ପ୍ରତିଷ୍ଠା କଲେ । ସେ ଜଣାଇଦେଲେ ଯେ, ପ୍ରକୃତିର ବାସ୍ତବତାକୁ ବୁଝିବାପାଇଁ ଅନୁପୂରକ ବର୍ଣ୍ଣନା ଏକାନ୍ତ ଆବଶ୍ୟକ ହେଉଛି; ଏକାଧିକ ଦୃଷ୍ଟିକୋଣରୁ ବିଚାର କରିବାଦ୍ୱାରା ହିଁ ପ୍ରାକୃତିକ କ୍ରିୟାଶୀଳତାକୁ ସମ୍ୟକ୍‍ଭାବରେ ବୁଝିହେବ । ଗୋଟିଏ ବସ୍ତୁର ବେଗ ଓ ଅବସ୍ଥିତିକୁ ସମକ୍‍ଭାବରେ ମାପି ନ ପାରିବାଦ୍ୱାରା ବ୍ୟସ୍ତ ହେବାର କିଛି କାରଣ ନାହିଁ । ଆମେ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱକୁ କ’ଣ ସମକାଳୀନ ଭାବରେ ମାପିପାରୁଛୁ ? ସବୁ ବର୍ଣ୍ଣଗୁଡ଼ିକର ସମାହାରରେ ଶୁଭ୍ର ବର୍ଣ୍ଣର ସୃଷ୍ଟି ସମ୍ଭବ ହେଉଥିବା ପରି ସମ୍ପୂର୍ଣ୍ଣ ବୋଧଗମ୍ୟତା ପ୍ରାପ୍ତି ପାଇଁ ଅନୁପୂରକ ବର୍ଣ୍ଣନା ଆବଶ୍ୟକ ହେୁଛି । ବିଜ୍ଞାନଜଗତରେ ଅନୁପୂରକ ବିଭାବଗୁଡ଼ିକ ୟିନ୍ ଓ ୟାଙ୍ଗର ଦାୟିତ୍ୱ ତୁଲାଉଛନ୍ତି । ପ୍ରବୀଣ ବୈଜ୍ଞାନିକ ଏମିଲିଓ ସେଗ୍ରେ ଏହାକୁ ଉପଲକ୍ଷ୍ୟ କରି କହିଛନ୍ତି ଯେ,* ପରସ୍ପରର ବିରୋଧାତ୍ମକ ଜଣାପଡ଼ୁଥିବା ଦୁଇଟି ବିଚାରଧାରା ମଧ୍ୟରୁ କୌଣସି ଗୋଟିକୁ ସମ୍ପୂର୍ଣ୍ଣ ଠିକ୍ ଭାବରେ ବିଚାର କରିବା ସମ୍ଭବ ହେଉନାହିଁ । ବୃହତ୍ ପରିସରୀୟ ଚିନ୍ତନର ଅନ୍ତିମ ପରିଣତି ସ୍ୱରୂପ ଉଭୟ ଦୃଷ୍ଟିକୋଣର ସଠିକତା ପ୍ରତିପାଦିତ ହେଉଛି । ଏହା ହିଁ ବିଜ୍ଞାନର ଏକ ଚାରିତ୍ରିକ ବୈଶିଷ୍ଟ୍ୟ ।

 

It is one of the special beauties of Science that points of view which seem diametrically opposed turn out later, in a broader perspective, to be both right.”

 

ସାଧାରଣ ଭାଷାରେ ଆମେ ଯେପରି ଏକ ପକ୍ଷରେ/ଅନ୍ୟ ପକ୍ଷରେ ଶୈଳୀରେ ଦ୍ୱିବିଧ ଅର୍ଥସୂଚକ ଭାବ ବ୍ୟକ୍ତ କରୁ, ବୈଜ୍ଞାନିକମାନେ ଅନୁପୂରକ ସିଦ୍ଧାନ୍ତକୁ ସେପରି ହାଲୁକା ଭାବରେ ବ୍ୟବହାର କରନ୍ତି ନାହିଁ । ଏତଦ୍ଦ୍ୱାରା ପରସ୍ପରର ବିରୋଧାତ୍ମକ ଅର୍ଥ ସୂଚାଉଥିବା ଦ୍ୱିବିଧ ଦୃଷ୍ଟିକୋଣର ସଠିକତା ପ୍ରତିପାଦିତ ହୁଏ ଏବଂ ସମକାଳୀନ ଭାବରେ ଏହା ବୁଝାଇଦିଏ ଯେ, ଉଭୟବିଧ ସଠିକ୍ ଦୃଷ୍ଟିକୋଣ ପ୍ରାୟୋଗିକ ଦୃଷ୍ଟିରୁ ପାରସ୍ପରିକ ବର୍ଜନଶୀଳ (mutually exclusive) ଧର୍ମ ପ୍ରକଟ କରେ । ଉଦାହରଣ ସ୍ୱରୂପ, ଆମେ ଜାଣିପାରୁଛୁ ଯେ, କଣିକା ପ୍ରକୃତି ଓ ତରଙ୍ଗ ପ୍ରକୃତି ଦୁଇଟି ପାରସ୍ପରିକ ବର୍ଜନଶୀଳ ଧାରଣା । କଣିକା ଗୋଟିଏ ଗୁଳିଭଳି ବ୍ୟବହାର ଦର୍ଶାଏ; ଏହା ବସ୍ତୁତ୍ୱଧାରିତ ତଥା ନିର୍ଦ୍ଦିଷ୍ଟ ଆକୃତିସମ୍ପନ୍ନ ହୁଏ ଏବଂ ସ୍ଥାନ-କାଳ ସଂସ୍ଥିତିରେ ଏହାର ସ୍ଥାନ ସୁନିର୍ଦ୍ଦିଷ୍ଟ । ମାତ୍ର ତରଙ୍ଗ ଶବ୍ଦଟିକୁ ଉଚ୍ଚାରଣ କରିବାବେଳେ ଆମ ମନରେ ସ୍ୱତଃ ବେଗ ସମ୍ୱଳିତ ଭାବ ଜାଗ୍ରତ ହୁଏ । ଏହା ଏକ ନିରବଚ୍ଛିନ୍ନ ପ୍ରବାହ । କଣିକା ଓ ତରଙ୍ଗ ମଧ୍ୟରେ କୌଣସି ପ୍ରକୃତିଗତ ସାମ୍ୟ ନାହିଁ । ସମୁଦ୍ରରେ ତରଙ୍ଗମାଳାର ନିରବଚ୍ଛିନ୍ନ ପ୍ରବାହ ଓ ଜଳ ମଧ୍ୟରେ ଭାସମାନ ମତ୍ସ୍ୟମାନଙ୍କ ମଧ୍ୟରେ କୌଣସି ପ୍ରକୃତିଗତ ସାମ୍ୟ ନିର୍ଣ୍ଣୟ କରିହେବ କି ? ମାତ୍ର ଅଭିକ୍ରିୟାଦ୍ୱାରା ସତ୍ୟ ପ୍ରମାଣିତ ହୋଇଛି ଯେ, ଇଲେକ୍ରନ ଭଳି କ୍ଷୁଦ୍ରାତିକ୍ଷୁଦ୍ର କଣିକାଗୁଡ଼ିକଠାରେ ଉଭୟବିଧ ପ୍ରକୃତି ପ୍ରଦର୍ଶନ କରିବାର ସାମର୍ଥ୍ୟ ନିହିତ ହୋଇଛି । ଏହି ବିସ୍ମୟଜନକ ଘଟଣାକୁ ଉପଲକ୍ଷ୍ୟ କରି ଏକଦା ଜନୈକ ପ୍ରବୀଣ ପଦାର୍ଥବିଜ୍ଞାନୀ ବ୍ୟଙ୍ଗାତ୍ମକ ଭଙ୍ଗୀରେ ସୂଚାଇଥିଲେ ଯେ, ପ୍ରକୃତି ସପ୍ତାହକ ମଧ୍ୟରେ ସୋମବାର, ବୁଧବାର ଓ ଶୁକ୍ରବାର ଦିନ କ୍ୱାଣ୍ଟମ୍ ତତ୍ତ୍ୱାନୁଯାୟୀ କଣିକା ପ୍ରକୃତି ପ୍ରଦର୍ଶନ କରୁଛି ଏବଂ ଅବଶିଷ୍ଟ ବଙ୍ଗଳବାର, ଗୁରୁବାର ଓ ଶନିବାର ଦିନଗୁଡ଼ିକରେ ତରଙ୍ଗ-ପ୍ରକୃତି ଦର୍ଶାଉଛି-

 

ଅନୁପୂରକ ତତ୍ତ୍ୱକୁ ଯଥାର୍ଥଭାବରେ ପ୍ରୟୋଗ କରିବାର ଉପାୟ ହେଉଛି, କୌଣସି ଏକ ସମସ୍ୟାର ସମାଧାନ କରିବା ପୂର୍ବରୁ ଉଭୟବିଧ ପରସ୍ପର ବିରୋଧୀ ତତା ସଠିକ ଦୃଷ୍ଟିକୋଣ ମଧ୍ୟରୁ ଗୋଟିକୁ ଉପଯୁକ୍ତ ଭାବରେ ପ୍ରଯୁଜ୍ୟ ଦୃଷ୍ଟିକୋଣ ଭାବରେ ଆଦରିନେବା । ଦ୍ୱିବିଧ ଦୃଷ୍ଟିକୋଣ ମଧ୍ୟରୁ ଗୋଟିକର ପ୍ରୟୋଗ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବା ପରେ ସେହି ସମସ୍ୟା ସମ୍ପର୍କୀୟ ସ୍ପଷ୍ଟୀକରଣ ପ୍ରାପ୍ତି ଦିଗରେ ଅନ୍ୟ ଦୃଷ୍ଟିକୋଣ ସମ୍ପର୍କରେ ଚିନ୍ତା କରିବା ଦରକାର ନାହିଁ । ଯଶସ୍ୱୀ ମାର୍କନି ପଦାର୍ଥବିଜ୍ଞାନୀ ଜେ. ରବର୍ଟ ଓ ପେନ୍ହିମର୍ ଅନୁପୂରକ ସିଦ୍ଧାନ୍ତର ତାତ୍ପର୍ଯ୍ୟ ସମ୍ପର୍କୀୟ ସ୍ପଷ୍ଟୀକରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ସୂଚାଇଛନ୍ତି, ‘‘ଗୋଟିଏ ପ୍ରକାର ଦୃଷ୍ଟିକୋଣ କୌଣସି ଏକ ପରିସ୍ଥିତି ସମ୍ପର୍କରେ ସ୍ପଷ୍ଟୀକରଣ ଯୋଗାଇଦେବା ପାଇଁ ଯେତେ ଅଧିକ ସମୀଚୀନ ବୋଧହୁଏ, ସଂପୃକ୍ତ ପରିସ୍ଥିତି ପରିପ୍ରେକ୍ଷୀରେ ଅନ୍ୟ ଦୃଷ୍ଟିକୋଣଟି ସେତେ ଅନୁପଯୁକ୍ତ ହୋଇଯାଏ-।’’

 

ସ୍ଥାନ ଆଧାରିତ କୌଣସି ଗାଣିତିକ ସମ୍ପର୍କକୁ ‘ଆକାଶ ନେଳିଆ ଦିଶୁଛି’ ଭଳି ଗୋଟିଏ ବାକ୍ୟ ଜରିଆରେ ପ୍ରକାଶ କରିବା ଆଦୌ ଉପଯୁକ୍ତ ନୁହେଁ । ମାତ୍ର ଗ୍ରୀଷ୍ମ ଋତୁରେ ମନ ହାଲୁକା କରିବାପାଇଁ ସମୁଦ୍ର ତଟରେ ବିଚରଣ କରୁଥିବାବେଳେ କୌଣସି ଏକ ଗାଣିତିକ-ସମୀକରଣ ଜରିଆରେ ଆକାଶର ରୂପ ବର୍ଣ୍ଣନା କରିବା ଆଦୌ ସମୀଚୀନ ବୋଧ ହେଉନାହିଁ । ଗୋଟିଏ କଣିକା ଯେତେ ଅଧିକ ପରିମାଣରେ କଣିକା ସୁଲଭ ପ୍ରକୃତି ଦର୍ଶାଏ, ତାହାର ତରଙ୍ଗ ପ୍ରକୃତି ତଦନୁପାତରେ ସେତିକି ମ୍ଳାନ ହୋଇଯାଏ; ଠିକ୍ ଯେପରି ଗୋଟିଏ କଣିକାର ଅବସ୍ଥିତି ଯେତେ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ବାରିହୁଏ, ତାହାର ବେଗ ସେତିକି ପରିମାଣରେ ଝାପ୍‍ସା ବା ଅସ୍ପଷ୍ଟ ହୋଇଯାଏ ।

 

ପଦାର୍ଥବିଜ୍ଞାନର ଭାଷାରେ ବର୍ଣ୍ଣ ସମ୍ପର୍କୀୟ ବିଚାର ଚଳାଇବା କ୍ଷେତ୍ରରେ ସର୍ବପ୍ରଥମେ ‘ଅନୁପୂରକତା’ (Complimentarity) ଶବ୍ଦଟିକୁ ବ୍ୟବହାର କରାଯାଇଛି । ନେଳିଆ ଓ କମଳା ରଙ୍ଗ ପରସ୍ପରର ଅନୁପୂରକ; କାରଣ ଉଭୟକୁ ପରସ୍ପର ସହିତ ମିଶାଇ ଦେବାଦ୍ୱାରା ଧଳାରଙ୍ଗ ସୃଷ୍ଟି ହୁଏ । ଉଭୟେ ପାରସ୍ପରିକ ବର୍ଜନଶୀଳ ପ୍ରକୃତି ପ୍ରଦର୍ଶନ କରନ୍ତି । ନେଳି ରଙ୍ଗରେ କମଳା ରଙ୍ଗ ଆଦୌ ମିଶିନାହିଁ; ଠିକ୍ ସେହିପରି କମଳା ରଙ୍ଗରେ ନେଳି ରଙ୍ଗ ମଧ୍ୟ ଆଦୌ ମିଶିନାହିଁ । ଧଳା ରଙ୍ଗରୁ ନେଳି ରଙ୍ଗକୁ ପୃଥକ୍ କରିଦେବା ପରେ ତାହା କମଳା ରଙ୍ଗରେ ରୂପାନ୍ତରୀତ ହୁଏ । ଗୋଟିଏ ବିଭାବର ଅନୁପୂରକ ବିଭାବଟି ଠିକ୍ ଛାୟାଭଳି ବ୍ୟବହାର ଦର୍ଶାଏ । ରାତି ଦିନର ଛାୟାଭଳି; ଏହାମଧ୍ୟ ଦିନର ଅନୁପୂରକ ।

 

କେତେକ କ୍ଷେତ୍ରରେ, କୌଣସି ଗୋଟିଏ ବିଭାବପ୍ରତି ଦୃଷ୍ଟି ନିବଦ୍ଧ କରିବାଦ୍ୱାରା ତାହାର ଅନୁପୂରକ ବିଭାବଟି ପ୍ରକୃତରେ ନଷ୍ଟ ହୋଇଯାଏ । ବୋହର ନିଶ୍ଚିତ ଭାବରେ ବରଫରେ ବିଚରଣ କରିବାକୁ ସୁଖପ୍ରଦ ମଣୁଥିଲେ । ଏଭଳି ସଉକ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କୁ ଇଂରାଜୀରେ ‘ସ୍କାୟର’ (skier) କୁହାଯାଏ । ସ୍କାୟରମାନେ ବରଫ ଉପରେ ଚାଲିବାବେଳେ ବିଭିନ୍ନ ପ୍ରକାର ଭଙ୍ଗୀ ବା ଚାତୁରୀ ପ୍ରଦର୍ଶନ କରନ୍ତି । ତନ୍ମଧ୍ୟରୁ ‘ଖ୍ରୀଷ୍ଟୀଆନା’ ବା ‘ସମାନ୍ତର’ ଗତିଶୀଳତା ଅନ୍ୟତମ-। ବୋହର ସୂଚାଇଛନ୍ତି ଯେ, ଖ୍ରୀଷ୍ଟୀଆନା ବା ସମାନ୍ତର ଭଙ୍ଗୀରେ ବୁଲିବାର ଢାଞ୍ଚାକୁ ପୁଙ୍ଖାନୁପୁଙ୍ଖ ଭାବରେ ବିଶ୍ଳେଷଣ କରିବାଦ୍ୱାରା ତାହାର ନିଜସ୍ୱ ରୂପ ଆଉ ବାରି ହୁଏ ନାହିଁ । ଏହା ସାଧାରଣ ‘ଷ୍ଟେମ୍ ଟର୍ନ’ ରୂପେ ଆତ୍ମପ୍ରକାଶ କରେ । ତୁଳନାତ୍ମକ ଦୃଷ୍ଟିରୁ ଏହି ଘଟଣାଟିକୁ ବୁଝାଇଦେବା ଉଦ୍ଦେଶ୍ୟରେ ସେ ସୂଚାଇଛନ୍ତି ଯେ, ଗୋଟିଏ ବସ୍ତୁର କ୍ୱାଣ୍ଟମ୍ ଅବସ୍ଥା ସଂପର୍କରେ ଜାଣିବାପାଇଁ ଅଧିକରୁ ଅଧିକ ଅନୁସନ୍ଧାନ ଚଳାଇବାଦ୍ୱାରା ତାହା ଯେପରି କ୍ଳାସିକାଲ ଗତିଶୀଳ ଅବସ୍ଥାକୁ ରୂପାନ୍ତରୀତ ହୋଇଯାଏ, ଏ କ୍ଷେତ୍ରରେ ଖ୍ରୀଷ୍ଟୀଆନା ଟର୍ନ୍ ଠିକ୍ ସେହିପରି ‘ଷ୍ଟେମ୍ ଟର୍ନ’ର ରୂପ ଧାରଣ କରେ । * ଜଣେ ନର୍ତ୍ତକୀଙ୍କ ପୋଷାକ ଭଳି କିମ୍ୱା କୌଣସି ଏକ ପକ୍ଷୀର ଗୁଞ୍ଜନଭଳି କୌଣସି ଏକ କାଣ୍ଟମ୍ ଅବସ୍ଥା ନିଜର ସଂପୂର୍ଣ୍ଣ ରୂପକୁ ଅକ୍ଷୂନ୍ନ ରଖିଥିବା ପର୍ଯ୍ୟନ୍ତ ନିଜ ଚାରିତ୍ରିଙ୍କ ବୈଶିଷ୍ଟ୍ୟ ଦର୍ଶାଇପାରେ । ଅବଶ୍ୟ, ଏପରି ମନ୍ତବ୍ୟ ପାଠକରି ଆମେ ବୁଝିବା ଠିକ୍ ହେବ ନାହିଁ ଯେ, ଉଲ୍ଲିଖିତ ବିଭାବ ଗୁଡ଼ିକୁ ଆହୁରି ସରଳ ଅବସ୍ଥାକୁ ବିଘଟିତ କରିବା ସଂଭବ ନୁହେଁ । ନର୍ତ୍ତକୀଙ୍କ ଶରୀରରୁ ପ୍ରତ୍ୟେକ ପୋଷାକକୁ ପୃଥକ କରିହେବ; ପକ୍ଷୀର ଗୁଞ୍ଜନ ଯେଉଁ ସ୍ୱରଗୁଡ଼ିକର ସମାହାରରେ ଗଠିତ ହୋଇଛି, ସେଗୁଡ଼ିକୁ ପରସ୍ପରଠାରୁ ପୃଥିକ କରିହେବ; କିମ୍ୱା ବସ୍ତୁର କୌଣସି ଏକ କ୍ୱାଣ୍ଟମ୍ ଅବସ୍ଥାକୁ ତାହାର ଆଣବିକ ଗଠନ ବା ଗତିଶୀଳତା ଦୃଷ୍ଟିରୁ ଆହୁରି ସରଳ କରାଯାଉପାରିବ । ମାତ୍ର ଏତଦ୍ଦ୍ୱାରା ସେଗୁଡ଼ିକର ଅସଲ ରୂପ ସଂପୂର୍ଣ୍ଣଭାବରେ ପ୍ରକଟିକ ହେବ କି-? ଆମେ ଜଙ୍ଗଲରେ ବିଚରଣ କରୁଥିବା ଗୋଟିଏ ଜନ୍ତୁକୁ ଦୂରରୁ ଲକ୍ଷ୍ୟକରି ତାହାର ରୂପ ଓ ବ୍ୟବହାର ସଂପର୍କରେ ଜ୍ଞାନ ଅର୍ଜନ କରିପାରିବା । ପୁଣି, ପରୀକ୍ଷାଗାରରେ ତାହାର ଅଙ୍ଗକୁ ବ୍ୟବଚ୍ଛେଦ କରି ସେହି ଜନ୍ତୁର ଅଙ୍ଗାବୟବ ସଂକର୍ପରେ ସବିଶେଷ ତଥ୍ୟ ସଂଗ୍ରହ କରିପାରିବା । ଏଭଳି ଦୁଇ ପ୍ରକାରେ ପ୍ରକୃତି ସଂପର୍କୀୟ ଅନୁସନ୍ଧାନ ଚଳାଇବାର ପଦ୍ଧତିକୁ ହଁ ପରସ୍ପରର ଅନୁପୂରକ କୁହାଯିବା ସମୀଚୀନ ବୋଧ ହେଉଛି । କାରଣ ପ୍ରତ୍ୟେକ ପଦ୍ଧତି ଅବଲମ୍ୱନରେ ଯେଉଁ ଜ୍ଞାନ ମିଳୁଛି, ତାହା ଭୁଲ ନୁହେଁ । ପୁଣି ଗୋଟିଏ ପଦ୍ଧତି ଅବଲମ୍ୱନରେ ଆମେ ଯେଉଁ ପ୍ରକାର ଜ୍ଞାନ ଅର୍ଜନ କରିପାରୁଛୁ, ଅନ୍ୟ ପଦ୍ଧତି ଅବଲମ୍ୱନରେ ସେହି ଜନ୍ତୁ ସମ୍ୱନ୍ଧରେ ତଦପେକ୍ଷା ଭିନ୍ନ ପ୍ରକାରର ଜ୍ଞାନ ଅର୍ଜନ କରିବା ସଂଭବ ହେଉଛି ।

 

‘‘It will evanesce and become an ordinary stem turn, just as the quantum state turns into classical motion when analysed by sharp observation.”

 

ନିକଟ ଅତୀତରେ ମାସୁଚ୍ୟୁସେଟସ ଇନ୍‍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିର କମ୍ପ୍ୟୁଟର-ବିଜ୍ଞାନ ବିଭାଗର ପ୍ରଫେସର ଜୋସେଫ୍ ଓ୍ୱିଜେନ୍‍ବାଉମ୍‍ କମ୍ପ୍ୟୁଟର ଉପରେ ମନୁଷ୍ୟ ଦିନକୁଦିନ ଅଧିକରୁ ଅଧିକ ନିର୍ଭରଶୀଳ ହେଉଥିବାର ଘଟଣାକୁ ଉପଲକ୍ଷ୍ୟ କରି ଏହାର ବିପଜ୍ଜନକ ପରିଣତି ସଂପର୍କରେ ସୂଚାଇଦେବା ଉଦ୍ଦେଶ୍ୟରେ ମତ ବ୍ୟକ୍ତ କରିଛନ୍ତି ଯେ, ‘‘ଅଣୁବୀକ୍ଷଣ ଯନ୍ତ୍ରର ଉପକାରିତା ସଂପର୍କରେ ବିଚାର କରାଯାଉ । କୌଣସି ଏକ କ୍ଷୁଦ୍ର ବସ୍ତୁର ପ୍ରତିବିମ୍ୱକୁ ଆମେ ଏତଦ୍ୱାରା ଯଥେଷ୍ଟ ଅଧିକ ଆବର୍ଦ୍ଧିତ ପରିମାଣରେ ପର୍ଯ୍ୟବେଷଣ କରିବାକୁ ସମର୍ଥ ହେଉଛୁ । ଆମେ ଉକ୍ତ କ୍ଷୁଦ୍ର ବସ୍ତୁ ବହିର୍ଭୂତ ଅବଶିଷ୍ଟ ଜଗତ ପ୍ରତି ଆଖି ବୁଜି ଦେଉଛୁ । କେତେକ କ୍ଷେତ୍ରରେ ଆମେ ସମକାଳୀନ ଭାବରେ ଦ୍ୱିବିଧ ଦୃଶ୍ୟ ଦେଖିବାକୁ ଅସମର୍ଥ ହେଉଛୁ, ଗୋଟିଏ କ୍ଷୁଦ୍ର ପ୍ରାଣୀର କୌଣସି ଅଙ୍ଗବିଶେଷକୁ ଆବର୍ଦ୍ଧିତ ଆକାରରେ ଦେଖିବା ବେଳେ ତାହାର ସଂପୂର୍ଣ୍ଣ ଅବୟବ ପ୍ରତି ଦୃଷ୍ଟିପାତ କରିବା ସଂଭବ ହେଉନାହିଁ । କୌଣସି ଅଙ୍ଗବିଶେଷକୁ ଆବର୍ଦ୍ଧିତ ଆକାରରେ ଦେଖିବାଦ୍ୱାରା ପ୍ରାଣୀର ସଂପୂର୍ଣ୍ଣ ଅବୟବ ପରିପ୍ରେକ୍ଷୀରେ ସେହି ଅଙ୍ଗବିଶେଷର ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ସମ୍ୱନ୍ଧରେ ଆମେ ଜ୍ଞାନାର୍ଜନ କରୁଛୁ ବୋଲି କହିବା ନିରର୍ଥକ ବୋଧ ହେଉଛୁ ।*

 

‘କମ୍ପ୍ୟୁଟର୍ ପାୱାର ଆଣ୍ଡ୍ ହ୍ୟୁମାନ୍ ରିଜନ୍’ ଶୀର୍ଷକ ଏକ ତଥ୍ୟଗର୍ଭକ ତଥା ଭାବୋଦ୍ଦୀପକ ପୁସ୍ତକରେ ଓ୍ୱିଜେନ୍‍ବାଉମ୍‍ ସ୍ପଷ୍ଟଭାବରେ ବୁଝାଇ ଦେଇଛନ୍ତି ଯେ, ଆଧୁନିକ ଯୁଗର ମନୁଷ୍ୟ କମ୍ପ୍ୟୁଟର ପ୍ରେମରେ ପଡ଼ିଛି । ଯୁଗ ଚଳଣିକୁ ଲକ୍ଷ୍ୟ କରିବା ଦ୍ୱାରା ଜଣାପଡ଼ୁଛି ଯେ, ବୈଜ୍ଞାନିକ ଚିନ୍ତନ ଦିନକୁଦିନ ସାର୍ବଭୌମ (imperialistic) ରୂପ ଧାରଣ କରୁଛି । ଓ୍ୱିଜେନ୍‍ବାଉମ୍‍ ଏପରି ସାଂସ୍କୃତିକ ବିବର୍ତନର ଧାରାକୁ ସତ୍‍ପଥଗାମୀ କରାଇବା ଉଦ୍ଦେଶ୍ୟରେ ଚେତାଇ ଦେଉଛନ୍ତି ଯେ, ବୈଜ୍ଞାନିକ ପଦ୍ଧତି ଅନୁଯାୟୀ ଚିନ୍ତା କରିବା ଅବଶ୍ୟ ଭଲ; ମାତ୍ର ଏତଦ୍ୱାରା ଅନ୍ୟ ପଦ୍ଧତିଗୁଡ଼ିକ ଅବଲମ୍ୱନରେ ଚିନ୍ତା କରିବାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଥିବାର ଘଟଣାହିଁ ଆଧୁନିକ ଯୁଗର ଏକ ବିଲକ୍ଷଣ । ବିଭିନ୍ନ ପ୍ରକାରେ ବିଭିନ୍ନ ଦୃଷ୍ଟିକୋଣରୁ ଚିନ୍ତା କରିବାଦ୍ୱାରା ହିଁ ମନୁଷ୍ୟ ଗୋଟିଏ ବିଷୟ ସଂପର୍କରେ ସମ୍ୟକ ଧାରଣା ପାଇପାରିବ ।

 

“Consider the utility of a microscope. It magnifies to a very large degree but eventually it also shuts out the rest of the world. Now there are times when you can’t see both : to see the detail, you have to sacrifice the view of the whole organism. But even then it would not make sense to say that what you are seeing in any way resembles the essence of the organism itself.”

 

ଏକ ଦିଗଦର୍ଶିତା ପରିବର୍ତ୍ତେ ବହୁଦିଗଦର୍ଶିତାକୁ କର୍ମାଭିମୁଖ୍ୟ ବା ଜୀବନାଦର୍ଶ ରୂପେ ଆଦରି ନେବାଦ୍ୱାରା ହିଁ ମନୁଷ୍ୟ ଯେ କୌଣସି ସମସ୍ୟାର ସମାଧାନ କରିବା ଦିଗରେ ବିହିତ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରି ପାରିବ । ଗୋଟିଏ ଚିତ୍ତାକର୍ଷକ ଉଦାହରଣ ଜରିଆରେ ଓ୍ୱିଜେନ୍‍ବାଉମ୍‍ ଉଲ୍ଲିଖିତ ମନ୍ତବ୍ୟର ଯଥାର୍ଥତା ପ୍ରତିପାଦନ କରିଛନ୍ତି । ଚଳିତ ଶତାବ୍ଦୀର ତୃତୀୟ ଦଶକରେ ପାଶ୍ଚାତ୍ୟ ଜଗତର ଅର୍ଥନୈତିକ କାରବାର ମାନ୍ଦା ହୋଇଥିଲା । ଏହି ଅର୍ଥନୈତିକ ଦୁର୍ଗତିର ମାତ୍ରା ଏତେ ବେଶି ହୋଇଥିଲା ଯେ, ଏହାକୁ ବର୍ତ୍ତମାନ ‘ଗ୍ରେଟ୍ ଡିପ୍ରେସନ୍’ କୁହାଯାଉଛି । ଓ୍ୱିଜେନ୍‍ବାଉମ୍‍ ବୁଝାଇ ଦେଇଛନ୍ତି ଯେ, କେବଳ ବୈଜ୍ଞାନିକ ଦୃଷ୍ଟିଭଂଗୀ ବିନିମୟରେ ଆମେ ଯଦି ତତ୍କାଳୀନ ଶ୍ରମ ବିଭାଗୀୟ ପରିସଂଖ୍ୟାନାଶ୍ରୟୀ ହିସାବଗୁଡ଼ିକ ପ୍ରତି ନଜର ପାତ କରିବା, ତାହାହେଲେ ଆମେ ‘ଗ୍ରେଟ୍ ଡିପ୍ରେସନ୍’ ସମ୍ୱନ୍ଧରେ ପୂର୍ଣ୍ଣାଙ୍ଗ ଧାରଣା ପାଇପାରିବା ନାହିଁ । ସେହି ସମୟର ଦୁଃଖଦ ଚିତ୍ର ବର୍ଣ୍ଣନା କରିଥିବା ଜନ ଦସ ପାସୋସ ପ୍ରମୁଖ ଉପନ୍ୟାସ ରଚୟିତାମାନଙ୍କ ଦ୍ୱାରା ରଚିତ ଉପନ୍ୟାସଗୁଡ଼ିକୁ ପାଠ କରିବାଦ୍ୱାରା ମଧ୍ୟ ଆମେ ତତ୍କାଳୀନ ଶୋଚନୀୟ ପରିସ୍ଥିତି ସଂପର୍କରେ ଭିନ୍ନ ଏକ ଦୃଷ୍ଟିକୋଣରୁ ଧାରଣା ପାଇପାରିବା । ଉପନ୍ୟାସ ବର୍ଣ୍ଣିତ କଥାବସ୍ତୁ ବିଜ୍ଞାନ ନୁହେଁ; ମାତ୍ର ଏହାକୁ ପାଠ କରିବା ଦ୍ୱାରା ଆମେ ତତ୍କାଳୀନ ପରିସ୍ଥିତି ସଂପର୍କରେ ଯେଉଁ ପ୍ରକାର ଧାରଣା ପାଇପାରିବା, ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ସେପରି ଧାରଣା ମିଳିବାର ଅବକାଶ ନାହିଁ । ଏଣୁ ଉଭୟବିଧ ପରିଚିତିର ଅନୁଗାମୀ ହେବାଦ୍ୱାରା ହିଁ ଆମେ ଏ ଦିଗରେ ବିଶେଷ ସଫଳତା ହାସଲ କରିପାରିବା ।

 

ମନୁଷ୍ୟର ଯେଉଁପ୍ରକାର ଏକ ଦିଗଦର୍ଶୀ କର୍ମପ୍ରବଣତା ଓ ତାହାର ଦୁଃଖଦ ପରିଣତି ସଂପ୍ରତି ୱିଜେନ୍‍ବାଉମଙ୍କ ମହାନୁଭବ ମାନସପଟରେ ଭାବାବେଗ ସୃଷ୍ଟି କରିଛି, ତାହାର ଅଭ୍ୟୁଦୟ ଘଟିଥିଲା କ୍ୱାଣ୍ଟମ୍ ଯାନ୍ତ୍ରିକୀର ଆଦ୍ୟ ବିକାଶ ପର୍ବରେ । ମ୍ୟାକ୍‍ସବର୍ନ ଓ ଆଇନଷ୍ଟାଇନଙ୍କ ଭଳି ଚଳିତ ଶତାବ୍ଦୀର ଦୁଇଜଣ ତୁଙ୍ଗ ଚିନ୍ତାନାୟକ ଓ ପଦାର୍ଥବିଜ୍ଞାନୀଙ୍କ ମଧ୍ୟରେ ଏ ଦୃଷ୍ଟିରୁ ଯେଉଁ ଭାବ ବିନିମୟ ଘଟିଥିଲା, ଜ୍ଞାନ ତତ୍ତ୍ୱ ଦୃଷ୍ଟିକୋଣରୁ ତଥା ବିଜ୍ଞାନର ଦର୍ଶନ ଦୃଷ୍ଟିରୁ ତାହାର ମହନୀୟତା ହୃଦୟଙ୍ଗମ କରିହେଉଛି । କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ଆଧୁନିକ ପଦାର୍ଥ ବିଜ୍ଞାନ ‘କାରଣ ଓ ପରିଣତି’ (cause and effect) ଭିତ୍ତିକ ବଳବତ୍ତର ଧାରଣାର ମୂଳୋତ୍ପାଟନ ଘଟାଇବାର ଆଶଙ୍କା ସମସାମୟିକ ବହୁ ପଦାର୍ଥ ବିଜ୍ଞାନୀଙ୍କ ମାନସପଟରେ ସଂଶୟ ସୃଷ୍ଟି କରିଥିଲା । ନିର୍ଣ୍ଣୟାତ୍ମକ ପଦ୍ଧତି ଅବଲମ୍ୱନରେ କାରଣ ଓ ପରିଣତି ଭିତ୍ତିକ ଅଧ୍ୟୟନ ଓ ଅନୁଶୀଳନ ପ୍ରାକୃତିକ କ୍ରିୟାଶୀଳତା ସମ୍ୱନ୍ଧରେ ଚରମ ସତ୍ୟର ସନ୍ଧାନ ଦେଇପାରିବ ବୋଲି ନିଉଟନଙ୍କ ଅମଳଠାରୁ ମନୁଷ୍ୟ ଯେଉଁ ଦାମ୍ଭିକ ମନୋଭାବ ପୋଷଣ କରିଥିଲା, କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ପଦାର୍ଥ ବିଜ୍ଞାନୀ ତାହାକୁ ଖଣ୍ଡନ କରୁଥିବାରୁ ଏ କ୍ଷେତ୍ରରେ ଏକ ବିଭ୍ରାନ୍ତକାରୀ ପରିସ୍ଥିତିର ସୂତ୍ରପାତ ଘଟିଲା । ଆଧୁନିକ ପଦାର୍ଥ ବିଜ୍ଞାନ ଜଣାଇଦେଲା ଯେ, ଆମେ କେବଳ ସମ୍ଭାବ୍ୟ ସତ୍ୟରେ (Probable truth) ଉପନୀତ ହୋଇ ପାରିବା; ନିର୍ଣ୍ଣୟାତ୍ମକ ପଦ୍ଧତିକୁ ଯେପରି ଭାବରେ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଭେଦପାଇଁ ପ୍ରୟୋଗ କରାଯାଉଛି, ପ୍ରକୃତି ସେପରି ଭାବରେ କ୍ରିୟାଶୀଳ ହେଉ ନଥିବା ସଂପର୍କୀୟ କ୍ୱାଣ୍ଟମ୍ ତାତ୍ତ୍ୱିକ ସ୍ପଷ୍ଟୀକରଣ ବହୁ ପଦାର୍ଥ ବିଜ୍ଞାନୀଙ୍କୁ ବିଚଳିତ କରି ପକାଇଲା । ଆଧୁନିକ ପଦାର୍ଥ ବିଜ୍ଞାନର ବିଭ୍ରାନ୍ତକାରୀ ନିହିତାର୍ଥ ବା ଫଳିତାର୍ଥ ଆଇନ୍‍ଷ୍ଟାଇନ୍‍ଙ୍କୁ ବିଶେଷ ଭାବରେ ବିଚଳିତ କଲା-। କ୍ୱାଣ୍ଟମ୍ ଯାନ୍ତ୍ରିକୀର ଭିତ୍ତି ପ୍ରସ୍ତରକୁ ସୁଦୃଢ଼ କରାଇବା ବ୍ୟାପାରରେ ସେ ଅନ୍ୟତମ ଅଗ୍ରଣୀର ଭୂମିକା ଗ୍ରହଣ କରି ନୋବେଲ୍ ପୁରସ୍କାର ବିଜେତାର ଗୌରବ ଅର୍ଜନ କରିଥିଲେ ମଧ୍ୟ ପ୍ରାକୃତିକ କ୍ରିୟାଶୀଳତା ‘ଚାନ୍ସ’ ନିର୍ଭରଶୀଳ ହୋଇଥିବାର କିମ୍ୱା ଏହାର ରହସ୍ୟ ଭେଦ ‘ସଂଭାବ୍ୟତାସିଦ୍ଧାନ୍ତ’ ଅବଲମ୍ୱନରେ ସଂଭବ ହୋଇପାରିବାର ବିଚାରଧାରା ତାଙ୍କ ଗ୍ରହଣଯୋଗ୍ୟ ହେଲା ନାହିଁ । ଏଣୁ ସ୍କ୍ରୋଡ଼ିଞ୍ଜର୍‍ଙ୍କ ବ୍ୟତୀତ ଆଉ ସବୁ ଯଶସ୍ୱୀ ପଦାର୍ଥ ବିଜ୍ଞାନୀମାନେ ତାଙ୍କୁ କଠୋର ସମାଲୋଚନା କଲେ । ବୋହରଙ୍କ ଅଧ୍ୟକ୍ଷତାରେ ଏ ସମାଲୋଚନା ତୀବ୍ର ରୂପ ଧାରଣ କରିଥିବା ବେଳେ ଆଇନ୍‍ଷ୍ଟାଇନ୍‍ ମତ ବ୍ୟକ୍ତ କରିଥିଲେ ଯେ, ଈଶ୍ୱର ନିଜ ଅନବଦ୍ୟ ସୃଷ୍ଟି ସହିତ ପଶା ଖେଳରେ ମତ୍ତ ହେବାଭଳି ବିଚାରଧାରାକୁ ମୁଁ କେବେହେଲେ ସମର୍ଥନ କରିବି ନାହିଁ; ସମ୍ଭବତଃ ଆହୁରି ପ୍ରଚ୍ଛନ୍ନ ଭାବରେ ରହିଥିବା ସତ୍ୟର ଉଦ୍ଘାଟନ ପାଇଁ ଆମ୍ଭମାନଙ୍କୁ ନୂଆ ପ୍ରକାର ଚିନ୍ତା କରିବାକୁ ହେବ । ଏପରି ଏକ କ୍ରାନ୍ତିକାରୀ ପରିସ୍ଥିତିରେ ମାକସ୍ ବର୍ନ ଆଇନ୍‍ଷ୍ଟାଇନ୍‍ ହୃଦ୍‍ବୋଧ କରାଇବା ଉଦ୍ଦେଶ୍ୟରେ କହିଥିଲେ ଯେ, ନିଷ୍ପତ୍ତିମୂଳକ ଓ ଚୂଡ଼ାନ୍ତ ସତ୍ୟରେ ଉପନୀତ ହେବାପାଇଁ ପ୍ରାୟ ଦୁଇ ଶତ ବର୍ଷରୁ ଉର୍ଦ୍ଧ୍ୱ କାଳ ବ୍ୟାପୀ ଦେକାର୍ତୀୟ ଦର୍ଶନ ମନୁଷ୍ୟକୁ ଯେଉଁ ଉଦ୍ଦୀପନା ଯୋଗାଇଛି ଏବଂ ଯେଉଁ ଉଦ୍ଦୀପନା ବଳରେ ନିଉଟନଙ୍କ ଅମଳଠାରୁ ନିର୍ଣ୍ଣୟାତ୍ମକ ପଦ୍ଧତିର ଅନୁଗାମୀ ହେବାପାଇଁ ପୁରୁଷାନୁକ୍ରମେ ବିଜ୍ଞାନର ସମୃଦ୍ଧି ସାଧନ ଉଦ୍ଦେଶ୍ୟରେ କର୍ମତତ୍ପର କରାଇଛି, ସେଥିପ୍ରତି ମୋହାବିଷ୍ଟ ହୋଇଥିବା ଯୋଗୁଁ ହିଁ ଆଇନ୍‍ଷ୍ଟାଇନ୍‍ ଆଧୁନିକ କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ପଦାର୍ଥ ବିଜ୍ଞାନକୁ ସ୍ୱୀକୃତି ପ୍ରଦାନ କରିବାକୁ କୁଣ୍ଠାବୋଧ କରୁଛନ୍ତି । ସେ ପ୍ରସଙ୍ଗକ୍ରମେ ଆଇନ୍‍ଷ୍ଟାଇନ୍‍ଙ୍କୁ ନିକଟକୁ ଲେଖିଥିଲେ ଯେ, ଦାର୍ଶନିକ ଦୃଷ୍ଟିରୁ କ୍ୱାଣ୍ଟମ୍ ତତ୍ତ୍ୱର ଯଦି କୌଣସି ଗୁରୁତ୍ୱ ଥାଏ, ତାହା ହେଉଛି ଦ୍ୱୈତ ବିଭାବ (dual aspects) ତଥା ଅନୁପୂରକ ବିଚାରଧାରାର ଅପରିହାର୍ଯ୍ୟତା ସମ୍ୱନ୍ଧରେ ଆମ୍ଭମାନଙ୍କୁ ନିର୍ଭରଯୋଗ୍ୟ ସ୍ପଷ୍ଟୀକରଣ ଯୋଗାଇଦେବା—ଏପରି ଦୃଷ୍ଟିକୋଣରୁ ଆଧୁନିକ ପଦାର୍ଥ ବିଜ୍ଞାନ ପ୍ରତି ନଜରପାତ କରିବାଦ୍ୱାରା ଅର୍ଥହୀନ ମତାନ୍ତରକୁ ଏଡ଼ିଦେବା ସଂଭବ ହେବ ।

 

ବହୁ ଶତାବ୍ଦୀ ବ୍ୟାପୀ ପଣ୍ଡିତମାନେ ଆଲୋକର ପ୍ରକୃତି ସଂପର୍କରେ ଅବଧାରିତ ହେବାପାଇଁ ମସ୍ତିଷ୍କ ଚାଳନା କରିଛନ୍ତି । ଏହା ଏକ କଣିକା ନା ଏକ ତରଙ୍ଗ ? —ଏପରି ପ୍ରଶ୍ନର ସମାଧାନ ପାଇଁ ବୈଜ୍ଞାନିକମାନଙ୍କ କୃଚ୍ଛ୍ର ସାଧନା ଅବ୍ୟାହତ ରହିଥିଲା । ମାତ୍ର ବର୍ତ୍ତମାନ ଏପରି ପ୍ରଶ୍ନ ପଚାରିବା ଅବାନ୍ତର ବୋଧ ହେଉଛି । କେହି ପଚାରୁନାହିଁ: ଆକାଶ ନେଳିଆ କି ଏହା ଗାଣିତିକ ପ୍ରକୃତିସଂପନ୍ନ ଗୁଣଗୁଡ଼ିକର ଅଧିକାରୀ ହୋଇଛି ? ପ୍ରସଙ୍ଗ ପରିପ୍ରେକ୍ଷୀରେ ପ୍ରତ୍ୟେକ ଉତ୍ତର ଯୁକ୍ତିଯୁକ୍ତ ବୋଧ ହେଉଛି । ଅର୍ଥାତ୍, ଆଲୋକକୁ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ପରିପ୍ରେକ୍ଷୀରେ ତରଙ୍ଗ ଭାବରେ ବିଚାର କରିବା ଯେମିତି ଠିକ୍, ପ୍ରଯୁଜ୍ୟତା ଦୃଷ୍ଟିରୁ ଅନ୍ୟ ଏକ ପ୍ରସଙ୍ଗ ପରିପ୍ରେକ୍ଷୀରେ ତାହାକୁ କଣିକା ଭାବରେ ବିଚାର କରିବା ମଧ୍ୟ ଠିକ୍ ସେହିଭଳି ଠିକ୍ । ଏପରି ମନ୍ତବ୍ୟ ପାଠ କରି କେହି ଭୁଲ ବୁଝିବା ଉଚିତ୍ ନୁହେଁ ଯେ, ସଂପୂର୍ଣ୍ଣ ସତ୍ୟଟି (“whole truth”) ଏହି ଦ୍ୱିବିଧ ସତ୍ୟର ମଧ୍ୟବର୍ତ୍ତୀ କୌଣସି ସ୍ଥାନରେ ବିଦ୍ୟମାନ ହୋଇଛି । ଅନୁପୂରକତା (complimentarity)କୁ ସାଲିଶ ବା ଆପୋଷ ନିଷ୍ପତ୍ତି (compromise) ଭାବରେ ବିଚାର କରିବାର ଅବକାଶ ନାହିଁ । ଏହା ଗୋଟିଏ ବାକ୍ସର ବିଭିନ୍ନ ପାର୍ଶ୍ୱଦେଶ ସଦୃଶ; କିମ୍ୱା ଏହା ଗୋଟିଏ ସମସ୍ୟାର ବିଭିନ୍ନ ଦିଗ । ବାକ୍ସର କେଉଁ ପାର୍ଶ୍ୱ ଆଡ଼କୁ ଜଣେ ଦୃଷ୍ଟିପାତ କରନ୍ତି କିମ୍ୱା ଗୋଟିଏ ସମସ୍ୟାର କେଉଁ ଦିଗ ପ୍ରତି ଆମେ ପ୍ରାଧାନ୍ୟ ଆରୋପ କରୁଛୁ, ତାହା ହିଁ ଉଭୟର ଗୁଣାତ୍ମକ ରୂପ ବର୍ଣ୍ଣନା କରୁଛି । ଏଣୁ ଇଲେକ୍‍ଟ୍ରନ ଭଳି ବସ୍ତୁକଣିକା ପ୍ରସଙ୍ଗ ପରିପ୍ରେକ୍ଷୀରେ ତରଙ୍ଗ ବା କଣିକା ପ୍ରକୃତି ପ୍ରଦର୍ଶନ କରୁଛି ଏବଂ ଆଲୋକ ପ୍ରସଙ୍ଗ ପରିପ୍ରେକ୍ଷୀରେ ତରଙ୍ଗ ବା କଣିକା ପ୍ରକୃତି ଦର୍ଶାଉଛି ।

 

ଅନୁପୂରକତା ସିଦ୍ଧାନ୍ତର ଯଥାର୍ଥତାକୁ ସ୍ୱୀକାର କରିବାଦ୍ୱାରା ଆମେ ବିଚାର କରୁ ଯେ, ସତ୍ୟର ଅନ୍ୟ ଦିଗଟିକୁ ଗ୍ରହଣ କରିନେବା ମୁର୍ଖତାର ପରିଚାୟକ ନୁହେଁ; ବରଂ ଏହା ବିଜ୍ଞତାର ପରିଚାୟକ । କ୍ୱାଣ୍ଟମ୍ ତତ୍ତ୍ୱ ପ୍ରକୃତିକୁ ଚାନ୍ସ ବା ସଂଭାବ୍ୟତାର ଅନୁବର୍ତ୍ତୀ କରାଉଥିବାର ଯେଉଁ ଅଭିଯୋଗ ଆଇନ୍‍ଷ୍ଟାଇନ୍‍ଙ୍କୁ ଦ୍ୱାରା ଉତ୍ଥାପିତ ହୋଇଥିଲା ‘ତାହାର ପ୍ରତ୍ୟୁତ୍ତରରେ ମ୍ୟାକ୍ମ ବର୍ନ ସୂଚାଇଛନ୍ତି ଯେ, କ୍ୱାଣ୍ଟାମ୍ ତତ୍ତ୍ୱ ପ୍ରାକୃତିକ କ୍ରିୟାଶୀଳତା ସଂପର୍କୀୟ ପୂର୍ଣ୍ଣାଙ୍ଗ ପ୍ରାକ୍‍ସୂଚନା ଯୋଗାଇ ଦେବାର ଅସାମର୍ଥ୍ୟଯୋଗୁଁ ପ୍ରାକୃତିକ କ୍ରିୟାଶୀଳତାର ଢାଞ୍ଚା ବିଶୃଙ୍ଖଳ ହୋଇଛି ବୋଲି ବିଚାରିବାର କୌଣସି ଯଥାର୍ଥତା ନାହିଁ; ବରଂ ଏହି ତତ୍ତ୍ୱାଶ୍ରୟୀ ବିଚାର ବଳରେ ଆମେ ଜାଣିପାରୁଛୁ ଯେ, ଚାନ୍ସ ଆଧାରିତ ନିୟମଗୁଡ଼ିକ ହିଁ ପ୍ରକୃତିର ନିୟମାନୁବର୍ତ୍ତିତାର ପରିମାପକ (The laws of chance are the laws of nature too.)

 

ଅତୀତରେ ମନୁଷ୍ୟ ଧର୍ମାନ୍ଧତାର ତାଡ଼ନାରେ ପୃଥିବୀକୁ ସୌର ପରିବାରର କେନ୍ଦ୍ର ଭାବରେ ବିଚାର କରୁଥିଲା । ସୌରକେନ୍ଦ୍ରିକ ମତବାଦକୁ ସମର୍ଥନ କରୁଥିବା ବୈଜ୍ଞାନିକମାନଙ୍କ ପ୍ରତି ଧର୍ମାଧୀଶମାନେ ନିର୍ମମ ଦଣ୍ଡ ବିଧାନ କରିବାକୁ କୁଣ୍ଠାବୋଧ କରି ନ ଥିଲେ । ମନୁଷ୍ୟର ଇତିହାସର ଏହି କଳଙ୍କମୟ ଅଧ୍ୟାୟକୁ ମନେପକାଇ ଓ୍ୱିଜେନ୍‍ବାଉମ୍‍ଙ୍କ ଭଳି ପ୍ରବୀଣ ବୈଜ୍ଞାନିକମାନେ ସଂପ୍ରତି ମନୁଷ୍ୟର ଏକଦିଗଦର୍ଶି କର୍ମପ୍ରବଣତା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ସେମାନେ ସୂଚାଇ ଦେଉଛନ୍ତି ଯେ, ବୈଜ୍ଞାନିକ ପଦ୍ଧତିକୁ ସବୁ କ୍ଷେତ୍ରରେ ତଥା ସର୍ବବିଧ ସମସ୍ୟାର ସମାଧାନ ବ୍ୟାପାରରେ ପ୍ରୟୋଗ କରିବାଦ୍ୱାରା ମନୁଷ୍ୟ ବିଜ୍ଞାନକୁ ଯେଉଁ ସାର୍ବଭୌମ ରୂପ ପ୍ରଦାନ କରିଛି, ତାହା ହିଁ ତା’ର ଦୁର୍ଗତିର କାରଣ ହୋଇଛି । ସେ ବିଶ୍ଳେଷଣାତ୍ମକ ବିଚାର ବଳରେ ମହାକାଶର ଗାଣିତିକ ରୂପ ସଂପର୍କରେ ଅବଧାରିତ ହେବାକୁ ପ୍ରଯତ୍ନ ଚଳାଉଥିବା ବେଳେ ଆକାଶର ନେଳିଆ ବର୍ଣ୍ଣକୁ ଭୁଲି ଯାଉଛି । ଅନନ୍ତ ଆକାଶର ନୀଳିମା ବା ଶୋଭା ସଂଭାର ତା’ ମାନସପଟକୁ ପ୍ରଭାବିତ କରିବା ଭଳି ତଥା ତା’ ମନରେ ସୌନ୍ଦର୍ଯ୍ୟାନୁରାଗର ସର୍ଜନା ଘଟାଇବା ଭଳି ପରିବେଶର ଅଭାବ ଘଟୁଛି । ମନୁଷ୍ୟର ବ୍ୟକ୍ତିତ୍ୱର ପୂର୍ଣ୍ଣାଙ୍ଗ ପ୍ରାପ୍ତି ପାଇଁ ଆବଶ୍ୟକ ହେଉଥିବା ନୈତିକ ତଥା ଭାବାବେଗାତ୍ମକ ବିଭାବଗୁଡ଼ିକୁ ସେ ଅର୍ଥହୀନ ମଣୁଛି । ବୈଜ୍ଞାନିକ ପଦ୍ଧତି ଭିନ୍ନ ଅନ୍ୟ କୌଣସି ପଦ୍ଧତି ଅବଲମ୍ୱନରେ ସେ ନିଜର, ନିଜ ପରିବାରର ବା ନିଜ ରାଷ୍ଟ୍ରର ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ସ୍ପୃହଣୀୟ ମଣୁନାହିଁ । ବୈଜ୍ଞାନିକ ବା କାର୍ଯ୍ୟକରଣ-ସଂଗତ ପଦ୍ଧତିକୁ ହିଁ ଯୁଗ ରୁଚିର ପରିଚାୟକ ରୂପେ ବିଚାର କରିବା ସଂଗେ ସଂଗେ ସେ ଏତଦ୍ୱାରା ନିଜ ଭବିଷ୍ୟତକୁ ଉଜ୍ୱଳମୟ କରିବାର ଉଚ୍ଚ ଆଶା ପୋଷଣ କରିଛି ।

 

ବିଜ୍ଞାନର ଚରମ ବିକାଶ ଦିଗରେ ଗୁରୁତ୍ୱ ଆରୋପ କରିଥିବା ମନୁଷ୍ୟ ସାଂସ୍କୃତିକ ବିବର୍ତନର ଧାରାକୁ ନିଜ ଅପରିଣାମଦର୍ଶିତା ଯୋଗୁଁ ବିକୃତ କରିଦେଇଛି । ଏଥିପାଇଁ ବର୍ତ୍ତମାନ ସମ୍ୱେଦନଶୀଳତାର ଉତ୍କଟ ଅଭାବ ଧରା ପୃଷ୍ଠରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି କରିଛି । ଏକଦିଶୀ କର୍ମତତ୍ପରତା ହିଁ ବସୁମାତା ଧରିତ୍ରୀର ପରିବେଶ ଓ ପରିସଂସ୍ଥାକୁ ଦୂଷିତ କରୁଛି । ମନୁଷ୍ୟ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ସାମରିକ ଶକ୍ତିର ପରାକାଷ୍ଠା ପ୍ରଦର୍ଶନ ଦିଗରେ ଅଗ୍ରାଧିକାର ଆରୋପ କରିବାର ଫଳ ସ୍ୱରୂପ ନିଉକ୍ଳିଆର୍ ଶକ୍ତିସଂପନ୍ନ ମରଣାସ୍ତ୍ରଗୁଡ଼ିକର ସଂଭାବ୍ୟ ବିଭୀଷିକା, ତାକୁ ସୁଖ ନିଦ୍ରାରୁ ବଂଚିତ କରିଛି । ଅଥଚ, ଆଧୁନିକ ଯୁଗର ପଦାର୍ଥ ବିଜ୍ଞାନ ତାକୁ ଚେତାଇ ଦେଉଛି ଯେ, ବହୁଦିଗଦର୍ଶୀ ଚିନ୍ତନ ଦ୍ୱାରା ହିଁ ସେ ଗୋଟିଏ ସମସ୍ୟାକୁ ଠିକ୍ ଭାବରେ ବୁଝିପାରିବ । ବିଭିନ୍ନ ଦିଗରୁ ଚିନ୍ତା କରିବା ପରେ ସେ ନିଜର ତଥା ନିଜ ସମାଜର ଏବଂ ପରିବେଶ ଓ ପରିସଂସ୍ଥାର ହିତ ସାଧିତ ହେବା ଭଳି କର୍ମପନ୍ଥାର ଅନୁଗାମୀ ହୋଇପାରିବ । ଆଧୁନିକ ପଦାର୍ଥ ବିଜ୍ଞାନ ମନୁଷ୍ୟକୁ ବହୁଦିଗଦର୍ଶୀ ବିଚାରର ଅନୁବର୍ତ୍ତୀ ହେବାପାଇଁ ଇଂଗିତ ପ୍ରଦାନ କରିଥିଲେ ହେଁ ଅହଂକାରୀ ମନୁଷ୍ୟ ବିଚାରୁଛି ଯେ, ସେ ଗୋଟିଏ ସତ୍ୟର ସନ୍ଧାନ ପାଇପାରିଛି ଏବଂ ଏହି ସତ୍ୟକୁ ଜୀବନାଦର୍ଶ ବା ଚରମ ସତ୍ୟ ରୂପେ ଗ୍ରହଣ କରି ସେ ଦାମ୍ଭିକଭାବରେ ନିଜ କର୍ମମୟ ଜୀବନରେ ଅଗ୍ରସର ହେଉଥିବା ଯୋଗୁଁ ହିଁ ଆଜି ସଂକଟାପନ୍ନ ପରିସ୍ଥିତିଗୁଡ଼ିକୁ ସୃଷ୍ଟି କରୁଛି । ଆଧୁନିକ ପଦାର୍ଥ ବିଜ୍ଞାନର ଆଶୀର୍ବାଦକୁ ଗ୍ରହଣ କରିବା ପରିବର୍ତ୍ତେ ସେ ଏହାକୁ ଅଦ୍ୟାବଧି ଯେପରି ପ୍ରତ୍ୟାଖ୍ୟାନ କରୁଛି ଏବଂ ନିଜ ଆତ୍ମଘାତୀ ଏକଦିଗଦର୍ଶୀ କ୍ରିୟାଶୀଳତା ଯୋଗୁଁ ସେ ପୃଥିବୀ ବକ୍ଷରେ ଯେପରି ଅବାଞ୍ଛିତ ପରିସ୍ଥିତି ସୃଷ୍ଟି କରିଛି, ତାହାକୁ ଉପଲକ୍ଷ୍ୟ କରି ମ୍ୟାକ୍ସ ବର୍ନ ଲେଖିଛନ୍ତି, “This loosening of the rules of thinking seems to me the greatest blessing which modern science has given us : The belief that there is only one truth and that oneself is in possession of it seems to me the deepest roots of all evil that is in the world.”

 

ଆଧୁନିକ ପଦାର୍ଥବିଜ୍ଞାନର ଏରୂପ ତାତ୍ପର୍ଯ୍ୟ ଅଦ୍ୟାବଧି ଜନମାନସକୁ ସ୍ପର୍ଶ କରିନାହିଁ । ଜନସାଧାରଣଙ୍କ ଜୀବନାଦର୍ଶକୁ ଅନୁପୂରକତା ରୂପୀ ମହାମନ୍ତ୍ର ଦ୍ୱାରା ଦୀକ୍ଷିତ କରାଇବା ଭଳି ବୌଦ୍ଧିକ ପରିବେଶର ସର୍ଜନା ଅଦ୍ୟାବଧି ସଂଭବ ହୋଇନାହିଁ । କେବଳ ପଦାର୍ଥ ବିଜ୍ଞାନୀମାନଙ୍କ ପଥ ପ୍ରଦର୍ଶନକାରୀ ଚେତନାର ଉପାଦେୟତାକୁ ହୃଦୟଙ୍ଗମ କରି ବହୁ ମହାନୁଭବୀ ମେଧାବୀ ଚିନ୍ତାନାୟକ ପ୍ରାଣୀ ବିଜ୍ଞାନ, ସମାଜ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ପ୍ରଗତିର ଧାରାକୁ ବଦଳାଇ ଦେବାପାଇଁ ପ୍ରାରମ୍ଭିକ ଉଦ୍ୟମ ଚଳାଇଛନ୍ତି ଏବଂ ଏହାର ତାତ୍ପର୍ଯ୍ୟ ସଂପର୍କରେ ବୋଧଗମ୍ୟ ସ୍ପଷ୍ଟୀକରଣ ପ୍ରଦାନ କରୁଛନ୍ତି । ଆଧୁନିକ ଯୁଗର ବୁଦ୍ଧିଜୀବୀମାନେ ନିଷ୍ଠାପର ଉଦ୍ୟମ ଚଳାଇ ଆଧୁନିକ ପଦାର୍ଥ ବିଜ୍ଞାନର ମହନୀୟ ଅବଦାନକୁ ଯୁଗ-ଚଳଣିରେ ପରିଣତ କରିପାରିଲେ, ଧରା ବକ୍ଷରେ ଏକ ନୂତନ ଯୁଗର (Paradigm) ସର୍ଜନା ସମ୍ଭବ ହେବ । ନିର୍ଣ୍ଣୟାତ୍ମକ ଦିର୍ଶନଭିତ୍ତିକ ଯୁଗର ଯବନିକା ପାତ ହୋଇ ନୂତନ ଯୁଗର ସ୍ଥାୟିତ୍ୱ ବଳବତ୍ତର ହୋଇପାରିଲେ, ମନୁଷ୍ୟ ବହୁଦିଗଦର୍ଶୀ ତଥା ବହୁଶାସ୍ତ୍ରାଶ୍ରୟୀ କର୍ମପ୍ରବଣତା ବଳରେ ତଥା ବିଶ୍ୱଭ୍ରାତୃତ୍ୱ ବିନିମୟରେ ଧରା ପୃଷ୍ଠରେ ଜୀବ ଜଗତର ଭବିଷ୍ୟତକୁ ଉଜ୍ୱଳମୟ କରିପାରିବ ।

Image

 

ସୌନ୍ଦର୍ଯ୍ୟବୋଧ ଓ ବିଜ୍ଞାନ

 

ବୈଜ୍ଞାନିକ କ୍ରିୟାଶୀଳତା ସୌନ୍ଦର୍ଯ୍ୟବୋଧ ନିର୍ଭରଶୀଳ ହୋଇ ନ ଥିବା ସଂପର୍କରେ କବିମାନେ ଦୋଷାରୋପ କରନ୍ତି । ନିର୍ମଳ ଆକାଶର ଶୋଭା ବର୍ଦ୍ଧନ କରୁଥିବା କୌଣସି ନକ୍ଷତ୍ରକୁ ଅବଲୋକନ କରିବା ବେଳେ ସେମାନେ ତାହାର ରୂପ ଲାବଣ୍ୟକୁ ଉପଭୋଗ କରିବା ପରିବର୍ତ୍ତେ ତାହାକୁ ଗଠନ କରିଥିବା ଗ୍ୟାସ୍ ପରମାଣୁଗୁଡ଼ିକ ସମ୍ୱନ୍ଧରେ ଚିନ୍ତା କରନ୍ତି । ନକ୍ଷତ୍ରମାଳାର ସୌନ୍ଦର୍ଯ୍ୟରୁ ବିଜ୍ଞାନ ‘କେବଳ’ ଗ୍ୟାସୀୟ ପରମାଣୁଗୁଡ଼ିକର ସମାହାରରେ ଗଠିତ ବସ୍ତୁପିଣ୍ଡଗୁଡ଼ିକୁ ପୃଥକ କରିଦିଏ । ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ତଥା ସ୍ୱନାମଧନ୍ୟ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ରିଚାର୍ଡ଼୍ ଫାଇନ୍‍ମାନ୍‍ କବିମାନଙ୍କର ଏରୂପ ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରନ୍ତି । ତାଙ୍କ ମତାନୁଯାୟୀ ଉଲ୍ଲିଖିତ ପ୍ରକାରେ କବିମାନେ ଯେପରିଭାବରେ ‘କେବଳ’ ଶବ୍ଦଟିକୁ ବ୍ୟବହାର କରନ୍ତି, ତାହା ନିରର୍ଥକ । ସେ ଜଣେ ବୈଜ୍ଞାନିକ ହୋଇଥିଲେ ମଧ୍ୟ ରାତ୍ରିର ନିର୍ମଳ ଆକାଶରେ ସୁଶୋଭିତ ନକ୍ଷତ୍ରମାଳାର ଶୋଭାକୁ ଉପଭୋଗ କରନ୍ତି । ପ୍ରକୃତିପ୍ରେମୀ କବିମାନଙ୍କ ଭଳି ଏହା ମଧ୍ୟ ତାଙ୍କ ମନରେ ପ୍ରଶାନ୍ତି ଭରିଦିଏ । ମାତ୍ର ସେ କବିମାନଙ୍କ ତୁଳନାରେ ବେଶି ଦେଖୁଛନ୍ତି କି କମ୍ ଦେଖୁଛନ୍ତି, ତାହାର ଗୁଣାତ୍ମକ ମାନ କ’ଣ ନିର୍ଣ୍ଣୟ କରିହେବ ? ବିଜ୍ଞାନର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଦି ଫାଇନ୍‍ମାନ୍‍ ଲେକ୍ଚରସ ଅନ୍ ଫିଜିକ୍ସ’ ଶୀର୍ଷକ ପାଠ୍ୟ ପୁସ୍ତକର ପାଦଟୀକାରେ ସେ ଲେଖିଛନ୍ତି ଯେ,* ମହାକାଶର ବ୍ୟାପ୍ତି ତାଙ୍କ କଳ୍ପନା-ଶକ୍ତିକୁ ବିସ୍ତୃତ କରେ । ଏକ ନିୟୁତ ବର୍ଷ ପୂର୍ବରୁ ନକ୍ଷତ୍ରାଗତ ଆଲୋକ ରଶ୍ମିକୁ ସେ ସ୍ୱଚକ୍ଷୁରେ ଦେଖିପାରୁଛନ୍ତି । କୌଣସି କଳାପ୍ରେମୀ ପର୍ଯ୍ୟବେକ୍ଷକ ଅତୀତରେ କ’ଣ ନିଜ କଳ୍ପନାପ୍ରବଣତା ବିନିମୟରେ ଏପରି ସତ୍ୟର ସନ୍ଧାନ ଦେଇ ପାରିଛନ୍ତି ! ଆଧୁନିକ ଯୁଗର କବିମାନନେ ଏପରି ଘଟଣା ଉଲ୍ଲେଖ କରୁନାହାନ୍ତି କାହିଁକି ?

 

“Poets say science takes away from the beauty of the star mere globs of gas atoms. Nothing is ‘mere’. I too can see the stars on a desert night, and feel them. But do I see less or more ? The vastness of the heavens stretches my imagination–stuck on this carrousel, my little eye can catch one-million-year old light..... For far more marvellous is the truth than any artists of the past have imagined ! Why do the poets of the present not speak of it !”

 

ବିଜ୍ଞାନ ଜଗତରେ ଯୁଗାନ୍ତକାରୀ ତତ୍ତ୍ୱଗୁଡ଼ିକୁ ପ୍ରତିଷ୍ଠା କରି ମନୁଷ୍ୟର ଚେତନାରେ କ୍ରାନ୍ତିକାରୀ ଉତ୍ତରଣ ଘଟାଇଥିବା ବହୁମହାମତି ବୈଜ୍ଞାନିକ ଫାଇନ୍‍ମାନ୍‍ଙ୍କ ଭଳି ସୂଚାଇଛନ୍ତି ଯେ, ବିଜ୍ଞାନ କେବେ ହେଲେ ପ୍ରକୃତିକୁ ତାହାର ଅପରୂପ ସୌନ୍ଦର୍ଯ୍ୟଠାରୁ ପୃଥକ କରେ ନାହିଁ । ବୈଜ୍ଞାନିକମାନେ ପ୍ରକୃତିର ଶୋଭାସଂଭାରକୁ ବିଚାରକୁ ନେବା ପରିବର୍ତ୍ତେ କେବଳ କେତେକ ନୀରସ ଗାଣିତିକ ସମୀକରଣ ଜରିଆରେ ତାହାକୁ ଚିତ୍ରଣ କରିବାକୁ ପ୍ରୟାସୀ ହୁଅନ୍ତି ନାହିଁ । ବିଚିତ୍ରବର୍ଣ୍ଣା ପ୍ରକୃତିର ବୈଚିତ୍ର୍ୟ, ଛନ୍ଦମୟତା, ନିୟମାନୁବର୍ତ୍ତିତା ଅନ୍ୟମାନଙ୍କ ଭଳି ବୈଜ୍ଞାନିକମାନଙ୍କ ମାନସପଟରେ ରୋମାଞ୍ଚ ଓ ଭାବାବେଗ ସୃଷ୍ଟି କରେ । ‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’—ଏପରି ଭାବାବେଗହିଁ ବୈଜ୍ଞାନିକମାନଙ୍କୁ ଗବେଷଣା ଚଳାଇବାର ଉନ୍ମାଦନା ଯୋଗାଇ ଦିଏ । ଫାଇନ୍‍ମାନ୍‍ଙ୍କ ମତାନୁଯାୟୀ ଏକ ପ୍ରାକୃତିକ ଦୃଶ୍ୟର ଅନିର୍ବଚନୀୟ ସୁଷମା କବି ପ୍ରାଣକୁ ବା ବୈଜ୍ଞାନିକ ପ୍ରାଣକୁ ବିଚଳିତ କରିଥିବା ଅବସ୍ଥାରେ ହାତ ପାହାନ୍ତାରେ ଗୋଟିଏ ଅଲେଖା କାଗଜ ଫର୍ଦ୍ଦ ପାଇଯିବାକ୍ଷଣି ଉଭୟେ ତାହାର ସତ୍‍ବ୍ୟବହାର କରନ୍ତି । ସଂପୃକ୍ତ ଦୃଶ୍ୟଟି କବିଙ୍କ ଭାବରାଜ୍ୟରେ ଯେଉଁ ପ୍ରକାର ଭାବନାର ସୂତ୍ରପାତ ଘଟାଏ, ତାହାକୁ ସେ ନିଜସ୍ୱ ଶେଳିରେ କବିତା ଆକାରରେ ଅଭିବ୍ୟକ୍ତ କରନ୍ତି ଏବଂ ସେହି ଦୃଶ୍ୟଟି ବୈଜ୍ଞାନିକଙ୍କ ମାନସପଟରେ ତାହାର କ୍ରିୟାଶୀଳତାର ରହସ୍ୟ ଭେଦ କରିବାପାଇଁ ଯେଉଁ ପ୍ରକାର କୌତୂହଳ ମିଶ୍ରିତ ଚିନ୍ତନର ଜାଗରଣ ଘଟାଏ, ତାହାକୁ ସେ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନର ଭାଷାରେ ପ୍ରକାଶ କରନ୍ତି ।

 

ଭାବାଭିବ୍ୟକ୍ତିର ଭଙ୍ଗୀ ଓ ବୌଦ୍ଧିକ ଅବଦାନର ଗୁଣାତ୍ମକ ରୂପ ଦୃଷ୍ଟିରୁ କଳା ଓ ବିଜ୍ଞାନ ପରସ୍ପରଠାରୁ ପୃଥକ ଜଣାପଡ଼ୁଥିଲେ ମଧ୍ୟ ଉଭୟବିଧ ସୃଷ୍ଟିଶୀଳ ପ୍ରକ୍ରିୟା ମଧ୍ୟରେ କୌଣସି ନିବିଡ଼ ସଂପର୍କ ଅଛି କି ? ଏପରି ସଂପର୍କର ସ୍ଥାୟିତ୍ୱ ସମ୍ୱନ୍ଧରେ ଆମେ ନିଶ୍ଚିତ ଭାବରେ କେତେକ ଚାକ୍ଷୁଷ ପ୍ରମାଣ ପାଇପାରୁଛୁ । ଆଉ କେଉଁ ଆଡ଼କୁ ଦୃଷ୍ଟିପାତ ନ କରି ମଧ୍ୟ ଆମେ ଜାଣିପାରୁଛୁ ଯେ, କେତେକ ସୃଷ୍ଟିଶୀଳ ପ୍ରତିଭାସଂପନ୍ନ ବ୍ୟକ୍ତି ଉଭୟ କଳା ଓ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇଛନ୍ତି । ଚଳିତ ଶତାବ୍ଦୀର ଅନ୍ୟତମ ଯୁଗସ୍ରଷ୍ଟା ବୈଜ୍ଞାନିକ ଆଇନ୍‍ଷ୍ଟାଇନ୍‍ ଭାଓଲିନ୍ ବଜାଉଥିବାର ଘଟଣା ସର୍ବଜନବିଦିତ । ଠିକ୍ ସେହିପରି ଲିଓନାର୍ଡ଼ୋ ଦା ଭିନ୍ସି ଜନୈକ ଉଚ୍ଚକୋଟୀର ଉଭାବକ ଓ କଳାକାର ଭାବରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କଦ୍ୱାରା ଲିଖିତ ଡାଏରୀଗୁଡ଼ିକରେ ଉଭୟବିଧ ସୃଷ୍ଟିଶୀଳତାର ପରିପ୍ରକାଶ ଆମ୍ଭମାନଙ୍କୁ ବିମୁଗ୍ଧ କରୁଛି । ପରିହାସ ଛଳରେ କୁହାଯାଏ ଯେ, ଚାରିଜଣ ଗଣିତଜ୍ଞଙ୍କୁ ଗୋଟିଏ ଘର ଭିତରେ ବସାଇଦେଲେ ସେମାନେ ଚାରିଟି ତାର ନିର୍ମିତ ଯନ୍ତ୍ର ସାହାଯ୍ୟରେ (string quarter) କୌଣସି ସଙ୍ଗୀତ ରଚନା କରିପାରିବେ । ଫାଇନ୍‍ମାନ୍‍ ନିଜେ ଖୁବ୍ ଦକ୍ଷତାର ସହିତ ବଙ୍ଗୋଡ୍ରମ୍‍ ବଜାଇ ପାରନ୍ତି । (ଫାଇନ୍‍ମାନ୍‍ ଆଶ୍ଚର୍ଯ୍ୟ ହୁଅନ୍ତି ଯେ, କୌଣସି ସାଂସ୍କୃତିକ ସମାରୋହରେ ସେ ବଙ୍ଗୋଡ୍ରମ୍ ବଜାଇଥିବାବେଳେ ପରିଚୟ ପ୍ରଦାନକାରୀ ବ୍ୟକ୍ତି ଘୋଷଣା କରନ୍ତି, ‘‘ଫାଇନ୍‍ମାନ୍‍ ବଙ୍ଗୋଡ୍ରମ୍‍ ବଜାଉଛନ୍ତି ।’’ ଏପରି କ୍ଷେତ୍ରରେ ପରିଚୟ ପ୍ରଦାନକାରୀ ବ୍ୟକ୍ତି ଦର୍ଶକଙ୍କ ନିକଟରେ ତାଙ୍କୁ ଜଣେ ପଦାର୍ଥବିଜ୍ଞାନୀ ଭାବରେ ପରିଚିତ କରାନ୍ତି ନାହିଁ । ଅଥଚ, ଅନ୍ୟ କ୍ଷେତ୍ରରେ ତାଙ୍କୁ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ଭାବରେ ପରିଚିତ କରାଯାଉଥିବା ବେଳେ କୁହାଯାଏ ଯେ, ସେ ମଧ୍ୟ ଖୁବ୍ ଭଲ ଭାବରେ ବଙ୍ଗୋଡ୍ରମ୍‍ ବଜାଇ ପାରନ୍ତି । )

 

ଉଭୟ କଳା ଓ ବିଜ୍ଞାନର ସୃଷ୍ଟିପାଇଁ ଏକାଭଳି ଉପାଦାନ ଆବଶ୍ୟକ ହୁଏ । ଗୋଟିଏ ବୃକ୍ଷ କବିଙ୍କୁ କବିତା ରଚନା କରିବାପାଇଁ ସ୍ୱୀୟ କଳ୍ପନାପ୍ରବଣତାର ସଦୁପଯୋଗ କରିବାକୁ ଯେପରି ଭାବରେ ଉଦ୍‍ବୁଦ୍ଧ କରିପାରେ, ଜନୈକ ବୈଜ୍ଞାନିକଙ୍କୁ ମଧ୍ୟ ବୃକ୍ଷଟି ତତ୍‍ସମ୍ପର୍କୀୟ ଗବେଷଣା ଚଳାଇବାକୁ ଉପାଦାନ ଯୋଗାଇପାରେ । ଜନନୀ ଓ ସନ୍ତାନମାନଙ୍କ ମଧ୍ୟରେ ସମ୍ପର୍କ, ବିଭିନ୍ନ ବସ୍ତୁପିଣ୍ଡଗୁଡ଼ିକର ସମମିତିକ (symmetrical) ଆଣବିକ ଗଠନ, ଆଲୋକ ଓ ବିଭିନ୍ନ ରଙ୍ଗୀନ ଦୃଶ୍ୟଗୁଡ଼ିକର ପ୍ରଭାବ, ମନୁଷ୍ୟର ଅବୟବ ପ୍ରଭୃତି ଘଟଣା ବା ଦୃଶ୍ୟଗୁଡ଼ିକ କବି, ଚିତ୍ରକାର, ମନସ୍ତତ୍ତ୍ୱବିତ୍, ଶିଳ୍ପୀ ଚିକିତ୍ସାବିଜ୍ଞାନୀ, ପଦାର୍ଥବିଜ୍ଞାନୀ ଓ ରସାୟନବିତମାନଙ୍କୁ ଚିନ୍ତା କରିବାର ଉପାଦାନ ଯୋଗାଇଦିଏ । ବ୍ରହ୍ମାଣ୍ଡୋତ୍ପତ୍ତି, ମୃତ୍ୟୁର ରହସ୍ୟ ଭେଦ, ସଜୀବ ଓ ନିଷ୍ପ୍ରାଣ ବସ୍ତୁଗୁଡ଼ିକର ଅବସ୍ଥିତି ପରିପ୍ରେକ୍ଷୀରେ ପ୍ରାଣ ବା ଜୀବନର ଉତ୍ସ ପ୍ରଭୃତି ଜଟିଳ ସମସ୍ୟା ସମ୍ୱନ୍ଧରେ ସ୍ପଷ୍ଟୀକରଣ ପାଇବାପାଇଁ ପଦାର୍ଥବିଜ୍ଞାନୀ, ଦାର୍ଶନିକ ଓ କବିମାନେ ନିଜ ନିଜ ଚିନ୍ତାଶକ୍ତି ଓ କଳ୍ପନାପ୍ରବଣତାର ସଦୁପଯୋଗ କରିବାକୁ ସ୍ୱତଃପ୍ରବୃତ୍ତ ଭାବରେ ଆଗ୍ରହୀ ହୁଅନ୍ତି ।

 

ଏକାଭଳି ଉପାଦାନ ଉଭୟ କଳା ଓ ବିଜ୍ଞାନ କ୍ଷେତ୍ରରେ ସୃଷ୍ଟିଶୀଳତାର ଉତ୍ସ ହୋଇଥିଲେ ମଧ୍ୟ ଉଭୟର ପରିପ୍ରକାଶର ଭଙ୍ଗୀ ଭିନ୍ନ ରୂପ ଧାରଣ କରେ । ଗୋଟିଏ ଘଟଣା ବା ଦୃଶ୍ୟ ଜଣେ କବିଙ୍କୁ ନିଜ ସୃଷ୍ଟିଶୀଳତାର ଉପଯୋଗ ଘଟାଇ ଭାବାଭିବ୍ୟକ୍ତି ପାଇଁ ଯେଉଁ ପ୍ରକାର ପଦ୍ଧତିର ଅନୁଗାମୀ କରାଏ, ବୈଜ୍ଞାନିକମାନେ ସେପରି ପନ୍ଥା ଅନୁସରଣ କରନ୍ତି ନାହିଁ । ଅନୁଭବ ବଳରେ କବିମାନେ ପ୍ରକୃତିକୁ ବୁଝିବାକୁ ଚେଷ୍ଟା କରନ୍ତି; ମାତ୍ର ବୈଜ୍ଞାନିକମାନେ ଏଥିପାଇଁ ତର୍କସଙ୍ଗତ ବିଚାରବୋଧ ଉପରେ ନିର୍ଭର କରନ୍ତି । କଳାତ୍ମକ କୃତି ବିଦଗ୍ଧ ମନୁଷ୍ୟର ମାନସପଟରେ ଭାବାବେଗ ସୃଷ୍ଟି କରେ; ମାତ୍ର କୌଣସି ବୈଜ୍ଞାନିକ ଆବିଷ୍କାର ବା ଉଦ୍ଭାବନ ଗୋଟିଏ ଦୃଶ୍ୟ ବା ଘଟଣା ସମ୍ପର୍କରେ ମନୁଷ୍ୟକୁ ବସ୍ତୁନିଷ୍ଠ ଜ୍ଞାନ ଯୋଗାଇ ଦିଏ । କଳାକାରମାନେ ପ୍ରକୃତିର ଯତ୍ନ ନେଉଥିବାପରି ଜଣାପଡ଼ନ୍ତି; ମାତ୍ର ବୈଜ୍ଞାନିକମାନେ ପ୍ରକୃତି ସମ୍ପର୍କରେ ବସ୍ତୁନିଷ୍ଠ ଦୃଷ୍ଟିରୁ ଚିନ୍ତା କରନ୍ତି-। ଜନମାନସରେ କଳା ଓ ବିଜ୍ଞାନ ସମ୍ୱନ୍ଧରେ ତୁଳନାତ୍ମକ ଦୃଷ୍ଟିରୁ ଏପରି ଯେଉଁ ଧାରଣା ବଳବତ୍ତର ହୋଇଛି, ତାହାକୁ ଉପଲକ୍ଷ୍ୟ କରି ପ୍ରବୀଣ ବୈଜ୍ଞାନିକ ଓ ସିଦ୍ଧହସ୍ତ ଲେଖକ କେ. ସି. କୋଲ୍ ‘ଦି ସାଇଣ୍ଟିଫିକ୍ ଆସ୍‍ଥେଟିକ’ ଶୀର୍ଷକ ଏକ ଭାବୋଦ୍ଦୀପକ ପ୍ରବନ୍ଧରେ ଲେଖିଛନ୍ତି : 1 “Artists approach nature with feeling; Scientists rely on logic, Art elicits emotion; Science makes sense., Artists are supposed to care : Scientists are supposed to think.”

 

ବିଜ୍ଞାନକୁ କେନ୍ଦ୍ରକରି ଜନମାନସରେ ଯେଉଁ ବିଭ୍ରାନ୍ତକାରୀ ଧାରଣା ସୃଷ୍ଟି ହୋଇଛି, ତାହା ବହୁ ସୃଷ୍ଟିଶୀଳ ପ୍ରତିଭାସମ୍ପନ୍ନ ବୈଜ୍ଞାନିକଙ୍କୁ ବିଚଳିତ କରିଛି । ସେମାନେ ଜାଣିପାରୁଛନ୍ତି ଯେ, ସୃଷ୍ଟିଶୀଳ ପ୍ରତିଭା ବିନିମୟରେ ମୌଳିକ ଗବେଷଣା ଚଳାଇବାକୁ ଅପାରଗ ହୋଇଥିବା ବୁଦ୍ଧିଜୀବୀମାନେ କେବଳ ଅନ୍ତଃସାରଶୂନ୍ୟ ବାହ୍ୟ ଚାକଚକ୍ୟକୁ ଆଶ୍ରୟ କରି ବିଜ୍ଞାନର ସୃଷ୍ଟି ଓ ବିକାଶ ସମ୍ୱନ୍ଧରେ ବିଭ୍ରାନ୍ତକାରୀ ମତ ବ୍ୟକ୍ତ କରୁଛନ୍ତି । ଏପରି ମତକୁ ଖଣ୍ଡନ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତାଭିତ୍ତିକ ସ୍ପଷ୍ଟୀକରଣ ଯୋଗାଇ ଦେବାପାଇଁ ଆଧୁନିକ ଯୁଗର ମୁଷ୍ଟିମେୟ ପ୍ରବୀଣ ବୈଜ୍ଞାନିକ ଲେଖନୀ ଚାଳନା କଲେଣି । କର୍ମ-ପଦ୍ଧତିଭିତ୍ତିକ ଉଲ୍ଲିଖିତ ତୁଳନାତ୍ମକ ବିଚାରକୁ ବିରୋଧ କରିବା ଉଦ୍ଦେଶ୍ୟରେ ଜନୈକ ପ୍ରବୀଣ ପଦାର୍ଥବିଜ୍ଞାନୀ ସୂଚାଇଛନ୍ତି ଯେ,*2. ଜନସାଧାରଣଙ୍କୁ ବିଜ୍ଞାନ ସମ୍ୱନ୍ଧରେ ଅଦ୍ଭୁତ ଭ୍ରମ ଧାରଣା ଯୋଗାଇ ଦିଆଯାଉଛି । ସେମାନଙ୍କୁ ବୁଝାଇ ଦିଆଯାଉଛି ଯେ, ବୈଜ୍ଞାନିକ ଗବେଷଣାରେ କୃତକାର୍ଯ୍ୟ ହେବାପାଇଁ ଏକ ନିର୍ଦ୍ଦିଷ୍ଟ ଶୃଙ୍ଖଳାକୁ ମାନିନେବା ଅପରିହାର୍ଯ୍ୟ । ସତ୍ୟର ଆବିଷ୍କାର ପାଇଁ ପ୍ରକୃତି ପ୍ରତି ବ୍ୟକ୍ତିନିଷ୍ଠ (subjective) ଦୃଷ୍ଟିଭଙ୍ଗୀ ପ୍ରୟୋଗ କରାଯିବା ପରିବର୍ତ୍ତେ ବସ୍ତୁନିଷ୍ଠ ଦୃଷ୍ଟିରୁ ଗବେଷଣା ପରିଚାଳନା କରାଯିବାର ବିଧିବଦ୍ଧତା ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଉଛି । ମାତ୍ର ଆବିଷ୍କର୍ତ୍ତା ବା ଉଦ୍ଭାବକ ଏପରି ବସ୍ତୁନିଷ୍ଠ ମନୋଭାବ ପୋଷଣ କରିବାର ଅବକାଶ କାହିଁ ? କୌଣସି ଏକ ଦୃଶ୍ୟ ବା ଘଟଣା ଜଣେ ଭାବୁକଙ୍କଠାରେ କୌଣସି ଅଭିନବ ଚେତନାର ଉନ୍ମେଷ ଘଟାଇ ନ ପାରିଲେ, ଅର୍ଥାତ୍ ସେ ସଂପୃକ୍ତ ଦୃଶ୍ୟ ବା ଘଟଣାରେ କୌଣସି ଅଭିନବ ବିଭାବଟିକୁ ଚିହ୍ନଟ କରିନପାରିଲେ, ତତ୍‍ସମ୍ପର୍କୀୟ ଗବେଷଣା ଚଳାଇବାପାଇଁ କାହିଁକି ବା କୌତୂହଳୀ ହେବେ ?

 

1. “K. C. Cole; The Scientific Aesthetic, Discover, December 1983 (p54-55)

 

2. “What a strange misconception has been taught to people ! they have been taught that one can not be disci[lined enough to discover the truth unless one is indifferent to it. Actually, there is no point in looking for the truth unless what it is makes a difference.”

 

ବିଜ୍ଞାନର ଇତିହାସରୁ ଏହି ପଦାର୍ଥ ବିଜ୍ଞାନୀମାନଙ୍କଦ୍ୱାରା ପରିବେଷିତ ଉଲ୍ଲିଖିତ ବିବୃତିର ସତ୍ୟତା ପ୍ରତିପାଦନ କରିବାଭଳି ପ୍ରଭୂତ ପ୍ରମାଣ ମିଳୁଛି । ଗାଲାପାଗୋସ୍ ଦ୍ୱୀପପୁଞ୍ଜଠାରେ ନିଜେ ବହୁ କଷ୍ଟ ସ୍ୱୀକାର କରି ଅତି ଯତ୍ନରେ ସଂଗ୍ରହ କରିଥିବା ଜୀବଜନ୍ତୁମାନଙ୍କୁ ବିଚାରକୁ ନଇେ ଶେଷକୁ ମହାମତି ଚାର୍ଲସ ଦାରଉଇନ ଜୈବିକ ବିବର୍ତ୍ତନ ସମ୍ପର୍କରେ ଏକ ଯୁଗାନ୍ତକାରୀ ତତ୍ତ୍ୱ ପ୍ରତିଷ୍ଠା କଲେ । ଏହି ଚମକପ୍ରଦ ତଥା ଐତିହାସିକ ଆବିଷ୍କାର ପାଇଁ ସେ ପ୍ରକୃତିକୁ ବସ୍ତୁନିଷ୍ଠ ଦୃଷ୍ଟିକୋଣରୁ ବିଚାର କରିନଥିଲେ । ପ୍ରକୃତି ଉପାସନାରୂପୀ ନିଜର ଚାରିତ୍ରିକ ବୈଶିଷ୍ଟ୍ୟ ହିଁ ତାଙ୍କୁ ଏପରି ବ୍ୟାପାରରେ ସ୍ୱତଃପ୍ରବୃତ୍ତ ଭାବରେ ଆତ୍ମନିୟୋଗ କରିବାପାଇଁ ପ୍ରେରଣା ଯୋଗାଇଥିଲା । ନିଜର ମନୋଭାବ ତଥା ସୃଷ୍ଟିଶୀଳ କ୍ରିୟାଶୀଳତା ସମ୍ପର୍କରେ ସେ ନିଜେ ଉଲ୍ଲେଖ କରିଛନ୍ତି ଯେ, ଜଣେ ଜୁଆ ଖେଳାଳିଭଳି ପ୍ରକୃତିଲବ୍ଧ ତଥ୍ୟରାଜିକୁ ଅଭିକ୍ରିୟାତ୍ମକ ଗବେଷଣାର ଉପାଦାନ ରୂପେ ଗ୍ରହଣ କରିବାକୁ ସେ ସୁଖପ୍ରଦ ମଣୁଥିଲେ । ଏପରି କର୍ମପ୍ରବଣତା କୌଣସି ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ହୋଇନଥିଲା । ସ୍ୱକୀୟ ଯୁଗାନ୍ତକାରୀ ଆବିଷ୍କାର ସମ୍ୱନ୍ଧରେ ମତ ବ୍ୟକ୍ତ କରିବା ଉପଲକ୍ଷେ ସେ ବିନମ୍ର ସହକାରେ ସୂଚାଇଛନ୍ତି ଯେ, ଏକ ପ୍ରବୃତ୍ତିଗତ ଆବେଗ ହିଁ ତାଙ୍କୁ ବିଶୃଙ୍ଖଳ ପ୍ରାମାଣିକ ତଥ୍ୟରାଜି ମଧ୍ୟରେ ଏକ ବିଚିତ୍ର ଶୃଙ୍ଖଳାର ଅବସ୍ଥିତି ସମ୍ପର୍କରେ ସଚେତନ କରାଇଥିଲା । ଈଶ୍ୱରଙ୍କ ଆଶୀର୍ବାଦ ବଳରେ ସେ ପ୍ରବୃତ୍ତିଗତ ଅବବୋଧକୁ ଏକ ତତ୍ତ୍ୱ ଆକାରରେ ପ୍ରକାଶ କରିବାକୁ ସମର୍ଥ ହୋଇଛନ୍ତି ବୋଲି ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସ୍ପଷ୍ଟଭାବରେ ଜଣାଇଛନ୍ତି ଯେ, ନିଜ ନିଷ୍ପତ୍ତି ସମ୍ୱନ୍ଧରେ ସେ କ୍ୱଚିତ୍ ଯୁକ୍ତିଯୁକ୍ତ କାରଣ ଉପସ୍ଥାପନା କରି ପାରିଛନ୍ତି । ବରଂ, ସେ ସୂଚାଇଛନ୍ତି ଯେ, ପ୍ରକୃତି ଉଚ୍ଛୃଙ୍ଖଳ ଓ ଦୁର୍ଦ୍ଦମ । ତାଙ୍କ ଇଚ୍ଛାନୁଯାୟୀ ବା କୌଣସି ବ୍ୟକ୍ତିବିଶେଷଙ୍କ ଇଚ୍ଛାନୁଯାୟୀ ପ୍ରାକୃତିକ ଦୃଶ୍ୟରାଜିର ସଂଘଟନ ସମ୍ଭବ ହୁଏନାହିଁ । ଏପରି ଚିନ୍ତନର ବଶବର୍ତ୍ତୀ ହୋଇ ଦାରଉଇନ ନିଜ ବାଲ୍ୟକାଳର ସୁଖଦ ସ୍ମୃତିକୁ ମନେ ପକାଇଛନ୍ତି-। ସ୍ୱାଭାବିକ ଆନନ୍ଦ ଉପଭୋଗ କରିବାପାଇଁ ନିଜ ବାଲ୍ୟକାଳରେ ସମୁଦ୍ର ବେଳାରୁ ଶାମୁକା ସଂଗ୍ରହ କରିବାକୁ ସେ କୌଣସି ନୂଆ ଜିନିଷ ପାଇବାପାଇଁ ଇଚ୍ଛାକୃତ ଭାବରେ କର୍ମତତ୍ପର ହେବାଠାରୁ ଅଧିକ ଆନନ୍ଦ ପ୍ରଦାୟକ ବିଚାରିଛନ୍ତି । *

 

“I am like a gambler and love a wild experiment. I am horribly afraid. I trust to a sort of instinct and God knows can seldom give any reason for my remarks. All nature is perverse and will not do as I wish it. I wish I had my own barnacles, to work at, and nothing now.”

 

ଆପେଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍ ତତ୍ତ୍ୱ ଚଳିତ ଶତାବ୍ଦୀର ଦୁଇଟି ଯୁଗାନ୍ତକାରୀ ମହନୀୟ ଆବିଷ୍କାର । ଆଇନ୍‍ଷ୍ଟାଇନ୍‍ ଆପେଷିକ ତତ୍ତ୍ୱର ସୃଷ୍ଟିକର୍ତ୍ତା । ମାତ୍ର କ୍ୱାଣ୍ଟମ୍ ତତ୍ତ୍ୱର ଭିତ୍ତି ପ୍ରସ୍ତରକୁ ସୁଦୃଢ଼ କରିବାପାଇଁ ପାଙ୍କ, ଆଇନ୍‍ଷ୍ଟାଇନ୍‍, ବୋହର, ସ୍କ୍ରେଡ଼ିଞ୍ଜର, ହାଇଜେନବର୍ଗ, ଡିରାକ୍, ବର୍ନ, ଓ ପାଉଲି ପ୍ରମୁଖ ବହୁ ଚିନ୍ତାନାୟକ ମହନୀୟ ଅବଦାନ ଯୋଗାଇଛନ୍ତି । କ୍ୱାଣ୍ଟମ୍ ତତ୍ତ୍ୱର ଆଦ୍ୟ ବିକାଶ-ପର୍ବରେ, ଅର୍ଥାତ୍, ୧୯୦୫ ମସିହାରେ, ଆଇନ୍‍ଷ୍ଟାଇନ୍‍ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ଏହି ତତ୍ତ୍ୱକୁ ଯେପରି ଭାବରେ ସମୁନ୍ନତ କରାଗଲା ଏବଂ ଏହାର ପ୍ରାୟୋଗିକ ଆଭିମୁଖ୍ୟକୁ ଯେପରିଭାବରେ ବଦଳାଇ ଦିଆଗଲା, ତାହା ସହିତ ସେ ଏକମତ ହୋଇପାରିଲେ ନାହିଁ । ‘କାରଣ ଓ ପରିଣତି’ (cause and effect) ହିଁ ନିଉଟନଙ୍କ ଅମଳଠାରୁ ବିଜ୍ଞାନର ଦାର୍ଶନିକ ପୃଷ୍ଠଭୂମି ରୂପେ ବିବେଚିତ ହେଉଥିଲା । ଏପରି ନିର୍ଣ୍ଣୟାତ୍ମକ ଦର୍ଶନକୁ (Deterministic philosoph) କ୍ୱାଣ୍ଟମ୍ ପଦାର୍ଥବିଜ୍ଞାନୀମାନେ ଅସ୍ୱୀକାର କଲେ-। ବୋହର, ହାଇଜେନବର୍ଗ, ଡିରାକ୍ ଓ ପାଉଲି ପ୍ରମୁଖ ବୈଜ୍ଞାନିକମାନଙ୍କ ଅସାମାନ୍ୟ କୃତିତ୍ୱ ବଳରେ ଜଣାଗଲା ଯେ, ପ୍ରାକୃତିକ କ୍ରିୟାଶୀଳତା ଚାନ୍‍ସ ନିର୍ଭରଶୀଳ ହୋଇନାହିଁ । କୌଣସି ଏକ ଦୃଶ୍ୟ ସଂପର୍କରେ ମନୁଷ୍ୟ ଚରମ ସତ୍ୟରର ସନ୍ଧାନ ପାଇବା ସଂଭବ ନୁହେଁ । ପ୍ରାକୃତିକ କ୍ରିୟାଶୀଳତା ଏପରି ବିଚିତ୍ର ମାର୍ଗରେ ସଂଘଟିତ ହେଉଛି ଯେ, ପ୍ରକୃତିର ଅଙ୍ଗୀଭୂତ ହୋଇଥିବା ମନୁଷ୍ୟ କେବଳ ତାହାର କ୍ରିୟାଶୀଳତା ସଂପର୍କରେ ସଂଭାବ୍ୟ ସତ୍ୟ (proble truth)ର ସନ୍ଧାନ ପାଇବାଭଳି ସୀମିତ ଯୋଗ୍ୟତାର ଅଧିକାରୀ ହୋଇଛି । ଆଇନ୍‍ଷ୍ଟାଇନ୍‍ ‘କାରଣ ଓ ପରିଣିତି’ ଆଧାରିତ ଦର୍ଶନକୁ ପ୍ରତ୍ୟାଖ୍ୟାନ କରିପାରିଲେ ନାହଁ । ସେ ଜଣାଇଦେଲେ ଯେ, ଯଦି ଅନ୍ୟ ପଦାର୍ଥବିଜ୍ଞାନୀମାନେ ପ୍ରାକୃତିକ କ୍ରିୟାଶୀଳତା ସମ୍ୱନ୍ଧରେ ଏପରି ବୀଭତ୍ସ ଚିତ୍ର ଅଙ୍କନ କରିବାକୁ ପ୍ରବୃତ୍ତ ହୁଅନ୍ତି ଏବଂ ଏହାକୁ ବିଜ୍ଞାନର ଦର୍ଶନ ରୂପେ ଗ୍ରହଣ କରାଯାଏ, ତାହେଲେ ସେ ପଦାର୍ଥବିଜ୍ଞାନୀ ଭାବରେ ଜୀବନ ଯାପନ କରିବା ଅପେକ୍ଷା ଜଣେ ମୋଚି ଭାବରେ ଜୀବନ ବିତାଇବାକୁ ସୁଖପ୍ରଦ ମଣିବେ । ସେ ନିଜ ମର୍ମବେଦନାକୁ ଅଭିବ୍ୟକ୍ତ କରିବାପାଇଁ ଆହୁରି ମଧ୍ୟ କହିଥିଲେ ଯେ, ଏପରି ଦର୍ଶନକୁ କର୍ମାଭିମୁଖ ରୂପେ ଆଦରି ନେଇ ବୈଜ୍ଞାନିକ ଗବେଷଣା ଚଳାଇବା ଅପେକ୍ଷା ଗୋଟିଏ କାସିନୋରେ ଜୁଆ ଖେଳରେ ମତ୍ତ ହେବା ହିଁ ଶ୍ରେୟସ୍କର । ଆଇନ୍‍ଷ୍ଟାଇନ୍‍ଙ୍କୁ ମୁଖ ନିଃସୃତ କଟୁ ମନ୍ତବ୍ୟ ବୋହରଙ୍କୁ ଅତିଷ୍ଠ କରିପକାଇଲା । କେବଳ ସ୍କ୍ରୋଡ଼ିଞ୍ଜର୍ଙ୍କ ଭଳି ଜଣେ ସମଭାବାପନ୍ନ ବୈଜ୍ଞାନିକଙ୍କୁ ବାଦ୍ ଦେଲେ ଅନ୍ୟ ପ୍ରବୀଣ ବୈଜ୍ଞାନିକମାନେ ବୋହର୍ଙ୍କ ନେତୃତ୍ୱରେ ଆଇନ୍‍ଷ୍ଟାଇନ୍‍ଙ୍କୁ ମନ୍ତବ୍ୟକୁ ନିର୍ମମ ଭାବରେ ସମାଲୋଚନା କରିଥିଲେ । କଣିକାଗୁଡ଼ିକ କ୍ୱାଣ୍ଟମ୍ କୁଦା (quantum jump) ମାରି ନିଜ ନିଜ ସ୍ଥାନ ବଦଳାଇ ଦେବା ତଥା ଶକ୍ତିର ଉଦ୍‍ଗୀରଣ ଓ ଅବଶୋଷଣ ଘଟାଉଥିବା ସଂପର୍କରେ କ୍ୱାଣ୍ଟମ୍ ଯାନ୍ତ୍ରିକୀ ଅବଲମ୍ୱନରେ ଯେଉଁ ଧାରଣା ସୃଷ୍ଟି ହେଲା, ତାହା ତରଙ୍ଗ-ଯାନ୍ତ୍ରିକୀର (wave mechanics) ପ୍ରତିଷ୍ଠାତା ସ୍କ୍ରୋଡ଼ିଞ୍ଜରଙ୍କର ଗ୍ରହଣଯୋଗ୍ୟ ହେଲାନାହିଁ । ଏହାକୁ ନାପସନ୍ଦ କରିବା ଅବସରରେ ସେ ଭାବବିହ୍ୱଳିତ ହୋଇ କହିଥିଲେ ଯେ, କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନ ଯେପରି ରୂପ ଧାରଣ କଲାଣି, ତାହା ସହିତ ପୂର୍ବରୁ ଜଡ଼ିତ ହୋଇଥିବା ଯୋଗୁଁ ସେ ବର୍ତ୍ତମାନ ଅନୁତାପ କରୁଛନ୍ତି । * 1. ଆଇନ୍‍ଷ୍ଟାଇନ୍‍ ମହାନୁଭବତା ବଳରେ ପ୍ରକୃତିକୁ ଏକ ‘‘ବିରାଟ ଚିରନ୍ତନ ପ୍ରହେଳିକା’’ (“great, eternal riddle”) ରୂପେ ବିଚାର କରୁଥିଲେ ଏବଂ ସେ ଅନୁଭବ କରିଥିଲେ ଯେ, ଆତ୍ମାର ପରିତ୍ରାଣପାଇଁ, ଜାଗତିକ ବନ୍ଧନରୁ ମୁକ୍ତ ହେବାପାଇଁ ପ୍ରକୃତି ଆମ୍ଭମାନଙ୍କୁ ଇଙ୍ଗିତ ଦେଉଛି (“beckoned like a liberation”) । ସୁପ୍ରସିଦ୍ଧ ହାଭାର୍ଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର ଜର୍ଜ ସାଟନ ‘ହିଷ୍ଟ୍ରି ଅଫ୍ ସାଇନ୍ସ’ (ବିଜ୍ଞାନର ଇତିହାସ) ଶୀର୍ଷକ ସାରଗର୍ଭକ ତଥା ଭାବୋଦ୍ଦୀପକ ପୁସ୍ତକର ମୁଖବନ୍ଧରେ ଲେଖିଛନ୍ତି ଯେ, ଉଭୟ କଳା ଓ ଜ୍ୟାମିତି ଶୋଣିତ ଓ ଲହୁର ସ୍ୱାକ୍ଷର ବହନ କରିଛି । * 2.

 

1. “If one has to stick to this damned quantum jumping, then I regret having ever involved in this thing.”

 

2. “There are blood and tear in geometry as well as in art.”

 

ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ସଂକ୍ରାନ୍ତୀୟ କାର୍ଯ୍ୟଗୁଡ଼ିକୁ ଆବେଗପ୍ରବଣତା ବଳରେ ସମାହିତ କରୁଥିବାଭଳି ଏକ ଧାରଣାକୁ ଅଧିକାଂଶ ବ୍ୟକ୍ତି ପ୍ରବୃତ୍ତିଗତ ବିଚାର ବଳରେ ପ୍ରତ୍ୟାଖ୍ୟାନ କରନ୍ତି । ନିଜ ସୃଷ୍ଟିଶୀଳତାକୁ କଡ଼ା ନିୟନ୍ତ୍ରଣ ବଳରେ ସୁସଂଯତ ମାର୍ଗରେ ପ୍ରକାଶ କରି ନ ପାରିଲେ ଯେପରି ଜଣେ ଭଲ କବି ଭାବରେ ପ୍ରତିଷ୍ଠା ଅର୍ଜନ କରିବାକୁ ଅସମର୍ଥ ହୁଅନ୍ତି, ଠିକ୍ ସେହିପରି ଜଣେ ବୈଜ୍ଞାନିକ କେବଳ ବୈଜ୍ଞାନିକ ପଦ୍ଧତି ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଦ୍ୱାରା ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଅସାମାନ୍ୟ କୃତିତ୍ୱ ପ୍ରଦର୍ଶନ କରିବାକୁ ଅସମର୍ଥ ହୁଅନ୍ତି । ରୈଖିକ ଚିନ୍ତନ ପ୍ରକ୍ରିୟାକୁ ଅଗ୍ରଗାମୀ କରାଇବାପାଇଁ ନିଗମନୀୟ (deductive) ଯୁକ୍ତିର ଆଶ୍ରୟ ନିଆଯାଏ । ଏତଦ୍ଦ୍ୱାରା ଗୋଟିଏ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ରୈଖିକ ଚିନ୍ତନର ବିଭିନ୍ନ ସୋପାନଗୁଡ଼ିକୁ ଗୋଟିକ ପରେ ଗୋଟିଏ କ୍ରମରେ ଅତିକ୍ରମ କରିବା ସଂଭବ ହୁଏ । ମାତ୍ର ଅଭିନବ ଧାରଣା ବା ସିଦ୍ଧାନ୍ତର ସୂତ୍ରପାତ ଘଟାଇବାପାଇଁ କେବଳ ରୈଖିକ ଚିନ୍ତନ ତଥା ନିଗମନୀୟ ପଦ୍ଧତିର ଅନୁଗାମୀ ହେବା ଦ୍ୱାରା ଅନେକ କ୍ଷେତ୍ରରେ ଗବେଷକ ଅନ୍ଧ ଗଳିର ଉପକଣ୍ଠରେ ପଦାର୍ପଣ କରନ୍ତି । ଏହା ପରେ ତାଙ୍କୁ ବୁଦ୍ଧିବାଟ ଦିଶେ ନାହିଁ । ଫାଇନ୍‍ମାନ୍‍ଙ୍କ ମତାନୁଯାୟୀ ଗୋଟିଏ ଅଭିନବ ଧାରଣା ସମ୍ପର୍କରେ ଚିନ୍ତା କରିବା ଏକ ଅତୀବ ଆୟାସସାଧ୍ୟ ବ୍ୟାପାର । କେବଳ ବିଚକ୍ଷଣ କଳ୍ପନାପ୍ରବଣତା ବଳରେ ହିଁ ଏପରି ବ୍ୟାପାରରେ ସଫଳତା ମିଳେ--*

 

“Each time we get into this log jam, it is because the methods we are using are just like the ones we have used before... A new idea is extremely difficult to think of. It takes fantastic imagination.”

 

ବିଜ୍ଞାନ ଜଗତରେ କୌଣସି ଏକ କ୍ଷେତ୍ରର କ୍ରାନ୍ତିକାରୀ ଉତ୍ତରଣ ଘଟାଇବାପାଇଁ ଅନେକ କ୍ଷେତ୍ରରେ ସେମାନଙ୍କ ନିଜସ୍ୱ ସୌନ୍ଦର୍ଯ୍ୟବୋଧ ହିଁ ପଥ ପ୍ରଦର୍ଶନ କରେ । କୌଣସି ଏକ ତତ୍ତ୍ୱର ମହନୀୟତା ବା ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରିବା ପରେ ଆଇନ୍‍ଷ୍ଟାଇନ୍‍ ତାହାକୁ ‘ଭଲ’ (good) ତତ୍ତ୍ୱ ଭାବରେ ପ୍ରଶଂସା କରିବା ପରିବର୍ତ୍ତେ ଆବେଗାତି ଶଯ୍ୟରେ କହୁଥିଲେ, ‘‘ଏହା କେତେ ସୁନ୍ଦର !’’ (Oh ! how beautiful !) କୌଣସି ଗୋଟିଏ ତତ୍ତ୍ୱକୁ ନାପସନ୍ଦ କରିବାବେଳେ ସେ ତାହାକୁ ଭୁଲ ବା ତ୍ରୁଟିପୂର୍ଣ୍ଣ ଭାବରେ ସମାଲୋଚନା କରିବା ପରିବର୍ତ୍ତେ କହୁଥିଲେ, ‘‘ଏହା କେତେ କଦର୍ଯ୍ୟ !’’ (“Oh ! how ugly”) ଆଇନ୍‍ଷ୍ଟାଇନ୍‍ ଅନେକ ସମୟରେ ଧାରଣାଗୁଡ଼ିକର ସୌନ୍ଦର୍ଯ୍ୟବୋଧାଶ୍ରୟୀ ଆକର୍ଷଣ ପ୍ରତି ଗୁରୁତ୍ୱ ଆରୋପ କରୁଥିଲେ । ସେ କହୁଥିଲେ ଯେ, କେବଳ ତର୍କର ସାହାଯ୍ୟ ହେବାଦ୍ୱାରା ଆମେ ପୁନରୁକ୍ତିକର ବ୍ୟାପାରଗୁଡ଼ିକରେ ଆତ୍ମନିୟୋଗ କରିବା ହିଁ ସାର ହେବ । *1.ସ୍ୱନାମଧନ୍ୟ ଫରାସୀ ପଦାର୍ଥବିଜ୍ଞାନୀ ଓ ଦାର୍ଶନିକ ହେନେରି ପଏନ୍ କେଆର୍ ସୂଚାଇଛନ୍ତି ଯେ, କେବଳ ଯୁକ୍ତିସଙ୍ଗତ ଚିନ୍ତନ ବଳରେ କୌଣସି ଅଭିନବ ଧାରଣାର ଅଭ୍ୟୁଦୟ ଘଟେ ନାହିଁ । କେବଳ ଏପରି *2. ବୌଦ୍ଧିକ ପ୍ରୟାସ ପ୍ରତି ଅନୁରକ୍ତ ହେବା ଫଳରେ କେହି ବିଜ୍ଞାନର ଯଥାର୍ଥ ସମୃଦ୍ଧି ସାଧନ କରିପାରନ୍ତି ନାହିଁ ।

 

1. “Pure logic could never lead us to anything but tautologies.”

 

2. “It could create nothing new; not from it alone can any science issue.”

 

ପଏନ୍ କେଆର୍‍ଙ୍କ ମତାନୁଯାୟୀ ବୈଜ୍ଞାନିକ ଗବେଷଣା ଚଳାଇବା କ୍ଷେତ୍ରରେ ସୌନ୍ଦର୍ଯ୍ୟବୋଧ ଗୋଟିଏ ସୂକ୍ଷ୍ମ ଚାଲୁଣୀ (‘delicatesive’) ଭଳି ପଥପ୍ରଦର୍ଶକ ଭୂମିକା ଗ୍ରହଣ କରେ । ଏତଦ୍ଦ୍ୱାରା ବିଭ୍ରାନ୍ତିକର ଚିନ୍ତାଧାରା ବୈଜ୍ଞାନିକ ପଥଭ୍ରଷ୍ଟ କରେ ନାହିଁ । ସେ ନିଜ କାର୍ଯ୍ୟରେ ଅଭିନିବେଶ କରିବାପାଇଁ ତଥା ଠିକଣା ମାର୍ଗର ଅନୁଗାମୀ ହେବାପାଇଁ ଏହା ତାଙ୍କୁ ଇଙ୍ଗିତ ପ୍ରଦାନ କରେ । ଏହାର ସଂକେତଧର୍ମୀ ତାଡ଼ନା ବଳରେ ଚିଉ ବିକ୍ଷେପର ପଥ ସଂକୁଚିତ ହେଉଥିବା ଯୋଗୁଁ ବୈଜ୍ଞାନିକ ବିଭ୍ରାନ୍ତିକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ନାହିଁ । ଆମେ ବୁଝିବାର କଥା ଯେ, ବିଜ୍ଞାନ କେବଳ ପ୍ରାମାଣିକ ତଥ୍ୟରାଜିର ତାଲିକା ନୁହେଁ । ଅଙ୍କା ବଙ୍କା ସୂତାରେ ଏହି ତଥ୍ୟରୂପୀ ମାଳିଗୁଡ଼ିକୁ ଠିକଣା ଭାବରେ ଗୁନ୍ଥି ଗୋଟିଏ ହାର ପ୍ରସ୍ତୁତ କରିବା ହିଁ ବୈଜ୍ଞାନିକଙ୍କ କର୍ମାଭିମୁଖ୍ୟ । ସତ୍ୟତା ପ୍ରତିପାଦନକ୍ଷମ ଏକ ତତ୍ତ୍ୱ ବା ସିଦ୍ଧାନ୍ତକୁ ଅର୍ଥସୂଚକ ମାର୍ଗର ପ୍ରତିଷ୍ଠା କରିବାପାଇଁ ବୈଜ୍ଞାନିକମାନେ ନିଜ ନିଜ ସୃଜନଶୀଳ ପ୍ରତିଭା ବଳରେ ଏକନିଷ୍ଠ ଗବେଷଣା ଚଳାଇବା ବେଳେ ସୌନ୍ଦର୍ଯ୍ୟବୋଧ ହିଁ ସେମାନଙ୍କୁ ସୁସଂଯତ ମାର୍ଗରେ ଠିକଣା ପଥର ଅନୁଗାମୀ ହେବାକୁ ପଥ ପ୍ରଦର୍ଶନ କରିପାରେ । ସ୍କ୍ରୋଡ଼ିଞ୍ଜର୍ ତରଙ୍ଗ-ଯାନ୍ତ୍ରିକୀର ପ୍ରତିଷ୍ଠାତା ରୂପେ ସୁବିଦିତ । ମାତ୍ର ସେ ଏହାକୁ ପ୍ରଣୟନ କରିବା ପରେ ନିଜ ଆବିଷ୍କାରକୁ କିଛି କାଳ ପାଇଁ ଗୋପନୀୟ ରଖିବାକୁ ଶ୍ରେୟସ୍କର ମଣିଥିଲେ । ତତ୍କାଳୀନ ପ୍ରାମାଣିକ ତଥ୍ୟରାଜି ସହ ଏହି ଯାନ୍ତ୍ରିକୀ ସଙ୍ଗତି ରକ୍ଷା କରିବାକୁ ଅସମର୍ଥ ହୋଇଥିଲା । ସର୍ବୋପରି ଦାର୍ଶନିକ ମନୋଭାବାପନ୍ନ ସ୍କ୍ରୋଡ଼ିଞ୍ଜର ନିଜ ଗାଣିତିକ ସମୀକରଣରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତିଫଳନ ଘଟି ନ ଥିବା ପରି ଅନୁଭବ କଲେ । ବିଜ୍ଞାନର ଇତିହାସରୁ ଏହି ସ୍ମରଣୀୟ ଘଟଣାଟିକୁ ଉଦ୍ଧାର କରି ତାଙ୍କର ଜଣେ ସମସାମୟିକ ପଦାର୍ଥବିଜ୍ଞାନୀ ପାଲ ଡିରାକ୍ ପରବର୍ତ୍ତୀ କାଳରେ ମତ ବ୍ୟକ୍ତ କରିଛନ୍ତି ଯେ, ଏହି ଘଟଣା ସହ ସପୃକ୍ତ ନୈତିକ ବିଚାରଟିକୁ ଆମେ ସମ୍ୟକ୍‍ଭାବରେ ଉପଲବ୍ଧି କରିବା ବାଞ୍ଛନୀୟ । ତାତ୍ତ୍ୱିକ ଗବେଷଣାଶ୍ରୟୀ କୌଣସି ସିଦ୍ଧାନ୍ତ ପ୍ରାମାଣିକ ତଥ୍ୟରାଜି ଦ୍ୱାରା ସତ୍ୟାପିତ ହେବା ଅପେକ୍ଷା ନିଜଦ୍ୱାରା ପ୍ରଣୀତ ସମୀକରଣଟିର ସୌନ୍ଦର୍ଯ୍ୟ ପ୍ରତି ଅଧିକ ଗୁରୁତ୍ୱ ଆରୋପ କରାଯିବା ଉଚିତ୍ । ...ଯଦି ଜଣେ ଗବେଷକ ସ୍ୱକୀୟ ଗବେଷଣା ବଳରେ ପ୍ରତିଷ୍ଠା କରୁଥିବା ସମୀକରଣର ସୌନ୍ଦର୍ଯ୍ୟ ପ୍ରତି ଗୁରୁତ୍ୱ ଆରୋପ କରନ୍ତି, ଯଦି ତାଙ୍କର ତୀକ୍ଷ୍ଣ ଅନ୍ତଃଦୃଷ୍ଟି ବଳରେ ସେ ଏହି ଦିଗ ପ୍ରତି ସମ୍ୟକ୍ ପ୍ରାଧାନ୍ୟ ଆରୋପ କରିପାରନ୍ତି, ତାହାହେଲେ ବୁଝିବାକୁ ହେବ ଯେ, ସେ ନିଶ୍ଚିତ ଭାବରେ ଗବେଷଣାଗତ ବ୍ୟାପାରରେ ଅଗ୍ରଗାମୀ ହେଉଛନ୍ତି । *

 

“I think there is a moral to this story. Namely that it si more important to have beauty in one’s equations than to have them fit experiment.........It seems that if one is working from the point of view of getting beauty in one’s equations, and if one was really a sound in sight, one is on a sure line of progress.”

 

କଳା ଓ ବିଜ୍ଞାନ କାହିଁକି ଏପରି ବିସ୍ତୃତଭାବରେ ପରସ୍ପରଠାରୁ ପୃଥକ ହୋଇଯାଇଛି ? ଏହି ପ୍ରଶ୍ନଟି କେତେକ ବୁଦ୍ଧିଜୀବୀଙ୍କୁ ବର୍ତ୍ତମାନ ବିସ୍ମିତ କରୁଛି । ଅତୀତରେ ବିଜ୍ଞାନକୁ ପ୍ରାକୃତିକ ଦର୍ଶନର ଅନ୍ତର୍ଭୁକ୍ତ କରାଯାଇଥିଲା । ହସ୍ତଶିଳ୍ପୀ ବା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କୃତିଗୁଡ଼ିକୁ କଳାର ପରିପ୍ରକାଶ ରୂପେ ବିଚାର କରାଯାଉଥିଲା । ଆଧୁନିକ ଯୁଗର କୁଶଳୀ କାରିଗରମାନେ ଯେଉଁ ପ୍ରକାର ବିଚକ୍ଷଣ ଭାବେ କର୍ମନିପୁଣ ତ୍ୱରକଯନ୍ତ୍ରଗୁଡ଼ିକୁ (accelerators) ନିର୍ମାଣ କରୁଛନ୍ତି, ଅତୀତରେ ତଦନୁରୂପ କୃତିଗୁଡ଼ିକୁ କଳାର ଅନ୍ତର୍ଭୁକ୍ତ କରାଯିବା ସଙ୍ଗେ ସଙ୍ଗେ କଳାତ୍ମକ ଭାବାଭିବ୍ୟକ୍ତି ଦୃଷ୍ଟିରୁ ସେଗୁଡ଼ିକର ମୂଲ୍ୟାୟନ କରାଯାଉଥିଲା । ମାତ୍ର କାଳକ୍ରମେ ବିଜ୍ଞାନ ଓ ଦର୍ଶନର ସଂଜ୍ଞା ସଂକୁଚିତ ହୋଇଗଲା ଏବଂ ଊନବିଂଶ ଶତାବ୍ଦୀର ଅବ୍ୟବହିତ ପୂର୍ବରୁ ବିଜ୍ଞାନର ପରିସରକୁ ଆଧୁନିକ ଯୁଗଭଳି ସୀମିତ କରାଗଲା । ସାର୍ ଜିଓଫ୍ରେ ଭିକର୍ସ ସ୍ୱରଚିତ ‘ଅନ ଏସ୍‍ଥେଟିକ୍ସ ଇନ୍ ସାଇନ୍ସ’ (ବିଜ୍ଞାନରେ ସୌନ୍ଦର୍ଯ୍ୟବୋଧ) ଶୀର୍ଷକ ଏକପ୍ରବନ୍ଧ ସଂକଳନରେ ଏପରି ଅଭିମତ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସୂଚାଇଛନ୍ତି ଯେ, ତାତ୍ତ୍ୱିକ ଚିନ୍ତନ ବଳରେ ପ୍ରକୃତିର କ୍ରିୟାଶୀଳତାର ରହସ୍ୟ ଭେଦ କରିବା ସମ୍ପର୍କରେ ପ୍ରତିଷ୍ଠା କରାଯାଇଥିବା ପ୍ରକଳ୍ପ ବା ତତ୍ତ୍ୱଗୁଡ଼ିକର ସଠିକତାକୁ ଅଭିକ୍ରିୟା ଅବଲମ୍ୱନରେ ସତ୍ୟାପିତ କରାଇବା ହିଁ ଏଣିକି ବୈଜ୍ଞାନିକ କ୍ରିୟାଶୀଳତା ରୂପେ ବିବେଚିତ ହେଲା । ଏପରି ବୌଦ୍ଧିକ ପ୍ରୟାସକୁ କଳା ସହିତ ସଂଯୋଜିତ କରାଇବାର କୌଣସି ଅବକାଶ ରହିଲା ନାହିଁ । ମାତ୍ର ଭିକର୍ସ ସଂଶୟ ପ୍ରକାଶ କରିଛନ୍ତି ଯେ, କଳା ଓ ବିଜ୍ଞାନ ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାରଣ ଯୋଗୁଁ ଏତେ ବେଶି ସଂପ୍ରସାରିତ ହୋଇଯାଉଛି । ଜନସାଧାରଣ ବିଜ୍ଞାନକୁ ଏକ ତର୍କସଙ୍ଗତ ପ୍ରକ୍ରିୟାରୂପେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ସେମାନେ ବିଚାରୁଛନ୍ତି ଯେ, ବାସ୍ତବତାକୁ ତର୍କସଙ୍ଗତ ଚିନ୍ତନ ବଳରେ ବର୍ଣ୍ଣନା କରିହେବ । ଯାହା ବାସ୍ତବ, ତାହା ନିଶ୍ଚିତଭାବରେ ବର୍ଣ୍ଣନନୀୟ । ଯାହାର ଅବସ୍ଥିତିକୁ ମନୁଷ୍ୟ କେବଳ ନିଜ ଅବବୋଧ (intuition) ଜରିଆରେ ଠାବ କରୁଛି, ତାହା ଅବର୍ଣ୍ଣନୀୟ । ଏଣୁ ସେପରି ଉପଲବ୍ଧିକୁ ବିଜ୍ଞାନର ପରିସରଭୁକ୍ତ କରାଯିବା ଅସମୀଚୀନ । ଆମ ସଂସ୍କୃତି ବର୍ତ୍ତମାନ ଏପରି ଏକ ଅସମର୍ଥିତ ତଥା ଅସମ୍ଭବ ବିଶ୍ୱାସକୁ ବଦ୍ଧମୂଳ ଧାରଣା ଭାବରେ ଗ୍ରହଣ କରିଛି । ଏହା ବିଜ୍ଞାନ ଜଗତରେ ଅବବୋଧର ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରୁନାହିଁ । ବାସ୍ତବତାକୁ ବର୍ଣ୍ଣନନୀୟ ରୂପ ପ୍ରଦାନ କରିବା ସଙ୍ଗେ ସଙ୍ଗେ କେବଳ ତର୍କସଙ୍ଗତ କ୍ରିୟାଶୀଳତା ଅବଲମ୍ୱନରେ ବାସ୍ତବତା ସମ୍ପର୍କରେ ପୂର୍ଣ୍ଣାଙ୍ଗ ବର୍ଣ୍ଣନା ମିଳିପାରିବାର ଭ୍ରମାତ୍ମକ ଧାରଣା ହିଁ ବିଜ୍ଞାନର ସ୍ୱରୂପ ଉଦ୍‍ଘାଟନ ବ୍ୟାପାରରେ ଅନ୍ତରାୟ ସୃଷ୍ଟି କରୁଛି । *

 

“Because our culture has somehow generated the unsupported and improbable belief that everything real must be fully describable. it is unwilling to acknowledge the existence of intuition.”

 

ଅବଶ୍ୟ ଏହା ସ୍ୱୀକାର୍ଯ୍ୟ ଯେ, ବିଜ୍ଞାନ ଓ କଳା ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ ରହିଛି । ବିଜ୍ଞାନର ଅବଦାନଗୁଡ଼ିକୁ ଏକ ସାର୍ବତ୍ରିକଭାବେ ବୋଧଗମ୍ୟ ଗାଣିତିକ ଭାଷାରେ ପ୍ରକାଶ କରାଯାଏ । ବୈଜ୍ଞାନିକ ଗବେଷଣାଲବ୍ଧ ସିଦ୍ଧାନ୍ତର ଅର୍ଥକୁ ସମସ୍ତେ ଏକାଭଳି ବୁଝିପାରନ୍ତି । ବୈଜ୍ଞାନିକ ଅନ୍ତଃଦୃଷ୍ଟିର ସତ୍ୟତା ଗତାନୁଗତିକ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ପ୍ରତିପାଦନ କରାଯାଏ । ଉଭୟବିଧ ବୌଦ୍ଧିକ ପ୍ରୟାସର ଉତ୍ସ ଏକା ହୋଇଥିଲେ ମଧ୍ୟ ନିଜଅନ୍ତଃଦୃଷ୍ଟିକୁ ରୂପ ଦେବାବେଳେ ଉଭୟେ ଭିନ୍ନଭିନ୍ନ ମାର୍ଗ ଅନୁସରଣ କରନ୍ତି । ବୈଜ୍ଞାନିକମାନେ ଅଭିକ୍ରିୟା ଚଳାଇବାବେଳେ ନିଜ ନିଜ ଅନ୍ତଃଦୃଷ୍ଟିର ଯଥାର୍ଥତା ପ୍ରତିପାଦନ ଉଦ୍ଦେଶ୍ୟରେ ଆବେଗଧର୍ମିତାର ବଶବର୍ତ୍ତୀ ହୁଅନ୍ତି ନାହିଁ । ସେମାନେ ବ୍ୟକ୍ତିନିଷ୍ଠ ହେବା ପରିବର୍ତ୍ତେ ବସ୍ତୁନିଷ୍ଠତା ପ୍ରତି ଚରମ ଆନୁଗତ୍ୟ ପ୍ରକାଶ କରନ୍ତି । ପ୍ରାମାଣିକ ତଥ୍ୟରାଜି ସମ୍ମୁଖରେ ସେମାନେ ଆବେଗର ପରିପ୍ରକାଶ ଘଟାଇବାରୁ ବିରତ ହୁଅନ୍ତି । ପ୍ରବୀଣ ବୈଜ୍ଞାନିକ ଓ ସିଦ୍ଧହସ୍ତ ଲେଖକ ଷ୍ଟିଫେନ୍ ଜେ. ଗୋଲ୍ଡ଼ ବୈଜ୍ଞାନିକମାନଙ୍କ କର୍ମ-ପଦ୍ଧତିକୁ ଉପଲକ୍ଷ କରି ସୂଚାଇଛନ୍ତି ଯେ, ବୈଜ୍ଞାନିକମାନେ ନିଜ ନିଜର ଅବବୋଧ ଓ ଅନ୍ତଃଦୃଷ୍ଟି ବଳରେ ହାସଲ କରୁଥିବା ଧାରଣା ବା ଅନ୍ୟମାନଙ୍କ ଧାରଣାର ସତ୍ୟତା ପ୍ରତିପାଦନ କରିବାକୁ ଲାଳାୟିତ ହୁଅନ୍ତି । ସେମାନେ ନିଜ ନିଜ ମନରେ ଉଙ୍କି ମାରୁଥିବା ଧାରଣା ଅବଲମ୍ୱନରେ ପ୍ରାକୃତିକ କ୍ରିୟାଶୀଳତାକୁ ବୁଝାଇ ଦେବାପାଇଁ କଠିନ ଅଧ୍ୟବସାୟ ଚଳାନ୍ତି । ଏଣୁ, ମହାମତି ଚିନ୍ତାନାୟକମାନେ ମଧ୍ୟ ବେଳେ ବେଳେ ବିରାଟ ଭୁଲ କରନ୍ତି ।’’ ଏପରି ତ୍ରୁଟିଗୁଡ଼ିକ ବହୁକାଳ ବ୍ୟାପୀ ବିଜ୍ଞାନର ବିକାଶଧାରାକୁ ପ୍ରଭାବିତ କରୁଥିବାର ଦୃଷ୍ଟାନ୍ତ ବିଜ୍ଞାନର ଇତିହାସରେ ବିରଳ ନୁହେଁ । ଅବଶ୍ୟ, ପରବର୍ତ୍ତୀ କାଳରେ ଅନ୍ୟ ବୈଜ୍ଞାନିକମାନେ ଏପରି ତ୍ରୁଟିଗୁଡ଼ିକୁ ସୁଧାରି ଦେବାକୁ ଯତ୍ନଶୀଳ ହୁଅନ୍ତି । ଏହାର ପରିଣତି ସ୍ୱରୂପ ମନୁଷ୍ୟର ଚେତନାରେ ଉତ୍ତରଣ ଘଟେ ।

 

ଆମେ ସାଧାରଣ ଭାବରେ ବିଜ୍ଞାନ ଓ କଳା ମଧ୍ୟରେ ଯେପରି ସଂଯୋଗ ପ୍ରତିଷ୍ଠା କରୁଛୁ, ଉଭୟବିଧ ବୌଦ୍ଧିକ ପ୍ରୟାସ ମଧ୍ୟରେ ତଦପେକ୍ଷା ନିବିଡ଼ ସମ୍ପର୍କର ସମ୍ଭାବ୍ୟ ଅବସ୍ଥିତିକୁ ଆମେ ଅସ୍ୱୀକାର କରିପାରିବା ନାହିଁ । ଜଣେ ପ୍ରତିଭାଧର ବ୍ୟକ୍ତି କଳାକାର ଭାବରେ ବା ବୈଜ୍ଞାନିକ ଭାବରେ ନିଜ ପ୍ରତିଭାର ବିକାଶ ଓ ଉପଯୋଗ ଘଟାଇବା ସମ୍ଭବତଃ ତାଙ୍କ ନିଜସ୍ୱ ମନୋବୃତ୍ତି ବା ଆତ୍ମପ୍ରବୃତ୍ତ ପ୍ରବର୍ତ୍ତନା ଉପରେ ନିର୍ଭର କରେ । ସୁପ୍ରସିଦ୍ଧ ମାସାଚ୍ୟୁସେଟ୍ସ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍ ଟେକ୍ନୋଲଜିର ସିରିଲ୍ ଷ୍ଟାନ୍ଲେ ସ୍ମିଥ୍ ନାମକ ଜଣେ ପ୍ରବୀଣ ଧାତୁ ବିଜ୍ଞାନୀ ଧାତୁ ବିଜ୍ଞାନର (metallurgy) ଇତିହାସ ସମ୍ୱନ୍ଧରେ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହୀ ହେଲେ । ସେ ଜାଣି ଆଶ୍ଚର୍ଯ୍ୟ ହେଲେ ଯେ, ଉପଯୋଗୀ ଦାତୁଗୁଡ଼ିକର ପ୍ରକୃତି ସମ୍ୱନ୍ଧୀୟ ଆଦ୍ୟ ଜ୍ଞାନ ମନୁଷ୍ୟ ମ୍ୟୁଜିଅମ୍‍ ଗୁଡ଼ିକରେ ସଂରକ୍ଷିତ କଳାତ୍ମକ କୃତିଗୁଡ଼ିକରୁ ପାଇପାରିଛି । ନିଜ ଐତିହାସିକ ଗବେଷଣାରେ କିଛିବାଟ ଆଗେଇଯିବା ପରେ ସେ ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କଲେ । ସେ ଜାଣିପାରିଲେ ଯେ, ଏପରି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାକୁ ଏକ ଆକସ୍ମିକ ମେଳ ଭାବରେ ବିଚାର କରିବା ଠିକ୍ ନୁହେଁ; ବରଂ ଏହା ମନୁଷ୍ୟର ଆବିଷ୍କାର ପ୍ରବଣତାର ଫଳ । ସୌନ୍ଦର୍ଯ୍ୟାନୁରାଗଦ୍ୱାରା ପ୍ରବର୍ତ୍ତିତ କୌତୂହଳ ହିଁ କୌଣସି ଆବିଷ୍କାରର ଉତ୍ସ । ମନୁଷ୍ୟ ପ୍ରୟୋଗାତ୍ମକ ଆଭିମୁଖ୍ୟ ଘେନି କୌଣସି ଗବେଷଣା ଚଳାଇବାଦ୍ୱାରା କ୍ୱଚିତ୍ ବିଜ୍ଞାନର ଯଥାର୍ଥ ବିକାଶ ସାଧନ ଦିଗରେ କୃତକାର୍ଯ୍ୟ ହୁଏ । * ମାତ୍ର ସୌନ୍ଦର୍ଯ୍ୟାନୁରାଗ ପ୍ରବର୍ତ୍ତିତ ଅନ୍ତଃଦୃଷ୍ଟି ବଳରେ ମନୁଷ୍ୟର ମାନସପଟରେ ଯେର୍ଉ ଅଭିନବ ଚେତନାର ସ୍ଫୁରଣ ଘଟେ, ତାହାକୁ ଅନ୍ୟମାନଙ୍କ ଗ୍ରହଣଯୋଗ୍ୟ ମାର୍ଗରେ ଉପସ୍ଥାପନା କରିବାପାଇଁ ବୌଦ୍ଧିକ ଉଦ୍ୟମ ଚଳାଇବାଦ୍ୱାରା ହିଁ ସେ ବିଜ୍ଞାନର ଗନ୍ତାଘରକୁ ପରିପୁଷ୍ଟ କରେ ।

 

“Slowly I came to see that this was not a coincidence but a consequence of the very nature of discovery, for discovery derives from aesthetically motivated curiosity and is rarely a result of practical purposefulness.”

 

ଯେଉଁ ଯୁଗସ୍ରଷ୍ଟା ବୈଜ୍ଞାନିକମାନଙ୍କ ଅବିନଶ୍ୱର ସୃଜନଶୀଳତା ବିଜ୍ଞାନର ସମୃଦ୍ଧି ସାଧନ କରିଛି ଓ କରୁଛି; ସେମାନଙ୍କ ନିଜସ୍ୱ ଅଭିଜ୍ଞତା ଭିତ୍ତିକ ବକ୍ତବ୍ୟଗୁଡ଼ିକରୁ ସ୍ପଷ୍ଟ ଉପଲବ୍ଧ ହେଉଛି ଯେ, ସୌନ୍ଦର୍ଯ୍ୟବୋଧ ହିଁ କଳାଭଳି ବିଜ୍ଞାନର ଉତ୍ସ । ଲାବଣ୍ୟମୟୀ ପ୍ରକୃତିର ଶୋଭାସମ୍ଭାର ଯୁଗେ ଯୁଗେ ମନୁଷ୍ୟକୁ ନିଜ ଚେତନାର ଦିଗ୍‍ବଳୟକୁ ସଂପ୍ରସାରିତ କରିବାପାଇଁ ଆହ୍ୱାନ କରୁଛି । ସେ ମାତୃରୂପିଣୀ ପ୍ରକୃତିର ଆହ୍ୱାନକୁ ସାଦରେ ଗ୍ରହଣ କରି କଳା ଓ ବିଜ୍ଞାନ ଜରିଆରେ ପରିବର୍ତ୍ତନଶୀଳ ସଭ୍ୟତା ଓ ସଂସ୍କୃତିଗୁଡ଼ିକର ଅଭ୍ୟୁଦୟ ଘଟାଉଛି । ଯେଉଁ ସୌନ୍ଦର୍ଯ୍ୟାନୁରାଗର ପ୍ରବର୍ତ୍ତନା ପ୍ରକୃତିର ରହସ୍ୟ ଭେଦ କରିବାପାଇଁ ବୈଜ୍ଞାନିକଙ୍କ ସମ୍ୱେଦନଶୀଳ ମାନସପଟରେ ନବ ନବ ଚେତନାର ସ୍ଫୁରଣ ଘଟାଉଛି, ସେହି ସୌନ୍ଦର୍ଯ୍ୟାନୁରାଗର ଜନ୍ମଦାତ୍ରୀ ପ୍ରକୃତିକୁ ମନୁଷ୍ୟ ବର୍ତ୍ତମାନ ବୀଭତ୍ସ, ବିକୃତ ତଥା ଅପରିଣାମଦର୍ଶୀ ବଣିକସୁଲଭ ମନେବୃତ୍ତି ବିନିମୟରେ କଳୁଷିତ କରି ପକାଇବାକୁ କୁଣ୍ଠାବୋଧ କରୁନାହିଁ । ଏକ ବିଭ୍ରାନ୍ତିକର ଜୀବନାଦର୍ଶନର ଅନୁଗାମୀ ହୋଇ ତଥା ବିଜ୍ଞାନର ଅସଲ ରୂପ ସମ୍ପର୍କରେ ବିଭ୍ରାନ୍ତକାରୀ ଧାରଣାର ବଶବର୍ତ୍ତୀ ହୋଇ ସେ ବିଜ୍ଞାନାଶ୍ରୟୀ ଟେକ୍ନୋଲଜିଗୁଡ଼ିକ ବଳରେ ପ୍ରକୃତିର ସନ୍ତୁଳିତ ବିନ୍ୟାସକୁ ଅନୁରଦ୍ଧରଣୀୟ ମାର୍ଗରେ ବିକୃତ କରିଛି । ବର୍ତ୍ତମାନସର୍ବସ୍ୱ ତଥା ସ୍ୱାର୍ଥାନ୍ୱେଷୀ ଆଚରଣ ବଳରେ ସେ ଏଥିପାଇଁ ନିଜ ସମେତ ସମଗ୍ର ଜୀବ ଜଗତର ସ୍ଥାୟିତ୍ୱକୁ କିପରି ଭାବରେ ବିପଦାପନ୍ନ କରୁଛି, ତତ୍‍ସମ୍ପର୍କୀୟ ସଠିକ ଧାରଣା ପାଇପାରିବାକୁ ମଧ୍ୟ ସେ ଅପାରଗ ହୋଇଛି । ମାତ୍ର ନିଜ ପାରିପାର୍ଶ୍ୱିକ ପରିବେଶ ଓ ପରିସଂସ୍ଥାର ପ୍ରଦୂଷଣ ଚରମ ସୀମା ସ୍ପର୍ଶ କରିବାର ତିକ୍ତ ଅଭିଜ୍ଞତା ଅର୍ଜନ କରିବା ପରେ ସେ ନିଜର ତ୍ରୁଟି ସୁଧାରିବାପାଇଁ ଚିନ୍ତା କରୁଛି । ଏପରି ଏକ କ୍ରାନ୍ତିକାରୀ ପରିସ୍ଥିତିରେ ବିଚାରବୋଧସମ୍ପନ୍ନ ମନୁଷ୍ୟ ବିଜ୍ଞାନର ସୃଷ୍ଟି ସମ୍ୱନ୍ଧରେ ଯଥାର୍ଥ ଜ୍ଞାନ ପରିବେଷଣ କରିବା ଏକାନ୍ତ ବାଞ୍ଛନୀୟ ବୋଧ ହେଉଛି । ବିଜ୍ଞାନ ସମ୍ୱନ୍ଧୀୟ ଶିକ୍ଷା ପ୍ରଦାନ କରିବାପାଇଁ, ବିଜ୍ଞାନକୁ ଜନପ୍ରିୟ କରିବାପାଇଁ ତଥା ଜନରୁଚିକୁ ବିଜ୍ଞାନସମ୍ମତ ମାର୍ଗରେ ପରିମାର୍ଜିତ କରିବା ପାଇଁ ବୁଦ୍ଧିଜୀବୀମାନେ ଯେଉଁପ୍ରକାର ଉଦ୍ୟମ ଚଳାଇଛନ୍ତି, ସେଥିରେ ବିଜ୍ଞାନକୁ ଏକ ନୀରସ, ଶୁଷ୍କ, ବସ୍ତୁନିଷ୍ଠ ପ୍ରକ୍ରିୟା ରୂପେ ଅପଚିତ୍ରଣ କରାଯାଉଛି । ତେଣୁ ବିଜ୍ଞାନ ଶିକ୍ଷାପ୍ରାପ୍ତ ବୈଜ୍ଞାନିକ, ଇଞ୍ଜିନିଅର୍ ଓ ଚିକିତ୍ସକମାନଙ୍କ ଅବଚେତନ ମାନସରେ ସୌନ୍ଦର୍ଯ୍ୟାନୁରାଗ ବଳବତ୍ତର ସ୍ଥାନ ଅଧିକାର କରିବା ସମ୍ଭବ ହେଉନାହିଁ । ମାତ୍ର ଇତ୍ୟବସରରେ ପୃଥିବୀର ବିଭିନ୍ନ ଦେଶରେ ଏ ଦିଗରେ ବୌଦ୍ଧିକ ଉଦ୍ୟମର ଅୟମାରମ୍ଭ ଘଟିଛି । ବହୁ ସ୍ୱନାମଧନ୍ୟ ବୈଜ୍ଞାନିକ ଓ ବିଜ୍ଞାନ ଶିକ୍ଷାପ୍ରାପ୍ତ ସିଦ୍ଧହସ୍ତ ଲେଖକ ମନୁଷ୍ୟକୁ ବିଜ୍ଞାନର ସ୍ୱରୂପଟିକୁ ଚିହ୍ନାଇ ଦେବାପାଇଁ ପ୍ରଶଂସନୀୟ ଅବଦାନ ଯୋଗାଇ ଦେଲେଣି । ଏତଦ୍ଦ୍ୱାରା ବିଜ୍ଞାନକୁ ମନୁଷ୍ୟ ଆପଣାର କରିପାରିବାକୁ ସମର୍ଥ ହେବ । ସେ ବିଜ୍ଞାନଠାରୁ ଦୂରେଇ ରହି ବିଜ୍ଞାନ ନିର୍ଭରଶୀଳ ଟେକ୍ନୋଲଜିଗୁଡ଼ିକର ବିଚକ୍ଷଣ କରାମତି ଦ୍ୱାରା ସମ୍ମୋହିତ ହେବାର ଅବକାଶ ରହିବ ନାହିଁ । ମନୁଷ୍ୟ ବିଜ୍ଞାନର ଉତ୍ସ ସମ୍ପର୍କରେ ଅବଧାରିତ ହେବାଦ୍ୱାରା ବିଜ୍ଞାନର ଜନକଲ୍ୟାଣମୁଖୀ ଉପଯୋଗ ଘଟାଇବାପାଇଁ ସୁସଂଯତ ତଥା ବହୁ ଶୃଙ୍ଖଳାଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଇବା ଦିଗରେ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ପ୍ରବର୍ତ୍ତନା ଯୋଗାଇ ପାରିବ । ବିଳମ୍ୱରେ ହେଲେ ମଧ୍ୟ ଆମ ରାଜ୍ୟର ବୁଦ୍ଧିଜୀବୀମାନେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାପାଇଁ ଆଗ୍ରହୀ ହେଲେ, ଆମ ରାଜ୍ୟର ସର୍ବାଙ୍ଗୀନ ପ୍ରଗତି ସାଧନ ପାଇଁ ଆମେ ଉପଯୁକ୍ତ ଜନସମ୍ୱଳ ସୃଷ୍ଟି କରିପାରିବା ।

Image

 

ନିରସ୍ତ୍ରୀକରଣ ରାଜିନାମାର ଜରୁରୀକାଳୀନ ଆବଶ୍ୟକତା

(୧)

 

ପୃଥିବୀ ଇତିହାସରେ ଅଗଷ୍ଟ ମାସକୁ ଗୋଟିଏ ଅଶୁଭ ମାସ ରୂପେ ବିଚାର କରାଯାଉଛି । ଏହି ମାସରେ ହିରୋସୀମା ଓ ନାଗାସାକୀଠାରେ ସଙ୍ଘଟିତ ମନୁଷ୍ୟକୃତ ପ୍ରଳୟଙ୍କରୀ ତାଣ୍ଡବ ଲୀଳାର ହୃଦୟ ବିଦାରକ ସ୍ମୃତି ଆମ ଭାବବିହ୍ୱଳ ମାନସପଟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରେ । ୩୮ ବର୍ଷ ପୂର୍ବେ ଦ୍ୱିତୀୟ ମହାଯୁଦ୍ଧର ନାଟକୀୟ ତଥା ବିୟୋଗାନ୍ତ ଅବସାନ ଘଟାଇବାପାଇଁ ଜାପାନ ଦେଶର ହିରୋସୀମା ଓ ନାଗାସାକୀ ସହର ଦୁଇଟି ଉପରେ ପରମାଣୁ ବୋମାର ବିସ୍ଫୋରଣ ଘଟିବା ଯୋଗୁଁ ଏ ସହର ଦୁଇଟି ପ୍ରାୟତଃ ପୃଥିବୀ ବକ୍ଷରୁ ବିଲୁପ୍ତ ହୋଇଗଲା ଏବଂ ଏହାର ପ୍ରକୋପ ଯୋଗୁଁ ଅନ୍ୟୁନ ୧୭୦୦୦୦ ଆପାଳବୃଦ୍ଧ-ବନିତା ମର୍ମନ୍ତୁଦ ମୃତ୍ୟୁ ବରଣ କଲେ । ଏ ଅଦ୍ଭୁତପୂର୍ବ ଘଟଣା ମନୁଷ୍ୟକୁ ସ୍ତମ୍ଭୀଭୂତ କଲା । ବିଚାରବୋଧସମ୍ପନ୍ନ ମନୁଷ୍ୟ ବିଚାରିଲା ଯେ, ଦୁର୍ଦ୍ଦମନୀୟ ତଥା ଅଶାନ୍ତ ଓ ଉଦ୍‍ବେଗଜନକ ପରିସ୍ଥିତିର ତାଡ଼ନାରେ ଏ ଯେଉଁ ନାରକୀୟ ଲୀଳା ସଙ୍ଘଟିତ ହେଲା, ତାହାର ଆଉ ପୁନରାବୃତ୍ତି ଘଟିବ ନାହିଁ । ଧରଣୀ ବକ୍ଷରେ ତିଷ୍ଠି ରହିବାପାଇଁ ତଥା ନିଜ ଦାୟାଦମାନଙ୍କ ଜୀବନକୁ ନିରାପଦ କରିବାପାଇଁ ଯେଉଁ ମନୁଷ୍ୟ ନିଜ ବୌଦ୍ଧିକତା ଓ କର୍ମକୁଶଳତାର ନିରବଚ୍ଛିନ୍ନ ଉପଯୋଗ କରୁଛି, ସେ ସମ୍ଭବତଃ ଆଉ ପରମାଣୁ ବୋମା ପ୍ରସ୍ତୁତି ଦିଗରେ ମନଯୋଗୀ ହେବନାହିଁ । କେତେକ ବୁଦ୍ଧିଜୀବୀ ବିଚାରିଲେ ଯେ, ପ୍ରଥମ ଓ ଶେଷଥରପାଇଁ ମନୁଷ୍ୟ ପରମାଣୁ ବୋମାର ଭୟାବହ ପରିଣତି ସମ୍ପର୍କରେ ପ୍ରତ୍ୟୁକ୍ଷ ଅନୁଭୂତି ଅର୍ଜନ କଲା । ଏପରି ତିକ୍ତ ଅଭିଜ୍ଞତାରୁ ସେ ନିଶ୍ଚିତ ଭାବରେ ଶିକ୍ଷାଲାଭ କରିବ ଏବଂ ନିଜ ତିଷ୍ଠି ରହିବାର ପ୍ରବୃତ୍ତିକୁ ବଳବତ୍ତର କରାଇବା ସଙ୍ଗେ ସଙ୍ଗେ ସେ ଏପରି ଭୟାବହ ବ୍ୟାପାରର ପୁନରାବୃତ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମାତ୍ର ଏହି ପରିପ୍ରେକ୍ଷୀରେ ସାମ୍ପ୍ରତିକ ଘଟଣାବଳୀକୁ ବିଚାର କରିବାଦ୍ୱାରା ମନୁଷ୍ୟ ନିଜ ଉପରୁ ଆସ୍ଥା ହରାଉଥିବା ପରି ଅନୁଭବ କରୁଛି । ନିଜ ଭବିଷ୍ୟତର ଅନିଶ୍ଚିତତା ତାକୁ ବିବ୍ରତ କରିପକାଉଛି ।

 

ଦ୍ୱିତୀୟ ମହାଯୁଦ୍ଧର ଅବସାନ ଘଟିବା ପରଠାରୁ ଇତ୍ୟବସରରେ ନିଉକ୍ଳିଆର ପଳୟଠାରୁ ଦୂରେଇଯିବା ପରିବର୍ତ୍ତେ ତାହାର ସାମ୍ଭାବ୍ୟ ସଂଘଟନ ଦିଗରେ ହିଁ ବ୍ୟାପକ ଉଦ୍ୟମ କରାଯାଇଛି । ଏହି ଅବସରରେ ନିଉକ୍ଳିଆର ବୋମା ନିର୍ମାଣ କରୁଥିବା ରାଷ୍ଟ୍ରଗୁଡ଼ିକ ପ୍ରାୟ ୪୦୦୦୦ ରୁ ୫୦୦୦୦ ପର୍ଯ୍ୟନ୍ତ ଶକ୍ତିଶାଳୀ ବୋମା ନିଜ ନିଜ ରାଷ୍ଟ୍ରରେ ସାଇତି ରଖିଲେଣି । ଟିଏନ୍‍ଟି ମାପ ଅନୁପାତରେ ଏହି ବୋମାଗୁଡ଼ିକର ଶକ୍ତି ୧୦୦ ଟନ୍‍ଠାରୁ ୨୦ ନିୟୁତ ଟନ୍ ପର୍ଯ୍ୟନ୍ତ ହୋଇଛି । ଅଦ୍ୟାବଧି ଯେତେଗୁଡ଼ିଏ ନିଉକ୍ଳିଆର ବୋମା ପରୀକ୍ଷାମୂଳକ ଭାବରେ ବିସ୍ଫୋରିତ ହେଲାଣି, ତନ୍ମଧ୍ୟରୁ ସର୍ବାପେକ୍ଷା ଅଧିକ ଶକ୍ତିଶାଳୀ ବୋମାର ଅନିଷ୍ଟକାରୀ ଶକ୍ତି ହିରୋସୀମାଠାରେ ବିସ୍ଫୋରିତ ବୋମା ତୁଳନାରେ ୪୦୦୦ ଗୁଣ ଅଧିକ ହୋଇଛି । ଭୂପୃଷ୍ଠର ମୋଟ୍ ଜନସଂଖ୍ୟା ପରିପ୍ରେକ୍ଷୀରେ ସଞ୍ଚିତ ବୋମାର କ୍ଷୟକାରୀ ଶକ୍ତିର ବିତରଣ ସମ୍ପର୍କରେ ସ୍ଥୂଳ ହିସାବ ଚଳାଇବା ଦ୍ୱାରା ଜଣାପଡ଼ିଛି ଯେ, ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖକୁ ଟାଣି ନେବାପାଇଁ ଗଚ୍ଛିତ ଶକ୍ତିର ପରିମାଣ ହାରାହାରି ତିନି ଟନ୍ ବା ତା’ଠାରୁ ସାମାନ୍ୟ ଅଧିକ ହୋଇଛି-। ମନୁଷ୍ୟ ଯୁଦ୍ଧରେ ବ୍ୟବହାର କରିବାପାଇଁ ନିଜ ବୁଦ୍ଧି ଖଟାଇ ଯେତେପ୍ରକାର ବିସ୍ଫୋରକ ଦ୍ରବ୍ୟ ଆବିଷ୍କାର କରିଛି, ମେଗାଟନ ବୋମାର କ୍ଷୟକାରୀ ଶକ୍ତି ତୁଳନାରେ ସେଗୁଡ଼ିକ ନଗଣ୍ୟ ହୋଇଛି-। ଶିଳ୍ପୋନ୍ନତ ତଥା ପ୍ରଭୂତ ସାମରିକ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ନିଉକ୍ଳିଆର ବୋମା ଆଧାରିତ ଗବେଷଣା ଓ ପ୍ରସ୍ତୁତି ବ୍ୟାପାରରେ ମିନିଟ୍‍ ପିଛା ଏକ ନିୟୁତ ଡଲାର ଅର୍ଥ ବ୍ୟୟ କରୁଛନ୍ତି, ଅଥଚ ସମକାଳୀନ ଭାବରେ ସମୂଳର ଅଭାବଯୋଗୁଁ ପୃଥିବୀ ବକ୍ଷରେ ମିନିଟ୍‍ପିଛା ୪୦୦୦୦ ନିରୀହ ଶିଶୁ ଛଟପଟ ହୋଇ ଅକାଳ ମୃତ୍ୟୁ ବରଣ କରୁଛନ୍ତି । ବିପୁଳ ଅର୍ଥ ବିନିମୟରେ ପୃଥିବୀର ବିଭବଶାଳୀ ରାଷ୍ଟ୍ରମାନଙ୍କରେ ସର୍ବମୋଟ ଯେତିକି ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞମାନଙ୍କୁ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ନିଯୁକ୍ତି କରାଯାଉଛି, ତାହାର ଶତକଡ଼ା ୨୦ ଭାଗ କେବଳ ପ୍ରତିରକ୍ଷା ସଂକ୍ରାନ୍ତୀୟ ଗବେଷଣାରେ ଗୋପନୀୟ ଭାବରେ ଆତ୍ମନିୟୋଗ କରିଛନ୍ତି ।

 

ବୈଜ୍ଞାନିକ ଗବେଷଣା ପ୍ରସ୍ତୁତ ତଥ୍ୟରାଜିର ପ୍ରାୟୋଗିକ ଉପଯୋଗ କରିବାପାଇଁ ମନୁଷ୍ୟ ବିଭିନ୍ନ ଟେକ୍ନୋଲଜି ଉଦ୍ଭାବନ କରିଛି ଏବଂ ସେଗୁଡ଼ିକ ପ୍ରୟୋଗ କରି ସେ ଧରଣୀ ବକ୍ଷରେ ତିଷ୍ଠି ରହିବାପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛି । ମାତ୍ର ଚଳିତ ଶତାବ୍ଦୀରେ ଆପେକ୍ଷିକ ତତ୍ତ୍ୱ ତଥା ନିଉକ୍ଳିଆର ପଦାର୍ଥ ବିଜ୍ଞାନ ଆଧାରିତ ଗବେଷଣାର ଫଳକୁ ବିଚାରକୁ ନେଇ ସେ ଉଲ୍ଲିଖିତ ପ୍ରକାରେ ଯେଉଁ ଆତ୍ମବିନାଶୀ ଟେକ୍ନୋଲଜିର ଅନିଷ୍ଟକାରୀ ଉପଯୋଗ ଘଟାଉଛି । ପୃଥିବୀ ଇତିହାସରେ ତାର ପଟାନ୍ତର ନାହିଁ । ଏହାକୁ ‘ମଣିଷର ପାଗଳାମିର ସର୍ବୋଚ୍ଚ ସ୍ତର’ ରୂପେ ଚିତ୍ରଣ କରାଯାଉଛି । ଏହି ପାଗଳାମିକୁ ବନ୍ଦ କରିଦେବାପାଇଁ ଯଦି ଜରୁରୀକାଳୀନ ଭିତ୍ତିରେ ଆନ୍ତଃରାଷ୍ଟ୍ରୀୟ ବୁଝାମଣା ବିନିମୟରେ ସନ୍ତୋଷପ୍ରଦ କଟକଣା ଜାରି କରାନଯାଏ, ତାହାହେଲେ ଭୁଲ୍‍ବଶତଃ ମଧ୍ୟ କେହି ବୋତାମ ଟିପିଦେବାକ୍ଷଣି ଭୂପୃଷ୍ଠରେ ନିଉକ୍ଳିଆର ଯୁଦ୍ଧ ଆରମ୍ଭ ହୋଇଯିବ-। ମଣିଷ ନିଜ ସମେତ ସମଗ୍ର ଜୀବଜଗତକୁ ଲୋକ କରିଦେବା ପାଇଁ ନିଜ ମୁଣ୍ଡରେ ଯେଉଁ ବୋଝ ବୋହୁଛି, ତାହାର ଭାର ତାକୁ ଉଦ୍ବିଗ୍ନ ଓ ଚିନ୍ତାକୁଳ କରିଛି । ତଥାପି ଆଶାବାଦୀ ମଣିଷ ନିଜ ଉପରୁ ଆସ୍ଥା ତୁଟାଇ ନାହିଁ । ତିଷ୍ଠି ରହିବାର ପ୍ରବୃତ୍ତି ହିଁ ମନୁଷ୍ୟକୁ ଯୁଗେ ଯୁଗେ ବହୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରେରଣା ଯୋଗାଇଛି । ଏଣୁ ଆଶା କରାଯାଉଛି ଯେ, ଏହି ପ୍ରବୃତ୍ତିକୁ ବଳବତ୍ତର କରାଇବାର ପରିଣତି ସ୍ୱରୂପ ଶକ୍ତିଶାଳୀ ବା ଦୁର୍ବଳ ରାଷ୍ଟ୍ର ନିର୍ବିଶେଷରେ ପୃଥିବୀର ଜାଗ୍ରତ ଜନମତ ନିଉକ୍ଳିଆର ନିରସ୍ତ୍ରୀକରଣ ପାଇଁ ସଂପୃକ୍ତ ରାଷ୍ଟ୍ରଗୁଡ଼ିକ ଉପରେ ନୈତିକଚାପ ଆରୋପ କରିପାରିବ । ପାର୍ଥବ ବା ଗ୍ରାହିକ ଜନମତ ହିଁ ମନୁଷ୍ୟକୁ ଆସନ୍ନ ବିପଦ କବଳରୁ ଉଦ୍ଧାର କରିପାରିବ ।

 

ଯେଉଁ ରାଷ୍ଟ୍ରଗୁଡ଼ିକ ନିଉକ୍ଳିଆର୍ ଶକ୍ତିକୁ ବୋମା ନିର୍ମାଣ ବ୍ୟାପାରରେ ନିୟୋଜିତ କରିଛନ୍ତି, ସେହି ରାଷ୍ଟ୍ରଗୁଡ଼ିକରେ ବର୍ତ୍ତମାନ ଏହା ବିରୋଧରେ ଜନମତର ପରିପ୍ରକାଶ ଘଟୁଛି । ଉତ୍ତର ଆମେରିକା ଓ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଏପରି ପାଗଳାମିରୁ ସରକାରଙ୍କୁ ନିବୃତ୍ତ କରାଇବା ପାଇଁ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କଲେଣି । ଏ ବିପଦ ସମଗ୍ର ପୃଥିବୀର ପରିବେଶ ଓ ପରିସଂସ୍ଥାକୁ କଳୁଷିତ କରିବାର ଆଶଙ୍କା ଥିବାରୁ ନିଉକ୍ଳିଆର୍‍ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏପରି ଅପରିମାଣଦର୍ଶୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦର ସ୍ୱର ଉତ୍ତୋଳନ କରିବା ବେଶ୍ ସମୟୋପଯୋଗୀ ହୋଇଛି । ଏ ଦୃଷ୍ଟିରୁ ନିରପେକ୍ଷ ରାଷ୍ଟ୍ରଗୁଡ଼ିକ ସାମୁହିକ ଭାବରେ ସ୍ୱର ଉତ୍ତୋଳନ କରିବାର ସମୀଚୀନତା ଅନାୟାସରେ ଉପଲବ୍ଧ ହେଉଛି । ଆମ ଦେଶରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ବର୍ତ୍ତମାନ ନିରପେକ୍ଷ ରାଷ୍ଟ ସମ୍ମିଳନୀର ଚେଆର୍ପର୍ସନ୍ ପଦରେ ଅଧିଷ୍ଠିତା ହୋଇଛନ୍ତି । ତାଙ୍କ ବଳିଷ୍ଠ ନେତୃତ୍ୱ ନିଉକ୍ଳିଆର୍ ନିରସ୍ତ୍ରୀକରଣ ଭଳି ଗୋଟିଏ ଅତି ଜରୁରୀ ସମସ୍ୟାର ସନ୍ତୋଷପ୍ରଦ ସମାଧାନ ପାଇଁ ସମସ୍ତ ନିରପେକ୍ଷ ରାଷ୍ଟ୍ରଗୁଡ଼ିକର ସମ୍ମିଳିତ ସ୍ୱରକୁ ଫଳପ୍ରଦ ମାନରେ ପ୍ରସାରିତ କରାଇବା ପୂର୍ବକ ଗ୍ରାହିକ ଜନମତ ବିନିମୟରେ ସଂପୃକ୍ତ ରାଷ୍ଟ୍ରମାନଙ୍କରେ ମାନବିକତାବୋଧର ସଞ୍ଚାର ଘଟାଇବାର ଉଜ୍ଜ୍ୱଳମୟ ସମ୍ଭାବନାକୁ ଏଡ଼ି ହେଉନାହିଁ ।

 

ମିଳିତ ଜାତିସଂଘ ମଧ୍ୟ ନିରସ୍ତ୍ରୀକରଣ ସପକ୍ଷରେ ଜନମତ ସଂଗ୍ରହ କରିବାପାଇଁ ପୃଥିବୀର ବିଭିନ୍ନ ଦେଶର ବୁଦ୍ଧିଜୀବୀମାନଙ୍କୁ ବିଚାରନୈପୁଣ୍ୟ ଜରିଆରେ ମାନବବାଦୀ ସ୍ୱର ଉତ୍ତୋଳନ କରିବାକୁ ଉଦ୍ବୁଦ୍ଧ କରୁଛି । ସୁଖର କଥା ଯେ, ଚଳିତବର୍ଷ ଅଗଷ୍ଟ ମାସରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ନିରସ୍ତ୍ରୀକରଣ ସମ୍ପର୍କରେ ଆଲୋଚନା ଚଳାଇବାପାଇଁ ନୂଆଦିଲ୍ଲୀଠାରେ ଗୋଟିଏ ପାଞ୍ଚଦିନିଆ ଅଧିବେଶନ ଅନୁଷ୍ଠିତ ହୋଇଛି । ଏହାପୂର୍ବରୁ ଏସୀୟ ତଥା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କୌଣସି ରାଷ୍ଟ୍ରରେ ମିଳିତ ଜାତିସଂଘର ନିରସ୍ତ୍ରୀକରଣ ଦପ୍ତର ଏପରି ଆନ୍ତଃରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ କରିନଥିଲେ । ଅଷ୍ଟ୍ରେଲିଆ, ବଙ୍ଗଳାଦେଶ, ଚୀନ, ଇଣ୍ଡୋନେସିଆ, ଜାପାନ, ମାଲୟେସିଆ, ମଙ୍ଗୋଲିଆ, ନେପାଳ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଫିଲିପାଇନ୍‍ସ, ସିଙ୍ଗାପୁର, ଶିଲକା, ଥାଇଲାଣ୍ଡ ଓ ପାପୁଆ ନିଉନନି ପ୍ରମୁଖ ୧୬ଟି ରାଷ୍ଟ୍ରର ୫୦ ଜଣ ପ୍ରତିନିଧି ଏଥିରେ ଅଂଶ ଗ୍ରହଣ କରିଥିଲେ । ଅଗଷ୍ଟ ମାସ ୨୬ ତାରିଖରେ ଶେଷ ହୋଇଥିବା ଏହି ସମ୍ମିଳନୀରେ ପ୍ରତିନିଧିମାନେ ଦୃଢ଼ ଧାରଣା ପ୍ରକାଶ କରିଥିଲେ ଯେ, ଅସ୍ତ୍ର-ପ୍ରତିଯୋଗିତା ବିରୋଧରେ ଏ ଅଞ୍ଚଳର ଦେଶମାନଙ୍କ ସଂଗ୍ରାମରେ ହିଁ ମାନବ ଜାତିର ଭବିଷ୍ୟତ ସ୍ଥିତି ନିହିତ ।

 

(୨)

ସମ୍ଭାବ୍ୟ ନିଉକ୍ଳିଆର୍ ଯୁଦ୍ଧର ଭୟାବହତା

 

ଭବିଷ୍ୟତରେ ନିଉକ୍ଳିଆର୍ ଅସ୍ତ୍ରଗୁଡ଼ିକୁ ଯୁଦ୍ଧରେ ପ୍ରୟୋଗ କରାଯିବା ଫଳରେ କେଉଁ ପ୍ରକାର ବିଭୀଷିକା ସୃଷ୍ଟି ହେବ ? ମିଳିତ ଜାତିସଂଘ ତଥା ପୃଥିବୀର ବିଭିନ୍ନ ଦେଶର ପ୍ରବୀଣ ବିଶେଷଜ୍ଞମାନଙ୍କ ଅନୁସନ୍ଧାନ ଫଳରେ ଏ ସମ୍ପର୍କୀୟ ବହୁ ଚାଞ୍ଚଲ୍ୟକର ତଥ୍ୟ ପରିବେଷିତ ହୋଇଛି । ଗୋଟିଏ ନିଉକ୍ଳିଆର ବୋମାର ବିସ୍ଫୋରଣ ଯେଉଁ ପ୍ରକାର ଭୟାବହ ପରିସ୍ଥିତି ସୃଷ୍ଟି କରିବ, ତତ୍‍ସମ୍ପର୍କୀୟ ପ୍ରାଞ୍ଜଳ ସ୍ପଷ୍ଟୀକରଣ ଯୋଗାଇଦେବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ଆନୁକୁଲ୍ୟରେ ଯେଉଁ ବିବରଣୀ ପ୍ରସ୍ତୁତ ହୋଇଛି, ତାହାର ସାରମର୍ମ ନିମ୍ନରେ ପ୍ରଦତ୍ତ ହୋଇଛି—

 

‘ବୋମା ବିସ୍ଫୋରଣ ଯୋଗୁଁ ପ୍ରଥମେ ଏପରି ଏହି ଉଚ୍ଚ ତୀବ୍ରତାଯୁକ୍ତ ଆଲୋକ ସୃଷ୍ଟି ହେବ ଯେ, ତାହାର ଝଲକ ସାମୟିକ ଭାବରେ ମନୁଷ୍ୟକୁ ଅନ୍ଧ କରିଦେବ, ଏପରିକି ବିସ୍ଫୋରଣ-ସ୍ଥଳଠାରୁ ବହୁ କିଲୋମିଟର ପର୍ଯ୍ୟନ୍ତ ଏହି ଶୁଭ୍ର ଆଲୋକର ଝଲକ ମନୁଷ୍ୟକୁ ଚମକାଇଦେବ । ସୃଷ୍ଟ ଅଗ୍ନି ପିଣ୍ଡୁଳାର ନିମ୍ନଦେଶରେ ଥିବା ତଥା ସନ୍ନିକଟ ଅଞ୍ଚଳରେ ଥିବା ସମସ୍ତ ବସ୍ତୁ ବାଷ୍ପୀଭୂତ ହୋଇଯିବ କିମ୍ୱା ତରଳିଯିବ । ବିସ୍ଫୋରଣ ସ୍ଥଳଠାରୁ କିଛିଦୂର ମଧ୍ୟରେ ଥିବା ଅଞ୍ଚଳରେ ତାପୀୟ ବିକିରଣର ପ୍ରଭାବଯୋଗୁଁ ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁଗୁଡ଼ିକ ପୋଡ଼ିଯିବ ଏବଂ ସେଥିରେ ଚାହୁଁ ଚାହୁଁ ନିଆଁ ଲାଗିଯିବ । ବିସ୍ଫୋରଣ-ସ୍ଥଳଠାରୁ ତିନି କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳ ମଧ୍ୟରେ ବାସକରୁଥିବା ଜନସାଧାରଣ ଏହି ପୋଡ଼ାଜଳାଯୋଗୁଁ ମର୍ମନ୍ତୁଦ ମୃତ୍ୟୁର ସମ୍ମୁଖୀନ ହେବେ । ବିସ୍ଫୋଟନ ପ୍ରଭାବ ତାପୀୟ ପ୍ରଭାବ ତୁଳନାରେ ଅଧିକ କ୍ଷତି ଘଟାଇବ । ବିସ୍ଫୋଟନ ଯୋଗୁଁ ହଠାତ୍ ଯେଉଁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେବ, ତାହା ମନୁଷ୍ୟକୁ ହତଚକିତ କରିଦେବ । ଏହି ଗର୍ଜନ ସୃଷ୍ଟି ହେବାର ପରକ୍ଷଣରେ ବିସ୍ଫୋରଣ-ସ୍ଥଳଠାରୁ ପ୍ରବଳ ବେଗରେ ପବନ ବହିବ । ପ୍ରଚଣ୍ଡ ଶବ୍ଦ ତଥା ପ୍ରଳୟଙ୍କରୀ ତୋଫାନର ପ୍ରଭାବରେ ସଂପୃକ୍ତ ଅଞ୍ଚଳର ସମସ୍ତ କୋଠାବାଡ଼ି ଭୁଷୁଡ଼ିଯିବ-। ପବନର ବେଗ ଏପରି ତୀବ୍ର ହେବ ଯେ, ଖୋଲା ସ୍ଥାନମାନଙ୍କରେ ଆଶ୍ରୟ ନେଇଥିବା ବ୍ୟକ୍ତିମାନଙ୍କୁ ଏହା ଉଡ଼ାଇଦେବ । ଏପରି ଭାବରେ ବିସ୍ଫୋରଣ ସ୍ଥଳଠାରୁ ପ୍ରାୟ ଦେଢ଼ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଖୋଲା ସ୍ଥାନରେ ବା ସାଧାରଣ ବାସଗୃହମାନଙ୍କରେ ଆଶ୍ରୟ ନେଇଥିବା ନରନାରୀ ବିଭିନ୍ନ କାରଣଯୋଗୁଁ ମୃତ୍ୟୁ କବଳିତ ହେବେ । ଯେଉଁମାନେ ତାପୀୟ ବା ବିସ୍ଫୋଟନୀୟ ପ୍ରଭାବ କବଳରୁ ବର୍ତ୍ତିଯିବେ, ସେମାନେ ଶୀଘ୍ର ହେଉ ବା ବିଳମ୍ୱରେ ହେଉ ଅନିଷ୍ଟକାରୀ ତେଜଷ୍କ୍ରିୟ ବିକିରଣର ପ୍ରଭାବଯୋଗୁଁ ଛଟପଟ ହୋଇ ମରିବେ ।’

 

ସ୍ୱିଡ଼େନର ‘ରୟାଲ୍ ସ୍ୱେଡ଼ିସ ଆକାଡ଼େମୀ ଅଫ୍ ସାଇନସେସ୍’ ଆନୁକୁଲ୍ୟରେ ପରିଚାଳିତ ଅନୁସନ୍ଧାନ ଫଳରେ ବହୁ ଜ୍ଞାତବ୍ୟ ତଥ୍ୟ ପ୍ରକାଶିତ ହୋଇଛି । ଏହି ଅନୁସନ୍ଧାନର ଫଳରୁ କେତେକ ଉଲ୍ଲେଖନୀୟ ତଥ୍ୟ ନିମ୍ନରେ ଉଦ୍ଧୃତ ହୋଇଛି :—

 

‘ନିଉକ୍ଳିଆର ଅସ୍ତ୍ର ନିର୍ମାଣକାରୀ ରାଷ୍ଟ୍ରଗୁଡ଼ିକ ବର୍ତ୍ତମାନ ସେମାନଙ୍କ ଭଣ୍ଡାର ଘରେ ଯେଉଁ ପରିମାଣର ଅସ୍ତ୍ର ସାଇତି ରଖିଛନ୍ତି, ତାହାର କିୟଦଂଶକୁ ଯଦି ଯୁଦ୍ଧରେ ବ୍ୟବହାର କରାଯାଏ, ତାହାହେଲେ ହଠାତ୍ ୭୫୦ ନିୟୁତ ବ୍ୟକ୍ତି ମୃତ୍ୟୁ କବଳିତ ହେବେ ଏବଂ ଆଉ ୩୪୦ ନିୟୁତ ବ୍ୟକ୍ତି ଗୁରୁତର ଭାବରେ ଆହତ ହେବେ ।

 

ଏହି ଯୁଦ୍ଧ ପୃଥିବୀର ପରିସଂସ୍ଥାକୁ ଶୋଚନୀୟ ଭାବରେ ବଦଳାଇ ଦେବ । ଯୁଦ୍ଧର ବିଭୀଷିକାଯୋଗୁଁ ଉତ୍ତର ଗୋଲାର୍ଦ୍ଧର ସମଗ୍ର ଅଞ୍ଚଳ ଛାରଖାର ହୋଇଯିବ । ଅଗ୍ନି ସଂଯୋଗ ଘଟିବା ଫଳରେ ସମସ୍ତ ଜଙ୍ଗଲାଞ୍ଚଳ ଓ ଶସ୍ୟକ୍ଷେତ୍ର ଭସ୍ମସ୍ତୂପରେ ପରିଣତ ହେବ । ତୈଳ ଓ ପ୍ରାକୃତିକ ଗ୍ୟାସ ସଂଗ୍ରହପାଇଁ ଉଦ୍ଦିଷ୍ଟ ଖଣିଗୁଡ଼ିକରେ ଅଗ୍ନି ସଂଯୋଗ ଘଟିବା ହେତୁ ପ୍ରବଳ ଉତ୍ତାପ ସୃଷ୍ଟି ହେବ । ବିସ୍ଫୋରଣଯୋଗୁଁ ସ୍ପଷ୍ଟ ଉତ୍ତାପ ତଥା ଉଲ୍ଲିଖିତ ପ୍ରକାର ଉତ୍ପନ୍ନ ଉତ୍ତାପ ବାୟୁମଣ୍ଡଳର ସ୍ଥିତାବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ । ଏଥିପାଇଁ ବାୟୁମଣ୍ଡଳରେ ସାନ୍ଦ୍ର ପ୍ରକାଶ-ରାସାୟନିକ କୁହୁଡ଼ି ସୃଷ୍ଟି ହେବ ଏବଂ ଷ୍ଟ୍ରାଟୋମଣ୍ଡଳରେ ଓଜନମଣ୍ଡଳର ବ୍ୟାପ୍ତି ସଙ୍କୁଚିତ ହୋଇଯିବ । ଏପରି ପ୍ରତିକୂଳ ପରିବେଶ ଅନ୍ତତଃ କିଛିବର୍ଷପାଇଁ ବଜାୟ ରହିବା ଫଳରେ ଉଭିଦ ଜଗତ, ମନୁଷ୍ୟ ତଥା ମନୁଷ୍ୟେତ୍ତର ପ୍ରାଣୀ ଜଗତର ପ୍ରଭୂତ କ୍ଷତି ଘଟିବ । ପ୍ରାକୃତିକ ପରିସଂସ୍ଥା ବହୁବିଧ ଅନିଷ୍ଟକାରୀ ବିକିରଣ ତଥା ପରିବେଶୀୟ ପରିବର୍ତ୍ତନଗୁଡ଼ିକର ଦୀର୍ଘମିଆଦୀ କୁପ୍ରଭାବଯୋଗୁଁ ଏପରି କଳୁଷିତ ହୋଇଯିବ ଯେ, ଅନିଷ୍ଟକାରୀ କୀଟ ପତଙ୍ଗଗୁଡ଼ିକର ସଂକ୍ରମଣ ଉଭିଦଗୁଡ଼ିକୁ ନଷ୍ଟ କରିଦେବ ।’

 

ଜନସାଧାରଣଙ୍କୁ ନିରାପଦ ଆଶ୍ରୟ ଦେବାପାଇଁ କାର୍ଯ୍ୟକାରୀ ହୋଇଥିବା ବ୍ୟବସ୍ଥାଗୁଡ଼ିକ ଫଳପ୍ରଦ ହେବ କି ? ପୃଥିବୀର ବହୁ ପ୍ରବୀଣ ଚିକିତ୍ସକ ଓ ମନସ୍ତତ୍ତ୍ୱବିତ୍ ଏପରି ପ୍ରଶ୍ନର ଉତ୍ତର ଯୋଗାଇ ଦେଲେଣି । ସେମାନଙ୍କ ମତାନୁଯାୟୀ ଏହି ପ୍ରଳୟଙ୍କରୀ ତାଣ୍ଡବଲୀଳା ଯେଉଁ ବିଭୀଷିକା ସୃଷ୍ଟି କରିବ, ତଜ୍ଜନିତ ମନୁଷ୍ୟ ନିଜର ମାନସିକ ଭାରସାମ୍ୟ ହରାଇବାକୁ ବାଧ୍ୟ ହେବ । ସେ ଜୀବନଯାପନ କରିବାର ସାମର୍ଥ୍ୟ ହରାଇବ । ଜୀବନର ମାଦକତା ଉପଭୋଗ କରିବାକୁ ବା ଜୀବନ ସଂଗ୍ରାମରେ ଜଡ଼ିତ ହେବାକୁ ତା’ମନରେ କୌଣସି ସ୍ପୃହା ରହିବ ନାହିଁ । ହିରୋସୀମାର ତିକ୍ତ ଅଭିଜ୍ଞତା ଉଲ୍ଲିଖିତ ମନ୍ତବ୍ୟର ଯଥାର୍ଥତା ପ୍ରତିପାଦନ କରିଛି ।

 

ଯୁଦ୍ଧରେ ପ୍ରୟୋଗ କରାଯାଉଥିବା ଅନ୍ୟ ଯେକୌଣସି ମାରଣାସ୍ତ୍ର ସହିତ ନିଉକ୍ଳିଆର୍ ବୋମାକୁ ତୁଳନା କରିବା ଯଥାର୍ଥ ହେବନାହିଁ । ୧୯୦୭ ମସିହାର ହେଗ୍ କନ୍ ଭେନ୍‍ସନ୍ ଓ ୧୯୪୯ ମସିହାର ଜେନେଭା କନ୍‍ଭେନ୍‍ସନ ଅନୁଯାୟୀ ନିଉକ୍ଳିଆର୍ ବୋମାକୁ ଯୁଦ୍ଧକ୍ଷେତ୍ରରେ ପ୍ରୟୋଗ କରାଯିବା ବିଧିସମ୍ମତ ବୋଧ ହେଉନାହିଁ । ଯୁଦ୍ଧ ଯେକୌଣସି କାରଣଯୋଗୁଁ ଆରମ୍ଭ ହେଉ ପଛକେ, ଏହାର ପ୍ରୟୋଗଯୋଗୁଁ ଅନ୍ତିମ ପରିଣତି ଯେପରି ଗୁରୁତର ତଥା ଶୋଚନୀୟ ଆକାର ଧାରଣ କରିବାର ଅବକାଶ ରହିଛି । ତାହାକୁ ଯୁଦ୍ଧସହ ସଂପୃକ୍ତ କୌଣସି ରାଷ୍ଟ୍ରର ବିଚାରବୋଧସମ୍ପନ୍ନ ନାଗରିକମାନେ ଯଦି ପୂର୍ବରୁ ସମ୍ୟକ୍‍ଭାବରେ ଉପଲବ୍ଧି କରିପାରନ୍ତି ତାହାହେଲେ ଏପରି ବୋମାର ବିସ୍ଫୋରଣ ବିରୋଧରେ ସେମାନେ ନିଶ୍ଚିଭାବରେ ସମ୍ମିଳିତ ସ୍ୱର ଉତ୍ତୋଳନ କରିବେ । କାରଣ, ଏହା ଏକ ‘ଅନ୍ତିମ ଅସ୍ତ୍ର’ ସଦୃଶ ପ୍ରଭାବ ବିସ୍ତାର କରିବାର ନିଶ୍ଚିନ୍ତ ସମ୍ଭାବନାକୁ ଏଡ଼ି ହେଉନାହିଁ । ଏହାର ପ୍ରୟୋଗ ଯୋଗୁଁ ଶତ୍ରୁ ରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଧନଜୀବନ ହାନୀ ଘଟିବ ଏବଂ ଯୁଦ୍ଧସହ ସଂପୃକ୍ତ ହୋଇନଥିବା ରାଷ୍ଟ୍ରଗୁଡ଼ିକର ପରିବେଶ ଓ ପରିସଂସ୍ଥା ମଧ୍ୟ ସ୍ୱଳ୍ପମିଆଦି ତଥା ଦୀର୍ଘମିଆଦି ସୂତ୍ରରେ କଳୁଷିତ ହୋଇଯିବ । ସର୍ବୋପରି ତାତ୍ପର୍ଯ୍ୟର ବିଷୟ ହେଉଛି ଯେ, ସାମରିକ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ଯଦି ପରସ୍ପର ମଧ୍ୟରେ ଯୁଦ୍ଧର ମୁକାବିଲା କରିବାପାଇଁ ଏପରି ବୋମା ପ୍ରୟୋଗ କରନ୍ତି, ତାହାହେଲେ ବିଜେତା ବିଜିତ ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କରିହେବ ନାହିଁ । ଉଦାର ଅର୍ଥନୀତିଜ୍ଞ ଜନ୍ କେନ୍ନେଥ ଗାଲଭେଥଙ୍କ ଭାଷାରେ ଭସ୍ମସ୍ତୂପ ମଧ୍ୟରୁ ପୁଞ୍ଜିବାଦୀମାନଙ୍କୁ ବା କମ୍ୟୁନିଷ୍ଟମାନଙ୍କୁ ବାରିହେବ ନାହିଁ-

Image

 

(୩)

 

ନିରସ୍ତ୍ରୀକରଣର ତାତ୍ପର୍ଯ୍ୟ ଉପଲବ୍ଧ ହେଉଥିବାର ଶୁଭ ସୂଚନା–

 

ବିଳମ୍ୱରେ ହେଲେ ମଧ୍ୟ ସମ୍ୱାଦପତ୍ର ଓ ଅନ୍ୟାନ୍ୟ ପ୍ରଚାର ମାଧ୍ୟମଗୁଡ଼ିକ ଜରିଆରେ ତଥା ମିଳିତ ଜାତିସଂଘ ଆନୁକୁଲ୍ୟରେ ନିରସ୍ତ୍ରୀକରଣ ତାତ୍ପର୍ଯ୍ୟ ସମ୍ପର୍କରେ ବିଭିନ୍ନ ଦେଶରେ ଜ୍ଞାତବ୍ୟ ଆଶ୍ରୟୀ ବିଶ୍ଳେଷଣାତ୍ମକ ଆଲୋଚନାର ପ୍ରସାର ଘଟିବା ପରଠାରୁ ନିଉକ୍ଳିଆର, ଅସ୍ତ୍ରର ପ୍ରସ୍ତୁତି ଓ ପ୍ରସାର ବିରୋଧରେ ଜନମତ କ୍ରମଶଃ ତୀବ୍ର ରୂପ ଧାରଣ କରୁଛି ।

 

ସାମରିକ କୌଶଳ ସମ୍ପର୍କରେ ପ୍ରଭୂତ ଅଭିଜ୍ଞତା ବା ଜ୍ଞାନ ଅର୍ଜନ କରିଥିବା ଯେଉଁ ସୁଖ୍ୟାତ ବ୍ୟକ୍ତିମାନେ କେତେକ ଶିଳ୍ପୋନ୍ନତ ରାଷ୍ଟ୍ରରେ ସାମରିକ ପାରଙ୍ଗମତାର ଆବର୍ଦ୍ଧନ ପାଇଁ ନିଉକ୍ଳିଆର ଅସ୍ତ୍ର ନିର୍ମାଣ ଦିଗରେ ପାରଙ୍ଗମତାର ସରକାରଙ୍କୁ ପରାମର୍ଶ ଦେଇଥିଲେ, ସେମାନଙ୍କ ମଧ୍ୟରୁ କେତେକଙ୍କର ଇତ୍ୟବସରରେ ମତ ପରିବର୍ତ୍ତନ ଘଟିଛି । ଆଡ଼ମିରାଲ୍ ଯେଏଲ୍ ବେକର, ଆଡ଼୍ମିରାଲ ଲାରୋକ, ସ୍ୱର୍ଗୀୟ ଲର୍ଡ଼୍ ଲୁଇସ ମାଉଣ୍ଟବାଟେନ, ରବର୍ଟ୍ ମାକ୍ନାମାରା, ମାକ୍ଜର୍ଜ ବଣ୍ଡି ଓ ଲର୍ଡ଼ ଜୁକରମାନ ପ୍ରମୁଖଙ୍କ ନାମ ଏ ଦୃଷ୍ଟିରୁ ବିଶେଷ ଉଲ୍ଲେଖନୀୟ । ଶତ୍ରୁ ପକ୍ଷକୁ ଭୟଭୀତ କରାଇବା ପାଇଁ ତଥା ସାମରିକ ଦୃଷ୍ଟିରୁ ନିଜର ବଡ଼ିମା ପ୍ରଦର୍ଶନ ପାଇଁ ସେମାନେ ପ୍ରଥମେ ଯେଉଁ ଦୃଷ୍ଟିରୁ ନିଜ ନିଜ ଦେଶର ସରକାରଙ୍କୁ ଏପରି ଅପରିଣାମଦର୍ଶୀ ପରାମର୍ଶ ଦେଇଥିଲେ, ପରିବର୍ତ୍ତିତ ପରସ୍ଥିତିରେ ସେମାନଙ୍କର ସେହି ଦୃଷ୍ଟିକୋଣ ବଦଳିଯାଇଛି ।

 

ଏପରି ପ୍ରଳୟଙ୍କରୀ ବେମାର ପ୍ରୟୋଗ ତଥା ନିୟନ୍ତ୍ରଣ ସମ୍ପର୍କୀୟ ନିର୍ଦ୍ଦେଶକୁ ନିର୍ଭୁଲ କରିବାପାଇଁ ଅଭିନବ ତତା ଅତ୍ୟାଧୁନିକ ଟେକ୍ନୋଲଜି ଅବଲମ୍ୱନରେ ଯେଉଁ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି, ତାହା ସଂପୂର୍ଣ୍ଣ ନିର୍ଭରଯୋଗ୍ୟ ହୋଇନାହିଁ । ବିଦ୍ୟୁତ୍-ଚୁମ୍ୱକୀୟ ସ୍ପନ୍ଦନ (EMP) ଭଳି ବିଭ୍ରାନ୍ତିକର କାରଣଯୋଗୁଁ ହଠାତ୍ ଭୁଲ ବୋତାମଟିକୁ ଟିପିଦେବା ଫଳରେ ଭୟାବହ ଯୁଦ୍ଧ ଲାଗିଯିବାର ଆଶଙ୍କାକୁ ଏଡ଼ି ହେଉନାହିଁ । ପ୍ରାକ୍ ପ୍ରସ୍ତୁତି ବା ପ୍ରାକ୍ ନିର୍ଦ୍ଧାରିତ କୌଶଳ ଅନୁଯାୟୀ ନିଉକ୍ଳିଆର ଅସ୍ତ୍ର ଜରିଆରେ ଯୁଦ୍ଧରେ ଜୟଲାଭ କରିବା ତଥା ଯୁଦ୍ଧର ପରିସମାପ୍ତି ଘଟାଇବା ଏକ ଅନିଶ୍ଚତ ବ୍ୟବସ୍ଥା ରୂପେ ବିବେଚିତ ହେଲାଣି ।

 

କିଛି ବର୍ଷ ପୂର୍ବରୁ ବୋମା ପ୍ରସ୍ତୁତକାରୀ ରାଷ୍ଟ୍ରଗୁଡ଼ିକ ପ୍ରଚାର କରୁଥିଲେ ଯେ, ଏହି ବୋମାର ପ୍ରସାରକୁ ରୋକିବାକୁ ହେଲେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଥମେ ଏହାର ପ୍ରସ୍ତୁତିବ୍ୟାପାରରୁ ନିବର୍ତ୍ତାଇବା ବାଞ୍ଛାନୀୟ ନିଜ ଆଡ଼ୁ ଏହାର ପ୍ରସ୍ତୁତିକୁ ରୋକିବା ପରିବର୍ତ୍ତେ ନିଜର କ୍ଷମତା ଓ ପ୍ରତିପତ୍ତି ବଳରେ ସେମାନେ ଅନୁନ୍ନତ ତଥା ବୈଦେଶିକ ସାହାଯ୍ୟ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକୁ ଏ ପ୍ରକାର ଯେଉଁ ସୁବିଧାବାଦୀ ପରମର୍ଶ ଦେଉଥିଲେ, ତାହା ଗ୍ରହଣଯୋଗ୍ୟ ହୋଇ ନଥିଲେ ମଧ୍ୟ କେହି ଏହା ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରି ନଥିଲେ । ମାତ୍ର ସମୟକ୍ରମେ ପ୍ରମାଣିତ ହୋଇଗଲା ଯେ, ନିଉକ୍ଳିଆର୍ ଅସ୍ତ୍ରର ଭୂସମାନ୍ତରୀୟ ପ୍ରସାର ପରିବର୍ତ୍ତେ ଭୁଲମ୍ୱୀୟ ପ୍ରସାର ହିଁ ଘଟିଛି । ଚୀନ ଦେଶ ୧୯୬୪ ମସିହାରେ ନିଉକ୍ଳିଆର୍ ବୋମା ନିର୍ମାଣ କରିବା ପରଠାରୁ ୧୯ ବର୍ଷ ପର୍ଯ୍ୟନ୍ତ ଅନ୍ୟ କୌଣସି ରାଷ୍ଟ୍ର ଏ ବ୍ୟାପାରରେ ମନୋନିବେଶ କରିନାହାନ୍ତି । ଏଇ ମାତ୍ର ନିକଟ ଅତୀତରେ ଇସରାଏଲ୍ ଓ ଦକ୍ଷିଣ ଆଫ୍ରିକା ବାଡ଼ିପଟୁ ଆସି ନିଉକ୍ଳିଆର୍ କ୍ଳବରେ ଅନୁପ୍ରବେଶ କରିଛନ୍ତି । ଏଣୁ ଭୁସମାନ୍ତରୀୟ ପ୍ରସାର ନଗଣ୍ୟ ହୋଇଥିବା ସ୍ଥଳେ ଭୁଲମ୍ୱୀୟ ପ୍ରସାର ଅତ୍ୟଧିକ ହୋଇଥିବାରୁ ବର୍ତ୍ତମାନ ଶେଷୋକ୍ତ ପ୍ରସାରକୁ ରୋକିବା ଦିଗରେ କ୍ରମବର୍ଦ୍ଧମାନ ଜନମତର ଜାଗରଣ ବେଶ୍ ସ୍ୱାଭାବିକ ବୋଧ ହେଉଛି ।

 

ଚର୍ଚ୍ଚ ମଧ୍ୟ ଇତ୍ୟବସରରେ ନିଉକ୍ଳିଆର ବୋମାନିର୍ମାଣକୁ ଏକ ଅନୈତିକତା ବ୍ୟାପାର ରୂପେ କଟୁ ସମାଲୋଚନା କରିଛି । ଏପରି ମାନବିକତା ବୋଧ ରହିତ ତଥା ଆତ୍ମବିନାଶୀ ବ୍ୟାପାରରୁ ବଞ୍ଚିତ ହେବାପାଇଁ ଧର୍ମାଧିଶମାନଙ୍କ ପରାମର୍ଶ ଖ୍ରୀଷ୍ଟଧର୍ମାବଲମ୍ୱୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ବେଶ୍ ନୈତିକ ପ୍ରଭାବ ଆରୋପ କରିପାରିଛି ।

 

କମ୍ପୁଟର ଓ ମାଇକ୍ରୋ ପ୍ରୋସେସର୍‍ ଗୁଡ଼ିକର ବିଚକ୍ଷଣ କରାମତି ଯୋଗୁଁ ବୋମା ନିକ୍ଷେପ ବ୍ୟାପାରକୁ ନିର୍ଭରଯୋଗ୍ୟ ତଥା ଗୋପନୀୟ ମାନରେ ଚଳାଇ ନେବାର ମସୁଧା ଅବ୍ୟାହତ ରହିଛି । ଏହାକୁ ଉପଲକ୍ଷ୍ୟ କରି କେତେକେ ମତ ବ୍ୟକ୍ତ କରୁଛନ୍ତି ଯେ, ଯେଉଁ ରାଷ୍ଟ୍ର ପ୍ରଥମେ ଏପରି ଯୁଦ୍ଧ ଆରମ୍ଭ କରିଦେବ, ସେହି ରାଷ୍ଟ୍ର ସୀମିତ ବୋମାର ଆଶୁ ପ୍ରୟୋଗ ଫଳରେ ଶତ୍ରୁ ରାଷ୍ଟ୍ରକୁ ଯୁଦ୍ଧରେ ପରାଜିତ କରିପାରିବ । ପୁଣି, ଆଉ କେତେକ ମତ ବ୍ୟକ୍ତ କରୁଛନ୍ତି ଯେ, ମହାକାଶରେ ଥାଇ ଶତ୍ରୁ ଦେଶ ସହିତ ଏପରି ଯୁଦ୍ଧ ଲଗାଇବାର କୌଶଳକୁ ସମୁନ୍ନତ କରାଯାଉଛି-। ବିରାଡ଼ି ଆଖି ବୁଜି ଦୁଧ ପିଇବା ନ୍ୟାୟରେ ଏପରି ବିଭ୍ରାନ୍ତକର ସମ୍ୱାଦ ଜରିଆରେ ଆତଙ୍କଗ୍ରସ୍ତ ଜନସାଧାରଣଙ୍କୁ ଯେପରି ଅଧିକରୁ ଅଧିକ ଭୟଭୀତ କରାଯାଉଛି ତଜ୍ଜନିତ ସେମାନେ ନିଉକ୍ଳିଆର୍ ବୋମାର ପ୍ରସ୍ତୁତି ଓ ଗଚ୍ଛିତକରଣକୁ ଅଧିକରୁ ଅଧିକ ବିରୋଧ କରିବାପାଇଁ ଆଗଭର ହେଉଛନ୍ତି । ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଯେ, ପଶ୍ଚିମ ୟୁରୋପୀୟ ରାଷ୍ଟ୍ର ସମୂହ ତଥା ଯୁକ୍ତରାଷ୍ଟ୍ର ଆମେରିକାରେ ନିରସ୍ତ୍ରୀକରଣ ସପକ୍ଷରେ ବିପୁଳ ଜନମତ ସୃଷ୍ଟି ହେଲାଣି । ଜନସାଧାରଣ ଏକଜୁଟ୍ ହୋଇ ଏହା ବିରୋଧରେ ସଭା ସମିତିର ଆୟୋଜନ କରୁଛନ୍ତି ଓ ପଚାର-ପତ୍ର ବାଣ୍ଟୁଛନ୍ତି-। ନିଉକ୍ଳିଆର୍ ଶକ୍ତିର ନିର୍ମାଣ ଓ ପ୍ରୟୋଗକୁ ରୋକିବାପାଇଁ ଏ ପ୍ରକାର ଯେଉଁ ଉଦ୍ୟମ ଆରମ୍ଭ ହେଲାଣି, ତାହା ଆହୁରି ତୀବ୍ର ରୂପ ଧାରଣ କରିପାରିଲେ ରାଜନୈତିକ ମତବାଦ ନିର୍ବିଶେଷରେ ସବୁ ରାଷ୍ଟ୍ରର ନେତୃବର୍ଗ ପାରସ୍ପରିକ ବୁଝାମଣା ବିନିମୟରେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିପାରିବେ ।

 

(୪)

 

ଆମ ଦେଶ ବରାବର ନିଉକ୍ଳିଆର୍ ଶକ୍ତିକୁ ଧ୍ୱଂସାତ୍ମକ କାର୍ଯ୍ୟରେ ପ୍ରୟୋଗ କରାଯିବା ବ୍ୟାପାରକୁ ତୀବ୍ର ବିରୋଧ କରିଛି । ନିକଟ ଅତୀତରେ ନୂଆ ଦିଲ୍ଲୀଠାରେ ଅନୁଷ୍ଠିତ ତଥା ମିଳିତ ଜାତିସଂଘ ଆନୁକୁଲ୍ୟରେ ଆୟୋଜିତ ଆନ୍ତଃରାଷ୍ଟ୍ରୀୟ ସମ୍ମିଳନୀରେ ଭାରତୀୟ ପ୍ରତିନିଧିମାନେ ମଧ୍ୟ ଆମ ଦେଶର ଚିନ୍ତାଧାରାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିଛନ୍ତି । ୧୬ଟି ରାଷ୍ଟ୍ରର ପ୍ରତିନିଧିମାନେ ଏ ସମ୍ମିଳନୀରେ ନିଉକ୍ଳିଆର୍ ଅସ୍ତ୍ରର ପ୍ରସାର ବିରୋଧରେ ନୈତିକ ତଥା ମାନବଧର୍ମୀ ଦୃଷ୍ଟିରୁ ଯେପରି ଦୃଢ଼ ମତ ବ୍ୟକ୍ତ କରିଛନ୍ତି ତାହା ନିଶ୍ଚିତ ଭାବରେ ନିରସ୍ତ୍ରୀକରଣକୁ ସଫଳ କରାଇବା ଦିଗରେ ସମୟୋପଯୋଗୀ ଅବଦାନ ଯୋଗାଇ ପାରିଛି । ନିରପେକ୍ଷ ରାଷ୍ଟ୍ରଗୁଡ଼ିକ ଯଦି ଜାଗ୍ରତ ଜନମତର ପ୍ରଭାବ ଫଳରେ ସମ୍ମିଳିତ ଭାବରେ ନିରସ୍ତ୍ରୀକରଣକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରାଇବାପାଇଁ ଦାବୀ କରନ୍ତି, ତାହାହେଲେ ସେମାନଙ୍କ ମତକୁ ଉପେକ୍ଷା କରିବା ଏତେ ସହଜ ହେବ ନାହିଁ । ପୃଥିବୀ ବକ୍ଷରେ ମନୁଷ୍ୟ ଜାତିର ଭବିଷ୍ୟତକୁ ନିରାପଦ କରିବାପାଇଁ ଆମେ ଏ ଯେଉଁ ଆହ୍ୱାନର ସମ୍ମୁଖୀନ ହୋଇଛୁ, ତାହାର ମୁକାବିଲା କରିବା ଦିଗରେ ବୁଦ୍ଧି ଖଟାଇବା ଏକ ପରମ କର୍ତ୍ତବ୍ୟ । ଏଣୁ ଆମ ଦେଶର ବୁଦ୍ଧିଜୀବୀମାନେ ଏ ସମ୍ପର୍କରେ ସମ୍ୱାଦପତ୍ର ଓ ଅନ୍ୟାନ୍ୟ ପ୍ରଚାର ମାଧ୍ୟମଗୁଡ଼ିକ ଜରିଆରେ ପ୍ରାମାଣିକ ତଥା ଜ୍ଞାତବ୍ୟ ତଥ୍ୟ ସନ୍ନିବେଶିତ ବିଶେଷଣାତ୍ମକ ବିଚାର ଚଳାଇବା ଦ୍ୱାରା ଦେଶବାସୀ ଏ ସମସ୍ୟା ସମ୍ପର୍କରେ ପରିଚିତ ହେବା ସଙ୍ଗେ ସଙ୍ଗେ ସମଧର୍ମୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏଥିରୁ ଶିକ୍ଷଣୀୟ ତଥା ଅନୁକରଣୀୟ ଉପାଦାନ ସଂଗ୍ରହ କରିପାରିବେ-

Image

 

Unknown

ଆମ ଜାତୀୟ ସମସ୍ୟାଗୁଡ଼ିକୁ ସମାଧାନ କରାଯିବାର ଏକମାତ୍ର ପନ୍ଥା

 

ବିବର୍ତ୍ତନର ପରିଣାମ :

 

ବିବର୍ତ୍ତନ ପ୍ରକ୍ରିୟାର ନିରବଚ୍ଛିନ୍ନ ସଂଘଟନର ଫଳ ସ୍ୱରୂପ ମନୁଷ୍ୟ ଇତ୍ୟବସରରେ ଚତୁର୍ବିଧ ଅତୀବ ତାତ୍ପର୍ଯ୍ୟପୂର୍ଣ୍ଣ ସାମର୍ଥ୍ୟର ଅଧିକାରୀ ହୋଇପାରିଛି; ଯଥା :—(୧) ଉପରକଣ ବା ସରଳ ଯନ୍ତ୍ରଗୁଡ଼ିକୁ ପ୍ରସ୍ତୁତ କରିବା ଓ ନିଜ ବୁଦ୍ଧି ବଳରେ ପାରିପାର୍ଶ୍ୱିକ ବସ୍ତୁଗୁଡ଼ିକୁ ନିଜ କାମରେ ଲଗାଇବା; (୨) ଭାବ ବ୍ୟକ୍ତ କରିବା ଉଦ୍ଦେଶ୍ୟରେ ଭାଷାରୂପୀ ମାଧ୍ୟମଟିକୁ ସମୁନ୍ନତ କରିବା; (୩) ନିଜ ପରିବାର ବା ସଂପ୍ରଦାୟ ମଧ୍ୟରେ ମିଳିମିଶି ଚଳିବାର ଦକ୍ଷତା ବିନିମୟରେ ସାମାଜିକ ପ୍ରଗତି ସାଧନ କରିବାର ସାମର୍ଥ୍ୟ ପ୍ରଦର୍ଶନ କରିବା; (୪) ସର୍ବୋପରି ଯୁକ୍ତିଯୁକ୍ତ ମାର୍ଗରେ ବିଚାର କରିବାର ଦକ୍ଷତା ପ୍ରଦର୍ଶନ କରିବା । ଏହି ମୁଖ୍ୟ ଚାରିତ୍ରିକ ବୈଶିଷ୍ଟ୍ୟଗୁଡ଼ିକ ଯୋଗୁଁ ମନୁଷ୍ୟ ଇତର ଜୀବଗୁଡ଼ିକ ପରିପ୍ରେକ୍ଷୀରେ ନିଜର ସ୍ୱାତନ୍ତ୍ର୍ୟ ପ୍ରତପାଦନ କରିପାରୁଛି । ମନୁଷ୍ୟଠାରେ ମସ୍ତିଷ୍କରୂପୀ ଅନନ୍ୟସାଧାରଣ ଅଙ୍ଗଟିର ବିବର୍ତ୍ତନ ଘଟିବା କାଳଠାରୁ ସେ ଯୁକ୍ତିଯୁକ୍ତ ମାର୍ଗରେ ଚିନ୍ତା କରିବାର ଦକ୍ଷତା ପ୍ରଦର୍ଶନ କରୁଛି ଏବଂ ଯୁଗ ଯୁଗ ବ୍ୟାପୀ ଏପରି ତାତ୍ପର୍ଯ୍ୟପୂର୍ଣ୍ଣ ବ୍ୟାପାରରେ ମନୋନିବେଶ କରିବା ଫଳରେ ସେ ଭୂପୃଷ୍ଠରେ ସର୍ବାପେକ୍ଷା ଶକ୍ତିଶାଳୀ ଜୀବରୂପେ ନିଜର ପ୍ରତିପତ୍ତି ବିସ୍ତାର କରିବାକୁ ସମର୍ଥ ହୋଇଛି ।

 

ପ୍ରାୟ ଦଶସହସ୍ର ବର୍ଷ ପୂର୍ବରୁ ମନୁଷ୍ୟ ପ୍ରଥମେ ଖାଦ୍ୟୋପଯୋଗୀ ଉଭିଦଗୁଡ଼ିକୁ ନିୟନ୍ତ୍ରିତ ମାର୍ଗରେ ଚାଷ କରିବାର ଉପାୟ ଆବିଷ୍କାର କରିଥିଲା । ଏହି ମହନୀୟ ଆବିଷ୍କାର ତା’ର ଜୀବନଯାପନ ମାର୍ଗରେ ଯୁଗାନ୍ତକାରୀ ପରିବର୍ତ୍ତନ ଘଟାଇଲା । ସେ ଆଉ ଯାଯାବର ଭାବରେ ପ୍ରକୃତିରୁ ଖାଦ୍ୟ ସଂଗ୍ରହ କରିବାର ଆବଶ୍ୟକତା ଉପୁଜିଲା ନାହିଁ । ଏଣିକି ଉର୍ବର ଅଞ୍ଚଳଗୁଡ଼ିକରୁ କୃଷି ଅବଲମ୍ୱନରେ ଖାଦ୍ୟଶସ୍ୟ ଅମଳ କରିବା ଉଦ୍ଦେଶ୍ୟରେ ଜନବସତିଗୁଡ଼ିକୁ ପ୍ରତିଷ୍ଠା କରାଗଲା ଏବଂ ସମବାୟିକ ପ୍ରଚେଷ୍ଟା ଅବଲମ୍ୱନରେ ଖାଦ୍ୟ ଉତ୍ପାଦନପାଇଁ ଆନୁସଙ୍ଗିକ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଗଲା । ଖାଦ୍ୟ ଚାହିଦା ପୂରଣ ଉଦ୍ଦେଶ୍ୟରେ ଯାଯାବରମାନଙ୍କ ଭଳି ବରାବର ଅନିଶ୍ଚିତ ଅବସ୍ଥାର ସମ୍ମୁଖୀନ ହେବାକୁ ନ ପଡ଼ିବାରୁ ଏବଂ କୃଷିପାଇଁ ଆବଶ୍ୟକ ହେଉଥିବା ଦୈନନ୍ଦିନ କର୍ତ୍ତବ୍ୟ ସମ୍ପାଦନ କରିବା ପରେ ଚିନ୍ତା କରିବାକୁ ସମୟ ମିଳିବାରୁ ସେ ପାରିପାର୍ଶ୍ୱିକ ପରିବେଶକୁ ନିଜ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ନିୟୋଜିତ କରିବା ଦିଗରେ ବୁଦ୍ଧି ଖଟାଇବାକୁ ସ୍ପୃହଣୀୟ ମଣିଲା । ପାରିପାର୍ଶ୍ୱିକ ପରିବେଶ ତଥା ବିଚିତ୍ରବର୍ଣ୍ଣା ପ୍ରକୃତିରେ ସଂଘଟିତ ବହୁବିଧ ଦୃଶ୍ୟ ତା’ର ଭାବବିହ୍ୱଳ ମାନସପଟରେ ସେଗୁଡ଼ିକର କ୍ରିୟାଶୀଳତାର ରହସ୍ୟ ଭେଦ କରିବାପାଇଁ ଯେୁଁ କୌତୂହଳ ସୃଷ୍ଟି କଲା, ତାହାର ଅବଦମନ ପାଇଁ ସେ ନିଜ ବୌଦ୍ଧିକତାର ଉପଯୋଗ କରିବାକୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଆଗ୍ରହୀ ହେଲା । ଏପରି ମନନଶୀଳତା ବଳରେ ସେ ଯେଉଁ ପ୍ରାମାଣିକ ତଥ୍ୟରାଜି ସଂଗ୍ରହ କରିପାରିଲା, ସେଗୁଡ଼ିକୁ ଆନୁଭବିକ ମାର୍ଗରେ ବିଶ୍ଳେଷଣ କରିବାର ପରିଣତି ସ୍ୱରୂପ ସେ ବିଭିନ୍ନ ଉପାର୍ଜନକ୍ଷମ ଯନ୍ତ୍ରଗୁଡ଼ିକୁ ଉଦ୍ଭାବନ କରିବାକୁ ସମର୍ଥ ହେଲା । କୃଷି ନିର୍ଭରଶୀଳ ମନୁଷ୍ୟ ଏହାଫଳରେ କୃଷିର ପ୍ରଗତି ସାଧନପାଇଁ ନୂଆ ନୂଆ ସରଳ ଉପକରଣଗୁଡ଼ିକୁ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ମୃଣ୍ମୟ ଶିଳ୍ପ, ଅସ୍ତ୍ର ପ୍ରସ୍ତୁତି, ହସ୍ତତନ୍ତ, ନିତ୍ୟ ବ୍ୟବହାରୋପଯୋଗୀ ଉପକରଣ ଗୁଡ଼ିକର ପ୍ରସ୍ତୁତି ପ୍ରଭୃତି ଜୀବିକାଗୁଡ଼ିକୁ ଆଦରି ନେଇ ନିଜର ତଥା ନିଜ ସମାଜର ପ୍ରଗତିର ପଥକୁ ସୁଗମ୍ୟ କରିପାରିଲା । କୃଷି ନିର୍ଭରଶୀଳ ସମାଜରେ ଜନସାଧାରଣ ଯେପରି ଭାବରେ ଜୀବନ ଯାପନ କରୁଥିଲେ, ଆଧୁନିକ ଯୁଗରେ ମନୁଷ୍ୟର ଜୀବନ ଯାପନର ଭଙ୍ଗୀ ତଦନୁପାତରେ ବିଶେଷ ପରିବର୍ତ୍ତିତ ହୋଇନାହିଁ ।

 

ବିଜ୍ଞାନର ସର୍ଜନା :

 

ମନୁଷ୍ୟ କୃଷି ନିର୍ଭରଶୀଳ ସଭ୍ୟତାର ଅଭ୍ୟୁତ୍ଥାନ ଘଟାଇବା ପରେ ନିଜ ଦୈନନ୍ଦିନ ଚାହିଦାଗୁଡ଼ିକ ସମ୍ପର୍କରେ ତଥା ସେଗୁଡ଼ିକ ପୂରଣ କରିବା ଦିଗରେ ପର୍ଯ୍ୟବେକ୍ଷଣ ତଥା ତଦାଶ୍ରୟୀ ବିଶ୍ଳେଷଣାତ୍ମକ ବିଚାର ଉପରେ ନିର୍ଭରଶୀଳ ହୋଇଥିଲା । ମାତ୍ର କାଳକ୍ରମେ ଉଲ୍ଲିଖିତ ମନନଶୀଳତା ସମେତ ତାହାର ଚାହିଦାସହ ସମ୍ପର୍କିତ ହୋଇନଥିବା ପ୍ରକୃତିର ମୌଳିକ ବିଭାଗଗୁଡ଼ିକ ସମ୍ପର୍କରେ ଦାର୍ଶନିକ ସୁଲଭ ଦୃଷ୍ଟିକୋଣରୁ ଚିନ୍ତା କରିବାକୁ ସେ ସୁଖପ୍ରଦ ମଣିଲା । ଆଧିଭୌତିକ ବିଜ୍ଞାନ ଓ ଦର୍ଶନରେ ମନୋନିବେଶ କରିବା ସଙ୍ଗେ ସଙ୍ଗେ ସେ ପ୍ରଥମେ ଗଣିତ ଓ ଜ୍ୟୋତିର୍ବିଜ୍ଞାନର କ୍ରମସମୃଦ୍ଧି ସାଧନ କରିବାକୁ ସମର୍ଥ ହେଲା ଏବଂ ସମୟକ୍ରମେ ତାହାର ,ପରି ଅଧ୍ୟୟନ ଓ ଅନୁଶୀଳନ ପଦାର୍ଥ ବିଜ୍ଞାନ ଓ ରସାୟନ ଶାସ୍ତ୍ର ଆଡ଼କୁ ସଂପ୍ରସାରିତ ହେଲା । ଏପରି ଚେତନାର କ୍ରମଉତ୍ତରଣଯୋଗୁଁ ବିଜ୍ଞାନ ସୃଷ୍ଟିଲାଭ କରିଛି । ଯୁକ୍ତିସଙ୍ଗତ ମାର୍ଗରେ ଚିନ୍ତା କରିବାଦ୍ୱାରା, ନିଜ କୌତୂହଳର ଅବସାନ ଘଟାଇବା ଆଶାରେ ମୌଳିକ ଚିନ୍ତାରେ ମନୋନିବେଶ କରିବାଦ୍ୱାରା ତଥା ପାରସ୍ପରିକ ନିର୍ଭରଶୀଳତା ଓ ସମବାୟିକ ପ୍ରଚେଷ୍ଟା ଅବଲମ୍ୱନରେ ନିଜ ଗୋଷ୍ଠୀ ବା ସମ୍ପ୍ରଦାୟର ପ୍ରଗତି ସାଧନ ପାଇଁ ଆଗ୍ରହୀ ହେବାଦ୍ୱାରା ମନୁଷ୍ୟ ଫଳପ୍ରଦ ମାର୍ଗରେ ସଭ୍ୟତା ଓ ସଂସ୍କୃତିର ବିକାଶ ଘଟାଇ ପାରିଛି ।

 

ପ୍ରତ୍ୟେକ ଯୁଗରେ ମନୁଷ୍ୟର ବୈଜ୍ଞାନିକ ବୋଧଗମ୍ୟତା ଏକ ନିର୍ଦ୍ଦିଷ୍ଟ ସୀମାକୁ ଅତିକ୍ରମ କରିପାରିନାହିଁ । ତାହାର ଚିନ୍ତା ଓ ଅନୁଭୂତିର ବହୁ ବିଭାବକୁ ସେ ବୈଜ୍ଞାନିକ ସ୍ପଷ୍ଟୀକରଣ ଅବଲମ୍ୱନରେ ବୁଝିପାରିବାକୁ ଅସମର୍ଥ ହୋଇଛି । ଏଣୁ ସେ ଏହି ଅବୋଧ୍ୟ ବିଭାବଗୁଡ଼ିକ ସମ୍ପର୍କରେ ଜ୍ଞାନାର୍ଜନ କରିବାପାଇଁ ନିଜ ଆତ୍ମ ଅବବୋଧ ତଥା ସୁଗଭୀର ଦାଶନିକ ଚିନ୍ତନ ଉପରେ ନିର୍ଭର କରିଛି । ଶେଷୋକ୍ତ ମନନଶୀଳତା ସଙ୍ଗୀତ, ସାହିତ୍ୟ ଓ ଅନ୍ୟାନ୍ୟ କଳାତ୍ମକ କୃତିଗୁଡ଼ିକ ଜରିଆରେ ଅଭିବ୍ୟକ୍ତ ହୋଇଛି । ବିଜ୍ଞାନଭଳି ଏଗୁଡ଼ିକ ମଧ୍ୟ ଯୁଗେ ଯୁଗେ ମନୁଷ୍ୟରୂପୀ ଅନନ୍ୟ ଜୀବର ସୃଜନଶୀଳ ପ୍ରତିଭାର ପରିପ୍ରକାଶ ରୂପେ ତାହାର ସାଂସ୍କୃତିକ ବିବର୍ତ୍ତନ ଘଟାଉଛନ୍ତି । ଅବଶ୍ୟ, ସମକାଳୀନ ଭାବରେ ସମାଜର ବହୁ ଚତୁର ବ୍ୟକ୍ତି ବିଜ୍ଞାନ ବଳରେ ବୁଝିହେଉ ନଥିବା ଦୃଶ୍ୟ ବା ଅନୁଭୂତିଗୁଡ଼ିକୁ ମିଥ୍, ଅନ୍ଧବିଶ୍ୱାସ, ଯାଦୁବିଦ୍ୟା, ଗୁଣିଗାରେଡ଼ି ବା ମିରାକଲ ଜରିଆରେ ମନୁଷ୍ୟର ବୋଧଗମ୍ୟ କରାଇବାର ଅପଚେଷ୍ଟା ଚଳାଇଛନ୍ତି । ଈଶ୍ୱରଙ୍କ ପରମ ଭକ୍ତ ବା ଅବତାର ଭାବରେ, ମନ୍ତ୍ରତନ୍ତ୍ର ବିଶାରଦ ଗୁଣିଆ ଭାବରେ ବା ଚମତ୍କାର ହାତ ସଫେଇ ବଳରେ ନିଜ ନିଜକୁ ପରିଚିତ କରାଇବା ପୂର୍ବକ ବିଭିନ୍ନ ପ୍ରକାର ହାତସଫେଇ ବା ବାକ୍‍ଚତୁରୀ ବଳରେ ସେମାନେ ନିରୀହ ଜନସାଧାରଣଙ୍କୁ ବୋକା ବନେଇଛନ୍ତି । ସମାଜରେ କ୍ଷମତାଶାଳୀ ଓ ବିଭବଶାଳୀ ହୋଇପାରିବାର ସମ୍ଭବନାହିଁ ସେମାନଙ୍କୁ ଏପରି ହୀନ ପନ୍ଥାର ଆଶ୍ରୟ ନେବାକୁ ପ୍ରଲୋଭିତ କରିଛି-। ଆମେ ଜାଣୁ ଯେ, ପ୍ରଳୟଙ୍କରୀ ପ୍ରାକୃତିକ ଦୁର୍ବିପାକଗୁଡ଼ିକର ଉପସ୍ଥିତିରେ କିମ୍ୱା ବ୍ୟକ୍ତିକ ବା ପାରିବାରିକ ଜୀବନର ଶୋକାବହ ପରିସ୍ଥିତିରେ କିମ୍ୱା ଭାବାବେଗର ତାଡ଼ନାରେ ମନୁଷ୍ୟ ଯୁକ୍ତିଯୁକ୍ତ ଭାବରେ ଚିନ୍ତା କରିପାରେ ନାହିଁ । ଏପରି ଅନଭ୍ୟସ୍ତ ତଥା ଅଜ୍ଞାତ ପରିସ୍ଥିତିର ତାଡ଼ନାରେ ସେ ହତବୁଦ୍ଧି ହୋଇଯାଏ । ତାହାର ଏହି ଅସହାୟତାର ସୁଯୋଗ ନେଇ ଭଣ୍ଡ ପଣ୍ଡିତମାନେ ତାକୁ ନିଜର ବଶୀଭୂତ କରିପାରନ୍ତି ।

ମନୁଷ୍ୟର ବିକାଶକାଳୀନ ଆଦ୍ୟ ପର୍ବରେ ବିଭିନ୍ନ ପ୍ରକାର କୂଟ-ବିଜ୍ଞାନର (Pseudo-Science) ସୂତ୍ରପାତ ଘଟିଥିଲା । ତନ୍ମଧ୍ୟରୁ ଅପରସାୟନ ଅନ୍ୟତମ । ଅନ୍ୟ ଧାତୁକୁ କୌଣସିମତେ ସୁବର୍ଣ୍ଣରେ ପରିଣତ କରିବାର ପ୍ରଲୋଭନ ହିଁ ମନୁଷ୍ୟକୁ ଅପରସାୟନ ବା ଆଲକେମି ଆଧାରିତ ଗବେଷଣା ପ୍ରତି ଆକୃଷ୍ଟ କରିଥିଲା । ଏଥିରେ କୃତକାର୍ଯ୍ୟ ହେବା ଆଶାରେ ସେ ବିଭିନ୍ନ ପ୍ରକାର ପର୍ଯ୍ୟବେକ୍ଷଣ ତଥା ଅଭିକ୍ରିୟା ଅବଲମ୍ୱନରେ ଶ୍ରମସାପେକ୍ଷ ଗବେଷଣା ଚଳାଇଥିଲା । ଏପରି ନୀରବଚ୍ଛିନ୍ନ ସାଧନାହିଁ ପରବର୍ତ୍ତୀ କାଳରେ ରସାୟନ ଶାସ୍ତ୍ରର ଅଭ୍ୟୁଦୟ ଘଟାଇ ପାରିଲା ।

ସର୍ବଦା ସମାଜରେ ବହୁବିଧ କାର୍ଯ୍ୟାନୁଷ୍ଠାନ ସମକାଳୀନ ଭାବରେ ସମାହିତ ହେଉଛି । ବୈଜ୍ଞାନିକ ବୋଧଗମ୍ୟତା ବିନିମୟରେ କେହି କେହି ମନୁଷ୍ୟର ଚାହିଦାଗୁଡ଼ିକୁ ପୂରଣ କରାଇବା ଦିଗରେ ବୁଦ୍ଧି ଘଟାଉଛନ୍ତି; ଆଉ କେତେକେ ପ୍ରକୃତ ବୈଜ୍ଞାନିକ ବୋଧଗମ୍ୟତାର ଅଧିକାରୀ ହୋଇ ନଥିଲେ ମଧ୍ୟ ଆନୁଭବିକ ଉପଲବ୍ଧି ଓ ହସ୍ତନୈପୁଣ୍ୟ ବିନିମୟରେ ବ୍ୟାବହାରିକ କ୍ଷେତ୍ରର ଚାହିଦାଗୁଡ଼ିକୁ ପୂରଣ କରିବା ପାଇଁ ଯତ୍ନବାନ ହେଉଛନ୍ତି; ଆଉ କେହି ବୈଜ୍ଞାନିକ ବୋଧଗମ୍ୟତା ବହିର୍ଭୂତ ଦୃଶ୍ୟରାଜିର ରହସ୍ୟୋଦ୍‍ଘାଟନ କଳ୍ପେ ସୁଗଭୀର ଦାର୍ଶନିକ ଚିନ୍ତନରେ ମନୋନିବେଶ କରୁଛନ୍ତି; ପୁଣି ଆଉ କେତେକ ମନୁଷ୍ୟ ଅସହାୟତାର ସୁଯୋଗ ନେଇ ତାକୁ ପ୍ରତାରିତ କରିବା ପୂର୍ବକ ଅର୍ଥୋପାର୍ଜକ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ସଂସ୍କୃତି ବିରୋଧୀ କାର୍ଯ୍ୟଗୁଡ଼ିକୁ ବୃତ୍ତିରୂପେ ଆଦରି ନେଉଛନ୍ତି । ଭିନ୍ନ ଭିନ୍ନ ଯୁଗରେ ତଥା ଭିନ୍ନ ଭିନ୍ନ ସମାଜରେ ଏ ପ୍ରକାର ବୃତ୍ତି ଆଧାରିତ ମିଶ୍ରଣରେ ଭିନ୍ନ ଭିନ୍ନ ବୃତ୍ତିଗୁଡ଼ିକର ଅନୁପାତ ବଦଳୁଥାଏ । ପ୍ରକୃତ ପକ୍ଷେ, ପ୍ରତ୍ୟେକ ମନୁଷ୍ୟର ମଧ୍ୟ ଅଳ୍ପ ବହୁତେ ଉଲ୍ଲିଖିତ ସର୍ବବିଧ ବୃତ୍ତିରେ ଆତ୍ମନିୟୋଗ କରିପାରିବାର ସାମର୍ଥ୍ୟ ଅଛି । ନିଜ ଆତ୍ମ ଅବବୋଧ, ଆନୁଭବିକ ଉପଲବ୍ଧି, କଳ୍ପନାପ୍ରବଣତା ଓ ଦାର୍ଶନିକ ସୁଲଭ ଚିନ୍ତନ ପ୍ରକ୍ରିୟା ବିନିମୟରେ ମନୁଷ୍ୟ ତର୍କସଙ୍ଗତ ମାର୍ଗରେ ଗୋଟିଏ ସମସ୍ୟାର ସମାଧାନ କରିପାରେ । ପୁଣି ସ୍ଥଳବିଶେଷରେ ସେହି ମନୁଷ୍ୟ ଅଯୌକ୍ତିକ ତଥା ଅନୁସନ୍ଧାନ ବିରୋଧୀ ଓ ସଂସ୍କାର ବିରୋଧୀ ପଦକ୍ଷେପ ଜରିଆରେ ଗୋଟିଏ ଗୋଟିଏ ସମସ୍ୟାର ଆଶୁ ସମାଧାନ କରିଦେବାକୁ ବ୍ୟଗ୍ର ହୁଏ । ଏଠାରେ ବୁଝିବାର ବିଷୟ ହେଉଛି ଯେ, ଭିନ୍ନ ଭିନ୍ନ କାଳରେ ପ୍ରତ୍ୟେକ ସମାଜ ବା ବ୍ୟକ୍ତିବିଶେଷ ଉଲ୍ଲିଖିତ ବହୁବିଧ କ୍ରିୟାଶୀଳତାଗୁଡ଼ିକର ମିଶ୍ରଣ ମଧ୍ୟରୁ କେଉଁ କେଉଁ ଅନୁପାତର କେଉଁ କେଉଁ ପ୍ରକାର କ୍ରିୟାରଶୀଳତା ପ୍ରତି ପ୍ରାଧାନ୍ୟ ଆରୋପ କରେ, ତାହା ସେହି ସମାଜ ବା ବ୍ୟକ୍ତିର ତାତ୍କାଳିକ ସ୍ୱତନ୍ତ୍ର ବୌଦ୍ଧିକ ପୃଷ୍ଠଭୂମି ଉପରେ ନିର୍ଭର କରିଥାଏ ।

ବିଜ୍ଞାନର ଜୟଯାତ୍ରା :

ମହନୀୟ ବୈଜ୍ଞାନିକ ଆବିଷ୍କାର ତତା ତାହାର ଯୁକ୍ତିସଙ୍ଗତ ଚିନ୍ତନ ପର୍ଯ୍ୟବେସିତ ବ୍ୟାବହାରିକ ଉପଯୋଗ ବଳରେ ସଭ୍ୟତା ଓ ସଂସ୍କୃତିର ବିକାଶ ଘଟାଇବା ପାଇଁ ପ୍ରାଚୀନକାଳରେ ଚୀନ, ଭାରତ, ମେସୋପଟାମିଆ ଓ ଇଜିପ୍‍ଟ ପ୍ରଭୃତି ଦେଶମାନଙ୍କରେ ପ୍ରଶଂସନୀୟ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ଦେଶଗୁଡ଼ିକରେ ବିଜ୍ଞାନ ନିର୍ଭରଶୀଳ ବହୁବିଧ ଟେକ୍ନୋଲଜିକୁ ବ୍ୟାବହାରିକ କ୍ଷେତ୍ରରେ ବିନିଯୋଗ କରାଯିବାର ପଥପ୍ରଦର୍ଶନକାରୀ ପଦକ୍ଷେପ କାର୍ଯ୍ୟକାରୀ ହେବାପରେ ରୋମ, ଦକ୍ଷିଣ ଆମେରିକାର ଉତ୍ତରାଞ୍ଚଳ ଓ ଉତ୍ତର ଆମେରିକାର କେନ୍ଦ୍ରାଞ୍ଚଳରେ ଏ ଦିଗରେ ଉଦ୍ୟମ ହୋଇଥିଲା । ମାତ୍ର, ବିଜ୍ଞାନ ବଳରେ ଏ ଅଞ୍ଚଳଗୁଡ଼ିକର ପ୍ରଶଂସନୀୟ ବିକାଶ ସଂଘଟିତ ହୋଇଥିଲେ ହେଁ ଏହି ଉନ୍ନତ ପରମ୍ପରାକୁ ଅବ୍ୟାହତ ରଖିବା ସମ୍ଭବ ହେଲାନାହିଁ । ଏ ଅଞ୍ଚଳଗୁଡ଼ିକରେ ମନୁଷ୍ୟର ବୌଦ୍ଧିକ ସୃଜନଶୀଳତା ସାମୟିକ ଭାବରେ ପ୍ରସ୍ଫୁଟିତ ହେବାପରେ ଏବଂ ବିକାଶର ମାତ୍ରା ଏକ ଚରମ ସୀମାରେ ଉପନୀତି ହେବାପରେ ଏଗୁଡ଼ିକ ପୁଣି ବିଦ୍ୟାଭିମାନର ବଶବର୍ତ୍ତୀ ହୋଇ ବୈଜ୍ଞାନିକ ବୋଧଗମ୍ୟତା ଦିଗରେ ମନଯୋଗୀ ହେଲେନାହିଁ । ଆମେ ଆଧୁନିକ ଯୁଗରେ ବିଜ୍ଞାନର ଯେଉଁ ଚମକପ୍ରଦ ଜୟଯାତ୍ରାକୁ ଲକ୍ଷ୍ୟ କରି ବିମୋହିତ ହେଉଛୁ ଏବଂ ଯେଉଁ ଜୟଯାତ୍ରାକୁ ଅଗ୍ରଗାମୀ କରାଇବାପାଇଁ ବିଗତ କିଛି ଶତବର୍ଷ ବ୍ୟାପୀ ଯେଉଁ ପ୍ରକାର ନିରବଚ୍ଛିନ୍ନ ଉଦ୍ୟମ କରାଯାଇଛି, ପଞ୍ଚଦଶ ଶତାବ୍ଦୀର ପ୍ରାରମ୍ଭକାଳଠାରୁ ତାହାର ଶୁଭାରମ୍ଭ ଘଟିଥିଲା ୟୁରୋପ ମହାଦେଶରେ । ସେହି ଶୁଭ କାଳଠାରୁ ଗୋଟିକ ପରେ ଗୋଟିଏ ଘଟଣା ଏପରି ତାତ୍ପର୍ଯ୍ୟପୂର୍ଣ୍ଣ ମାର୍ଗରେ ସଂଘଟିତ ହେଲା ଯେ, ବିଜ୍ଞାନର ଜୟଯାତ୍ରାକୁ ତ୍ୱରାନ୍ୱିତ କରାଇବା ଦିଗରେ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠିତ ହୋଇପାରିଲା । ମୁଖ୍ୟତଃ ମନୁଷ୍ୟ ବୌଦ୍ଧିକ ମନ୍ଥନ ବଳରେ ଉପଲବଧ ହେଲା ଯେ, ପ୍ରାଚୀନ କାଳର ପରମ୍ପରା ପ୍ରତି ନିର୍ବିଚାରରେ ପ୍ରଗାଢ଼ ଅନୁରକ୍ତି ପ୍ରଦର୍ଶନ କରିବାଦ୍ୱାରା କିମ୍ୱା ଅତୀତରେ ସାମାଜିକ ଜୀବନକୁ ନିୟନ୍ତ୍ରଣ କରୁଥିବା କର୍ଣ୍ଣଧାରମାନଙ୍କର ନିର୍ଦ୍ଦେଶ ବା ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାଦ୍ୱାରା ତାହାର ଜ୍ଞାନଭଣ୍ଡାର ପରିପୁଷ୍ଟ ହେବନାହିଁ । ସେ ହୃଦୟଙ୍ଗମ କରିପାରିଲା ଯେ, ପ୍ରାକୃତିକ ଦୃଶ୍ୟରାଜି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପର୍ଯ୍ୟବେସିତ ପ୍ରମାଣିକ ତଥ୍ୟ ସଂଗ୍ରହ କରିବାଦ୍ୱାରା ଏବଂ ସଂଗୃହୀତ ତଥ୍ୟରାଜିକୁ ଆଶ୍ରୟ କରି ଚିନ୍ତାଶକ୍ତି ବଳରେ ନୂଆ ନୂଆ ଧାରଣ ଗୁଡ଼ିକୁ ଆବିଷ୍କାର କରିବାଦ୍ୱାରା ତଥା ସେହି ଧାରଣାଗୁଡ଼ିକର ବ୍ୟାବହାରିକ ଉପଯୋଗପାଇଁ ନୂଆ ନୂଆ ଟେକ୍ନୋଲଜି ଉଦ୍ଭାବନ କରିବାଦ୍ୱାରା ହିଁ ମାନବୀୟ ସଭ୍ୟତା ଓ ସଂସ୍କୃତିର ବିକାଶ ଘଟିପାରିବ-

ଏ ପରିପ୍ରେକ୍ଷୀରେ ମହାମତି ଗୌତମ ବୁଦ୍ଧଙ୍କ ଅମରବାଣୀ ବେଶ୍ ଚିତ୍ତାକର୍ଷକ ତଥା ତାତ୍ପର୍ଯ୍ୟପୂର୍ଣ୍ଣ ବୋଧ ହେଉଛି । ଆମ ଦେଶର ଅନ୍ୟତମ ବରପୁତ୍ର ମହାମାନବ ଗୌତମ ବୁଦ୍ଧ କହିଥିଲେ, ‘‘କେବଳ ଉପଦେଶ ଛଳରେ କୁହାଯାଇଥିବା କିମ୍ୱା ପାରମ୍ପରିକ ରୀତିରେ ପ୍ରଚଳିତ ହେଉଥିବା ଅଥବା ତୁମେ ନିଜ କଳ୍ପନା ବା ଅନୁମାନ ବଳରେ ଜାଣିପାରିଥିବା କୌଣସି ସିଦ୍ଧାନ୍ତକୁ ବିଶ୍ୱାସ କରନାହିଁ । ଶିକ୍ଷକଙ୍କୁ କେବଳ ଭକ୍ତି ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ତାଙ୍କ ମୁଖନିଃସୃତ ବାକ୍ୟକୁ ବିଶ୍ୱାସ କରନାହିଁ । ଉପଯୁକ୍ତ ପରୀକ୍ଷଣ ଓ ବିଶ୍ଳେଷଣ ବଳରେ ତୁମେ ଯେଉଁ ଧାରଣାଟିକୁ ଭଲ ବୋଲି ବିଚାର କରୁଛ, ଅର୍ଥାତ୍, ଯାହାସବୁ ପ୍ରାଣୀମାନଙ୍କର ଉପକାର ତଥା ମଙ୍ଗଳ ସାଧନପାଇଁ ଉର୍ଦ୍ଦିଷ୍ଟ ହୋଇଛି ବୋଲି ତୁମେ ଯୁକ୍ତିଯୁକ୍ତ ସିଦ୍ଧାନ୍ତ ଗ୍ରହଣ କରିପାରୁଛ, ସେହି ଧାରଣାଟିକୁ ହିଁ କେବଳ ବିଶ୍ୱାସ କର । ତାହାକୁ ଜୀବନାଦର୍ଶ ରୂପେ ତଥା ତୁମ ପଥପ୍ରଦର୍ଶକ ରୂପେ ଆଦରି ନିଅ ।’’

ମାନବୀୟ ସଭ୍ୟତାର ବିକାଶର ହାରକୁ ତ୍ୱରାନ୍ୱିତ କରାଇବା ପାଇଁ ବିଗତ ପାଞ୍ଚଶତ ବର୍ଷ ମଧ୍ୟରେ ଦ୍ୱିବିଧ କ୍ରାନ୍ତିକାରୀ ପଦକ୍ଷେପ କାର୍ଯ୍ୟକାରୀ ହୋଇଛି । ତନ୍ମଧ୍ୟରୁ, ପ୍ରଥମେ ବୈଜ୍ଞାନିକ ବିପ୍ଳବର ସୂତ୍ରପାତ ଘଟିଛି । ଏହା ବିଜ୍ଞାନକୁ ମାନବୀୟ ସଂସ୍କୃତିର ଅନ୍ୟତମ ମୁଖ୍ୟ ବିଭାବ ରୂପେ ପ୍ରତିଷ୍ଠିତ କରାଇଛି ଏବଂ ବିଜ୍ଞାନ ବୈଷୟିକ ସଭ୍ୟତାର ଅପରିହାର୍ଯ୍ୟ ବୈଶିଷ୍ଟ୍ୟ ରୂପେ ପ୍ରତିଭାତ ହୋଇଛି । ତତ୍ପରେ ବୈଷୟିକ ବିପ୍ଳବର ଅଭ୍ୟୁଦୟ ଘଟିଛି । ଏହି ବିପ୍ଳବ ସମାହିତ ହେବାଫଳରେ ଉତ୍ପାଦନର ଅବଲମ୍ୱନଗୁଡ଼ିକରେ ରୂପାନ୍ତର ଘଟୁଛି । ବିଗତ ଶତାବ୍ଦୀଗୁଡ଼ିକରେ ବିଜ୍ଞାନ ଓ ଟେକ୍ନୋଲଜିକୁ ପାରସ୍ପରିକ ନିର୍ଭରଶୀଳତା ବିନିମୟରେ ସମୃଦ୍ଧ କରାଯାଇଛି । ଏହାର ପରିଣତି ସ୍ୱରୂପ କୃଷି ଓ ବହୁମୁଖୀ ଶିଳ୍ପ କ୍ଷେତ୍ରରେ ଉତ୍ପାଦନର ମାତ୍ରାକୁ ବହୁଗୁଣିତ କରାଯିବା ସମ୍ଭବ ହୋଇଛି । ବିଜ୍ଞାନର ଅଗ୍ରଗତି ସହିତ ତାଳ ମିଳାଇ ନୂଆ ନୂଆ ଟେକ୍ନୋଲଜିଗୁଡ଼ିକୁ ଉଦ୍ଭାବନ କରାଯିବାଫଳରେ ଏବଂ ଅଭିନବ ଟେକ୍ନୋଲଜିଗୁଡ଼ିକର ସାହାଯ୍ୟ ନିଆଯାଇ ଉତ୍ପାଦନରେ ଅଭିବୃଦ୍ଧି ଘଟାଯିବା ଫଳରେ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ସମାଜର ରୂପ ଦିନକୁଦିନ ଲକ୍ଷ୍ୟଣୀୟ ମାର୍ଗରେ ବଦଳିଯାଉଛି ।

ଆମ ଦେଶର ବୌଦ୍ଧିକ ପରମ୍ପରା :—

ୟୁରୋପ ମହାଦେଶରେ ବିଜ୍ଞାନର ଜୟଯାତ୍ରା ଯୋଗୁଁ ବୈଜ୍ଞାନିକ ସଭ୍ୟତାର ତ୍ୱରାନ୍ୱିତ ପ୍ରଗତି ସାଧିତ ହେଉଥିବାବେଳେ ଆମ ଦେଶରେ ବିଜ୍ଞାନର ସମୃଦ୍ଧି ସାଧନପାଇଁ ରାଜନୈତିକ ପରିବେଶ ଏକାନ୍ତ ପ୍ରତିକୂଳ ହେଲା । ଅବଶ୍ୟ ଐତିହାସିକ ଦୃଷ୍ଟିକୋଣରୁ ବିଚାର କରିବାଦ୍ୱାରା ଏହା ଏକ ବିସ୍ମୟୋଦ୍ଦୀପକ ଘଟଣା ରୂପେ ପ୍ରତୀୟମାନ ହେଉଛି । ମନୁଷ୍ୟର ସୃଜନଶୀଳତାର ପରିପ୍ରକାଶ କ୍ଷେତ୍ରରେ ଆମ ଦେଶ ପ୍ରାଚୀନକାଳରେ ଏକ ଗୌରବାବହ ପରମ୍ପରାର ଅଧିକାରୀ ହୋଇଥିଲା । ସୈନ୍ଧବ ଉପତ୍ୟକାର ସୁସଂଯୋଜିତ ସଭ୍ୟତା, ଦଶମିକ ପଦ୍ଧତି ଅବଲମ୍ୱନରେ ଗାଣିତିକ ଭାଷାର ସମୁନ୍ନତି, ବୀଜଗଣିତ, ଜ୍ୟାମିତି, ଜ୍ୟୋତିର୍ବିଜ୍ଞାନ, ରସାୟନ ଓ ଆୟୁର୍ବେଦ ପ୍ରଭୃତି କ୍ଷେତ୍ରରେ ଭାରତୀୟମାନଙ୍କ ମୌଳିକ ଅବଦାନ ସର୍ବଥା ସ୍ୱୀକୃତ ହୋଇଛି । ପୁଣି ଉପଯୋଗୀ ଧାତୁଗୁଡ଼ିକୁ ସଂଗ୍ରହ କରିବା ଓ ବିଶୋଧନ କରିବା, ସୁଦୃଶ୍ୟ କାରୁକାର୍ଯ୍ୟ ଶୋଭିତ ମନ୍ଦିର ଓ ପ୍ରାସାଦ ନିର୍ମାଣ କରି ସ୍ଥାପତ୍ୟ ବିଦ୍ୟା ଓ ପ୍ରଯୁକ୍ତି ବିଦ୍ୟାରେ ବିଚକ୍ଷଣ ପାରଙ୍ଗମତା ପ୍ରଦର୍ଶନ କରିବା ଟେକ୍ନୋଲଜି ତଥା ସୌନ୍ଦର୍ଯ୍ୟଜ୍ଞାନର ସୁସମନ୍ୱୟ ବିନିମୟରେ ଜନବସତିଗୁଡ଼ିକୁ ପ୍ରତିଷ୍ଠା କରିବା କ୍ଷେତ୍ରରେ ଭାରତ ନେତୃସ୍ଥାନୀୟ ଭୂମିକା ଗ୍ରହଣ କରିଥିଲା ।

ବିଜ୍ଞାନ ଓ ଟେକ୍ନୋଲଜି କ୍ଷେତ୍ରରେ ଆମ ଦେଶ ଉଲ୍ଲିଖିତ ପ୍ରକାରେ ଯେପରି ପାରଙ୍ଗମତା ପ୍ରଦର୍ଶନ କରିଥିଲା, ସୃଜନଶୀଳ ପ୍ରତିଭାର ପରିପ୍ରକାଶ ପାଇଁ ଉଦ୍ଦିଷ୍ଟ ଅନ୍ୟାନ୍ୟ ମାଧ୍ୟମଗୁଡ଼ିକରେ ମଧ୍ୟ ଭାରତୀୟମାନେ ତଦନୁରୂପ କୃତିତ୍ୱ ପ୍ରଦର୍ଶନ କରିଥିଲେ । ଅଜନ୍ତାର ମନମୁଗ୍ଧକର ଚିତ୍ରକଳା, ଏଲୋରାର ଅପୂର୍ବ ଭାସ୍କର୍ଯ୍ୟ, ଭାବାବେଗ ବ୍ୟକ୍ତ କରିବା କ୍ଷେତ୍ରରେ କର୍ଣ୍ଣାଟକୀ, ଭାରତନାଟ୍ୟମ୍ ଓ ଓଡ଼ିଶୀ ନୃତ୍ୟକଳାର ସ୍ୱାତନ୍ତ୍ର୍ୟ, ଭାରତୀୟ ଦର୍ଶନର ମହନୀୟତା, ସାହିତ୍ୟ କ୍ଷେତ୍ରରେ ଭାରତୀୟମାନଙ୍କ ଅସାମାନ୍ୟ କୃତିତ୍ୱ ବହୁକାଳ ବ୍ୟାପୀ ଭାରତୀୟ ସୃଜନଶୀଳତାର ସ୍ୱାକ୍ଷର ବହନ କରି ପୃଥିବୀ ବକ୍ଷରେ ସର୍ବତ୍ର ଉଚ୍ଚ ପ୍ରଶଂସିତ ହୋଇଥିଲା । ସୁଦୀର୍ଘ ପାଞ୍ଚ ସହସ୍ରବର୍ଷ ପୂର୍ବରୁ ଭାରତୀୟମାନେ କଳା, ବିଜ୍ଞାନ, ସାହିତ୍ୟ ଓ ଦର୍ଶନ ପ୍ରଭୃତି ଜରିଆରେ ନିଜ ନିଜ ବୌଦ୍ଧିକତାର ଯେଉଁପ୍ରକାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ, ତାହା ବିଗତ ତିନି ଶତାବ୍ଦୀ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା । ଏହି ତିନି ଶତାବ୍ଦୀ ମଧ୍ୟରେ ଆମ ଦେଶର ବିଭିନ୍ନ ଅଞ୍ଚଳରେ ଶାସନ ଦାୟିତ୍ୱରେ ଥିବା ରାଜା ରାଜୁଡ଼ାମାନଙ୍କ ମଧ୍ୟରେ ସୀମାବିବାଦ ତଥା ସମ୍ପଦ ଆହରଣକୁ କେନ୍ଦ୍ରକରି ମତାନ୍ତର ଘଟିବାରୁ ଏବଂ ଏଥିପାଇଁ ବାରମ୍ୱାର ରକ୍ତାକ୍ତ ସଂଘର୍ଷ ଘଟିବାରୁ ଏହାର ସୁଯୋଗ ନେଇ ବାହ୍ୟ ଶତ୍ରୁମାନେ ଏ ଦେଶକୁ ଆକ୍ରମଣ କଲେ । ଜାତୀୟ ଐକ୍ୟ ଓ ସଂହତିର ଅଭାବଯୋଗୁଁ ଭାରତରେ ଶେଷକୁ ଇଂରେଜମାନଙ୍କଦ୍ୱାରା ସାମ୍ରାଜ୍ୟବାଦୀ ଶାସନ ଜାରି ହେଲା । ପରାଧୀନ ଭାରତରେ ଜନସାଧାରଣ ପରମୁଖାପେକ୍ଷୀ ଜୀବନ ଯାପନ କରିବାକୁ ବାଧ୍ୟ ହେଲେ । ମୌଳିକ ଚିନ୍ତା କରିବାପାଇଁ, ନବୀକରଣ ପଦ୍ଧତି ଅବଲମ୍ୱନରେ ସ୍ଥିତାବସ୍ଥାର କ୍ରମୋନ୍ନତି ଘଟାଇବା ପାଇଁ ପରିବେଶ ଏକାନ୍ତ ପ୍ରତିକୂଳ ହେଲା । ସାରା ଦେଶରେ ରକ୍ଷଣଶୀଳ ମନୋଭାବ ପ୍ରାଦୁର୍ଭାବ ବିସ୍ତାର କରିବାରୁ ଏବଂ କୁସଂସ୍କାର ଓ ଅନ୍ଧବିଶ୍ୱାସଗୁଡ଼ିକ ମୁଣ୍ଡ ଟେକିବାରୁ ନିଜ ନିଜ ପ୍ରତିଭାର ଉପଯୋଗ ଘଟାଇ କଳା, ବିଜ୍ଞାନ ଓ ଟେକ୍ନୋଲଜି କ୍ଷେତ୍ରରେ ନୂଆ ନୂଆ କୃତିଗୁଡ଼ିକୁ ବାସ୍ତବ ରୂପାୟନ ପ୍ରଦାନ କରିବାର ଅବକାଶ ରହିଲା ନାହିଁ । ଏଣୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ବୈଜ୍ଞାନିକ ଓ ବୈଷୟିକ ବିପ୍ଳବ ସମାହିତ ହେଉଥିବା ଅବସରରେ ଆମ ଦେଶ ତାହାର ସୁବିଧା ଓ ସୁଯୋଗ ଉପଭୋଗ କରିବାରୁ ବଞ୍ଚିତ ହେଲା ।

 

ବୈଜ୍ଞାନିକ କ୍ରିୟାଶୀଳତାର ପୁନରଭ୍ୟୁଦୟ :—

 

ବିଗତ ଏକ ଶତାବ୍ଦୀ ବ୍ୟାପୀ ଦେଶମାତୃକାକୁ ପରାଧୀନତାର ଶୃଙ୍ଖଳାରୁ ମୁକ୍ତ କରିବାପାଇଁ ସାରା ଦେଶରେ ଯେଉଁ ବୌଦ୍ଧିକ ଆଲୋଡ଼ନ ସଙ୍ଘଟିତ ହେଲା, ତାହାର ସୁପରିଣତି ସ୍ୱରୂପ ବହୁ ପ୍ରତିବନ୍ଧକ ସତ୍ତ୍ୱେ ବୈଜ୍ଞାନିକ କ୍ରିୟାଶୀଳତାର ପୁନରଭ୍ୟୁଦୟ ଘଟାଇବାପାଇଁ ବହୁ ପ୍ରତିଭାଧର କୃତବିଦ୍ୟ ବୈଜ୍ଞାନିକ ପଥପ୍ରଦର୍ଶନକାରୀ ଭୂମିକା ଗ୍ରହଣ କଲେ । ସେମାନଙ୍କ ମଧ୍ୟରେ ଜଗଦୀଶ ଚନ୍ଦ୍ର ବୋଷ, ପ୍ରଫୁଲ୍ଲ ଚନ୍ଦ୍ର ରାୟ, ଚନ୍ଦ୍ରଶେଖର ଭେଙ୍କଟ ରମଣ, ମେଘନାଦ ଶାହା, ସତ୍ୟେନ୍ଦ୍ରନାଥ ବୋଷ, ଏମ୍. ବିଶ୍ୱେଶରୀୟା ଓ ଶ୍ରୀନିବାସ ରାମାନୁଜନ୍ ପ୍ରମୁଖଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ । ଆମ ଦେଶରେ ବୈଜ୍ଞାନିକ କ୍ରିୟାଶୀଳତା ପୁନରଭ୍ୟୁଦୟ ଘଟାଇବାପାଇଁ ଏହି ଯୋଗଜନ୍ମା ଚିନ୍ତାନାୟକମାନେ ନିଜ ନିଜ ସୃଜନଶୀଳତାର ସଦୁପଯୋଗ କରୁଥିବା ବେଳେ ରାଜା ରାମମୋହନ ରାୟ, ସ୍ୱାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର ଓ ଅରବିନ୍ଦ ଘୋଷ ପ୍ରମୁଖ ମହାମନା ପଣ୍ଡିତ ଓ ସମାଜ ସଂସ୍କାଂରକମାନେ ସୁପ୍ତ ଜନତାକୁ ଜାଗ୍ରତ କରାଇବାପାଇଁ ସମୟୋପଯୋଗୀ ନେତୃତ୍ୱ ପ୍ରଦର୍ଶନ କରିଥିଲେ । ଶେଷକୁ ମହାତ୍ମାଗାନ୍ଧି ନିଜ ଅନନକରଣୀୟ ବ୍ୟକ୍ତିତ୍ୱ ଓ ବିଚକ୍ଷଣ ନେତୃତ୍ୱ ବଳରେ ସାରା ଦେଶର ଜନସାଧାରଣଙ୍କୁ ଏକଜୁଟ୍ କରାଇ ଅହିଂସା ଆନ୍ଦୋଳନ ଜରିଆରେ ଆମ ଦେଶକୁ ସ୍ୱାଧୀନ କରାଇବାରେ ଏକ ଐତିହାସିକ ଭୂମିକା ଗ୍ରହଣ କଲେ । ଉଲ୍ଲିଖିତ ସଂକ୍ଷିପ୍ତ ଆଭାସଟିକୁ ପରିବେଷଣ କରିବାର ପ୍ରାସଙ୍ଗିକ ତାତ୍ପର୍ଯ୍ୟ ହେଉଛି ଯେ, ଯେଉଁ ସମୟରେ ଆମ ଦେଶରେ ବୈଜ୍ଞାନିକ କ୍ରିୟାଶୀଳତାର ପୁନରଭ୍ୟୁଦୟ ଘଟିଲା, ଠିକ୍ ସେହି ଅବସରରେ ସାଂସ୍କୃତିକ ଓ ସାମାଜିକ ଜୀବନକୁ ସୁଖଶାନ୍ତିମୟ କରାଇବାପାଇଁ କ୍ରାନ୍ତିକାରୀ ମହାପୁରୁଷମାନଙ୍କର ଆବିର୍ଭାବ ଘଟିଥିଲା ।

 

ଦେଶ ମାତୃକାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତକରି ଯେଉଁ ଜନନାୟକମାନେ ଆମ ଦେଶର ଶାସନଭାର ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ପଣ୍ଡିତ ଜବାହରଲାଲ ନେହେରୁ ହିଁ ବିଜ୍ଞାନ ଓ ସମାଜ ମଧ୍ୟରେ ନିହିତ ସମ୍ପର୍କଟିକୁ ଭଲଭାବରେ ବୁଝିଥିଲେ । ସେ କହିଥିଲେ, ‘‘କେବଳ ପରୀକ୍ଷା ନଳୀକୁ ଲକ୍ଷ୍ୟ କରିବା, ବିଭିନ୍ନ ବସ୍ତୁଗୁଡ଼ିକୁ ମିଶାଇ ଛୋଟ ବଡ଼ ଦ୍ରବ୍ୟଗୁଡ଼ିକୁ ଉତ୍ପାଦନ କରିବାଭଳି କାର୍ଯ୍ୟାନୁଷ୍ଠାନଗୁଡ଼ିକୁ କେବଳ ବିଜ୍ଞାନ ରୂପେ ବିଚାର କରିବା ଠିକ୍ ନୁହେଁ । ନିଜ ମନକୁ ଏକ ବିଶେଷ ପ୍ରକାର ତାଲିମ୍ ଦେବା ଏବଂ ସାରାଜୀବନ ଏହି ତାଲିମ ପର୍ଯ୍ୟାବସିତ ଜୀବନ ଯାପନ କରିବାପାଇଁ ସ୍ୱତଃସ୍ଫୂର୍ତ୍ତ ଭାବରେ ଆଗ୍ରହୀ ହେବାହିଁ ବିଜ୍ଞାନର ଅସଲ ସ୍ୱରୂପ ।’’ ସାରାଦେଶର ଜନସାଧାରଣଙ୍କ ମଧ୍ୟରେ ବିଶେଷଧରଣର ତାଲିମ୍ ବିନିମୟରେ ବୈଜ୍ଞାନିକ ମିଜାଜ୍ ବା ଦୃଷ୍ଟିଭଙ୍ଗୀର ପ୍ରସାର ଘଟାଇବା ଦିଗରେ ପଣ୍ଡିତ ନେହେରୁ ଅଗ୍ରାଧିକାର ଆରୋପ କରିଥିଲେ ।

 

ବୈଜ୍ଞାନିକ ନୀତି ନିର୍ଦ୍ଧାରଣ (୧୯୫୮) :—

 

୧୯୫୮ ମସିହା ମାର୍ଚ୍ଚ ମାସ ୪ ତାରିଖ ଦିନ ପଣ୍ଡିତ ନେହେରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଯୋଗୁଁ ‘ସାଇଣ୍ଟିଫିକ୍ ରିଜୋଲ୍ୟୁସନ’ ଶୀର୍ଷକ ଏକ ନୀତିକୁ ସାମ୍ୱିଧାନିକ ସ୍ୱୀକୃତି ପ୍ରଦାନ କରାଗଲା-। ଏହି ନୀତିରେ ଲିପିବଦ୍ଧ କତିପୟ ପଂକ୍ତି ଏଠାରେ ଉଦ୍ଧାର କରିବାଦ୍ୱାରା ଏହାର ତାତ୍ପର୍ଯ୍ୟ ଆଧାରିତ କେତେକ ମୌଳିକ ଧାରଣା ସମ୍ପର୍କରେ ଆମେ ବୋଧଗମ୍ୟ ସ୍ପଷ୍ଟୀକରଣ ପାଇପାରିବା–

 

କେବଳ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ବୈଜ୍ଞାନିକ ପଦ୍ଧତିର ଅନୁଗାମୀ ହେବାଦ୍ୱାରା ଏବଂ ବୈଜ୍ଞାନିକ ଗବେଷଣା ପ୍ରସୂତ ଜ୍ଞାନର ସଦୁପଯୋଗ କରାଯିବା ଦ୍ୱାରା ସମାଜର ପ୍ରତ୍ୟେକ ସଦସ୍ୟଙ୍କ ଜାଗତିକ, ସାଂସ୍କୃତିକ ଓ ବୃତ୍ତିଗତ ଚାହିଦା ପୂରଣ କରାଯାଇ ପାରିବ । ...ବିଜ୍ଞାନର ପ୍ରଭାବ ଯୋଗୁଁ ସଂସ୍କୃତିର ବୃଦ୍ଧି ଓ ବିସ୍ତାର ଯେପରି ଭାବରେ ସଙ୍ଘଟିତ ହେଉଛି, ତାହା ପୂର୍ବରୁ କେବେହେଲେ ସମ୍ଭବ ହୋଇ ନଥିଲା...ଏହା ଚିନ୍ତା କରିବାର ଅଭିନବ ଉପାଦାନ ଯୋଗାଇ ପାରିଛି ଏବଂ ମାନବୀୟ ଚେତନାର ଦିଗ୍‍ବଳୟକୁ ସଂପ୍ରସାରିତ କରିଛି । ଏହା ମନୁଷ୍ୟର ମୌଳିକ ମୂଲ୍ୟବୋଧଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି ଏବଂ ମାନବୀୟ ସଭ୍ୟତାକୁ ନୂତନ ଜୀବନ୍ୟାସ ଦେବା ସଙ୍ଗେ ସଙ୍ଗେ ପ୍ରଗତିଶୀଳ କରାଇ ପାରିଛି ।

 

ଆମ ଦେଶର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ବିଜ୍ଞାନର ମହିମାକୁ ଯେପରି ଭାବରେ ହୃଦୟଙ୍ଗମ କରିଥିଲେ, ତାହାହିଁ ଆମ ଜାତୀୟ ବୈଜ୍ଞାନିକ ନୀତିରେ ପ୍ରତିଫଳିତ ହୋଇଛି । ସେ ଭଲ ଭାବରେ ବୁଝିଥିଲେ ଯେ, କେବଳ ବିଜ୍ଞାନ ସମ୍ୱନ୍ଧରେ ଉଚ୍ଚଶିକ୍ଷା ପ୍ରାପ୍ତ ହେବାର ସୌଭାଗ୍ୟ ଅର୍ଜନ କରିଥିବା ଉପଭୋଗୀ ଗୋଷ୍ଠୀ କିମ୍ୱା ବୈଜ୍ଞାନିକ ଗବେଷଣାରେ ମନୋନିବେଶ କରିଥିବା ଗବେଷକମାନଙ୍କ ପାଇଁ କେବଳ ବିଜ୍ଞାନ ଉଦ୍ଦିଷ୍ଟ ହୋଇନାହିଁ । ସମାଜର ପ୍ରତ୍ୟେକ ସଦସ୍ୟଙ୍କ ଭାଗ୍ୟ ଏହା ସହିତ ଜଡ଼ିତ ହୋଇଛି ଏବଂ ସମସ୍ତଙ୍କୁ ବିଜ୍ଞାନର ତାତ୍ପର୍ଯ୍ୟ ସହିତ ପରିଚିତ କରାଇବାଦ୍ୱାରା ତଥା ବୈଜ୍ଞାନିକ ଦୃଷ୍ଟିଭଙ୍ଗୀଦ୍ୱାରା ଉଦ୍‍ବୁଦ୍ଧ କରାଇବା ଦ୍ୱାରା ଜାତୀୟ ସମସ୍ୟାଗୁଡ଼ିକୁ ସମାଧାନ କରାଯିବାର ପଥ ସୁଗମ ହେବାର ନିଶ୍ଚିତ ଅବକାଶ ରହିଛି । ବିଜ୍ଞାନକୁ ଅନେକ ଜ୍ଞାନ ବା ତଥ୍ୟରାଜିର ଅସରନ୍ତି ଭଣ୍ଡାର ରୂପେ ବିଚାର କରନ୍ତି । ସେମାନେ ପୁଣି ଭାବନ୍ତି ଯେ, ଜଟିଳ ଯନ୍ତ୍ରପାତି ଓ ଉପକରଣଗୁଡ଼ିକୁ ଠିକଣା ଭାବରେ କାର୍ଯ୍ୟକାରୀ କରାଇବାର ଉପାୟ ହିଁ କେବଳ ସେହି ବିଶେଷଜ୍ଞମାନଙ୍କୁ ଜଣାଅଛି । ଏଣୁ ଯେପରି ଜଟିଳ ତଥା ଦୁର୍ବୋଧ୍ୟ ବିଷୟଠାରୁ ଦୂରେଇ ରହିବାକୁ ସେମାନେ ସ୍ପୃହଣୀୟ ମନେକରନ୍ତି । ଅବଶ୍ୟ ବିଜ୍ଞାନର ପ୍ରଗତି ସାଧନପାଇଁ ବିଶେଷଜ୍ଞସୁଲଭ ଜ୍ଞାନ ଓ ସମୁନ୍ନତ ତଥା ସୁଗ୍ରାହୀ ଯନ୍ତ୍ରଗୁଡ଼ିକୁ ବ୍ୟବହାର କରାଯାଉଛି । ମାତ୍ର ଏହା କେବଳ ବିଜ୍ଞାନର ବାହ୍ୟରୂପ । ଯେଉଁ ସ୍ୱତଃସ୍ଫୂର୍ତ୍ତ ଆଗ୍ରହ ବା ଉତ୍ସାହ ମନୁଷ୍ୟକୁ ଏପରି ବ୍ୟାପାରରେ ମନୋନିବେଶ କରିବାପାଇଁ ପ୍ରବର୍ତ୍ତାଉଛି ତାହା ହେଉଛି ସତ୍ୟାନୁସନ୍ଧାନ । ତର୍କ ସଙ୍ଗତ ବିଚାର ହିଁ ଏହାର ଭିତ୍ତିଭୂମି । ପର୍ଯ୍ୟବେକ୍ଷଣ, ପରୀକ୍ଷଣ, ବିଶ୍ଳେଷଣାତ୍ମକ ଚିନ୍ତନ ଏବଂ ଉପକଳ୍ପ ବା ତତ୍ତ୍ୱ ପ୍ରତିଷ୍ଠାରୂପୀ କର୍ମସୂଚୀ ଆଧାରିତ ଯେଉଁ ବୈଜ୍ଞାନିକ ପଦ୍ଧତିକୁ ଗବେଷକମାନେ ନିଷ୍ଠାପର ଭାବରେ ପାଳନ କରନ୍ତି, ତାହା ନୂଆ ନୂଆ ଧାରଣାଗୁଡ଼ିକର ଅଭ୍ୟୁଦୟ ଘଟାଏ । ଗୋଟିଏ ତତ୍ତ୍ୱ ବହୁ ସଂଭାବ୍ୟ ଘଟଣା ସମ୍ପର୍କରେ ପ୍ରାକ୍‍ସୂଚନା ଯୋଗାଇପାରେ ଏବଂ ପରବର୍ତ୍ତୀ କାଳରେ ଅଭିକ୍ରିୟା ସମ୍ପାଦନ କରାଯିବାଦ୍ୱାରା ଏପରି ପ୍ରାକ୍‍ସୂଚନାଗୁଡ଼ିକର ସତ୍ୟତା ପ୍ରତିପାଦନ କରାଯାଏ । ଯଦି ପୁନଃ ପୁନଃ ଅଭିକ୍ରିୟା ସମ୍ପାଦନ କରାଯିବା ପରେ ପ୍ରାକ୍‍ସୂଚନା ନିର୍ଦ୍ଧାରିତ ଫଳ ଅଭିକ୍ରିୟା ପ୍ରସୂତ ଫଳ ସହିତ ସାମଞ୍ଜସ୍ୟ ରକ୍ଷାକରି ନ ପାରେ, ତାହାହେଲେ ସେହି ତତ୍ତ୍ୱଟି ଗ୍ରହଣଯୋଗ୍ୟ ହୁଏ ନାହିଁ । ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ କାହାର ଆଧିପତ୍ୟ ବା କ୍ଷମତାକୁ ମାନିନେବାର ଅବକାଶ ନଥାଏ । ଯାହାକୁ କୌଣସି ଏକ ସମୟରେ ଗୋଟିଏ ବୈଜ୍ଞାନିକ ସତ୍ୟରୂପେ ଗ୍ରହଣ କରାଯାଏ, ତାହାର ସତ୍ୟତାକୁ ଯେ କେହି ଯେ କୌଣସି ପରୀକ୍ଷାଗାରରେ ସତ୍ୟାପିତ କରାଇ ପାରନ୍ତି । ବୈଜ୍ଞାନିକ ପଦ୍ଧତିକୁ କେବଳ ବୈଜ୍ଞାନିକ ଗବେଷଣାଭଳି ଏକ ସଂକୀର୍ଣ୍ଣ ପରିସର ମଧ୍ୟରେ ଆବଦ୍ଧ ରଖାଯିବା ଉଚିତ୍ ନୁହେଁ । ଏହାକୁ ବ୍ୟକ୍ତିଗତ ତଥା ଜାତୀୟ ଜୀବନର ସବୁ କ୍ଷେତ୍ରରେ କର୍ମାଭିମୁଖ୍ୟ ରୂପେ ଗ୍ରହଣ କରାଯିବାଦ୍ୱାରା ହିଁ ଗୋଟିଏ ରାଷ୍ଟ୍ରର ସର୍ବାଙ୍ଗୀନ ପ୍ରଗତି ସାଧିତ ହେବାର ନିଶ୍ଚିତ ସମ୍ଭାବନା ରହିଛି; କାରଣ ଏହି ଅନୁସନ୍ଧାନ ପ୍ରକ୍ରିୟା ଯୁକ୍ତିସଙ୍ଗତ ତଥା ବ୍ୟକ୍ତିନିରପେକ୍ଷ ମାର୍ଗରେ ସମାହିତ ହେଉଛି । ପଣ୍ଡିତ ନେହେରୁ ଚାହୁଁଥିଲେ ଯେ, ଆମ ଦେଶର ଜନସାଧାରଣ ଏପରି କର୍ମାଭିମୁଖ୍ୟରେ ଦୀକ୍ଷିତ ହୁଅନ୍ତୁ । ଧନୀ ଦରିଦ୍ର ନିର୍ବିଶେଷରେ ଜନସାଧାରଣଙ୍କୁ ଏପରି କର୍ମାଭିମୁଖ୍ୟରେ ଦୀକ୍ଷିତ କରାଯିବାଦ୍ୱାରା ସାରା ଦେଶରେ ଗୋଟିଏ ବୈଜ୍ଞାନିକ ମିଜାଜ୍ ବା ସାଇଣ୍ଟିଫିକ୍ ଟେମ୍ପରର ସର୍ଜନା ସମ୍ଭବ ହୋଇପାରିବ ବୋଲି ସେ ବିଚାରିଥିଲେ ।

 

ବୈଜ୍ଞାନିକ ମିଜାଜ୍ ବା ସାଇଣ୍ଟିଫିକ୍ ଟେମ୍ପର୍ର ପ୍ରସାର :

 

ବୈଜ୍ଞାନିକ ମିଜାଜ୍‍ର ପ୍ରସାରପାଇଁ ସର୍ବାଦୌ ଆମ ଦେଶରେ ଗୋଟିଏ ସୁସଂହତ ବୈଜ୍ଞାନିକ ଗୋଷ୍ଠୀର ଚାହିଦା ଅନୁଭୂତ ହେଇଛି । ଏମାନେ ତାତ୍ତ୍ୱିକ ବା ଅଭିକ୍ରିୟାତ୍ମକ ଗବେଷଣାଗାର ପରିଚାଳନା ଭଳି ବୃତ୍ତିଗତ ବ୍ୟାପାରରେ ପାରଦର୍ଶିତା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବିଜ୍ଞାନର ଚାରିତ୍ରିକ ବୈଶିଷ୍ଟ୍ୟ ପ୍ରତିପାଦନ କରୁଥିବା ତର୍କସଙ୍ଗତ ତଥା ନିର୍ବ୍ୟକ୍ତିକ ବିଚାରବୋଧ ପ୍ରତି ଏକନିଷ୍ଠ ଆନୁଗତ୍ୟ ପ୍ରଦର୍ଶନ କରିବା ଏକାନ୍ତ ବାଞ୍ଛନୀୟ । ଆମ ଦେଶର ଉନ୍ନୟନପାଇଁ ଉଦ୍ଦିଷ୍ଟ ସର୍ବବିଧ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସହ ସଂପୃକ୍ତ ବିଶେଷଜ୍ଞ ଓ ପ୍ରଶାସକମାନେ ଲକ୍ଷ୍ୟଣୀୟ ମାର୍ଗରେ ବୈଜ୍ଞାନିକ ପଦ୍ଧତିର ଅନୁଗାମୀ ହେବାଦ୍ୱାରା ସମାଜ ଉପରେ ତାହା ସୁପ୍ରଭାବ ବିସ୍ତାର କରିପାରିବ । ଜନସାଧାରଣ ଅନ୍ୟ କାହାର କ୍ଷମତା ବା ପ୍ରରୋଚନାର ବଶବର୍ତ୍ତୀ ହେବା ପରିବର୍ତ୍ତେ ନିଜ ନିଜ ବିଚାର ବୁଦ୍ଧି ପ୍ରୟୋଗ କରି ଓ ଭଲ ମନ୍ଦ ପରଖି ଦୈନନ୍ଦିନ କର୍ତ୍ତବ୍ୟ ପାଳନରେ ବ୍ରତୀ ହେବାଦ୍ୱାରା ସେମାନଙ୍କର ତଥା ସାରା ଦେଶର ପ୍ରଗତିର ହାରରେ ସୁସଂଯତ ଅଭିବୃଦ୍ଧି ଘଟିବାର ନିଶ୍ଚିତ ସମ୍ଭାବନା ରହିଛି । ମାତ୍ର ଆମ ଦେଶରେ ବୈଜ୍ଞାନିକ ମିଜାଜ୍‍ରେ ସର୍ଜନା କିପରି ସଂଭବ ହୋଇପାରିବ ? ଅଭିଜ୍ଞତାରୁ ଆମେ ଜାଣି ପାରୁଛୁ ଯେ, ଶିକ୍ଷା ହିଁ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବର୍ତ୍ତମାନ ଆମ ଦେଶରେ ଯେଉଁପ୍ରକାର ଶିକ୍ଷାପଦ୍ଧତି ପ୍ରବର୍ତ୍ତିତ ହୋଇଛି, ତାହା ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ପ୍ରତିଭାର କ୍ରମବିକାଶ ଘଟାଇବାର ସାମର୍ଥ୍ୟ ପ୍ରଦାନ କରି ପାରୁନାହିଁ । ଛାତ୍ରଛାତ୍ରୀମାନେ କୌଣସି ବିଷୟକୁ ଭଲଭାବରେ ବୁଝିବାପାଇଁ ଚେଷ୍ଟାକରିବା ପରିବର୍ତ୍ତେ ଶିକ୍ଷକଙ୍କ ମୁଖ ନିଃସୃତ ବାଣୀକୁ ଉତାରି ନେବାକୁ ଏକ ସହଜିଆ ଉପାୟ ରୂପେ ଆଦରି ନେଉଛନ୍ତି । ସେମାନେ କେବଳ ତଥ୍ୟରାଜିକୁ କୌଣସି ପ୍ରକାରେ ମୁଖସ୍ଥ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯିବାକୁ ପ୍ରଲୁବ୍ଧି ହେଉଛନ୍ତି । କାରଣ, ଡିଗ୍ରୀ ହିଁ ଚାକିରି ମିଳିବାର ତଥା ସାମାଜିକ ମର୍ଯ୍ୟାଦା ପ୍ରାପ୍ତ ହେବାର ମାନଦଣ୍ଡ ରୂପେ ବିବେଚିତ ହେଉଛି । ଆମେ ସମସ୍ତେ ପିଲାମାନଙ୍କ ସହିତ ମିଶୁଛି । ସେମାନେ ନିଜ ପାରିପାର୍ଶ୍ୱିକ ପରିବେଶକୁ ବୁଝିବାପାଇଁ ଯଥା ଦୁନିଆର ହାଲଚାଲ ସଂପର୍କରେ ଅବଧାରିତ ହେବାପାଇଁ ଯେଉଁପ୍ରକାର କୌତୂହଳୀ ପ୍ରଶ୍ନ ପଚାରନ୍ତି ଏବଂ ବିଭିନ୍ନ ବସ୍ତୁ ଓ ଘଟଣାଗୁଡ଼ିକ ମଧ୍ୟରେ ଘଟୁଥିବା ଅନ୍ତଃକ୍ରିୟା ଓ ଯୋଗସୂତ୍ରଗୁଡ଼ିକ ସମ୍ପର୍କରେ ବୋଧଗମ୍ୟ ସ୍ପଷ୍ଟୀକରଣପାଇଁ ସେମାନେ ଯେପରି ବ୍ୟଗ୍ର ହୁଅନ୍ତି, ଆମେ ନିଜ ଅନୁଭୂତିରୁ ତାହାର ସମ୍ୟକ୍ ପରିଚିତ ପାଇପାରିଛୁ । ବେଳେବେଳେ ପିଲାମାନେ ଏପରି ଅଖାଡ଼ୁଆ ପ୍ରଶ୍ନ ପଚାରନ୍ତି ଯେ, ସେମାନଙ୍କୁ ସନ୍ତୋଷପ୍ରଦ ଉତ୍ତର ଯୋଗାଇଦେବା ସୁବିଧାଜନକ ହୁଏ ନାହିଁ । ମାତ୍ର ଆଶ୍ଚର୍ଯ୍ୟର କଥା ଯେ, ଆମ ଦେଶରେ ଯେଉଁ ପ୍ରକାର ଶିକ୍ଷାଦାନ ପଦ୍ଧତି ପ୍ରବର୍ତ୍ତିତ ହୋଇଛି, ତାହା ଛାତ୍ରର କୌତୂହଳ ଓ ଅନୁସନ୍ଧିତ୍ସାକୁ ଉତ୍ସାହିତ କରିବା ପରିବର୍ତ୍ତେ ତାହାକୁ ତିଳେ ତିଳେ ହତ୍ୟା କରୁଛି । ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ, ଗଣିତ, ବିଜ୍ଞାନ, ନୀତିଶିକ୍ଷା, ଇତିହାସ ଓ ଭୂଗୋଳ ସମ୍ପର୍କରେ ଯେଉଁ ଶିକ୍ଷା ଦିଆଯାଉଛି, ତାହାକୁ ଯଦି ସେମାନଙ୍କ ପାରିପାର୍ଶ୍ୱିକ ପ୍ରାକୃତିକ ଓ ସାମାଜିକ ପରିବେଶ ସହିତ ସଙ୍ଗତିସମ୍ପନ୍ନ କରାନଯାଏ, ତାହାହେଲେ ସେପରି ଶିକ୍ଷା ଅର୍ଥହୀନ ହୋଇଯିବା ସ୍ୱାଭାବିକ ବୋଧ ହେଉନାହିଁ କି ? ଯେଉଁ ପ୍ରକାର ମନଲାଖି ଶିକ୍ଷାଦାନ କରାଯିବାଦ୍ୱାରା ଛାତ୍ରଛାତ୍ରୀମାନଙ୍କଠାରେ ସ୍ୱତଃସ୍ଫୂର୍ତ୍ତ ଜ୍ଞାନଲିପ୍ସା ଜାଗ୍ରତ ହେବ ଏବଂ ଯାହାର ମର୍ଯ୍ୟାଦା ସମ୍ପର୍କରେ ସେମାନେ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜନ କରିପାରିବେ ସେପରି ଶିକ୍ଷାଦାନ ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ବୈଜ୍ଞାନିକ ମିଜାଜ୍‍ର ସର୍ଜନା କେବେହେଲେ ସମ୍ଭବ ହେବ ନାହିଁ ।

 

ପୁଣି ଏଠାରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ କରିବାଦ୍ୱାରା ହିଁ ସେମାନେ ବିଷୟବସ୍ତୁକୁ ଭଲ ଭାବରେ ବୁଝି ପାରିବେ ଏବଂ ଅର୍ଜିତ ଜ୍ଞାନକୁ ଠିକ୍ ଭାବରେ ପ୍ରକାଶ କରିପାରିବେ । ବୈଦେଶିକ ଭାଷାରେ ଶିକ୍ଷାଦାନ କରାଯିବା ଦ୍ୱାରା ଛାତ୍ରଛାତ୍ରୀମାନେ ବିଷୟବସ୍ତୁକୁ ଭଲ ଭାବରେ ବୁଝି ନପାରି କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆଶାରେ ସେଗୁଡ଼ିକୁ ମୁଖସ୍ଥ କରିବାକୁ ବାଧ୍ୟ ହେଉଛନ୍ତି । ମୁକ୍ତ ଚିନ୍ତନ ପାଇଁ ଓ ଦୃଢ଼ ଆତ୍ମପ୍ରତ୍ୟୟ ସହକାରେ ଭାବ ବ୍ୟକ୍ତ କରିବାପାଇଁ ମାତୃଭାଷାକୁ ଶିକ୍ଷାର ମାଧ୍ୟମରୂପେ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଦୀକ୍ଷିତ କରାଇବାର ସକଳ ଉଦ୍ୟମ ବ୍ୟର୍ଥ ହୋଇଯିବ ।

 

ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ସମସ୍ୟାଗୁଡ଼ିକର ସମାଧାନ :

 

ଆମ ଦେଶରେ ଉପୁଜୁଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଦେଶୀ ଟେକ୍ନୋଲୋଜିଗୁଡ଼ିକୁ ଆମଦାନୀ କରାଯିବାଦ୍ୱାରା ଆମ ଦେଶର ଜନସାଧାରଣଙ୍କ ପ୍ରତିଭାର ସଦୁପଯୋଗ କରାଯିବାର ପଥ ଅବରୁଦ୍ଧ ହୋଇଯିବ । ଯଦି କର୍ମମୟ ଜୀବନରେ ପ୍ରବେଶ କରୁଥିବା ଯୁବକଯୁବତୀମାନେ ନିଜ ନିଜ ବୁଦ୍ଧି ଖଟାଇ କର୍ମକ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବାର ସୁବିଧା ପାଇ ନ ପାରନ୍ତି, ତାହା ହେଲେ ସେମାନଙ୍କ ଇନ୍ନୋଭେସନ ପ୍ରବଣତା ପଙ୍ଗୁ ହୋଇଯିବ । ଏଣୁ ଯେ କୌଣସି କ୍ଷେତ୍ରରେ ତଥା ଯେ କୌଣସି ସ୍ଥାନରେ ଉପୁଜୁଥିବା ଛୋଟ ବଡ଼ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସ୍ୱଦେଶୀ ଟେକ୍ନୋଲଜିଗୁଡ଼ିକୁ ଉଦ୍ଭାବନ କରିବାପାଇଁ ତଥା ସେଗୁଡ଼ିକର ବ୍ୟାବହାରିକ ଉପଯୋଗ ଘଟାଇବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବାର ବାଞ୍ଛନୀୟତା ଅନାୟାସରେ ଉପଲବ୍ଧି ହେଉଛି । ହଠାତ୍ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନପାଇଁ ବୈଜ୍ଞାନିକ ଅନୁସନ୍ଧାନ ଚଳାଇବା ପୂର୍ବକ ଯେଉଁ ସିଦ୍ଧାନ୍ତରେ ଉପନୀତ ହେବାର ଅବକାଶ ରହିଛି, ତାହା ଗୁଣାତ୍ମକ ଉତ୍କର୍ଷ ଦୃଷ୍ଟିରୁ ଅନ୍ତଃରାଷ୍ଟ୍ରୀୟ ବା ଆନ୍ତଃରାଷ୍ଟ୍ରୀୟ ସ୍ତରରେ ମର୍ଯ୍ୟାଦା ପାଇ ନପାରେ; ମାତ୍ର ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞମାନେ ସମାଜର ଅନ୍ୟମାନଙ୍କୁ ସମସ୍ୟାଗୁଡ଼ିକୁ ବୁଝି ବିଚାରି ସେମାନଙ୍କ ପାଇଁ ଉତ୍ପାଦନର ଅବଲମ୍ୱନଗୁଡ଼ିକୁ ଯୋଗାଇ ଦେବାପାଇଁ ଯତ୍ନବାନ ହେବା ଦ୍ୱାରା ବିଜ୍ଞାନ ଓ ସମାଜ ମଧ୍ୟରେ ଘନିଷ୍ଠ ଯୋଗସୂତ୍ର ପ୍ରତିଷ୍ଠିତ ହେବା ସଙ୍ଗେ ସଙ୍ଗେ ସାରା ଦେଶରେ ବୈଜ୍ଞାନିକ ମିଜାଜ୍‍ର ସର୍ଜନା ସମ୍ଭବ ହେବ । ବିଜ୍ଞାନ ଆନ୍ତଃରାଷ୍ଟ୍ରୀୟ ରୂପ ଧାରଣ କରିଛି । ଏହାର ଦିଗ୍‍ବଳୟକୁ ସଂପ୍ରସାରିତ କରାଇବାପାଇଁ ବର୍ତ୍ତମାନ ପୃଥିବୀ ବକ୍ଷରେ ମୌଳିକ ଗବେଷଣା ପ୍ରତି ଯେପରି ପ୍ରାଧାନ୍ୟ ଆରୋପ କରାଯାଉଛି, ଆମ ଦେଶରେ ତାହାର ବ୍ୟତିକ୍ରମ ଘଟିନାହିଁ । ଯେଉଁ ମେଧାବୀ ଓ ସୃଷ୍ଟିଶୀଳ ପ୍ରତିଭାସମନ୍ନ ଯୁବକ ଯୁବତୀମାନେ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କରିପାରିବାର ସମ୍ଭାବନା ଉଜ୍ଜ୍ୱଳମୟ ଜଣାପଡ଼ୁଛି, ସେମାନଙ୍କୁ ସାରା ଦେଶର ଅନ୍ୱେଷଣ କରିବା ସଙ୍ଗେ ସଙ୍ଗେ ‘ଗବେଷଣା ବୃତ୍ତି’ ଜରିଆରେ ଗବେଷଣାତ୍ମକ କାର୍ଯ୍ୟରେ ମନୋନିବେଶ କରିବାପାଇଁ ଉତ୍ସାହିତ କରାଯାଉଛି । ମୌଳିକ ଗବେଷଣାରେ ଆତ୍ମନିୟୋଗ କରିଥିବା ଯୁବକ ଯୁବତୀମାନେ ସେମାନଙ୍କ ଏକନିଷ୍ଠ ସାଧନା ବିନିମୟରେ ମୌଳିକ ଦୃଷ୍ଟିରୁ ବିଜ୍ଞାନର ଗନ୍ତାଘରକୁ ଯେପରି ପରିପୁଷ୍ଟ କରୁଛନ୍ତି, ତଜ୍ଜନିତ ଅଭିନବ ଧାରଣାଗୁଡ଼ିକର ଅଭ୍ୟୁଦୟ ଘଟୁଛି । ଆମ ଦେଶରେ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏ ପ୍ରକାର ଅଭିନବ ଧାରଣାଶ୍ରୟୀ ଟେକ୍ନୋଲଜିଗୁଡ଼ିକୁ ଉଦ୍ଭାବନ କରାଯିବା ସମ୍ଭବ ହେଉଛି । କର୍ମକୁଶଳୀ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞମାନେ ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନପାଇଁ ମୌଳିକ ଗବେଷଣା ନିର୍ଭରଶୀଳ ନୂଆ ନୂଆ ଟେକ୍ନୋଲଜି ଉଦ୍ଭାବନ କରିବାଦ୍ୱାରା ଏବଂ କର୍ମକୁଶଳୀ କାରିଗର ଓ ଶ୍ରମିକମାନଙ୍କୁ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯବାର ଉପାୟ ସମ୍ପର୍କରେ ତାଲିମ୍ ଦେବାଦ୍ୱାରା ଜାତୀୟ ଉତ୍ପାଦନ ବୃଦ୍ଧି ଲାଭ କରୁଛି ।

 

ଅନେକ ସମୟରେ ବିଜ୍ଞାନକୁ ଜନପ୍ରିୟ କରାଇବାର ପ୍ରଯତ୍ନକୁ ବୈଜ୍ଞାନିକ ମିଜାଜ୍‍ର ସର୍ଜନାପାଇଁ ଆବଶ୍ୟକ ହେଉଥିବା ପ୍ରଚେଷ୍ଟା ସହ ସମଦୃଷ୍ଟିରେ ବିଚାର କରାଯାଉଛି । ମାତ୍ର ଏଠାରେ ବୁଝିବାର କଥା ଯେ, ବୈଜ୍ଞାନିକ ମିଜାଜ୍‍ର ସର୍ଜନାପାଇଁ ଆବଶ୍ୟକ ହେଉଥିବା ବହୁବିଧ ଉଦ୍ୟମ ମଧ୍ୟରୁ ଜନପ୍ରିୟ ବିଜ୍ଞାନ-ସାହିତ୍ୟର ସର୍ଜନା ଅନ୍ୟତମ । ଶେଷୋକ୍ତ ପନ୍ଥା ଅବଲମ୍ୱନରେ ଜନସାଧାରଣଙ୍କୁ ଆମ ଦେଶର ବିଜ୍ଞାନ ଓ ଟେକ୍ନୋଲଜି କ୍ଷେତ୍ରରେ ଚାଲିଥିବା ଉଦ୍ୟମଗୁଡ଼ିକ ସହିତ ପରିଚିତ କରାଇବା ସମ୍ଭବ ହେଉଛି । ଏତଦ୍ୱାରା ବିଜ୍ଞାନ ଜଗତର ଅତ୍ୟାଧୁନିକ ଅବଦାନଗୁଡ଼ିକ ସମ୍ପର୍କରେ ଏବଂ ବିଜ୍ଞାନ ନିର୍ଭରଶୀଳ ଉତ୍ପାଦନ-ପ୍ରକ୍ରିୟାଗୁଡ଼ିକ ସମ୍ପର୍କରେ ସରଳ ଭାଷାରେ ତଥା ବୋଧଗମ୍ୟ ହୋଇ ପାରିବାଭଙ୍ଗୀରେ ବୈଜ୍ଞାନିକ ତଥ୍ୟଗୁଡ଼ିକୁ ପରିବେଷଣ କରାଯାଉଛି । ମାତ୍ର ଏହି ତଥ୍ୟଗୁଡ଼ିକୁ ସଂଗ୍ରହ କରିବାପାଇଁ ସଂପୃକ୍ତ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଯେଉଁ କର୍ମ-ପଦ୍ଧତିର ଅନୁଗାମୀ ହୋଇଥିଲେ, ଜନସାଧାରଣଙ୍କୁ ତତ୍‍ସମ୍ପର୍କୀୟ ଅନୁଭୂତି ଯୋଗାଇ ଦେବାପାଇଁ ଉଦ୍ୟମୀ ହେବାଦ୍ୱାରା ହିଁ ବୈଜ୍ଞାନିକ ମିଜାଜ୍‍ର ସୃଷ୍ଟିପାଇଁ ସାରା ଦେଶର ସାମାଜିକ ପରିବେଶ ବିଶେଷ ଅନୁକୂଳ ହୋଇପାରିବ । ଆମ ଦେଶର ଗାଁ ଗହଳରେ ଓ ସହରାଞ୍ଚଳରେ ଜନସାଧାରଣ ଯେଉଁ ଛୋଟ ବଡ଼ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛନ୍ତି, ସେଥିପାଇଁ ସମୁଚିତ ନଜର ଦିଆଯିବା ସଙ୍ଗେ ସଙ୍ଗେ ଯଦି ସେଗୁଡ଼ିକର ସମାଧାନ ଦିଗରେ ସେମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଦୀକ୍ଷିତ କରାଯାଏ, ତାହାହେଲେ ସେମାନେ ପ୍ରତ୍ୟକ୍ଷ ଅଭିଜ୍ଞତା ବଳରେ ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିପାରିବେ ।

 

ଅନେକେ ବିଜ୍ଞାନକୁ ଏକ ସମ୍ମୋହନ ବିଦ୍ୟା ବା ଯାଦୁକରୀ ବିଦ୍ୟା ରୂପେ ବିଚାର କରୁଛନ୍ତି । ଗୁଣିଆ କାଉଁରୀ ବାଡ଼ି ବୁଲାଇ ଭୂତ ଛଡ଼ାଇ ଦେବାପରି ବୈଜ୍ଞାନିକମାନେ ବିଜ୍ଞାନରୂପୀ କାଉଁରୀ ସ୍ପର୍ଶ ବଳରେ ସର୍ବବିଧ ସମସ୍ୟାଗୁଡ଼ିକର ଆଶୁ ସମାଧାନ କରିପାରିବେ ବୋଲି ଅନେକେ ଭ୍ରାନ୍ତିମୂଳକ ମନୋଭାବ ପୋଷଣ କରିଛନ୍ତି । ମାତ୍ର ଏପରି ଭୁଲ୍ ଧାରଣାକୁ ଯଥାଶୀଘ୍ର ଜନମାନସରୁ ଉତ୍ପାଡ଼ିତ କରାଯିବା ହିଁ ଜରୁରୀ ମନେ ହେଉଛି । ସାମାଜିକ ସ୍ତରରେ ସୃଷ୍ଟି ସମସ୍ୟାଗୁଡ଼ିକୁ ସେହି ସମାଜ ହିଁ ସମାଧାନ କରେ । ବିଭିନ୍ନ ବିଦ୍ୟାରେ ପାରଙ୍ଗମ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ସମସ୍ୟାଗୁଡ଼ିକୁ ସମାଧାନ କରନ୍ତି । ଏଣୁ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ସମସ୍ୟା ସମାଧାନ କରାଯିବାର ସାମର୍ଥ୍ୟ କେବଳ ସେହି ସାମାଜିକ କ୍ରିୟାଶୀଳତାର ଅନ୍ତର୍ଭୁକ୍ତ ହୋଇଥାଏ ।

 

ବୈଜ୍ଞାନିକ ଅନୁସନ୍ଧାନର ସୀମା :

 

ପରିଶେଷରେ ବୈଜ୍ଞାନିକ ଅନୁସନ୍ଧାନ ରୂପୀ ମନନଶୀଳତାର ସୀମା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଯୋଗାଇଦେବା ଅପ୍ରାସଙ୍ଗିକ ବୋଧ ହେଉନାହିଁ । ମାନବୀୟ ଅଭିଜ୍ଞତାର କତିପୟ ବିଭାବ ସମ୍ପର୍କରେ ବୈଜ୍ଞାନିକ ସ୍ପଷ୍ଟୀକରଣ ଯୋଗାଇଦେବା ସମ୍ଭବ ହେଉନାହିଁ କିମ୍ୱା ସେଗୁଡ଼ିକୁ କୌଣସି ପ୍ରକାରେ ବୈଜ୍ଞାନିକ ପଦ୍ଧତିର ପରିସରଭୁକ୍ତ କରାଯିବା ସମ୍ଭବ ହେଉନାହିଁ । ମାତ୍ର କେତେକ ବୁଦ୍ଧିଜୀବୀ ବିଚାରୁଛନ୍ତି ଯେ; ବୈଜ୍ଞାନିକ ଗବେଷଣା ଜରିଆରେ ଆଧୁନିକ ଯୁଗର ତଥା ଭବିଷ୍ୟତର ସକଳ ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ । ସେମାନଙ୍କ ମତାନୁଯାୟୀ ପୂର୍ବରୁ ଦୁର୍ବୋଧ୍ୟ ତଥା ରହସ୍ୟମୟ ଜଣା ପଡ଼ୁଥିବା ବହୁବିଧ ଦୃଶ୍ୟ ବା ଘଟଣା ସମ୍ପର୍କରେ ଇତ୍ୟବସରରେ ବୈଜ୍ଞାନିକ ସ୍ପଷ୍ଟୀକରଣ ସଂଗ୍ରହ କରାଗଲାଣି । ଏଣୁ ଆଉ ଯାହାକିଛି ଘଟଣା ବା ଦୃଶ୍ୟ ବର୍ତ୍ତମାନ ଆମ୍ଭମାନଙ୍କ ଅବୋଧ୍ୟ ରହିଯାଇଛି, କାଳକ୍ରମେ ବୈଜ୍ଞାନିକମାନେ ନିଶ୍ଚିତ ଭାବରେ ତତ୍‍ସମ୍ପର୍କୀୟ ବୋଧଗମ୍ୟ ସ୍ପଷ୍ଟୀକରଣ ଯୋଗାଇ ପାରିବେ । ସେମାନଙ୍କ ମତାନୁଯାୟୀ କୌଣସି ଦୃଶ୍ୟମାନ ବା ଅନୁଭବ୍ୟ ଘଟଣା ନିକଟରେ ବିଜ୍ଞାନ ହାର ମାନିବ ନାହିଁ; ଏପରିକି କୌଣସି ଏକ ଦୃଶ୍ୟ ସମ୍ପର୍କରେ ସଂପୂର୍ଣ୍ଣଭାବେ ବୋଧଗମ୍ୟ ବୈଜ୍ଞାନିକ ସ୍ପଷ୍ଟୀକରଣ ସଂଗ୍ରହ କରାଯିବାର ଆଶାବାଦୀ ପ୍ରାକ୍‍ସୂଚନାକୁ କେହି କେହି ବିଶ୍ୱାସ କରିପାରନ୍ତି; ମାତ୍ର ବିଜ୍ଞାନ ଏପରି ଦୃଶ୍ୟ ସମ୍ପର୍କରେ ଯତ୍କିଞ୍ଚିତ ଆଲୋକପାତ କରିବାର ସମ୍ଭାବନାକୁ ଅସ୍ୱୀକାର କରାଯାଇ ନ ପାରେ ।

 

ବିଜ୍ଞାନକୁ ସକଳ ସମସ୍ୟାର ସମାଧାନପାଇଁ ଉଦ୍ଦିଷ୍ଟ ଏକ ବୌଦ୍ଧିକ ଆୟୁଧରୂପେ ବ୍ୟବହାର କରାଯିବାର ମନ୍ତବ୍ୟ ପ୍ରକୃତିପକ୍ଷେ ଯଥାର୍ଥ ବୋଧ ହେଉନାହିଁ । ଅବଶ୍ୟ ବର୍ତ୍ତମାନ ଅବୋଧ୍ୟ ଜଣାପଡ଼ୁଥିବା ଅନେକ ଘଟଣା ବା ଦୃଶ୍ୟ ସମ୍ପର୍କରେ ଭବିଷ୍ୟତରେ ବିଜ୍ଞାନ ଜରିଆରେ ସ୍ପଷ୍ଟୀକରଣ ମିଳିପାରିବାର ସମ୍ଭାବନାକୁ କେହି ଅସ୍ୱୀକାର କରିବାର କୌଣସି କାରଣ ନାହିଁ; ମାତ୍ର ମନୁଷ୍ୟର ଅଭିଜ୍ଞତାର ସକଳ ଅଭାବରାଜିକୁ ବୈଜ୍ଞାନିକ ଅନ୍ତଃଦୃଷ୍ଟି ବିନିମୟରେ ବୁଝି ହେବା ଭଳି ପ୍ରାକ୍‍ସୂଚନାକୁ ସ୍ୱୀକାର କରିବା ସମୀଚୀନ ବୋଧ ହେଉନାହିଁ । ଉଦାହରଣ ସ୍ୱରୂପ, ବର୍ତ୍ତମାନ ମନୁଷ୍ୟର ମସ୍ତିଷ୍କର କ୍ରିୟାଶୀଳତାର ରହସ୍ୟ ଉଦ୍ଘାଟନ କରିବାପାଇଁ ବିଭିନ୍ନ ଦେଶର ଗବେଷଣାଗାରମାନଙ୍କରେ ବହୁମୁଖୀ ଗବେଷଣା ପରିଚାଳିତ ହେଉଛି । ମସ୍ତିଷ୍କର ସ୍ନାୟୁବିକ ପରିପଥ ସଂପର୍କରେ ଦିନକୁଦିନ ବହୁ ଜ୍ଞାତବ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ଏପରି ଗବେଷଣାର ଫଳଗୁଡ଼ିକୁ ବିଚାରକୁ ନେଇ ଆମେ ସମ୍ଭବତଃ ବୁଝି ପାରିବା ଯେ, ସଙ୍ଗୀତ ଭଳି କେତେକ ଶବ୍ଦ ଆମର ଚିତ୍ତାକର୍ଷକ ହେଉଥିବା ବେଳେ ଆଉ କେତେ ପ୍ରକାରର ଶବ୍ଦ ଆମ୍ଭମାନଙ୍କୁ ବିରକ୍ତିକର ଜଣାପଡ଼ୁଛି । ସଙ୍ଗୀତକୁ ଆମେ ତାହାର କମ୍ପନହାର ଓ ଆୟାମ ଅବଲମ୍ୱନରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରି ପାରିବା ଏବଂ ବିଭିନ୍ନ କମ୍ପନହାରଯୁକ୍ତ ସ୍ୱରଗୁଡ଼ିକର ବହୁବିଧ ସମ୍ମିଳିତ ସ୍ୱରକୁ ଆମେ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ଚିହ୍ନଟ କରିପାରିବା । ସମକାଳୀନ ଭାବରେ ଆମେ ସଙ୍ଗୀତ ଶୁଣାଯାଉଥିବା ବେଳେ ମସ୍ତିଷ୍କର କ୍ରିୟାଶୀଳତାକୁ ଭୌତିକ, ରାସାୟନିକ, ଶରୀର ତତ୍ତ୍ୱଭିତ୍ତିକ ତଥା ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ଅଧ୍ୟୟନ କରିପାରିବା । ଏଠାରେ ବୁଝିବାର କଥା ଯେ, ଏପରି ପ୍ରଯତ୍ନ ବଳରେ ଆମେ ଉଭୟ ସଙ୍ଗୀତ ଓ ମସ୍ତିଷ୍କ ମଧ୍ୟରେ ଘଟୁଥିବା ଅନ୍ତଃକ୍ରିୟା ସମ୍ପର୍କରେ ଅବଶ୍ୟ ଜ୍ଞାତବ୍ୟ ତଥ୍ୟ ପାଇପାରିବା; ମାତ୍ର ଏତଦ୍ୱାରା ସଙ୍ଗୀତ ଆମ ମାନସପଟରେ ହଠାତ୍ ଯେଉଁ ଭାବ ସୃଷ୍ଟି କରୁଛି, ତା’କୁ ବୁଝିହେବ କି ? ସଙ୍ଗୀତର ମାଧୁର୍ଯ୍ୟ ଆମ୍ଭମାନଙ୍କୁ ଯେପରି ଭାବରେ ଅଭିଭୂତ କରେ, ତାହାକୁ କ’ଣ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ବୁଝିହେବ ?

 

ଭଲ ମନ୍ଦ, ଠିକ୍ ଭୁଲ ବା ଦୁଃଖ ଶୋକ ପ୍ରଭୃତି ନୈତିକ ମୂଲ୍ୟବୋଧ ଆଧାରିତ ସିଦ୍ଧାନ୍ତଗୁଡ଼ିକର ସଂଜ୍ଞାକୁ କ’ଣ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ନିର୍ଦ୍ଧାରଣ କରିହେବ ? ବୈଜ୍ଞାନିକ ଚିନ୍ତନଠାରୁ କଳାତ୍ମକ ଚିନ୍ତନ ପର୍ଯ୍ୟନ୍ତ ମନୁଷ୍ୟର ସକଳ ଚିନ୍ତାଧାରା ମଧ୍ୟରେ ଏକ ନିରବଚ୍ଛିନ୍ନତା ବିଦ୍ୟମାନ ହୋଇଛି । ସଙ୍ଗୀତ ବା କୌଣସି ନୈତିକ ସମସ୍ୟା ସମ୍ପର୍କରେ ମନୁଷ୍ୟ ଯେଉଁ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରୁଛି, ତାହା ବିଜ୍ଞାନର ମାପକାଠି ଅନୁଯାୟୀ ଆଶାନୁରୂପ ଭାବରେ ସଂକ୍ଷିପ୍ତ ବା ସୁନିର୍ଦ୍ଦିଷ୍ଟ ହୋଇନାହିଁ । ଏପରି ଘଟୁଥିଲେ ମଧ୍ୟ ଦୈନନ୍ଦିନ ଜୀବନରେ ଆମେ ମନୁଷ୍ୟର ଏ ପ୍ରକାର ପ୍ରତିକ୍ରିୟା ପ୍ରତି ଗୁରୁତ୍ୱ ଆରୋପ କରୁଛୁ । ଏହା ତାହାର ବ୍ୟକ୍ତିତ୍ୱ ତଥା ସାମାଜିକ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରୁଛି । ଏଣୁ ବିଜ୍ଞାନକୁ ସର୍ବଶକ୍ତିମାନ୍ ବୌଦ୍ଧିକ ଆୟୁଧ ରୂପେ ବିଚାର କରିବା ବେଳେ ଏହା ମାନବୀୟ ଅଭିଜ୍ଞତାର ସକଳ ବିଭାବକୁ ଆଲିଙ୍ଗନ କରିପାରିବ ବୋଲି ବିଚାରିବା ଆଦୌ ଠିକ୍ ନୁହେଁ । ବୈଜ୍ଞାନିକମାନେ ତଥା ବୈଜ୍ଞାନିକ ଗବେଷଣାକୁ ଏକ ବୃତ୍ତିରୂପେ ଗ୍ରହଣ କରି ନଥିବା ସମାଜର ଅନ୍ୟାନ୍ୟ ସଦସ୍ୟମାନେ ଚାରୁକଳା, କବିତା, ସାହିତ୍ୟ, ଦର୍ଶନ ପ୍ରଭୃତି ସର୍ଜନାତ୍ମକ କ୍ରିୟାଶୀଳତାର ତାତ୍ପର୍ଯ୍ୟ ସମ୍ପର୍କରେ ସଚେତନ ହୋଇ ପାରିବାଦ୍ୱାରା ହିଁ ବିଜ୍ଞାନର ମହତ୍ୱ ଓ ତାତ୍ପର୍ଯ୍ୟକୁ ଆହୁରି ଭଲ ଭାବରେ ବୁଝି ପାରିବେ । ଏତଦ୍ୱାରା ସେମାନେ ବିଜ୍ଞାନ ସପକ୍ଷରେ ଚରମପନ୍ଥୀ ବା ଏକଦିଗ୍‍ଦର୍ଶୀ ମନ୍ତବ୍ୟ ବ୍ୟକ୍ତ କରିବାର ଅବକାଶ ରହିବ ନାହିଁ ।

 

ଏଣୁ ବୈଜ୍ଞାନିକ ଗବେଷଣାକୁ ଜ୍ଞାନାର୍ଜନ କରିବାର ତଥା ସମସ୍ୟା ସମାଧାନ କରିବାର ଏକମାତ୍ର ନ୍ୟାୟାନୁମୋଦିତ ତଥା କାରଣସଙ୍ଗତ ପନ୍ଥାରୂପେ ବିଚାର କରିବାର ଯଥାର୍ଥତା ନାହିଁ । ଧରଣୀ ବକ୍ଷରେ ମାନବ ଜାତିର ସ୍ଥାୟିତ୍ୱ ସମ୍ପର୍କରେ ସମ୍ୟକ୍ ଉପଲବ୍ଧି ପାଇବାକୁ ହେଲେ ଆମ୍ଭମାନଙ୍କୁ ବିଜ୍ଞାନ ଭଳି ମନୁଷ୍ୟର ସୃଜନଶୀଳ ପ୍ରତିଭାର ପରିପ୍ରକାଶ ପାଇଁ ଉଦ୍ଦିଷ୍ଟ କଳା, ସାହିତ୍ୟ, ସଙ୍ଗୀତ ପ୍ରଭୃତି ଅନ୍ୟାନ୍ୟ ମାଧ୍ୟମଗୁଡ଼ିକ ସମ୍ପର୍କରେ ମଧ୍ୟ ସଚେତନ ହେବାକୁ ପଡ଼ିବ । ସ୍ୱନାମଧନ୍ୟ ଗଣିତଜ୍ଞ ଗୋଏଦେଲ ପ୍ରମାଣ କରି ଦର୍ଶାଇଛନ୍ତି ଯେ, କୌଣସି ସ୍ୱୟଂସିଦ୍ଧ ସିଦ୍ଧାନ୍ତ ବା ଆକ୍ସିଅମ୍ର ପ୍ରତିଷ୍ଠା କେବେହେଲେ ତାହାର ନିଜ ଉପରେ ନିର୍ଭରଶୀଳ ହୋଇନାହିଁ । ଏହାର ସତ୍ୟତା ପ୍ରତିପାଦନ ପାଇଁ ବାହ୍ୟ ସଂସ୍ଥିତିକୁ ବ୍ୟବହାର କରିବା ଅପରିହାର୍ଯ୍ୟ ହୋଇଛି । ଗୋଏଦେଲଙ୍କ ସିଦ୍ଧାନ୍ତ ସମ୍ଭବତଃ ବିଜ୍ଞାନ ପ୍ରତି ସାମୂହିକ ଭାବରେ ପ୍ରଯୁଜ୍ୟ । ବିଜ୍ଞାନର ରୂପ ସ୍ୱୟଂସମ୍ପନ୍ନ ବା ସ୍ୱୟଂସିଦ୍ଧ ନୁହେଁ । ମନୁଷ୍ୟର ପ୍ରଭୂତ ଅଭିଜ୍ଞତାର କତିପୟ ବିଭାବକୁ କେବଳ ବିଜ୍ଞାନ ବଳରେ ବୁଝିହେବ । ବିଜ୍ଞାନର ସୀମା ସମ୍ପର୍କରେ ଅବଗତ ହେବାଦ୍ୱାରା ଆମେ ସାରାଦେଶରେ ବୈଜ୍ଞାନିକ ମିଜାଜ୍‍ର ସର୍ଜନାରୂପୀ ମହାନ୍ ଜାତୀୟ ଲକ୍ଷ୍ୟଟିକୁ ପୂରଣ କରିବାପାଇଁ ଠିକଣା ପଥର ଅନୁଗାମୀ ହୋଇପାରିବା ।

Image

 

ଜାତୀୟ ଚାହିଦା ପରିପ୍ରେକ୍ଷୀରେ ବିଜ୍ଞାନ ଓ ଟେକ୍ନୋଲଜିର ଉପଯୋଗ

(୧)

 

ପରମାଣୁ ଶକ୍ତିର ଜନକଲ୍ୟାଣମୁଖୀ ଉପଯୋଗ, ମହାକାଶକୁ ଉପଗ୍ରହ ପ୍ରେରଣ ତଥା ଦୋଶ୍ରୟୀ ବହୁବିଧ ଜନହିତକାରୀ କାର୍ଯ୍ୟକ୍ରମ ଗୁଡ଼ିକର ଯଥାବିଧି ସଂଘଟନ, ମୌଳିକ ବୈଜ୍ଞାନିକ ଗବେଷଣାର ମାନ, ବିଜ୍ଞାନ ଓ ଟେକ୍ନୋଲଜି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟକାରିତା ପାଇଁ ଆବଶ୍ୟକ ହେଉଥିବା ଜନସମ୍ୱଳ, ଗବେଷଣା ଓ ପ୍ରଗତିପାଇଁ ଆନୁଷଙ୍ଗିକ ଅବସ୍ଥାପନାର ସର୍ଜନା ପ୍ରଭୃତି କ୍ଷେତ୍ରରେ ଆମ ଦେଶ ପୃଥିବୀର ବିଜ୍ଞାନୋନ୍ନତ ତଥା ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଭଳି ପାରଦର୍ଶିତା ପ୍ରଦର୍ଶନ କରିଛି । ମନୁଷ୍ୟର ଜ୍ଞାନ ଭଣ୍ଡାରକୁ ପରିପୁଷ୍ଟ କରିବାପାଇଁ ବିଜ୍ଞାନ ଜଗତରେ ଯେଉଁ ନୂଆ ନୂଆ ଧାରଣାର ସୂତ୍ରପାତ ଘଟୁଛି, ମୌଳିକ ବୈଜ୍ଞାନିକ ଗବେଷଣା ମନୁଷ୍ୟର ଚେତନାର ଉତ୍ତରଣ ପଥରେ ଯେପରି ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ତାହାର ତାତ୍ପର୍ଯ୍ୟ ଓ ସୁଦୂରପ୍ରସାରୀ ଭୂମିକାକୁ ହୃଦୟଙ୍ଗମ କରି ଆମ ଦେଶର ସୃଜନଶୀଳ ପ୍ରତିଭାସମ୍ପନ୍ନ ବୈଜ୍ଞାନିକମାନେ ଏ ଦିଗରେ ନିଜ ନିଜର ଅବଦାନ ଯୋଗାଇଦେବାକୁ ଆଗ୍ରହୀ ହୋଇଛନ୍ତି । ବିଜ୍ଞାନ ଓ ଟେକ୍ନୋଲଜି କ୍ଷେତ୍ରରେ ଭାରତ ଯେଉଁ ଉଚ୍ଚରୁ ଉଚ୍ଚତର ସୋପାନରେ ଆରୁଢ଼ ହେଉଛି, ତାହା ଅବଶ୍ୟ ଅତୀବ ପ୍ରଶଂସନୀୟ । ମାତ୍ର ଏଠାରେ ଲକ୍ଷ୍ୟ କରିବାର କଥା ଯେ, ଯେଉଁ ପ୍ରକାର ସୁଦୃଢ଼ ଭିତ୍ତିଭୂମିର ପ୍ରତିଷ୍ଠା ବଳରେ ବିଜ୍ଞାନ ଓ ଟେକ୍ନୋଲଜିର ଅବଦାନଗୁଡ଼ିକ ଏ ଦେଶର ସାଧାରଣ ନାଗରିକମାନଙ୍କ ଜୀବନ ଧାରଣର ମାନରେ କ୍ରମୋନ୍ନତି ଘଟାଇବାର ଆଶା କରାଯାଉଛି, ସମ୍ଭବତଃ ଆମ ଦେଶରେ ତଦନୁରୂପ ଅବସ୍ଥାପନାକୁ ଅଦ୍ୟାବଧି ଠିକ୍ ଭାବରେ ପ୍ରତିଷ୍ଠା କରାଯିବା ସମ୍ଭବ ହୋଇନାହିଁ । ଆମ ଦେଶରେ ଭୂଲମ୍ୱୀୟ ମାର୍ଗରେ ବିଜ୍ଞାନର ଯେପରି ଅଗ୍ରଗତି ଘଟୁଛି, ତାହା ଭୂସମାନ୍ତରୀୟ ଭାବରେ ପ୍ରସାରଲାଭ କରିବା ସଙ୍ଗେ ସଙ୍ଗେ ଜନଜୀବନକୁ ଲକ୍ଷ୍ୟଣୀୟ ମାର୍ଗରେ ପ୍ରଭାବିତ କରିବାର ପରିବେଶ ଆମ ଦେଶରେ ସୃଷ୍ଟି ହୋଇନାହିଁ । ଏ ଦେଶରେ ଭୂମିହୀନ କୃଷକ, ଖଟିଖିଆ ଶ୍ରମିକ ଏବଂ ଅବହେଳିତ ଆଦିବାସୀ ଓ ହରିଜନମାନେ ଗୁଜରାଣ ମେଣ୍ଟାଇବା ପାଇଁ ଯେଉଁପ୍ରକାର କଠିଣ କାୟିକ ଶ୍ରମରେ ଆତ୍ମନିୟୋଗ କରିବାକୁ ବାଧ୍ୟ ହେଉଛନ୍ତି, ତାହାକୁ ଇନ୍ନୋଭେସନ୍ ପ୍ରବଣତା ବିନିମୟରେ ଆମ ଦେଶର ବୈଜ୍ଞାନିକମାନେ ଲାଘବ କରିଦେବାର ଯଥେଷ୍ଟ ଅବକାଶ ଥିଲେ ମଧ୍ୟ କ୍ଷୋଭର ବିଷୟ ହେଉଛି ଯେ, ସେମାନେ ଏ ଦିଗରେ ମନଯୋଗୀ ହେବାକୁ ସ୍ପୃହଣୀୟ ମଣି ନାହାନ୍ତି । ପୁଣି ଗ୍ରାମାଞ୍ଚଳର ବିକାଶପାଇଁ ଶକ୍ତି ଅନଟନ ଯେପରି ପ୍ରତିବନ୍ଧକ ସୃଷ୍ଟି କରୁଛି, ତାହାର ସମାଧାନ କରିବା ଉଦ୍ଦେଶ୍ୟରେ ଆମ ଦେଶର ବିଶେଷଜ୍ଞମାନେ ବିକେନ୍ଦ୍ରୀକରଣକ୍ଷମ ଶକ୍ତିର ଉତ୍ସ, ସନ୍ଧାନ ବ୍ୟାପାରରେ ତଥା ସେଗୁଡ଼ିକର ବ୍ୟାବହାରିକ ଉପଯୋଗ ଦିଗରେ ପାରଦର୍ଶିତା ପ୍ରଦର୍ଶନ କରିବାକୁ ଅସମର୍ଥ ହୋଇଛନ୍ତି । ଦେଶୋପଯୋଗୀ ଅବସ୍ଥାପନା ଓ ଜନକଲ୍ୟାଣମୁଖୀ ଆଭିମୁଖ୍ୟର ଅଭାବ ହେତୁ ଉପଯୁକ୍ତ ଜନସମ୍ୱଳ ଥାଇ ମଧ୍ୟ ଆମ ଦେଶରୁ ଦାରିଦ୍ର୍ୟର ଅପସାରଣ ଘଟାଇବା ସମ୍ଭବ ହେଉନାହିଁ କିମ୍ୱା ମଳିମୁଣ୍ଡିଆ ଜନସାଧାରଣ ବିଜ୍ଞାନ ଓ ଟେକ୍ନୋଲଜି ନିର୍ଭରଶୀଳ ଅର୍ଥନୈତିକ ବୃଦ୍ଧିର ସୁଫଳ ଉପଭୋଗ କରିପାରୁନାହାନ୍ତି ।

 

ପ୍ରାସଙ୍ଗିକତା ଦୃଷ୍ଟିରୁ ଏଠାରେ ସୂଚାଇଦେବା ସମୀଚୀନ ବୋଧ ହେଉଛି ଯେ, ଜନସାଧାରଣଙ୍କ ସାମୁହିକ କଲ୍ୟାଣ ସାଧନପାଇଁ ବିଜ୍ଞାନକୁ ନିୟୋଜିତ କରାଯିବା ଉଦ୍ଦେଶ୍ୟରେ ୧୯୫୮ ମସିହାରେ ଭାରତ ସରକାର ‘ସାଇଣ୍ଟିଫିକ୍ ପଲିସି ରିଜୋଲ୍ୟୁସନ୍’ ଶିରୋନାମାରେ ଗୋଟିଏ ଜାତୀୟ ନୀତି ପ୍ରଣୟନ କରିଥିଲେ । ଏହି ନୀତିକୁ କାର୍ଯ୍ୟରେ ପରିଣତ କରାଯିବାର ଫଳସ୍ୱରୂପ ଆମ ଦେଶରେ ଇତ୍ୟବସରରେ ବିଜ୍ଞାନଶିକ୍ଷା, ବୈଷୟିକ ଶିକ୍ଷା, ବୈଜ୍ଞାନିକ ଗବେଷଣା, କେନ୍ଦ୍ରୀୟ ଓ ଆଞ୍ଚଳିକ ସ୍ତରରେ ପ୍ରାୟୋଗିକ ତଥା ମୌଳିକ ଗବେଷଣାଗାର ପ୍ରତିଷ୍ଠା, କୃଷି ଓ ଶିଳ୍ପର ସମୃଦ୍ଧି ସାଧନ ଉଦ୍ଦେଶ୍ୟରେ ବିଜ୍ଞାନ ନିର୍ଭରଶୀଳ ଅବସ୍ଥାପନା ପ୍ରଭୃତି କ୍ଷେତ୍ରରେ ବ୍ୟାପକ ଅଗ୍ରଗତି ଘଟିଛି । ଏପରି କାର୍ଯ୍ୟକ୍ରମଗୁଡ଼ଇକୁ କାର୍ଯ୍ୟକାରୀ କରାଯିବା ଦ୍ୱାରା ଆମେ ଯେଉଁପ୍ରକାର ଅଭିଜ୍ଞତା ଅର୍ଜନ କରିଛୁ, ତାହାକୁ ବିଚାରକୁ ନେଇ ଭବିଷ୍ୟତର କାର୍ଯ୍ୟକ୍ରମ ସ୍ଥିର କରିବା ଯୁକ୍ତିସଙ୍ଗତ ବୋଧ ହେଉଛି । ଅତୀତର କାର୍ଯ୍ୟକ୍ରମଗୁଡ଼ିକରେ ଯେଉଁ ତ୍ରୁଟି ରହିଯାଇଛି, ସେଗୁଡ଼ିକୁ ସୁଧାରିବା ସଙ୍ଗେ ସଙ୍ଗେ ବିଜ୍ଞାନ ଓ ଟେକ୍ନୋଲଜିର ସାମ୍ପ୍ରତିକ ସମୃଦ୍ଧି ପରିପ୍ରେକ୍ଷୀରେ ଭବିଷ୍ୟତପାଇଁ ଯୋଜନା ପ୍ରଣୟନ କରିବା ବିଜ୍ଞତାର ପରିଚାୟକ ରୂପେ ଉପଲବ୍ଧ ହେଉଛି ।

 

କୃଷି ଓ ଶିଳ୍ପର ସମୃଦ୍ଧି ସାଧନ ବଳରେ ଆମ ଦେଶକୁ ଗୋଟିଏ ସ୍ୱାବଲମ୍ୱୀ ରାଷ୍ଟ୍ରରେ ପରିଣତ କରାଯିବାର ସମ୍ଭାବନା ବେଶ୍ ଉଜ୍ଜ୍ୱଳମୟ ହୋଇଛି । କାରଣ, ଇତ୍ୟବସରରେ ଏଗୁଡ଼ିକର ତ୍ୱରାନ୍ୱିତ ସମୃଦ୍ଧି ସାଧାନପାଇଁ ଆବଶ୍ୟକ ହେଉଥିବା ଅବସ୍ଥାପନା, ଯନ୍ତ୍ର କୌଶଳ ଓ ଜନସମ୍ୱଳର ଚାହିଦା ପୂରଣପାଇଁ ଆମ ଦେଶରେ ବିହିତ ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରାଯାଇଛି ।

 

(୨)

 

ଦେଶକୁ ସ୍ୱାବଲମ୍ୱନଶୀଳତା ପଥରେ ଆଗେଇ ନେବାପାଇଁ ବର୍ତ୍ତମାନ ଆନ୍ତଃରାଷ୍ଟ୍ରୀୟ ବୁଝାମଣାର ଜରୁରୀକାଳୀନ ଆବଶ୍ୟକତା ମଧ୍ୟ ଉପଲବ୍ଧ ହେଉଛି । ଆମ ଦେଶର ସମୃଦ୍ଧ ସାଧନପାଇଁ ଯେଉଁପ୍ରକାର ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯିବାର ସମ୍ଭାବନା ରହିଛି, ତନ୍ମଧ୍ୟରୁ କେତେକର ସାଫଲ୍ୟ ସ୍ୱଦେଶୀ ବିଶେଷ ମାନଙ୍କ ଅବଦାନ ସମେତ ଆନ୍ତଃରାଷ୍ଟ୍ରୀୟ ବୁଝାମଣା ଉପରେ ନିର୍ଭର କରୁଛି । ଏହି ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟଟିକୁ ବୋଧଗମ୍ୟ କରାଇବାପାଇଁ ସାମୁଦ୍ରିକ ବିଜ୍ଞାନକୁ (Oceanography) ଏକ ଦୃଷ୍ଟାନ୍ତରୂପେ ଗ୍ରହଣ କରାଯାଉ । ସମଗ୍ର ପୃଥିବୀରେ ଆମ ଦେଶ ହେଉଛି ଏକମାତ୍ର ରାଷ୍ଟ୍ର, ଯାହାର ନାମାନୁସାରେ ଗୋଟିଏ ମହାସାଗରର ନାମାଙ୍କନ କରାଯାଇଛି । ଆମ ଦେଶର ବ୍ୟାପକ ଅଞ୍ଚଳ ସମୁଦ୍ର ପରିବେଷ୍ଟିତ ହୋଇଛି । ଆମ ଦେଶର ବଣିକମାନେ ପ୍ରାଚୀନକାଳରେ ନୌବାଣିଜ୍ୟରେ ବିଚକ୍ଷଣ ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଏପରି ଗୌରବାବହ ପରମ୍ପରାର ସୂତ୍ରଧର ହୋଇଥିଲେ ମଧ୍ୟ ଇତ୍ୟବସରରେ ଆମେ ବିଭିନ୍ନ ଐତିହାସିକ କାରଣଯୋଗୁଁ ଏଥିପ୍ରତି ବିଶେଷ ଗୁରୁତ୍ୱ ଆରୋପ କରିନାହୁଁ । ଆମ ଦେଶର ସୁବିସ୍ତୃତ ସ୍ଥଳଭାଗ ହିଁ ଆମର ସକଳ ଦୃଷ୍ଟି ଆକର୍ଷଣ କରିଛି ଏବଂ ଆମେ ନିଜ ଦେଶର ସମୃଦ୍ଧ ସାଧନ ଦିଗରେ ସମୁଦ୍ରର ଉପଯୋଗ କରିବା ପରିବର୍ତ୍ତେ କେବଳ ଏକଦିଗଦର୍ଶୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆମର ସମସ୍ତ ଚାହିଦା ପୂରଣ ଦିଗରେ କର୍ମତତ୍ପର ହୋଇଛୁ । ପରିତାପର ବିଷୟ ହେଉଛି ଯେ, ଭାରତ ମହାସାଗରୀୟ ଅଞ୍ଚଳରେ ଅବସ୍ଥାପିତ ସବୁ ରାଷ୍ଟ୍ର ଏହି ମହାସାଗରକୁ ନିଜ ନିଜ ଦେଶର ବିକାଶ ଦିଗରେ ନିୟୋଜିତ କରିବାପାଇଁ କିମ୍ୱା ଏ ଦିଗରେ ବ୍ୟାପକ ଅନୁସନ୍ଧାନ କରିବାପାଇଁ ବିଶେଷ ଯତ୍ନବାନ ହୋଇନାହାନ୍ତି । ଉଚ୍ଚ ସାମରିକ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ଏ ଅଞ୍ଚଳରେ ଅନୁପ୍ରବେଶ କରିବା ପରେ ହଠାତ୍ ବର୍ତ୍ତମାନ ଆମ୍ଭମାନଙ୍କର ଜ୍ଞାନ-ଚକ୍ଷୁ ଉନ୍ନୀଳିତ ହୋଇଛି । ଜାତୀୟ ନିରାପତ୍ତା ତଥା ପ୍ରଗତିପାଇଁ ସମୁଦ୍ରର ସାହାଯ୍ୟ ନେବା ଉଦ୍ଦେଶ୍ୟରେ ଆମ ଦେଶରେ ସୁଚିନ୍ତିତ ତଥା ସୁସଂଯୋଜିତ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି ।

 

ପ୍ରତ୍ୟେକ ରାଷ୍ଟ୍ର ଯେପରି ନିଜ ଦେଶକୁ ଘେରି ରହିଥିବା ଉପକୂଳବର୍ତ୍ତୀ ଅଞ୍ଚଳରୁ ନିର୍ବିଘ୍ନରେ ମତ୍ସ୍ୟ, ଖଣିଜ ତୈଳ, ବହୁବିଧ ଉପଯୋଗୀ ଧାତୁ ସଂଗ୍ରହ କରିପାରିବେ, ସେଥିପାଇଁ ପୃଥିବୀର ରାଜନୈତିକ ପରିବେଶ ଆଦୌ ଅନୁକୂଳ ହୋଇ ନ ଥିବାରୁ ଇତ୍ୟବସରରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ଏ ଦିଗରେ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ବିଭିନ୍ନ ଆନ୍ତଃରାଷ୍ଟ୍ରୀୟ ସମ୍ମିଳନୀରେ ସମୁଦ୍ରର ବ୍ୟବହାରକୁ କେନ୍ଦ୍ରକରି ଆନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଯୁଜ୍ୟ ହେବାଭଳି ଆଇନଗୁଡ଼ିକୁ ପ୍ରଣୟନ କରାଯିବାର ଉଦ୍ୟମ ଅବ୍ୟାହତ ରହିଛି । ସମୁଦ୍ର ପରିବେଷ୍ଟିତ ଯେ କୌଣସି ରାଷ୍ଟ୍ର ଉପକୂଳଠାରୁ ସମୁଦ୍ର ଭିତରକୁ ପ୍ରାୟ ୨୦୦ରୁ ୩୫୦ ମାଇଲ ମଧ୍ୟରେ ବିଭିନ୍ନ ପ୍ରକାର ଅନୁସନ୍ଧାନ ଚଳାଇବାର ନ୍ୟାଯ୍ୟ ଅଧିକାର ପାଇ ପାରିଛି । ଏହି ସୀମିତ ଅଞ୍ଚଳ ମଧ୍ୟରୁ ସର୍ବବିଧ ସଜୀବ ଓ ଜଡ଼ ବସ୍ତୁ ସଂଗ୍ରହ କରିବା ଦିଗରେ ଅନ୍ୟ କୌଣସି ରାଷ୍ଟ୍ର ହସ୍ତକ୍ଷେପ ନ କରିବାପାଇଁ ଆଇନସମ୍ମତ କଟକଣା ଜାରି କରାଯାଇଛି । କଣ୍ଟିନେଣ୍ଟାଲ ସେଲ୍‍ଫ ଅଞ୍ଚଳରୁ ଶକ୍ତି ଯୋଗାଣକାରୀ ତଥା ଦୁର୍ଲଭ ଓ ଦୁଷ୍ପ୍ରାପ୍ୟ ହାଇଡ଼୍ରୋକାରବନଗୁଡ଼ିକ ସଂଗ୍ରହ କରିବା ଦିଗରେ ବର୍ତ୍ତମାନ ପୃଥିବୀର ବିଭିନ୍ନ ରାଷ୍ଟ୍ର ଅଗ୍ରାଧିକାର ଆରୋପ କରିଛନ୍ତି । ଖଣିଜ ତୈଳର ଦୁଷ୍ପ୍ରାପ୍ୟତା ଓ ଦରବୃଦ୍ଧି ଏ ବ୍ୟାପାରକୁ ତ୍ୱରାନ୍ୱିତ କରାଇବା ଦିଗରେ ଗୋଟିଏ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି କରିଛି । ସୁଖର କଥା ଯେ, ଆମ ଦେଶର ବିଶେଷଜ୍ଞମାନେ ‘ଅଏଲ୍ ଆଣ୍ଡ ନାଚୁରାଲ ଗ୍ୟାସ୍ କମିଶନ’ ଆନୁକୂଲ୍ୟରେ ଏ ଦିଗରେ ବିଶେଷ ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି । ବମ୍ୱେ ହାଇ ଅଞ୍ଚଳରେ ସମୁଦ୍ର ଗର୍ଭରୁ ତୈଳ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ କରାଯିବା ସମ୍ଭବ ହେବା ପରଠାରୁ ଜାତୀୟ ତୈଳ ଚାହିଦାପାଇଁ ବୈଦେଶିକ ମୁଦ୍ରା ବ୍ୟୟ କରିବାର ମାତ୍ରାରେ କ୍ରମ-ସଂକୋଚନ ଘଟୁଛି । ଏ କମିଶନ ଅଧୀନରେ କର୍ମରତ ଭାରତୀୟ ବିଶେଷଜ୍ଞମାନେ ଏହି ବ୍ୟାପାରକୁ ଆହୁରି ସଂପ୍ରସାରିତ କରାଇବାପାଇଁ ବ୍ୟାପକ ସର୍ବେକ୍ଷଣ ଚଳାଇଛନ୍ତି । ସମୁଦ୍ର ଭିତରେ ଖଣି ଖୋଜି ଉପଯୋଗୀ ଧାତୁ ସଂଗ୍ରହ କରିବା ବ୍ୟାପାରରେ ମଧ୍ୟ ଆମ ଦେଶର ଅଗ୍ରଗତି ଲକ୍ଷ୍ୟଣୀୟ ହୋଇଛି । ସମୁଦ୍ର ଗର୍ଭରୁ ବହୁବିଧ ଉପଯୋଗୀ ଧାତୁ ଧାରିତ ପିଣ୍ଡୁଳାଗୁଡ଼ିକୁ (Polymetallic nodules) ସଂଗ୍ରହ କରିବାପାଇଁ ଆନୁଷଙ୍ଗିକ ଟେକ୍ନୋଲଜିଗୁଡ଼ିକୁ ସମୁନ୍ନତ କରାଗଲାଣି । ସୁଖର କଥା ଯେ, ଏହି ଖନନ ବ୍ୟପାର ଚଳାଇବାପାଇଁ ଭାରତ ପ୍ରାୟ ୧୫୦୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ଯଥାବିଧି ପଦକ୍ଷେପ ଗ୍ରହଣ କରିପାରିବାର ଅବାରିତ ସ୍ୱାଧୀନତା ଲାଭ କରିଛି । ସାମୁଦ୍ରିକ ବିଜ୍ଞାନ ସମ୍ୱନ୍ଧୀୟ ଗବେଷଣା କ୍ଷେତ୍ରରେ ଅତୀତରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଯୋଗୁଁ ହିଁ ଆମ ଦେଶ ପୃଥିବୀର ଯେ କୌଣସି ବିଜ୍ଞାନୋନ୍ନତ ରାଷ୍ଟ୍ର ଭଳି ଏ ଦିଗରେ ବିଜ୍ଞାନସମ୍ମତ ଅତ୍ୟାଧୁନିକ ପଦକ୍ଷେପ ଗ୍ରହଣ କରିବାକୁ ସମର୍ଥ ହୋଇଛି ।

 

ଭାରତ ମହାସାଗର ହିଁ ଆମ ଦେଶର ପାଣିପାଗ ନିର୍ଦ୍ଧାରଣ କରୁଛି । ଆମ ଦେଶର କୃଷି ଯେଉଁ ମୌସୁମୀ ବାୟୁର ପ୍ରବାହ ଉପରେ ନିର୍ଭର କରୁଛି, ଯେଉଁ ପ୍ରଳୟଙ୍କରୀ ବାତ୍ୟାର ପ୍ରବାହ ଯୋଗୁଁ ପ୍ରତିବର୍ଷ ଆମ ଦେଶର କୌଣସି ନା କୌଣସି ସ୍ଥାନରେ ବିପୁଳ ଧନ ଜୀବନର ହାନୀ ଘଟୁଛି, ତାହା ଏହି ଭାରତ ମହାସାଗର ବକ୍ଷରୁ ହିଁ ଉତ୍ପତ୍ତି ଲାଭ କରୁଛି । ମହାସାଗରୀୟ ଜଳସ୍ରୋତ ଓ ବାୟୁମଣ୍ଡଳ ମଧ୍ୟରେ କେଉଁ ପ୍ରକାର ଅନ୍ତଃକ୍ରିୟା ଘଟିବା ଯୋଗୁଁ ଆମ ଦେଶର ପାଣିପାଗ କିପରି ଭାବରେ ବଦଳି ଯାଉଛି, ତତ୍‍ସମ୍ପର୍କୀୟ ଅନୁସନ୍ଧାନ ଚଳାଇବା ଦିଗରେ ବର୍ତ୍ତମାନ ବିଶେଷ ଗୁରୁତ୍ୱ ଆରୋପ କରାଯାଉଛି । ପାଣିପାଗ ବିଶେଷଜ୍ଞମାନେ ବହୁବିଧ ସୁଗ୍ରାହୀ ଯନ୍ତ୍ର ସାହାଯ୍ୟରେ ପ୍ରାମାଣିକ ତଥ୍ୟ ସଂଗ୍ରହ କରିପାରୁଛନ୍ତି ଏବଂ ପାଣିପାଗ ସମ୍ୱନ୍ଧୀୟ ପ୍ରାକ୍ ସୂଚନା ମଧ୍ୟ ଯୋଗାଇ ପାରୁଛନ୍ତି । ଶେଷୋକ୍ତ ବ୍ୟାପରଟିକୁ ସ୍ୱଳ୍ପମିଆଦୀ ତଥା ଦୀର୍ଘମିଆଦୀ ସୂତ୍ରରେ ନିର୍ଭୁଲ ଭାବରେ ଚଳାଇବାପାଇଁ ବିଶେଷଜ୍ଞମାନଙ୍କୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଚଳାଇବା ଉଦ୍ଦେଶ୍ୟରେ ବିଶେଷ ସୁବିଧା ଯୋଗାଇ ଦିଆଯାଉଛି । ଏତଦ୍ଦ୍ୱାରା ଆମ ଦେଶ ଭଳି ଗୋଟିଏ କୃଷି ପ୍ରଧାନ ରାଷ୍ଟ୍ରର କୃଷକମାନେ ବିଶେଷ ଉପକୃତ ହେବାର ସମ୍ଭାବନା ଅନାୟାସରେ ଉପଲବ୍ଧ ହେଉଛି ।

 

ପୃଥିବୀର ଅଧିକାଂଶ ରାଷ୍ଟ୍ରରେ ପୁଷ୍ଟିସାର ଦୁର୍ମୂଲ୍ୟ ହୋଇଛି । ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଏହା ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଛି । ସମୁଦ୍ର ପୁଷ୍ଟିସାରର ଭଣ୍ଡାର ହୋଇଥିଲେ ମଧ୍ୟ ଆଶାନୁରୂପ ମାତ୍ରାରେ ସମୁଦ୍ର ଗର୍ଭରୁ ଖାଦ୍ୟୋପଯୋଗୀ ମତ୍ସ୍ୟ ସଂଗ୍ରହ କରିବାର ସାମର୍ଥ୍ୟ ସେମାନଙ୍କର ନାହିଁ । ପ୍ରତିବର୍ଷ ସମୁଦ୍ର ଗର୍ଭରୁ ସର୍ବମୋଟ ଯେତିକି ମତ୍ସ୍ୟ ସଂଗ୍ରହ କରାଯାଉଛି, ତାହାର ପ୍ରାୟ ତ୍ରି-ଚତୁର୍ଥାଂଶ ମାତ୍ର ଦଶ ବାରଟି ରାଷ୍ଟ୍ର ଦ୍ୱାରା ସଂଗ୍ରହ କରାଯାଉଛି । ସମୁଦ୍ରର ଭୌତିକ, ରାସାୟନିକ ଓ ଜୈବିକ ପରିବେଶ ସମ୍ୱନ୍ଧରେ ବୋଧଗମ୍ୟ ତଥା ବିଜ୍ଞାନ ସମ୍ମତ ସ୍ପଷ୍ଟୀକରଣ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ଅତ୍ୟାଧୁନିକ ଟେକ୍ନୋଲଜି ଅବଲମ୍ୱନରେ ସମୁଦ୍ର ଗର୍ଭରୁ ପ୍ରଚୁର ପରିମାଣର ମତ୍ସ୍ୟ ସଂଗ୍ରହ କରିବା ଦିଗରେ ଏହି ବିଜ୍ଞାନୋନ୍ନତ ରାଷ୍ଟ୍ରଗୁଡ଼ିକ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ମତ୍ସ୍ୟଗୁଡ଼ିକୁ ସାଇତି ରଖିବାପାଇଁ ଏମାନେ ଦୂରବର୍ତ୍ତୀ ସ୍ଥାନମାନଙ୍କରେ ମଧ୍ୟ ବୃହତ ଭଣ୍ଡାରଗୁଡ଼ିକୁ ନିର୍ମାଣ କରୁଛନ୍ତି ଏବଂ ବିଭିନ୍ନ ଦେଶ ସହିତ ମତ୍ସ୍ୟ ଯୋଗାଣ ବାବଦ ବାଣିଜ୍ୟ କାରବାର ଚଳାଇ ଏମାନେ ପ୍ରଚୁର ଲାଭ ପାଇପାରୁଛନ୍ତି ।

 

ସାମୁଦ୍ରିକ ବିଜ୍ଞାନ ସମ୍ୱନ୍ଧରେ ବିଭିନ୍ନ ଦୃଷ୍ଟିକୋଣରୁ ତଥ୍ୟ ସଂଗ୍ରହ କରିବାପାଇଁ ତଥା ସଂଗୃହୀତ ତଥ୍ୟ ନିର୍ଭରଶୀଳ ବହୁବିଧ ପ୍ରାୟୋଜକ ପଦକ୍ଷେପ ଗ୍ରହଣ କରିବାପାଇଁ ବୈଜ୍ଞାନିକ ଓ ବୈଷୟିକ ଗବେଷଣା ପରିଷଦ, ଅଏଲ୍ ଆଣ୍ଡ୍ ନାଚୁରାଲ୍ ଗ୍ୟାସ କମିଶନ, ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଡିପାର୍ଟମେଣ୍ଟ ଅଫ୍ ସ୍ପେସ୍ ପ୍ରତିରକ୍ଷା ବିଭାଗ ବେସାମରିକ ଜାହାଜ ଚଳାଚଳ ଓ ଯୋଗାଯୋଗ ମନ୍ତ୍ରଣାଳୟ ଓ ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିହିତ ଗବେଷଣାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସମୁଦ୍ରକୁ ମାନବ ସେବାରେ ନିୟୋଜିତ କରିବାପାଇଁ ଉଲ୍ଲିଖିତ ବିଭିନ୍ନ ଅନୁଷ୍ଠାନଗୁଡ଼ିକ ଜରିଆରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଯୋଗସୂତ୍ର ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ‘ଡିପାର୍ଟ୍‍ମେଣ୍ଟ ଅଫ୍ ଓସନ୍ ଡେଭଲପ୍‍ମେଣ୍ଟ’ ଶୀର୍ଷକ ଗୋଟିଏ ଦପ୍ତର ସୃଷ୍ଟି କରାଯାଇଛି । ସମୁଦ୍ରର ବହୁମୁଖୀ ଉପଯୋଗୀପାଇଁ ଯେଉଁ ଜାତୀୟ ନୀତିଗୁଡ଼ିକୁ ପ୍ରଣୟନ କରାଯାଉଛି, ସେଗୁଡ଼ିକର ଯଥାବିଧି କାର୍ଯ୍ୟକାରିତାପାଇଁ ଶେଷୋକ୍ତ ଦପ୍ତରଟି ବିଭିନ୍ନ ଅନୁଷ୍ଠାନଗୁଡ଼ିକୁ ସମୟୋଚିତ ପରାମର୍ଶ ଦେଇପାରୁଛି ।

 

ଆମ ଦେଶର ପ୍ରାଚୀନ ଶାସ୍ତ୍ର ଓ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ, ଅଗ୍ନିର ଆବିର୍ଭାବ ଘଟିଛି ସମୁଦ୍ର ଗର୍ଭରୁ । ଆଧୁନିକ ଯୁଗରେ ସମୁଦ୍ର ଗର୍ଭରୁ ତୈଳ ସଂଗ୍ରହ କରାଯିବା ସମ୍ଭବ ହେବା ପରେ ଏହି ଉକ୍ତିର ସତ୍ୟତା ପ୍ରତିପାଦିତ ହେଉ ନାହିଁ କି ? ପୁଣି, ସମୁଦ୍ରକୁ ‘ରତ୍ନଗଭା’ ନାମରେ ବର୍ଣ୍ଣନା କରାଯାଇଛି । ଆଶା କରାଯାଉଛି ଯେ, ଆମ ଦେଶର ଅର୍ଥନୀତିକୁ ମଜବୁତ୍ କରିବାପାଇଁ ଏ ଦିଗରେ ଯଥାଶୀଘ୍ର ସନ୍ତୋଷପ୍ରଦ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯିବ । ମାତ୍ର ଲୋଭପରବେଶ ହୋଇ ମୂଲ୍ୟବାନ୍ ଓ ଉପଯୋଗୀ ଧାତୁଗୁଡ଼ିକୁ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସମୁଦ୍ରକୁ ମନ୍ଥି ଦିଆଯାଏ, ତାହାହେଲେ ତାହାର ପରିବେଶ ଦୂଷିତ ହୋଇଯିବ । ସାମୁଦ୍ରିକ ଜୀବ ଓ ପାଣିପାଗ ଉପରେ ଏହା ସୁଦୂରପ୍ରସାରୀକୁ ପ୍ରଭାବ ବିସ୍ତାର କରିବାର ନିଶ୍ଚିତ ସମ୍ଭାବନା ଥିବାରୁ ଅତୀତର ଅଭିଜ୍ଞତାରୁ ଶିକ୍ଷା ଲାଭ କରି ଆମେ ଏ ଦିଗରେ ସତର୍କତା ମୂଳକ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବା ସମୀଚୀନ ବୋଧ ହେଉଛି ।

 

ଆଣ୍ଟାର୍ଟିକା ମହାସାଗରର ଦୁର୍ଗମ ଅଞ୍ଚଳରେ ପୁଙ୍ଖାନୁପୁଙ୍ଖ ବୈଜ୍ଞାନିକ ଅନୁସନ୍ଧାନ ଚଳାଇବାପାଇ ୧୯୮୨ ମସିହାରେ ଆମ ଦେଶର ବୈଜ୍ଞାନିକମାନେ ଯେଉଁ ପ୍ରକାର ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କଲେ, ତାହା ପୃଥିବୀର ବୌଦ୍ଧିକ ମହଲରେ ଆମ ଦେଶର ବିଶେଷଜ୍ଞମାନଙ୍କ କର୍ମନୈପୁଣ୍ୟର ଉତ୍କର୍ଷ ପ୍ରଦର୍ଶନ କରିଛି । ଇତ୍ୟବସରରେ ଦ୍ୱିତୀୟବାର ଅଭିଯାନ ଚଳାଇ ଆମ ଦେଶର ବିଶେଷଜ୍ଞମାନେ ସେଠାକାର ଭୌତିକ, ଭୂତାତ୍ତ୍ୱିକ ଓ ଜୈବିକ ପରିବେଶ ସମ୍ୱନ୍ଧରେ ପର୍ଯ୍ୟାପ୍ତ ପ୍ରାମାଣିକ ତଥ୍ୟ ସଂଗ୍ରହ କଲେଣି । ଆନ୍ତର୍ଜାତିକ ରାଜିନାମା ଅନୁଯାୟୀ ଏ ଅଞ୍ଚଳରେ କୌଣସି ରାଷ୍ଟ୍ର ନିଜର ଏକଚାଟିଆ ଅଧିକାର ସାବ୍ୟସ୍ତ କରିବାର ଅବକାଶ ନାହିଁ । ଏହା ସମଗ୍ର ମାନବ ଜାତିର ସମ୍ପଦ; ତଥାପି କେତେକ ରାଷ୍ଟ୍ର ଅଦ୍ୟାବଧି ଆନ୍ତଃରାଷ୍ଟ୍ରୀୟ ରାଜିନାମାକୁ (Convention of the Law of the Seas) ମାନିନେବାକୁ ଅମଙ୍ଗ ହେଉଛନ୍ତି । ସେମାନେ ବିଚାରୁଛନ୍ତି ଯେ, ଯେଉଁ ରାଷ୍ଟ୍ର ଏ ଦିଗରେ ପ୍ରଥମ ସଫଳ ପଦକ୍ଷେପ ଗ୍ରହଣ କରିପାରିବ, ସେହି ରାଷ୍ଟ୍ର ହିଁ ଏ ଅଞ୍ଚଳରୁ ଫାଇଦା ଉଠାଇବାପାଇଁ ହକ୍‍ଦାର୍ ହୋଇପାରିବ । ଏପରି ସାମ୍ରାଜ୍ୟବାଦୀ ବା ଔପନିବେଶିକ ମନୋଭାବକୁ ଆମ ଦେଶ ପସନ୍ଦ କରୁନାହିଁ । ଆନ୍ତଃରାଷ୍ଟ୍ରୀୟ ବୁଝାମଣା ବିନିମୟରେ ମନୁଷ୍ୟର ହିତ ସାଧନପାଇଁ ଯେପରି କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ଆଇନ ଅନୁମୋଦିତ ମାର୍ଗରେ କାର୍ଯ୍ୟକାରୀ କରାଯିବାର ଅବକାଶ ରହିଛି ଏବଂ ଯେଉଁ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଯିବାଦ୍ୱାରା ଅନ୍ୟ କାହାର ଅନିଷ୍ଟ ନ ଘଟିବା ସଙ୍ଗେ ସଙ୍ଗେ ଆମ ଦେଶ ସ୍ୱାବଲମ୍ୱନଶୀଳତା ପଥରେ ଅଗ୍ରଗାମୀ ହେବାର ସମ୍ଭାବନା ରହିଛି, ସେ ଦିଗରେ ଯଥାଶୀଘ୍ର ବିଜ୍ଞାନସମ୍ମତ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଇବା ଦିଗରେ ଆମ ଦେଶ ଅଗ୍ରାଧିକାର ଆରୋପ କରିଛି ।

 

ସମୁଦ୍ରର ସମ୍ଭାବ୍ୟ ସଦୁପଯୋଗ ବଳରେ ଜାତୀୟ ପ୍ରଗତିର ହାରକୁ ତ୍ୱରାନ୍ୱିତ କରାଇବାପାଇଁ ଯେଉଁପ୍ରକାର ବହୁମୁଖୀ ତଥା ବ୍ୟୟବହୁଳ ଉଦ୍ୟମ ସମ୍ପର୍କରେ ଉଲ୍ଲିଖିତ ଆଲୋଚନାରେ ସୂଚନା ପ୍ରଦତ୍ତ ହୋଇଛି, ସ୍ଥଳଭାଗ ଓ ମହାକାଶକୁ ମଧ୍ୟ ଠିକ୍ ସେହିପରି ଦେଶୋପଯୋଗୀ ମାର୍ଗରେ ବ୍ୟବହାର କରିବାର ପ୍ରଗାଢ଼ ଉଦ୍ୟମ ଅବ୍ୟାହତ ରହିଛି । ବିଜ୍ଞାନ ଓ ଟେକ୍ନୋଲଜି ନିର୍ଭରଶୀଳ ଏପରି ନିବଚ୍ଛିନ୍ନ ଉଦ୍ୟମ ବଳରେ ଆମ ଦେଶରୁ ଦାରିଦ୍ର୍ୟର ଅପସାରଣ ଘଟାଇବାପାଇଁ ତଥା ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କ ଜୀବନ ଧାରଣର ମାନରେ କ୍ରମୋନ୍ନତି ଘଟାଇବା ପାଇଁ ବିପୁଳ ପୁଞ୍ଜି ବିନିଯୋଗ କରାଯାଉଛି । ଆମ ଦେଶର ସହର ତଳି ଅଞ୍ଚଳର ତଥା ଗ୍ରାମାଞ୍ଚଳର ସାଧାରଣ ନାଗରିକମାନଙ୍କୁ ଏପରି ଜନହିତକାରୀ ଉଦ୍ୟମଗୁଡ଼ିକ ସହିତ ସାମିଲ କରାଯିବା ସମ୍ଭବ ହୋଇପାରିଲେ ତଥା ସେମାନେ ଏଗୁଡ଼ିକର ସୁଫଳ ଉପଭୋଗ କରୁଥିବାର ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ କରିପାରିଲେ, ସ୍ୱାବଲମ୍ୱନଶୀଳତା ପଥରେ ଆମର ଅଗ୍ରଗତି ଆହୁରି ତ୍ୱରାନ୍ୱିତ ହେବା ସଙ୍ଗେ ସଙ୍ଗେ ଦେଶର ଉତ୍ତରୋତ୍ତର ସମୃଦ୍ଧି ସାଧନ ଉଦ୍ଦେଶ୍ୟରେ ସାମାଜିକ ସ୍ତରରେ ଏକାନ୍ତ ଆବଶ୍ୟକ ହେଉଥିବା ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ସର୍ଜନା ସମ୍ଭବ ହୋଇ ପାରିବ ।

 

(୩)

 

ସ୍ୱାଧୀନତାପ୍ରାପ୍ତି ପରଠାରୁ ବିଜ୍ଞାନ ଟେକ୍ନୋଲଜି କ୍ଷେତ୍ରରେ ସୁଦୃଢ଼ ଅବସ୍ଥାପନା ସୃଷ୍ଟି କରାଯିବା ଦ୍ୱାରା ତଥା ଏହାର ସଦୁପଯୋଗ କରାଯିବାଦ୍ୱାରା ଯେଉଁ ପ୍ରକାର ଫଳ ମିଳିଛି, ତାହାକୁ ବିଚାରକୁ ନିଆଯାଇ ଭବିଷ୍ୟତର କର୍ମସୂଚୀ ପ୍ରସ୍ତୁତ କରିବାର ଯୁକ୍ତିଯୁକ୍ତତା ଅନାୟାସରେ ଉପଲବ୍ଧ ହେଉଛି । ଏ ପରିପ୍ରେକ୍ଷୀରେ ଅଭିଜ୍ଞତାସିଦ୍ଧ କତିପୟ ତାତ୍ପର୍ଯ୍ୟପୂର୍ଣ୍ଣ ସମସ୍ୟାର ସମାଧାନ ଅତୀବ ସମୟୋପଯୋଗୀ ତଥା ଜରୁରୀବୋଧ ହେଉଛି । କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦ୍ୱାରା କେବଳ ସହରାଞ୍ଚଳରେ ବାସ କରୁଥିବା ଉପଭୋଗୀ ନାଗରିକମାନଙ୍କ ବ୍ୟତୀତ ଆମ ଦେଶର ପଲ୍ଲି ଅଞ୍ଚଳର ବିପୁଳସଂଖ୍ୟକ ଜନସାଧାରଣ ମଧ୍ୟ ବିଜ୍ଞାନ ଓ ଟେକ୍ନୋଲଜିର ସଦୁପଯୋଗ କରିବାପୂର୍ବକ ନିଜ ନିଜର ଜୀବନଧାରଣର ମାନରେ କ୍ରମୋନ୍ନତି ଘଟାଇ ପାରିବେ ? କ’ଣ କରାଯିବାଦ୍ୱାରା ଏ ଦେଶର କୃଷକ, ଶ୍ରମିକ ଓ କାରିଗରମାନେ ବିକେନ୍ଦ୍ରୀକରଣକ୍ଷମ ଶକ୍ତିର ଉପଯୋଗ କରିବା ସଙ୍ଗେ ସଙ୍ଗେ ନିଜ ନିଜ ଇନ୍ନୋଭେସନ୍‍ପ୍ରବଣତା ବିନିମୟରେ ଜାତୀୟ ଉତ୍ପାଦନ ଅଭିବୃଦ୍ଧି ଘଟାଇ ପାରିବେ ? ତାଲିମ୍‍ଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନଗୁଡ଼ିକୁ କିପରି ଭାବରେ କାର୍ଯ୍ୟକାରୀ କରାଯିବାଦ୍ୱାରା ସ୍ୱଦେଶୀ କର୍ମ-ପ୍ରତିଭାର ଉପଯୋଗ କରାଯିବା ସମ୍ଭବ ହେବ ? ଏପରି ସମସ୍ୟାଗୁଡ଼ିକର ଯଥାର୍ଥ ସମାଧାନ ପାଇଁ ଉଦ୍ୟମ କରିବାବେଳେ ଆଉ କେତୋଟି ସମସ୍ୟାର ସମକାଳୀନ ସମାଧାନ ମଧ୍ୟ ଏକାନ୍ତ ଜରୁରୀବୋଧ ହେଉଛି । ବିଜ୍ଞାନୋନ୍ନତ ତଥା ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକରେ ଯେଉଁ ଅତ୍ୟାଧୁନିକ ଟେକ୍ନୋଲଜିଗୁଡ଼ିକୁ ପ୍ରାୟୋଗିକ କ୍ଷେତ୍ରରେ ବିନିଯୋଗ କରାଯାଉଛି, ସେ ଗୁଡ଼ିକ କ’ଣ ସିଧାସଳଖ ଆମଦାନୀ କରାଯିବାଦ୍ୱାରା ଆମ ଦେଶର ସମସ୍ୟାଗୁଡ଼ିକର ସମାଧାନ କରିହେବ ? ପରିତ୍ୟକ୍ତ ତଥା ପୁରୁଣାକାଳିଆ ଟେକ୍ନୋଲଜିଗୁଡ଼ିକୁ ରପ୍ତାନୀ କରିବାପାଇଁ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଯେଉଁଭଳି ବଣିକ ସୁଲଭ କାରସାଦୀ ପ୍ରଦର୍ଶନ କରୁଛନ୍ତି, ସେହି ପ୍ରଲୋଭନ କବଳରୁ ଆମ ଦେଶକୁ ରକ୍ଷା କରିବାପାଇଁ କେଉଁପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ? ବର୍ତ୍ତମାନ ଯେଉଁମାନେ ବୈଷୟିକ ପ୍ରଗତି କ୍ଷେତ୍ରରେ ଅଗ୍ରଗଣ୍ୟ ସ୍ୟତାନ ଅଧିକାର କରିଛନ୍ତି, ସେମାନଙ୍କଠାରୁ ଆମ ଦେଶ ତଥା ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପଛରେ ପଡ଼ିଛନ୍ତି । ଦିନକୁଦିନ ଏହି ତାରତମ୍ୟର ମାତ୍ରା ସଙ୍କୁଚିତ ହେବା ପରିବର୍ତ୍ତେ ସଂପ୍ରସାରିତ ହେବାରେ ଲାଗିଛି । ଏଣୁ ତାରତମ୍ୟରେ ହ୍ରାସ ଘଟାଇବା ସଙ୍ଗେ ସଙ୍ଗେ ଆମ ଦେଶର ଜନସାଧାରଣଙ୍କ କ୍ରମବର୍ଦ୍ଧମାନ ଚାହିଦା ପୂରଣ କରିବାପାଇଁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ? ଆମ ଦେଶଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବୈଷୟିକ ବିପ୍ଳବର ଭିତ୍ତି ପ୍ରସ୍ତରକୁ ସୁଦୃଢ଼ କରିବାପାଇଁ ଉଦ୍ୟମ ଚାଲିଥିବାବେଳେ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ବୈଷୟିକୋତ୍ତର ସମାଜର ପ୍ରତିଷ୍ଠାପାଇଁ ଅଭିନବ ଟେକ୍ନୋଲଜିଗୁଡ଼ିକୁ ଉଦ୍ଭାବନ କଲେଣି । ଆମେ କ’ଣ ତାହାହେଲେ ବୈଷୟିକ ବା ଶିଳ୍ପିକ ପ୍ରଗତିପାଇଁ ଉଦ୍ୟମ କରିବା ପରିବର୍ତ୍ତେ ସେମାନଙ୍କୁ ଅନ୍ଧ ଭାବରେ ଅନୁସରଣ କରି ଆମ ଦେଶରେ ବୈଷୟିକୋତ୍ତର ତଥା ତଥ୍ୟ ନିର୍ଭରଶୀଳ ସମାଜ ପ୍ରତିଷ୍ଠା କରିବାପାଇଁ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବା ? ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକୁ ବିଚାରକୁ ନେଇ ସ୍ଥିର କରାଯାଇଛି ଯେ, ପ୍ରତ୍ୟେକ ଦେଶର ସୁସଂଯତ ବିକାଶ ନିଶ୍ଚିତ ଭାବରେ ସେହି ଦେଶର ପରମ୍ପରା, ଐତିହ୍ୟ, ଜନସାଧାରଣଙ୍କ ଶିକ୍ଷାଦୀକ୍ଷା, ଜଳବାୟୁ ଓ ପ୍ରାକୃତିକ ବିଭବ ଉପରେ ନିର୍ଭର କରୁଛି ଏବଂ ପ୍ରତ୍ୟେକ ଦେଶର ସୁସଂଯତ ବିକାଶପାଇଁ ଏକ ଦେଶୋପଯୋଗୀ ସ୍ୱତନ୍ତ୍ର ପଦ୍ଧତିର ଆବଶ୍ୟକତା ରହିଛି । ଏଣୁ ବୈଦେଶିକ ଟେକ୍ନୋଲଜିଗୁଡ଼ିକର ଅନ୍ଧାନୁସରଣ ପରିବର୍ତ୍ତେ ପାରମ୍ପରିକ ଟେକ୍ନୋଲଜିଗୁଡ଼ିକର ନବୀକରଣ ଦିଗରେ ଅଗ୍ରାଧିକାର ଆରୋପ କରାଯିବା ସମୀଚୀନବୋଧ ହେଉଛି । ବିଜ୍ଞାନ ଓ ଟେକ୍ନୋଲଜିର ଅବଦାନଗୁଡ଼ିକ ଆଉ କାହାକୁ ଅଛପା ରହିବାର ଅବକାଶ ନାହିଁ । ଏଣୁ କେଉଁ ଟେକ୍ନୋଲଜିଗୁଡ଼ିକର ନବୀକରଣ କରାଯିବ ଏବଂ ଜାତୀୟ ହିତ ଦୃଷ୍ଟିରୁ କେଉଁ ଟେକ୍ନୋଲଜିଗୁଡ଼ିକୁ ରପ୍ତାନୀ କରାଯିବ, ତାହାକୁ ସୁଚିନ୍ତିତ ମାର୍ଗରେ ସ୍ଥିର କରିବାକୁ ହେବ । ସର୍ବୋପରି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ପ୍ରତ୍ୟେକ ଅଞ୍ଚଳର ଜନସାଧାରଣଙ୍କ ବୃତ୍ତିକୁ ଅଧିକ ଉତ୍ପାଦନକ୍ଷମ କରାଇବାପାଇଁ ସେହି ଅଞ୍ଚଳରେ ବ୍ୟବହୃତ ଟେକ୍ନୋଲଜିର ନବୀକରଣପାଇଁ ଆମ ଦେଶର କୃତବିଦ୍ୟ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଉପଯୁକ୍ତ କୌଶଳ ଉଦ୍ଭାବନ କରିବା ବାଞ୍ଛନୀୟ । ଯଦି ଗବେଷଣା ଓ ପ୍ରଗତିବାବଦ ଚାଲିଥିବା ଉଦ୍ୟମକୁ ସରକାରୀ ତଥା ବେସରକାରୀ ଶିଳ୍ପ ସହିତ ଘନିଷ୍ଠ ଭାବରେ ସମନ୍ୱିନ କରାଯାଏ, ତାହାହେଲେ ଏ ବ୍ୟାପାରରେ ସଫଳତା ମିଳିପାରିବ ଏବଂ ଜାତୀୟ ପ୍ରତିଭା ନଷ୍ଟ ହୋଇଯିବାର ଅବକାଶ ରହିବ ନାହିଁ । ଆମ ଦେଶର ବୈଜ୍ଞାନିକ ଓ ବୈଷୟିକ ଗବେଷଣା ପରିଷଦ (CSIR) ଏ ଦିଗରେ ନେତୃସ୍ଥାନୀୟ ଭୂମିକା ଗ୍ରହଣ କରିବା ସମୀଚୀନବୋଧ ହେଉଛି । ସାରା ଦେଶର କାର୍ଯ୍ୟକ୍ଷମ, କର୍ମକୁଶଳୀ, ବେକାର ଓ ଅର୍ଦ୍ଧ-ବେକାର ଜନସାଧାରଣଙ୍କୁ ଉତ୍ପାଦନ ପ୍ରକ୍ରିୟାସହ ଜଡ଼ିତ କରାଇବାପାଇଁ ବିଜ୍ଞାନ ଓ ଟେକ୍ନୋଲଜି ଜରିଆରେ ଯେଉଁପ୍ରକାର ଉଦ୍ୟମ କରାଯିବାର ବାଞ୍ଛନୀୟତା ଉପଲବ୍ଧ ହେଉଛି, ତାହା କେବଳ ଆମ ଦେଶର ବିଜ୍ଞାନ ଶିକ୍ଷା, ବୈଜ୍ଞାନିକ ଓ ବୈଷୟିକ ଗବେଷଣା ତଥା ଶିଳ୍ପାନୁଷ୍ଠାନଗୁଡ଼ିକସହ ଜଡ଼ିତ ବିଶେଷଜ୍ଞମାନଙ୍କ ବୌଦ୍ଧିକତା ଓ ସାଙ୍ଗଠନିକ କର୍ମପ୍ରବଣତା ଉପରେ ନିର୍ଭର କରୁଛି । ଏଣୁ ସେମାନଙ୍କୁ ଏ ଦିଗରେ କର୍ମତତ୍ପର କରାଇପାରିବା ଭଳି ଅନୁକୂଳ ପରିବେଶର ସର୍ଜନା ଦିଗରେ ପ୍ରଶାସନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବା ସମୀଚୀନବୋଧ ହେଉଛି ।

 

ଆନ୍ତଃରାଷ୍ଟ୍ରୀୟ ତଥା ଆନ୍ତଃରାଷ୍ଟ୍ରୀୟ ପରିସ୍ଥିତି ପରିପ୍ରେକ୍ଷୀରେ ବିଜ୍ଞାନ ଓ ଟେକ୍ନୋଲଜିର ତ୍ୱରାନ୍ୱିତ ସମୃଦ୍ଧିକୁ ବିଚାରକୁ ନେଇ ଭାରତ ସରକାର ଆମ ଦେଶର ପ୍ରଗତି ସାଧନପାଇଁ ଚଳିତବର୍ଷ ଗୋଟିଏ ନୂଆ ‘ଟେକ୍ନୋଲ୍‍ଜି ପଲିସି’ ପ୍ରଣୟନ କରିଛନ୍ତି । ଆଶା କରାଯାଉଛି ଯେ, ଏହି ନୀତିକୁ ଏଣିକି ସର୍ବଭାରତୀୟ ସ୍ତରରେ ନିଷ୍ଠାପର ଭାବରେ କାର୍ଯ୍ୟକାରୀ କରାଯିବାଦ୍ୱାରା ଆମ ଦେଶର ସର୍ବାଙ୍ଗୀନ ପ୍ରଗତି ସାଧିତ ହେବ ଏବଂ ଏତଦ୍ଦ୍ୱାରା ଗୋଟିଏ ସାମ୍ୟବାଦୀ ସମାଜର ସର୍ଜନା ସମ୍ଭବ ହେବା ସଙ୍ଗେ ସଙ୍ଗେ ଆମ ଦେଶ ଆନ୍ତଃରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ଯଥାଶୀଘ୍ର ଗୋଟିଏ ଉନ୍ନତ ତଥା ସ୍ୱାବଲମ୍ୱୀ ରାଷ୍ଟ୍ରରୂପେ ମୁଣ୍ଡଟେକି ପାରିବ । ସ୍ୱଦେଶୀ ଓ ବିଦେଶୀ ଟେକ୍ନୋଲଜିଗୁଡ଼ିକୁ ଉପଯୁକ୍ତ ଭାବରେ ବାଛିବା ଫଳରେ ତଥା ସେଗୁଡ଼ିକୁ ନିଷ୍ଠାପରଭାବରେ କାର୍ଯ୍ୟକାରୀ କରାଯିବା ଫଳରେ ଅପେକ୍ଷାକୃତ ଅଳ୍ପ ସମୟ ମଧ୍ୟରେ ଆମ ଦେଶ ଅନ୍ୟାନ୍ୟ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥିବା ତାରତମ୍ୟକୁ ସଙ୍କୁଚିତ କରିହେବ । ଏଣୁ ବୈଦେଶିକ ପ୍ରଭାବ ଫଳରେ ଆମ ଦେଶର ଜନସାଧାଣଙ୍କ କ୍ରମବର୍ଦ୍ଧମାନ ଚାହିଦାକୁ ପୂରଣ କରିବାପାଇଁ ସ୍ୱଦେଶରେ ସର୍ବବିଧ ଚାହିଦା ପୂରଣକାରୀ ବସ୍ତୁଗୁଡ଼ିକୁ ଉତ୍ପାଦନ କରିବା ସମ୍ଭବ ହେବ ।

 

ଚଳିତବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସର ସାମ୍ୱତ୍ସରିକ ଉତ୍ସବର ଉଦଘାଟନକାଳୀନ ଶୁଭଅବସରରେ (ଜାନୁଆରୀ ମାସ ୩ ତାରିଖ) ପବିତ୍ର ତିରୁପତି ତୀର୍ଥଠାରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ‘ଟେକ୍ନୋଲଜି ପଲିସି’ ସମ୍ପର୍କରେ ସୂଚନା ପ୍ରକାଶ କରିଛନ୍ତି । ସେ ‘ଟେକ୍ନୋଲଜି ପଲିସି ଷ୍ଟେଟମେଣ୍ଟ୍’ ( ) ଶିରୋନାମାରେ ଯେଉଁ ବିଜ୍ଞପ୍ତି ଘୋଷଣା କରିଛନ୍ତି, ତାହାର ଅନୁବାଦ ନିମ୍ନରେ ପ୍ରଦତ୍ତ ହୋଇଛି ।

 

(କ)

ସ୍ୱଦେଶୀ ପ୍ରାକୃତିକ ସମ୍ୱନ୍ଧରେ ସର୍ବାଧିକ ଉପଯୋଗ କରାଯିବାପାଇଁ ତଥା ନବୀକରଣକ୍ଷମ ଶକ୍ତିର ଉତ୍ସଗୁଡ଼ିକର ପ୍ରାୟୋଗିକ ଉପଯୋଗ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଯିବ ।

 

 

(ଖ)

ମହିଳା ତଥା ସମାଜର ଦୁର୍ବଳ ଶ୍ରେଣୀଭୁକ୍ତ ନାଗରିକମାନଙ୍କୁ ସନ୍ତୋଷପ୍ରଦ ତଥା ଲାଭପ୍ରଦ ଜୀବିକା ଯୋଗାଇ ଦିଆଯିବ ।

 

 

(ଗ)

ପାରମ୍ପରିକ ସୂତ୍ରରେ ଆହରିତ କାରିଗରୀ କୌଶଳଗୁଡ଼ିକର ବ୍ୟାବସାୟିକ ପ୍ରତିଯୋଗିତା ଭିତ୍ତିରେ ଲାଭପ୍ରଦ ବ୍ୟବହାରପାଇଁ ଉଦ୍ୟମ କରାଯିବ ।

 

 

(ଘ)

ଜନସାଧାରଣଙ୍କଦ୍ୱାରା ଉତ୍ପାଦନପାଇଁ ଉଦ୍ଦିଷ୍ଟ ତଥା ମାସ୍ ପ୍ରଡ଼କ୍ସନ୍ ପଦ୍ଧତି ଅବଲମ୍ୱନରେ ଶିଳ୍ପାନୁଷ୍ଠାନମାନଙ୍କରେ ଉତ୍ପାଦନପାଇଁ ଉଦ୍ଦିଷ୍ଟ ଟେକ୍ନୋଲଜିଗୁଡ଼ିକ ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ରକ୍ଷା କରାଯିବ ।

 

 

(ଚ)

ସର୍ବାପେକ୍ଷା କମ୍ ପୁଞ୍ଜି ବିନିଯୋଗରେ ସର୍ବାଧିକ ଲାଭପ୍ରଦ ପ୍ରଗତିମୂଳକ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ପ୍ରତି ପ୍ରାଧାନ୍ୟ ଆରୋପିତ ହେବ ।

 

 

(ଛ)

ପୁରୁଣା ଟେକ୍ନୋଲଜିଗୁଡ଼ିକର ଆଧୁନିକୀକରଣପାଇଁ ତଥା ବ୍ୟବହୃତ ଉପକରଣଗୁଡ଼ିକ ସ୍ଥାନରେ ନବ ଉଦ୍ଭାବିତ କର୍ମକୁଶଳୀ ଉପକରଣଗୁଡ଼ିକୁ ସ୍ଥାପନା କରିବାପାଇଁ ସମୁଚିତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।

 

 

(ଜ)

ବିଦେଶକୁ ରପ୍ତାନୀ କରାଯାଉଥିବା ଉପକରଣଗୁଡ଼ିକ ସହିତ ସଂଶ୍ଳିଷ୍ଟ ଟେକ୍ନୋଲଜିକୁ ଆନ୍ତଃରାଷ୍ଟ୍ରୀୟ ପ୍ରତିଯୋଗିତା ଦୃଷ୍ଟିରୁ ସମୁନ୍ନତ କରାଯିବା ପ୍ରତି ଗୁରୁତ୍ୱ ଆରୋପିତ ହେବ-

 

 

(ଝ)

କାର୍ଯ୍ୟଦକ୍ଷତାରେ ଅଭିବୃଦ୍ଧି ଓ ପ୍ରତିଷ୍ଠିତ ଅବସ୍ଥାପନାର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବାଦ୍ୱାରା ଉତ୍ପାଦନର ମାତ୍ରାରେ କ୍ରମାଗତ ଅଭିବୃଦ୍ଧି ଘଟିବ । ସମକାଳୀନ ଭାବରେ ଉତ୍ପାଦିତ ଦ୍ରବ୍ୟର ଗୁଣାତ୍ମକମାନ ଓ ନିର୍ଭରଯୋଗ୍ୟତା ପ୍ରତି ପ୍ରାଧାନ୍ୟ ଆରୋପିତ ହେବ ।

 

 

(ଟ)

ପରିବେଶ ଓ ପରିସଂସ୍ଥାର ସନ୍ତୁଳିତ ଅବସ୍ଥାକୁ ସୁରକ୍ଷିତ ରଖାଯିବ ଏବଂ ଜନବସତିଗୁଡ଼ିକର ପରିବେଶକୁ ନିର୍ମଳ ରଖାଯିବା ଦିଗରେ ଗୁରୁତ୍ୱ ଆରୋପିତ ହେବ ।

 

 

(ଠ)

କାରଖାନାମାନଙ୍କରେ ଉତ୍ପାଦନ ପ୍ରକ୍ରିୟା ଚାଲୁଥିବାବେଳେ ଅବାଞ୍ଛିତ ବସ୍ତୁରୂପେ ପରିତ୍ୟାଗ କରାଯାଉଥିବା ବସ୍ତୁଗୁଡ଼ିକର ପୁନଃବ୍ୟବହାର ପାଇଁ ବିହିତ ପଦକ୍ଷେପ କାର୍ଯ୍ୟକାରୀ ହେବ । କୌଣସି ଉତ୍ପାଦନ ପ୍ରକ୍ରିୟାର ସଙ୍ଘଟନ କାଳରେ ଉପଜାତ ବାଇପ୍ରଡ଼କ୍‍ଟ ଗୁଡ଼ିକର ସମ୍ପୂର୍ଣ୍ଣ ଉପଯୋଗପାଇଁ ଉପଯୁକ୍ତ କର୍ମପନ୍ଥା ଅନୁସୃତ ହେବ ।

 

 

(ଡ)

ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ୍ ଭଳି ପୁନଃବ୍ୟବହାରଯୋଗ୍ୟ ହୋଇନଥିବା ଶକ୍ତିର ବ୍ୟବହାର କ୍ଷେତ୍ରରେ ମିତବ୍ୟୟୀ ଆଚରଣ ପ୍ରଦର୍ଶନ କରିବା ଦିଗରେ ଅଗ୍ରାଧିକାର ଆରୋପିତ ହେବ ।

Image

 

(୪)

 

ଉଲ୍ଲିଖିତ ନୀତି ଆଦର୍ଶଗତ ଦୃଷ୍ଟିକୋଣରୁ ଏକାନ୍ତ ଉପାଦେୟ, ଦେଶୋପଯୋଗୀ ଓ ସମୟୋପଯୋଗୀ ହୋଇଛି । ଏହାର କାର୍ଯ୍ୟକାରିତା ମୁଖ୍ୟତଃ ଆମ ଦେଶର ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞମାନଙ୍କ ସ୍ୱଦେଶପ୍ରୀତି, ବୌଦ୍ଧିକତା ଓ ସାଙ୍ଗଠନିକ କର୍ମପ୍ରବଣତା ଉପରେ ନିର୍ଭର କରୁଛି । ସେମାନେ ଯଦି ନିଜ ନିଜ କର୍ମଜରିଆରେ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିପାରନ୍ତି ଓ ସେମାନଙ୍କୁ ଉନ୍ନୟନମୂଳକ ବ୍ୟାପାରଗୁଡ଼ିକ ସହିତ ଜଡ଼ିତ କରାଇପାରନ୍ତି, ତାହାହେଲେ ଦେଶର ପ୍ରଗତିକଳ୍ପେ ବିଜ୍ଞାନ ଓ ଟେକ୍ନୋଲଜିର ଭୂମିକା ସମ୍ପର୍କରେ ସେମାନେ ସଚେତନ ହେବା ସଙ୍ଗେ ସଙ୍ଗେ ଆଶ୍ୱସ୍ତ ଅନୁଭବ କରିବେ ଏବଂ ଜାତୀୟ ଉଦ୍ୟମର ସାର୍ଥକତାପାଇଁ ମଧ୍ୟ ଗର୍ବ ଅନୁଭବ କରିବେ । ଜନସାଧାରଣ ଏତଦ୍ଦ୍ୱାରା ହୃଦୟଙ୍ଗମ କରି ପାରିବେ ଯେ, ବିଜ୍ଞାନ ଓ ଟେକ୍ନୋଲଜି ସେମାନଙ୍କ ହିତ ସାଧନପାଇଁ ଉଦ୍ଦିଷ୍ଟ ହୋଇଛି ଏବଂ ଏହା ସେମାନଙ୍କ ସୃଜନଶୀଳ ପ୍ରତିଭା ଓ କର୍ମକୁଶଳତାର ପରିପ୍ରକାଶପାଇଁ ଅନୁକୂଳ ପରିବେଶ ଯୋଗାଇ ପାରିଛି । ଏ ପରିପ୍ରେକ୍ଷୀରେ ସୂଚାଇଦେବା ପ୍ରାସଙ୍ଗିକବୋଧ ହେଉଛି ଯେ, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ କେବଳ ପ୍ରତିଭାଧର ବୈଜ୍ଞାନିକମାନଙ୍କ ବୌଦ୍ଧିକ ଅବଦାନ ଯୋଗୁ ବିଜ୍ଞାନ ଓ ଟେକ୍ନୋଲଜିର ଚେର ସୁଦୃଢ଼ ହୋଇନାହିଁ । ଏହା ସମେତ ନିରବଚ୍ଛିନ୍ନ ଭାବରେ ସେହି ଦେଶର ନାଗରିକମାନେ ବଂଶାନୁକ୍ରମିକ ଭାବରେ ବିଜ୍ଞାନର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାକୁ ସମର୍ଥ ହୋଇଛନ୍ତି ଏବଂ ଉଭାବିତ ଟେକ୍ନୋଲଜିଗୁଡ଼ିକୁ ଭଲ ଭାବରେ ପରଖି ସେଗୁଡ଼ିକର ପ୍ରାୟୋଗିକ ଉପଯୋଗ ଦିଗରେ ସେମାନେ ନିଜ ନିଜ ଇନ୍ନେଭେସନ୍ ପ୍ରବଣତାର ସ୍ୱତଃସ୍ଫୂର୍ତ୍ତ ସଦୁପଯୋଗ କରିବାକୁ ଆଗଭର ହୋଇଛନ୍ତି ।

 

ସର୍ବସାଧାରଣଙ୍କ ଜୀବନ ଧାରଣର ମାନରେ କ୍ରମୋନ୍ନତି ଘଟାଇବାପାଇଁ ଉଲ୍ଲିଖିତ ନୀତି ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ବେଳେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏହାର କାର୍ଯ୍ୟକାରିତା ଉପରେ ପ୍ରତିବନ୍ଧକ ସୃଷ୍ଟି କରିବା ସ୍ୱାଭାବିକ । ପ୍ରଚଳିତ ଉତ୍ପାଦନପ୍ରକ୍ରିୟା ଗୁଡ଼ିକରେ ପରିବର୍ତ୍ତନ ଘଟାଇବାଦ୍ୱାରା ସେମାନେ ଯେପରି ପୂର୍ବରୁ ସୁବିଧା ପାଇପାରୁଥିଲେ ଏବଂ ଦୀନହୀନ ବ୍ୟକ୍ତିମାନଙ୍କୁ ଶୋଷଣ କରୁଥିଲେ ସେଥିରେ ବାଧା ସୃଷ୍ଟି ହେବ । ବିଶେଷଜ୍ଞମାନଙ୍କ ସହଯୋଗିତାରେ ପ୍ରଶାସକ ଗୋଷ୍ଠୀ ଆଇନ୍ ଅନୁମୋଦିତ ପନ୍ଥା ଅବଲମ୍ୱନରେ ଏପରି ପ୍ରତିବନ୍ଧକଗୁଡ଼ିକର ମୁକାବିଲା କରିବାକୁ ଅନ୍ତରିକ ଉଦ୍ୟମ ଚଳାଇ ପାରିଲେ ତଥା ଜନସାଧାରଣ ନ୍ୟସ୍ତସ୍ୱାର୍ଥ ସୁବିଧାବାଦୀ ବ୍ୟକ୍ତିମାନଙ୍କ ଚକ୍ରାନ୍ତ ବିରୋଧରେ ଜନମତ ସୃଷ୍ଟି କରିପାରିଲେ; ସ୍ଥିତାବସ୍ଥାକୁ ସୁଧାରିବା କଷ୍ଟକର ହେବ ନାହିଁ । ବିଜ୍ଞାନ ଓ ଟେକ୍ନୋଲଜିର ପ୍ରୟୋଗ ଫଳରେ ଅନିବାର୍ଯ୍ୟ ଭାବରେ ପରିବର୍ତ୍ତନ ଘଟିବ । ଏପରି ପରିବର୍ତ୍ତନକୁ ସ୍ୱାଗତ କରିବାଦ୍ୱାରା ହିଁ ଆମେ ପ୍ରଗତି ପଥରେ ଆଗେଇ ପାରିବା । ଏଠାରେ ବୁଝିବାର କଥା ଯେ, ବିଜ୍ଞାନର ସମୃଦ୍ଧି ସାଧନସହ ତାଳ ମିଳାଇ ଟେକ୍ନୋଲଜିର ଅଗ୍ରଗତି ଘଟୁଛି । ଆଜି ଯେଉଁ ଟେକ୍ନୋଲଜିକୁ କୌଣସି ବସ୍ତୁର ଉତ୍ପାଦନପାଇଁ ପ୍ରୟୋଗ କରାଯାଉଛି, ଆଉ କିଛିଦିନ ପରେ ତାହା ପୁରୁଣା ହୋଇଯାଇପାରେ । ଏଣୁ ଏହି ଟେକ୍ନୋଲଜିସହ ଅଭ୍ୟସ୍ତ କାରିଗର ବା ଶ୍ରମିକ ନୂଆ ଟେକ୍ନୋଲଜିକୁ ସ୍ୱାଗତ କରି ନ ପାରିଲେ ତଥା କାର୍ଯ୍ୟ-କ୍ଷେତ୍ରରେ ତାହାକୁ ପ୍ରୟୋଗ କରିବାପାଇଁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ନିଜକୁ ପ୍ରସ୍ତୁତ ନ କଲେ, ବେକାର ହୋଇଯିବା ସ୍ୱାଭାବିକବୋଧ ହେଉନାହିଁ କି ? ଆମ ଦେଶର ବିଜ୍ଞାନ ଓ ବୈଷୟିକ ଶିକ୍ଷାନୁଷ୍ଠାନ ତଥା ତାଲିମ କେନ୍ଦ୍ରଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିକୁ ଏପରି ଭାବରେ କାର୍ଯ୍ୟକାରୀ କରାଇବାକୁ ହେବ ଯେ, ଶିକ୍ଷା ‘ଜୀବନ-ବ୍ୟାପୀ ଶିକ୍ଷା’ରେ ପରିଣତ ହୋଇଯିବ । ଧନ୍ଦାଭିମୁଖୀ ଶିକ୍ଷାର ଗୋଟିଏ ଦୁର୍ବଳତା ହେଉଛି ଯେ, ଜଣେ ଛାତ୍ର ବା ଛାତ୍ରୀ ଗୋଟିଏ ନିର୍ଦ୍ଦିଷ୍ଟ ବୃତ୍ତି ସମ୍ପର୍କରେ ତାଲିମ୍ ପାଇପାରନ୍ତି । ଏଣୁ ଏହି ବୃତ୍ତିରେ ପ୍ରଯୁକ୍ତି ବିଦ୍ୟା ଆଧାରିତ ପରିବର୍ତ୍ତନ ଘଟାଇବାଦ୍ୱାରା ସେ ସେହି ପରିବର୍ତ୍ତନସହ ତାଳ ମିଳାଇ ନିଜ ଦାୟିତ୍ୱ ତୁଲାଇବାକୁ ଅସମର୍ଥ ହୁଅନ୍ତି । ଅବଶ୍ୟମ୍ଭାବୀ ପରିବର୍ତ୍ତନକୁ ସ୍ୱାଗତ କରି ନିଜକୁ ସେଥିପାଇଁ ପ୍ରସ୍ତୁତ କରିବାର ଆଗ୍ରହ ତାଙ୍କଠାରେ ପରିଲକ୍ଷିତ ହୁଏ ନାହିଁ । ମାତ୍ର ଆମ ଦେଶର କାର୍ଯ୍ୟକ୍ଷମ ବ୍ୟକ୍ତିମାନେ ଏପରି ମନୋଭାବ ପୋଷଣ କରି କର୍ମମୟ ଜୀବନରେ ପ୍ରବେଶ କରିବାଦ୍ୱାରା ପରିବର୍ତ୍ତନଶୀଳ ସମାଜ ସହିତ ତାଳ ମିଶାଇ ସେମାନେ ଜାତୀୟ ଉନ୍ନୟନମୂଳକ ବ୍ୟାପାରଗୁଡ଼ିକ ସହିତ ନିଜ ନିଜକୁ ସାମିଲ୍ କରିବାର ଅବକାଶ ରହିବ ନାହିଁ । ଏଣୁ ସାରା ଦେଶର ପ୍ରାଥମିକ ସ୍ତରଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ପ୍ରଚଳିତ ଶିକ୍ଷା-ଦାନ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଘଟାଇବାକୁ ହେବ । ସେମାନେ ଖୋଲା ମନରେ ଅଭିନବ ଧାରଣଗୁଡ଼ିକୁ ଯେପରି ପସନ୍ଦ କରିପାରିବେ, ଦେଶ ବିଦେଶରେ ଘଟୁଥିବା ପ୍ରଯୁକ୍ତି ବିଦ୍ୟା ଆଧାରିତବିକାଶମୂଳକ ଯୋଜନାଗୁଡ଼ିକୁ ସେମାନେ ଯେପରି ପସନ୍ଦ କରିପାରିବେ, ସଂକୀର୍ଣ୍ଣ ସ୍ୱାର୍ଥ ଜଡ଼ିତ ମନୋଭାବକୁ ପରିହାର କରି ନିଜର ତଥା ନି ସମାଜର ବୃହତ୍ତର ସ୍ୱାର୍ଥ ସଂରକ୍ଷଣ ଉଦ୍ଦେଶ୍ୟରେ ସେମାନେ ନୂଆ ନୂଆ କୌଶଳଗୁଡ଼ିକୁ ଯେପରି ଉତ୍ପାଦନ କ୍ଷେତ୍ରରେ ପ୍ରୟୋଗ କରିବାପାଇଁ ଉଦ୍ୟମ କରିବେ, ଯେ କୌଣସି ସମସ୍ୟାର ମୁକାବିଲା କରିବାପାଇଁ ସେମାନେ ଯେପରି ବୁଦ୍ଧି ଖଟାଇ ନୂଆ ନୂଆ କୌଶଳ ପ୍ରୟୋଗ କରିପାରିବେ, ସେପରି ଭାବଧାରାର ଜାଗରଣ ଘଟାଇବାପାଇଁ ତଥା ବିଦ୍ୟାର୍ଥୀମାନଙ୍କଠାରେ ଦୃଢ଼ ଆତ୍ମପ୍ରତ୍ୟୟ ଭାବ ବଳବତ୍ତର କରାଇବାପାଇଁ ଶିକ୍ଷାବ୍ୟବସ୍ଥାରେ ଆନୁଷଙ୍ଗିକ ପରିବର୍ତ୍ତନ ଘଟାଇବାକୁ ହେବ ।

 

ଆମେ ଜାଣୁ ଯେ, ଜୈବିକ ବିବର୍ତ୍ତନ ଏକ ପରିବର୍ତ୍ତନଶୀଳ ପ୍ରକ୍ରିୟା । ଏହି ବିବର୍ତ୍ତନର କ୍ରମପରିଣାମଯୋଗୁଁ ଧରଣୀ ବକ୍ଷରେ ବିଚାରବୋଧସମ୍ପନ୍ନ ତଥା ଅନୁପମ ମସ୍ତିଷ୍କଧାରିତ ମନୁଷ୍ୟ ଜାତିର ଆବିର୍ଭାବ ସମ୍ଭବ ହୋଇଛି । ସେହି କାଳଠାରୁ ନିଜ ଅନନ୍ୟ ଗୁଣର ସଦୁପଯୋଗ କରି ଜୈବିକ ବିବର୍ତ୍ତନଠାରୁ ଯଥେଷ୍ଟ ଅଧିକ ଦ୍ରୁତ ହାରରେ ଧରଣୀ ବକ୍ଷରେ ସେ ସାଂସ୍କୃତିକ ବିବର୍ତ୍ତନ ଘଟାଇ ପାରୁଛି । ଆଧୁନିକ ଯୁଗରେ ବିଜ୍ଞାନ ଓ ଟେକ୍ନୋଲଜି ମାନବୀୟ ସଂସ୍କୃତିର ଏକ ମୁଖ୍ୟ ବିଭାବ ରୂପେ ମନୁଷ୍ୟର ସାମାଜିକ ଜୀବନକୁ ପ୍ରଭାବିତ କରୁଛି ଏବଂ ଏଥିପାଇଁ ସମାଜର ଢାଞ୍ଚା ଦ୍ରୁତ ପରିବର୍ତ୍ତନଶୀଳ ରୂପ ଧାରଣ କରୁଛି । ସାଂପ୍ରତିକ କାଳରେ ଆଣବିକ ଜୀବବିଜ୍ଞାନ ଓ ତଦାଶ୍ରୟୀ ଅନୁବଂଶିକ ଅଭିଯାନ୍ତ୍ରିକୀ (genetic engineering), କମ୍ପ୍ୟୁଟର, ନବଉଦ୍ଭାବିତ ତଥା ବିଚକ୍ଷଣ ଭାବେ କର୍ମନିପୁଣ ମାଇକ୍ରୋ-ଚିପ୍‍ଗୁଡ଼ିକର ସୁଦୂରପ୍ରସାରୀ ବହୁମୁଖୀ ଉପଯୋଗ; ଜୈବ ପ୍ରଯୁକ୍ତିବିଦ୍ୟା (Biotechnology)ର କରାମତି ଯୋଗୁ ମାନବୀୟ ସମାଜର ରୂପ କ୍ରାନ୍ତିକାରୀ ମାର୍ଗରେ ବଦଳିଯିବାର ସମ୍ଭାବନା ଉଜ୍ଜ୍ୱଳମୟ ହେଲାଣି । ଏପରି ପରିବର୍ତ୍ତନଗୁଡ଼ିକ ସହିତ ଖାପ୍ ଖୁଆଇ ନିଜକୁ ଚଳାଇ ନେବାପାଇଁ ସଜବାଜ ନ ହେଲେ, ଆମେ ଭବିଷ୍ୟତରେ ମୁକାବିଲା କରିବା କିପରି ? ସାଂସ୍କୃତିକ ବିବର୍ତ୍ତନ ସହ ତାଳ ମିଳାଇ ନିଜକୁ ଚଳାଇ ନ ପାରିବାଦ୍ୱାରା ଆନ୍ତଃରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ଆମ ସ୍ଥାନ ଓ ଭୂମିକା ଅତି ନଗଣ୍ୟ ହୋଇଯିବ ନାହିଁ କି ?

 

ଆମେ ବୁଝିବା ଉଚିତ ଯେ, ଆମ ଦେଶର ଗାଁଗହଳର ତଥା ସହର ତଳି ଅଞ୍ଚଳର ଜନସାଧାରଣ ବେକାର ବା ଅର୍ଦ୍ଧବେକାର ଭାବରେ ଦୁଃଖ-ଶୋକଭରା ଜୀବନ ବିତାଉଥିଲେ ମଧ୍ୟ ସେମାନଙ୍କ ଇନ୍ନୋଭେସନ୍ ପ୍ରବଣତା ଓ କର୍ମକୁଶଳତା ପୃଥିବୀର ଯେ କୌଣସି ଶିଳ୍ପୋନ୍ନତ ରାଷ୍ଟ୍ରର ଜନସାଧାରଣଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ । ସବୁଜ ବିପ୍ଳବର ସଂଘଟନ କାଳରେ ଆମ ଦେଶର କୃଷକମାନେ ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି । ଗୋଟିଏ ଅଭିନବ ଧରଣର କୃଷି ପ୍ରଣାଳୀକୁ ଆଦରି ନେଇ ତଥା ତାହାକୁ ଆପଣାର କରାଇ ସେମାନେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଯେଉଁପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ବିଦେଶୀ ବିଶେଷଜ୍ଞମାନଙ୍କୁ ବିସ୍ମିତ କରିଛି । ଏହି ପରିପ୍ରେକ୍ଷୀରେ ବିଚାର କରିବାଦ୍ୱାରା ଜଣାପଡ଼ୁଛି ଯେ, ଉପଯୁକ୍ତ ନେତୃତ୍ୱ ଓ ପ୍ରଶାସନିକ ବ୍ୟବସ୍ଥାର ପ୍ରବର୍ତ୍ତନ ଫଳରେ ଆମ ଗାଁ ଗହଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷିଭିତ୍ତିକ ଶିଳ୍ପ, ପରିବେଶ ଓ ପରିସଂସ୍ଥାର ରକ୍ଷଣାବେକ୍ଷଣ ପ୍ରଭୃତି କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗିତାରେ ନୂଆ ନୂଆ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଯାଇପାରିବ । ସେମାନଙ୍କ ନିକଟରେ ବିଜ୍ଞାନର ବାର୍ତ୍ତା ପହଞ୍ଚାଇ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଚାହିଦା ଅନୁଯାୟୀ ଅଭିନବ ସରଳ, ଜଟିଳ ତଥା ଅତ୍ୟାଧୁନିକ ଟେକ୍ନୋଲଜିଗୁଡ଼ିକ ସହିତ ପରିଚିତ କରାଇବାକୁ ହେବ । ଆବଶ୍ୟକ ସ୍ଥଳେ ଉତ୍ପାଦନ-ପ୍ରକ୍ରିୟାକୁ ଆହୁରି କାର୍ଯ୍ୟକ୍ଷମ କରାଇବାପାଇଁ ମାଇକ୍ରୋ-ଇଲେକ୍ଟ୍ରୋନିକସ ଓ ମାଇକ୍ରୋ-କମ୍ପ୍ୟୁଟର୍‍ ଗୁଡ଼ିକୁ ମଧ୍ୟ ବ୍ୟବହାର କରାଯାଇପାରିବ । ସଂପ୍ରତି ଆମ ଦେଶରେ ଏପରି ଚିନ୍ତାଧାରାର ପାଇଁ ପ୍ରାରମ୍ଭିକ ଉଦ୍ୟମ ଚାଲିଥିବା ବେଳେ ଘଟାଇବା କେତେକ ବୁଦ୍ଧିଜୀବୀ ସଂଶୟ ଆରୋପ କରୁଛନ୍ତି ଯେ, ନୂଆ ନୂଆ ଯନ୍ତ୍ର କୌଶଳଗୁଡ଼ିକ ଜରିଆରେ ଆମ ଦେଶର ସମସ୍ୟାଗୁଡ଼ିକୁ ସମାଧାନ କରିବାର ଉଦ୍ୟମ କେବେହେଲେ ସମ୍ଭବ ବା ସଫଳ ହେବ କି ? ଆମେ ବୁଝିବାର କଥା ଯେ, ଏହା ଯଦି ସଫଳ ବା ସମ୍ଭବ ହେବାର ଅବକାଶ ନଥାଏ, ତାହାହେଲେ ଅନ୍ୟମାନେ ନିଜସ୍ୱ ବିଜ୍ଞାନାଶ୍ରୟୀ ପନ୍ଥା ଅବଲମ୍ୱନରେ ଜାତୀୟ ପ୍ରଗତିର ହାରକୁ ତ୍ୱରାନ୍ୱିତ କରାଉଥିବା ବେଳେ ଆମେ କ’ଣ ପାରମ୍ପରିକ ରୀତିକୁ କୋଳାଗ୍ରତ କରି ଭୋକ ଉପାସରେ ଜୀବନ ବିତାଇବା ? ସାମ୍ରାଜ୍ୟବାଦୀ ଶାସନ କାଳରେ ଆମେ ଯେପରି ହୀନମଣ୍ୟଭାବ ପୋଷଣ କରିଥିଲୁ ଏବଂ ପରମୁଖାପେକ୍ଷୀ ଜୀବନ ବିତାଇଥିଲୁ ସ୍ୱାଧୀନତା ପ୍ରାପ୍ତିର ୩୬ ବର୍ଷ ପରେ ମଧ୍ୟ ଆମ ମନରୁ ତଦନୁରୂପ ଭାବ ଅପସାରିତ ହୋଇ ନ ଥିବାର ଏହା ଏକ ନିଦର୍ଶନ । ଏଣୁ, ଜନସାଧାରଣଙ୍କ ମଧ୍ୟରେ ସେଚତନା ସୃଷ୍ଟି କରି ସେମାନଙ୍କୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ ସହିତ ଜଡ଼ିତ କରାଇବା ହିଁ ଆମ ପକ୍ଷରେ ଏକମାତ୍ର ପ୍ରକୃଷ୍ଟ ପନ୍ଥା । ଏତ୍‍ଦ୍ୱାରା ଆମେ ଓ ଆମ ଦାୟାଦମାନେ ଗଭୀର ଆତ୍ମପ୍ରତ୍ୟୟ ସହକାରେ ଏକବିଂଶ ଶତାବ୍ଦୀରେ ପଦାର୍ପଣ କରିପାରିବା ଏବଂ ଆଗାମୀ ଯୁଗର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆଗରୁ ସଜବାଜ ହୋଇପାରିବା । ଭବିଷ୍ୟତ୍‍ର ଧକ୍କା ଆମ୍ଭମାନଙ୍କୁ କୌଣସିମତେ ମ୍ରିୟମାଣ ବା ବିପର୍ଯ୍ୟସ୍ତ କରିବାର ଅବକାଶ ରହିବ ନାହିଁ ।

Image

 

ଭୌତିକରୁ ଅଧିଭୌତିକ

[PHYSICS TO METAPHYSICS]

 

ବିଜ୍ଞାନ, ଧର୍ମ ଓ ଦର୍ଶନ-ବିଚାରବୋଧସମ୍ପନ୍ନ କୌତୂହଳୀ ମନୁଷ୍ୟ ଜ୍ଞାନାର୍ଜନପାଇଁ ଏପରି ତ୍ରିବିଧ ମାର୍ଗ ଅନୁସରଣ କରୁଛି । ଏହି ପ୍ରବନ୍ଧ ମାଧ୍ୟମରେ ସୂଚାଇଦେବାର ପ୍ରୟାସ କରାଯାଇଛି ଯେ, ବାସ୍ତବତାର ରୂପ ବହୁବିଧ ହୋଇ ନ ପାରେ; ଏହା ନିଶ୍ଚିତ ଭାବରେ ଏକକ ରୂପ ଓ ଗୁଣସମ୍ପନ୍ନ । କେବଳ ଗୋଟିଏ ପ୍ରକାର ଜ୍ଞାନ ଅବଲମ୍ୱନରେ ବାସ୍ତବତା ସମ୍ପର୍କୀୟ ବୋଧଗମ୍ୟ ତଥା ସଠିକ ଜ୍ଞାନ ମିଳିପାରେ । ଏଣୁ, ଉଲ୍ଲିଖିତ ଏକାଧିକ ମାର୍ଗରେ ଜ୍ଞାନାର୍ଜନ ପଦ୍ଧତିକୁ ଶ୍ରେଣୀଭୁକ୍ତ କରାଯିବାଦ୍ୱାରା ପ୍ରତ୍ୟେକ ମାର୍ଗର ଅନୁସରଣକାରୀମାନେ ବାସ୍ତବତାର ଗୋଟିଏ ସ୍ୱତନ୍ତ୍ର ରୂପ ସମ୍ପର୍କରେ ଅବଧାରିତ ହେବାର ଅବକାଶ ନାହିଁ । ଯଦି ଏପରି ଘଟୁଥାଆନ୍ତା; ତାହହେଲେ ଆମେ ଜାଣିପାରନ୍ତୁ ଯେ, ମନୁଷ୍ୟର ସକଳ ବୌଦ୍ଧିକ ଉଦ୍ୟମ ଅର୍ଥହୀନ ହେଉଛି । ଏକକ ସତ୍ୟର ସନ୍ଧାନପାଇଁ ମନୁଷ୍ୟ ଯେଉଁ ଏକାଧିକ ସ୍ୱତନ୍ତ୍ର ପଦ୍ଧତିର ଅନୁଗାମୀ ହୋଇଛି, ତନ୍ମଧ୍ୟରେ ନିଶ୍ଚିତ ଭାବରେ ଅର୍ଥସୂଚକ ଯୋଗସୂତ୍ର ପ୍ରତିଷ୍ଠା କରାଯିବାର ଅବକାଶ ରହିଛି । ସତ୍ୟ ସନ୍ଧାନୀ ମନୁଷ୍ୟ ବାସ୍ତବତାରୂପୀ ସତ୍ୟ ସମ୍ପର୍କରେ ଅବଧାରିତ ହେବାପାଇଁ ନିଜ ସୃଷ୍ଟିଶୀଳ ପ୍ରତିଭାର ସଦୁପଯୋଗ କରୁଛି । ଏହା ହିଁ ତାହାର ସର୍ବବିଧ ବୌଦ୍ଧିକତାର ଉତ୍ସ । ଗୋଟିଏ ସତ୍ୟରେ ଉପନୀତ ହେବାପାଇଁ ସେ ଯେପରି ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ୱନରେ ମାନସ ମନ୍ଥନ ଚଳାଇଛି ଓ ଅଭିକ୍ରିୟା ସମ୍ପାଦନ କରୁଛି, ତନ୍ମଧ୍ୟରେ ନିଶ୍ଚିତଭାବରେ ଏକ ଅର୍ଥସୂଚକ ଯୋଗସୂତ୍ର ସଂସ୍ଥାପିତ ହୋଇଛି । ଏଣୁ ବିଜ୍ଞାନ, ଧର୍ମ ଓ ଦର୍ଶନ ମଧ୍ୟରେ ଏକ ସାଧାରଣ ପୃଷ୍ଠଭୂମି ଅନ୍ୱେଷଣ କରିବା ହିଁ ଏ ପ୍ରବନ୍ଧ ଆଭିମୁଖ୍ୟ ।

 

ଜ୍ଞାନ ଜଗତରେ ସଂପ୍ରତି ବିଜ୍ଞାନ ପ୍ରତି ଏକଦିଶୀ ଗୁରୁତ୍ୱ ଆରୋପ କରାଯାଉଛି । ବୈଜ୍ଞାନିକମାନେ ଏହାକୁ ଜ୍ଞାନାର୍ଜନର ଏକମାତ୍ର ନିର୍ଭରଯୋଗ୍ୟ ପନ୍ଥା ରୂପେ ଚିତ୍ରଣ କରୁଛନ୍ତି । ପଦାର୍ଥବିଜ୍ଞାନୀମାନେ କେବଳ ଭୌତିକ ବିଜ୍ଞାନକୁ (physical sciences) ‘ହାର୍ଡ଼ ସାଇନ୍ସ’ ରୂପେ ବିଚାର କରିବା ସଙ୍ଗେ ସଙ୍ଗେ ସାମାଜିକ ବିଜ୍ଞାନ ଅନ୍ତର୍ଭୁକ୍ତ ମନସ୍ତତ୍ତ୍ୱ ଓ ନୃତତ୍ତ୍ୱ ପ୍ରଭୃତି ବିଷୟଗୁଡ଼ିକୁ ‘ସଫ୍‍ଟ ସାଇନ୍ସ’ ରୂପେ ହେୟଜ୍ଞାନ କରୁଛନ୍ତି । ସମାଜ ବିଜ୍ଞାନ ଓ ମନସ୍ତତ୍ତ୍ୱ କ୍ଷେତ୍ରରେ ଯେଉଁ ଗବେଷଣାଲବ୍ଧ ଫଳ ମିଳୁଛି, ସେଥିରେ ଯେପରି କିଛି ଗୁରୁତର ତ୍ରୁଟି ରହିଯାଉଛି । ‘ଟାଓ ଅଫ୍ ଫିଜିକ୍ସ’ ଓ ‘ଦି ଟର୍ନିଙ୍ଗ ପଏଣ୍ଟ୍’ ଶୀର୍ଷକ ବହୁଶାସ୍ତ୍ରାଶ୍ରୟୀ ଭାବୋଦ୍ଦୀପକ ପୁସ୍ତକଗୁଡ଼ିକର ରଚୟିତା ଫ୍ରିଜ୍ ଅଫ୍ କାପ୍ରାଙ୍କ ଭଳି କେତେକ ମୁଷ୍ଟିମେୟ ବୁଦ୍ଧିଜୀବୀ ଭୌତିକ ବିଜ୍ଞାନ ଓ ଅଧିଭୌତିକ ବିଜ୍ଞାନ ମଧ୍ୟରେ ଗୋଟିଏ ଅର୍ଥସୂଚକ ଯୋଗସୂତ୍ର ପ୍ରତିଷ୍ଠା କରିବାକୁ ପ୍ରୟାସ ହୋଇଛନ୍ତି; ମାତ୍ର ସେମାନଙ୍କ ବୌଦ୍ଧିକ ଉଦ୍ୟମର ତାତ୍ପର୍ଯ୍ୟ ଜନମାସକୁ ପ୍ରଭାବିତ କରୁନାହିଁ । ଜ୍ଞାନ ଜଗତର ଉଭୟବିଧ ବିଭାଗ ମଧ୍ୟରେ ସେମାନେ ଗୋଟିଏ ରଜ୍ଜୁ ସାହାଯ୍ୟରେ ଯେଉଁ ପୋଲଟିକୁ ନିର୍ମାଣ କରିବାକୁ ଯତ୍ନବାନ୍ ହୋଇଛନ୍ତି, ତାହା ଅତି ଦୁର୍ବଳ ହୋଇଛି । ଏହି ରଜ୍ଜୁଟିକୁ ମଜ୍‍ବୁତ୍ କରିବାଦ୍ୱାରା ହିଁ ମନୁଷ୍ୟ ଭୌତିକ ବିଜ୍ଞାନ ଓ ଅଧିଭୌତିକ ବିଜ୍ଞାନ ମଧ୍ୟରେ ଥିବା ନିବିଡ଼ ଯୋଗସୂତ୍ର ସମ୍ପର୍କରେ ସଚେତନ ହୋଇପାରିବ ।

 

ଆମେ ବୈଜ୍ଞାନିକ ଗବେଷଣାଲବ୍ଧ ଜ୍ଞାନ ତଥା ବୈଜ୍ଞାନିକ ପଦ୍ଧତିର ବୈଶିଷ୍ଟ୍ୟ ସମ୍ପର୍କରେ ବିଚାର ଚଳାଇବାଦ୍ୱାରା ଆଲୋଚ୍ୟ ସମସ୍ୟାର ଉତ୍ସଟିକୁ ଠାବ କରିପାରିବା ।

 

ବିଜ୍ଞାନର ଚାରିତ୍ରିକ ବୈଶିଷ୍ଟ୍ୟ ହେଉଛି :—

 

(କ)

ପର୍ଯ୍ୟବେକ୍ଷକଙ୍କ ନିର୍ବ୍ୟକ୍ତିକତା ତଥା ବସ୍ତୁନିଷ୍ଠତା, କାହାପ୍ରତି ଶ୍ରଦ୍ଧା ବା ଅସୂୟା, ପୋଷଣ କରିବା ଭଳି ମନୋଭାବକୁ ପ୍ରତ୍ୟାଖ୍ୟାନ କରିବାର ସଂକଳ୍ପବଦ୍ଧତା ।

 

 

(ଖ)

ଦୃଶ୍ୟଟିକୁ ମାପି ପାରିବାର ପାରଙ୍ଗମତା ।

 

 

(ଗ)

ଅଭିକ୍ରିୟାଗୁଡ଼ିକର ପୁନରାବୃତ୍ତି ।

 

 

(ଘ)

ପ୍ରତିଷ୍ଠିତ ପ୍ରକଳ୍ପଟିର ଯୁକ୍ତିଯୁକ୍ତତା, ଅନ୍ୟମାନେ ପ୍ରକଳ୍ପଟିକୁ ପ୍ରମାଣ ବା ପ୍ରତିଷ୍ଠା କରିପାରିବାର ସମ୍ଭାବ୍ୟତା ତଥା ସତ୍ୟତା ପ୍ରତିପାଦନପାଇଁ ଆବିଷ୍କର୍ତ୍ତାଙ୍କ ଦ୍ୱାରା ଘୋଷିତ ପ୍ରାକ୍‍ସୂଚନାଗୁଡ଼ିକ ଜରିଆରେ ତାହାକୁ ମିଥ୍ୟା ପ୍ରମାଣିତ କରାଇବାର ଯତ୍ନଶୀଳତା ।

 

ଆମେ ବର୍ତ୍ତମାନ ବିଚାର କରିବା ଯେ, ବିଜ୍ଞାନର ଏହି ଚାରିତ୍ରିକ ବୈଶିଷ୍ଟ୍ୟଗୁଡ଼ିକୁ କ’ଣ ବୈଜ୍ଞାନିକମାନେ ଏକାନ୍ତ ବିଶ୍ୱସ୍ତଭାବରେ ଅନୁସରଣ କରନ୍ତି ? ଚରମ ବସ୍ତୁନିଷ୍ଠତା ଆଚରଣ କରିବା କ’ଣ ମନୁଷ୍ୟ ପକ୍ଷରେ ସଂଭବ ହୋଇପାରେ ? ବିଜ୍ଞାନର କେତେକ ବିଭାଗରେ ଏପରି ଆବିଷ୍କାର ସଂଘଟିତ ହେଉଛି ଯେ, ସେଗୁଡ଼ିକର ପୁନରାବୃତ୍ତି ଆଦୌ ସଂଭବ ନୁହେଁ; ଯଥା: ଜ୍ୟୋତିର୍ବିଜ୍ଞାନ ଓ ସ୍ଥାପତ୍ୟ ବିଦ୍ୟା । ଆମେ ପୃଥିବୀର ବୟସ କିପରି ଭାବରେ ନିର୍ଦ୍ଧାରଣ କରିବା ? ଜ୍ୟୋତିଃପଦାର୍ଥବିଜ୍ଞାନୀମାନଙ୍କ ମତାନୁଯାୟୀ ଏକ ବିରାଟ ବିସ୍ଫୋରଣ (big bang) ଘଟିବା ଫଳରେ ଏ ବିସ୍ତାରପ୍ରବଣ ବିଶ୍ୱର ସର୍ଜନା ସଂଭବ ହୋଇଛି । ମାତ୍ର ଏହି ବିସ୍ଫୋରଣର ପୁନରାବୃତ୍ତି ସଂଭବ କି ?

 

ବିଜ୍ଞାନ ବ୍ୟତୀତ ଆମେ ଆଉ କେତେକ ଉପାୟରେ ଜ୍ଞାନ ଅର୍ଜନ କରୁ । ଏ ପ୍ରକାର ଜ୍ଞାନକୁ ତିନି ଭାବରେ ବିଭକ୍ତ କରାଯାଇପାରେ; ଯଥା :— (୧) ବ୍ୟକ୍ତିଗତ ଭୌତିକ (physical) ଜ୍ଞାନ, (୨) ବ୍ୟକ୍ତିଗତ ଭାବାବେଗ ପର୍ଯ୍ୟବେସିତ (emotional) ଜ୍ଞାନ ଓ (୩) ବ୍ୟକ୍ତିଗତ ଅବବୋଧ ଭିତ୍ତିକ (intuitional) ଜ୍ଞାନ ।

 

ଉପର୍ଯ୍ୟୁକ୍ତ ଅଭିଜ୍ଞତା ବଳରେ ଆମେ ଯେଉଁପ୍ରକାର ଜ୍ଞାନ ଅର୍ଜନ କରୁ ଏବଂ ଯାହା ଆମକୁ ବାସ୍ତବ ଜଣାପଡ଼େ, ତାହାକୁ ବ୍ୟକ୍ତିନିଷ୍ଠ (subjective) ଜ୍ଞାନ ଭାବରେ ବିଚାର କରାଯାଏ । ଏପରି ଜ୍ଞାନର ପୁନରାବୃତ୍ତି ସମ୍ଭବ ହେଉ ନ ଥିବାରୁ ଏହାର ନିର୍ଭରଯୋଗ୍ୟତା ତଥା ସତ୍ୟତା ପ୍ରତି ସଂଶୟ ଆରୋପ କରାଯାଏ । ଜଣେ କେହି ବାହାରୁ ମତେ ଯେତେ ନିବିଡ଼ ଭାବରେ ଦେଖିଲେ ମଧ୍ୟ ମୁଁ କ’ଣ ଚିନ୍ତା କରୁଛି ବା କ’ଣ ଜାଣିଛି, ତତ୍‍ସମ୍ପର୍କୀୟ କୌଣସି ସୂଚନା ପାଇପାରିବେ ନାହିଁ । ବାହ୍ୟ ଜଗତ ସମ୍ୱନ୍ଧରେ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ଯେଉଁପ୍ରକାର ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ ନିଆଯାଏ, ବ୍ୟକ୍ତିନିଷ୍ଠ ପର୍ଯ୍ୟବେକ୍ଷଣ ତଦନୁରୂପ ମାପଚୁପ ନିର୍ଭରଶୀଳ ତଥା ପୁନଃ ପୁନଃ ସତ୍ୟାପନକ୍ଷମ ହୁଏ ନାହିଁ । ଏଣୁ ଆମେ ବୁଝିପାରୁଛୁ ଯେ, ବସ୍ତୁନିଷ୍ଠତା ଓ ବ୍ୟକ୍ତିନିଷ୍ଠତା ମଧ୍ୟରେ ଗୁଣାତ୍ମକ ଦୃଷ୍ଟିରୁ ଏ ଯେଉଁ ପ୍ରଭେଦ ରହିଛି, ତାହାହିଁ ଜ୍ଞାନର ଶ୍ରେଣୀ ବିଭାଗପାଇଁ ପୃଷ୍ଠଭୂମି ଯୋଗାଇ ଦେଇଛି । ଏହି ପ୍ରଭେଦ ହିଁ ମାନବୀୟ ସଂସ୍କୃତିର ସର୍ବବିଧ ବିଭାବରେ ଏକ ଦ୍ୱୈତ ପ୍ରକ୍ରିୟା ସୃଷ୍ଟି କରିଛି । ସଙ୍ଗୀତ ଓ କଳାକ୍ଷେତ୍ରରେ ‘କ୍ଲାସିକାଲ’ ଓ ‘ରୋମାଣ୍ଟିକ’ ବିଚାରଧାରା, ବସ୍ତୁର ବାହ୍ୟ ରୂପ ଓ ତାହାର ଅନ୍ତର୍ନିହିତ ବିନ୍ୟାସକୁ କେନ୍ଦ୍ର କରି ଉପୁଜିଥିବା ଦ୍ୱନ୍ଦ୍ୱାମ୍ଭକ ପରିସ୍ଥିତି, ବିଜ୍ଞାନ ଓ ଅଧିବିଜ୍ଞାନ ମଧ୍ୟରେ ଗୁଣାତ୍ମକ ପ୍ରଭେଦ ପ୍ରଭୃତି ସର୍ବବିଧ ଦ୍ୱୈତ ବିଚାରଧାରାର ପ୍ରାଥମିକ ଉତ୍ସ ରୂପେ ବ୍ୟକ୍ତିନିଷ୍ଠତା ଓ ବସ୍ତୁନିଷ୍ଠତା ହିଁ ମନୁଷ୍ୟର ପରିବର୍ତ୍ତନଶୀଳ ସଂସ୍କୃତିକୁ ରୂପାୟିତ କରିଛି ।

 

ଭୌତିକ ବିଜ୍ଞାନ ପରିସରଭୁକ୍ତ ପଦାର୍ଥ ବିଜ୍ଞାନ ଓ ରସାୟନ ଶାସ୍ତ୍ର ବସ୍ତୁନିଷ୍ଠ ହୋଇଥିବା ସ୍ଥଳେ ଅଧିଭୌତିକ ବିଜ୍ଞାନ ବ୍ୟକ୍ତିନିଷ୍ଠ ରୂପ ଧାରଣ କରିଛି । ଯଦି ଏହି ପ୍ରତୀୟମାନ ପ୍ରଭେଦ ବାସ୍ତବ ହୋଇଥାଏ, ତାହାହେଲେ ଉଭୟବିଧ ଜ୍ଞାନ ମଧ୍ୟରେ ଥିବା ବ୍ୟବଧାନକୁ ବିଲୁପ୍ତ କରାଇବା ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରେ ଅର୍ଥସୂଚକ ଯୋଗସୂତ୍ର ପ୍ରତିଷ୍ଠା କରିବାପାଇଁ ଉଦ୍ୟମୀ ହେବା ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିଙ୍କର ପରମ କର୍ତ୍ତବ୍ୟ । ଆମେ ନିଶ୍ଚିତ ଭାବରେ ବୁଝିପାରୁଛୁ ଯେ, ବ୍ୟକ୍ତିନିଷ୍ଠତା ଓ ବସ୍ତୁନିଷ୍ଠତା ଉଭୟେ ମନୁଷ୍ୟ କେନ୍ଦ୍ରିକ ହୋଇଛି । ପ୍ରକୃତି ବସ୍ତୁନିଷ୍ଠ ବା ବ୍ୟକ୍ତିନିଷ୍ଠ ଏପରି କୌଣସି ଦୁଇଭାଗରେ ବିଭାଜିତ ହେବାର ଅବକାଶ ନାହିଁ । କେବଳ ମନୁଷ୍ୟ ରୂପୀ ପର୍ଯ୍ୟବେକ୍ଷକକୁ କେନ୍ଦ୍ର କରି ଏପରି ଦୁଇଟି ଭିନ୍ନ ଭିନ୍ନ ଆଭିମୁଖ୍ୟର ସର୍ଜନା ସମ୍ଭବ ହୋଇଛି । ଜ୍ଞାନଲିପ୍‍ସୁ ମନୁଷ୍ୟ ଜ୍ଞାନାର୍ଜନ ଉଦ୍ଦେଶ୍ୟରେ ଦ୍ୱିବିଧ କର୍ମାଭିମୁଖ୍ୟର ଅନୁଗାମୀ ହେବା ଫଳରେ ଜ୍ଞାନ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ ହୋଇଛି । ଆମେ ଯଦି ଅର୍ଜିତ ଜ୍ଞାନ ସମ୍ୱନ୍ଧରେ ଅନୁସନ୍ଧାନ ଚଳାଇବା ଏବଂ କିପରିଭାବରେ ଏହି ଜ୍ଞାନ ଅର୍ଜନ କରିବା ସମ୍ଭବ ହୋଇଛି, ତତ୍‍ସମ୍ପର୍କୀୟ ସ୍ପଷ୍ଟୀକରଣ ପାଇବାପାଇଁ ଆଗ୍ରହୀ ହେବା, ତାହାହେଲେ ବସ୍ତୁନିଷ୍ଠତା ଓ ବ୍ୟକ୍ତିନିଷ୍ଠତାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ସମସ୍ୟାର ତାତ୍ପର୍ଯ୍ୟ ସମ୍ପର୍କରେ ଉପଲବ୍ଧ ହୋଇପାରିବା ।

 

ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଅନୁଭୂତିକୁ କେନ୍ଦ୍ର କରି ଜ୍ଞାନ ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷ ଅନୁଭୂତି ଦ୍ୱିବିଧ; ଯଥା—ବସ୍ତୁନିଷ୍ଠ ଓ ବ୍ୟକ୍ତିନିଷ୍ଠ । ଆମେ ଇନ୍ଦ୍ରିୟଗୁଡ଼ିକ ସାହାଯ୍ୟରେ ବସ୍ତୁନିଷ୍ଠ ପ୍ରତ୍ୟକ୍ଷ ଅଭିଜ୍ଞତା ଅର୍ଜନ କରୁ । ବୈଜ୍ଞାନିକ ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ଏପରି ଅଭିଜ୍ଞତାର ପରିସରକୁ ଆବର୍ଦ୍ଧିତ କରିବା ସମ୍ଭବ ହୁଏ । ନିଜ ଚିନ୍ତା, ଚେତନା ଓ ଅବବୋଧକୁ ଆଶ୍ରୟ କରି ମନୁଷ୍ୟ ଯେଉଁପ୍ରକାର ଉପଲବ୍ଧି ପାଇପାରେ, ତାହା ପ୍ରତ୍ୟକ୍ଷ ବ୍ୟକ୍ତିନିଷ୍ଠ ଅନୁଭୂତିଯୋଗୁଁ ସମ୍ଭବ ହୁଏ । ଶେଷୋକ୍ତ ଉପଲବ୍‍ଧିକୁ ଯଦି ଜଣେ ନିଜ ବୋଧଗମ୍ୟତା ଓ ପ୍ରଜ୍ଞାର ଅଙ୍ଗୀଭୂତ କରିପାରେ, ତାହାହେଲେ ସେ ଜ୍ଞାନ ଅର୍ଜନ କରିବାକୁ ସମର୍ଥ ହୁଏ । ଯଦି ଅର୍ଜିତ ବ୍ୟକ୍ତିନିଷ୍ଠ ପ୍ରତ୍ୟକ୍ଷ ଅନୁଭୂତିର ଅର୍ଥସୂଚକ ଆତ୍ମୀକରଣ ସମ୍ଭବ ନହୁଏ, ତାହାହେଲେ ଏବଂବିଧ ଉପଲବ୍ଧି ସଂପୃକ୍ତ ବ୍ୟକ୍ତିଙ୍କୁ କୌଣସି ଜ୍ଞାନ ଯୋଗାଇପାରେ ନାହିଁ । ଅନ୍ୟ କାହାର ପ୍ରତ୍ୟକ୍ଷ ବ୍ୟକ୍ତିନିଷ୍ଠ ଉପଲବ୍ଧି ସମ୍ୱନ୍ଧରେ ଅବଗତ ହୋଇ ତଦନୁବର୍ତ୍ତୀ ଜ୍ଞାନ ଅର୍ଜନ କରିବାକୁ ହିଁ ଅପ୍ରତ୍ୟକ୍ଷ ବ୍ୟକ୍ତିନିଷ୍ଠ ଅନୁଭୂତି କୁହାଯାଏ ।

 

ଏପରି ପ୍ରତ୍ୟକ୍ଷ ତଥା ଅପ୍ରତ୍ୟକ୍ଷ ଅନୁଭୂତି ବଳରେ ମନୁଷ୍ୟ ନିଜ ଜ୍ଞାନ ଭଣ୍ଡାରକୁ ପରିପୁଷ୍ଟ କରୁଛି । ଜ୍ଞାନର ବିସ୍ଫୋରଣ ବିଂଶ ଶତାବ୍ଦୀରେ ଏପରି ତ୍ୱରାନ୍ୱିତ ଭାବରେ ସମାହିତ ହେଉଛି ଯେ, ଜଣେ କେହି ଜ୍ଞାନଲିପ୍ସୁ ବ୍ୟକ୍ତି ଜ୍ଞାନଜଗତର ସକଳ ବିଭାବ ସମ୍ପର୍କରେ ସାଧାରଣ ଜ୍ଞାନ ଅର୍ଜନ କରିବା ସମ୍ଭବ ହେଉନାହିଁ । ଏଣୁ ମନୁଷ୍ୟ କୌଣସି ଗୋଟିଏ ବିଶେଷ ବିଦ୍ୟାରେ ବିଶେଷଜ୍ଞ ସାଜିବାକୁ ଶ୍ରେୟସ୍କର ମଣୁଛି । ମାତ୍ର ଏଠାରେ ତାତ୍ପର୍ଯ୍ୟର ବିଷୟ ହେଉଛି ଯେ, ଆମେ ଜ୍ଞାନଜଗତର ଅନ୍ୟ ବିଭାଗଗୁଡ଼ିକ ଭଳି ବିଜ୍ଞାନ ସମ୍ୱନ୍ଧରେ ଉଭୟ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଅନୁଭୂତି ବଳରେ ଜ୍ଞାନ ଅର୍ଜନ କରୁଛୁ । ଆମେ ସମସ୍ତେ ଜାଣିଛୁ ଯେ, ପୃଥିବୀ ଗୋଲାକାର । ମାତ୍ର ଆମ୍ଭମାନଙ୍କ ମଧ୍ୟରୁ କେତେଜଣ ଏ ବିଷୟରେ ପ୍ରତ୍ୟକ୍ଷ ବସ୍ତୁନିଷ୍ଠ ଅନୁଭୂତିସିଦ୍ଧ ଜ୍ଞାନ ଅର୍ଜନ କରିଛନ୍ତି ? ଏଇମାତ୍ର ଅଳ୍ପ କିଛିବର୍ଷ ପୂର୍ବରୁ ମହାକାଶଚାରୀମାନେ ଭୂପୃଷ୍ଠଠାରୁ ଊର୍ଦ୍ଧ୍ୱରେ ଥାଇ ପୃଥିବୀର ଫଟୋଗ୍ରାଫ୍ ଉତ୍ତୋଳନ କରିବା ଫଳରେ ତଥା ଏହି ଫଟୋଗ୍ରାଫ୍ ପତ୍ରପତ୍ରିକାମାନଙ୍କରେ ପ୍ରକାଶିତ ହେବା ଫଳରେ ଏ ସମ୍ପର୍କୀୟ ପ୍ରାମାଣିକ ତଥ୍ୟ ଆମର ଦୃଷ୍ଟିଗୋଚର ହୋଇଛି । ପୃଥିବୀ ସୂର୍ଯ୍ୟ ଚତୁର୍ଦ୍ଦିଗରେ ପ୍ରଦକ୍ଷିଣ କରୁଛି । ଅପ୍ରତ୍ୟକ୍ଷ ଭାବରେ ଆମେ ଏପରି ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ ଏହି ସିଦ୍ଧାନ୍ତଟିକୁ ବିଶ୍ୱାସ କରୁଛୁ । ଏ ପୃଥିବୀରେ ଯାହାକିଛି ଘଟିଯାଉଛି ତତ୍‍ସମ୍ପର୍କୀୟ ଆମେ ଯେଉଁ ଜ୍ଞାନ ଅର୍ଜନ କରୁଛୁ, ସେଥିମଧ୍ୟରୁ ବିପୁଳାଂଶ କେବଳ ଆମେ ଅପ୍ରତ୍ୟକ୍ଷ ଅନୁଭୂତି ବଳରେ ହିଁ ହାସଲ କରିପାରିଛୁ ।

 

ବିଜ୍ଞାନ ବସ୍ତୁନିଷ୍ଟ ପ୍ରତ୍ୟକ୍ଷ ଅନୁଭୂତି ନିର୍ଭରଶୀଳ ହୋଇଛି । ପ୍ରେମ, ସୌନ୍ଦର୍ଯ୍ୟ ଓ ଅତୀନ୍ଦ୍ରିୟ ଅନୁଭୂତି (Extrasensory perception) ଭଳି ବ୍ୟକ୍ତିନିଷ୍ଠ ପ୍ରତ୍ୟକ୍ଷ ଅନୁଭୂତିକୁ ଏହାର ଅନ୍ତର୍ଭୁକ୍ତ କରାଯିବା ସଂଭବ ହୋଇନାହିଁ । ଅପ୍ରତ୍ୟକ୍ଷ ଭାବରେ ମିଳୁଥିବା ତଥା ପୁନଃପୁନଃ ସତ୍ୟାପିତ ହୋଇ ପାରୁଥିବା ଜ୍ଞାନକୁ ବିଜ୍ଞାନର ଅନ୍ତର୍ଭୁକ୍ତ କରାଯିବା ଦିଗରେ କୌଣସି ପ୍ରତିବନ୍ଧକ ନାହିଁ; ମାତ୍ର ପୁନଃ ସତ୍ୟାପିତ ହେବାର ଅବକାଶ ନଥିବା ବିଶେଷ ଜ୍ଞାନକୁ ବିଜ୍ଞାନ ରୂପେ ବିଚାର କରାଯିବା ପରିବର୍ତ୍ତେ ତାହା ପ୍ରତି ସଂଶୟ ଆରୋପ କରାଯାଉଛି । ଏପରି ଭାବରେ ବସ୍ତୁନିଷ୍ଠତା ବନାମ ବ୍ୟକ୍ତିନିଷ୍ଠତାକୁ କେନ୍ଦ୍ର କରି ଜ୍ଞାନ ଜଗତରେ ବିଭାଜନ ସୃଷ୍ଟି ହେଉଛି ଏବଂ ବାସ୍ତବତାକୁ ଠାବ କରିବା ଦିଗରେ ଏହି ବିଭାଜନ ଏକ ପ୍ରହେଳିକା ତୁଲ୍ୟ ସମସ୍ୟାର ସୂତ୍ରପାତ ଘଟାଉଛି । ଆମେ ଉଭୟବିଧ ଆଭିମୁଖ୍ୟ ମଧ୍ୟରେ ସୀମାରେଖାଟିକୁ ସୁନିର୍ଦ୍ଧାରିତ କରିବାପାଇଁ ଅଧିକରୁ ଅଧିକ ଯତ୍ନବାନ୍ ହେବାଦ୍ୱାରା ସୀମାନ୍ତ ଅଂଚଳଟି ସୁସ୍ପଷ୍ଟ ହେବା ପରିବର୍ତ୍ତେ ଅଧିକରୁ ଅଧିକ ଝାପ୍‍ସା ହୋଇଯାଉଛି ।

 

ମନେ କରାଯାଉ ଯେ, ଜଣେ ବ୍ୟକ୍ତି କୌଣସି ମନୋରମ ଚିତ୍ରକଳା ପର୍ଯ୍ୟବେକ୍ଷଣ କରୁଛନ୍ତି । ଚିତ୍ରକଳାଟି ତାଙ୍କ ଦର୍ଶନେନ୍ଦ୍ରିୟକୁ ପ୍ରଭାବିତ କରିବା ଫଳରେ ସେ ବସ୍ତୁନିଷ୍ଠ ଅନୁଭୂତି ଅର୍ଜନ କରୁଛନ୍ତି । ମାତ୍ର ଏହାକୁ ସେ କିପରି ଭାବରେ ପସନ୍ଦ କରୁଛନ୍ତି ଏବଂ ତୁଳନାତ୍ମକ ପରିପ୍ରେକ୍ଷୀରେ ସେ କିପରି ଏହାର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରୁଛନ୍ତି ତାହା ତାଙ୍କ ବ୍ୟକ୍ତିନିଷ୍ଠ ଅନୁଭୂତି ଉପରେ ନିର୍ଭରଶୀଳ ହୋଇଛି । ପର୍ଯ୍ୟବେକ୍ଷଣ ନେବା ବେଳେ ଜଣେ ଦର୍ଶକଙ୍କର ଏ ପ୍ରକାର ବସ୍ତୁନିଷ୍ଠ ଓ ବ୍ୟକ୍ତିନିଷ୍ଠ ଅନୁଭୂତିର ସ୍ୱାତନ୍ତ୍ର୍ୟ ସଂପର୍କୀୟ ଆମେ ନିଜ ଅଭିଜ୍ଞତାରୁ ସମ୍ୟକ୍ ଧାରଣା ପାଇପାରୁଛୁ । ଠିକ୍ ସେହିପରି ଜଣେ ବୈଜ୍ଞାନିକ କୌଣସି ପ୍ରାକୃତିକ ଦୃଶ୍ୟ ସଂପର୍କରେ ପର୍ଯ୍ୟବେକ୍ଷଣ ନେବାବେଳେ ଉଭୟବିଧ ଅନୁଭୂତି ତାଙ୍କୁ ପ୍ରଭାବିତ କରେ । ଦୃଶ୍ୟ ସଂପର୍କୀୟରେ ତାଙ୍କ ବସ୍ତୁନିଷ୍ଠ ଅନୁଭୂତି ନିଶ୍ଚିତଭାବରେ ତାଙ୍କ ବ୍ୟକ୍ତିନିଷ୍ଠ ଅନୁଭୂତି ଦ୍ୱାରା ପ୍ରଭାବିତ ହୁଏ । ଜଣେ ବୈଜ୍ଞାନିକ କାହିଁକି କୌଣସି ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ବା ଘଟଣାଦ୍ୱାରା ଆକୃଷ୍ଟ ହେଲେ ? କ’ଣ ପାଇଁ ଏହା ତାଙ୍କ ମାନସପଟରେ ଆଲୋଡ଼ନ ସୃଷ୍ଟିକଲା ? ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ସଂପର୍କରେ ଗବେଷଣା ଚଳାଇବାର ସଂଭାବନା ଥିଲେ ମଧ୍ୟ ସେ କାହିଁକି ଏକ ନିର୍ଦ୍ଦିଷ୍ଟ ଘଟଣା ବା ଦୃଶ୍ୟଦ୍ୱାରା ଆକୃଷ୍ଟ ହୋଇ ତାହାକୁ ଗବେଷଣାର ବିଷୟବସ୍ତୁ ରୂପେ ଆଦରିନେଲେ ? ସେ ଯେଉଁ ପ୍ରକାର ଅଭିକ୍ରିୟା ସଂପାଦନ କରି ନିଜ ମାନସପଟରେ ଉଙ୍କି ମାରୁଥିବା ପ୍ରକଳ୍ପଟିକୁ ସତ୍ୟାପିତ କରିବାକୁ ଚାହୁଁଛନ୍ତି, ତାହା ତାଙ୍କ ଅଜଣାତରେ କୌଣସି ପ୍ରାକ୍‍ନିର୍ଦ୍ଧାରିତ ବ୍ୟକ୍ତିନିଷ୍ଠ ଧାରଣାଦ୍ୱାରା ପ୍ରଭାବିତ ହୋଇଛି କି ?

 

ତାହାହେଲେ ବସ୍ତୁନିଷ୍ଠତା ଓ ବ୍ୟକ୍ତିନିଷ୍ଠତାକୁ କେନ୍ଦ୍ର କରି କେଉଁଠାରେ ବ୍ୟବଧାନ ବା ଫାଟ ସୃଷ୍ଟି ହେଉଛି ? ମୋ’ ବିଚାର ଅନୁଯାୟୀ ମାପ ନେବାବେଳେ ବା ବିଶ୍ଳେଷଣ ଚଳାଇବା ବେଳେ ଏହାର ସୂତ୍ରପାତ ଘଟୁଛି । ପୂର୍ବରୁ ଆମେ ଗୋଟିଏ ଚିତ୍ରକଳାର ମୂଲ୍ୟାୟନ ସଂପର୍କରେ ଆଲୋଚନା କରିଛୁ । ଚିତ୍ରଟିର ସାମଗ୍ରିକ ରୂପକୁ ଚାହିଁ ଆମେ ତା’ର ମୂଲ୍ୟାୟନ କରୁ । ତାହାର ପ୍ରତ୍ୟେକ ଅଂଶବିଶେଷକୁ ପୃଥକଭାବରେ ପର୍ଯ୍ୟବେକ୍ଷଣ କରିବାଦ୍ୱାରା ତାହାକୁ ପସନ୍ଦ କରିବା ସଂଭବ ହୁଏ ନାହିଁ । ଆମେ ଯେତେ ଅଧିକ ଭାବରେ ଚିତ୍ରକଳାର ସାମଗ୍ରିକ ରୂପ ପରିବର୍ତ୍ତେ ତାହାର ନିର୍ଦ୍ଦିଷ୍ଟ ଅଂଶବିଶେଷଗୁଡ଼ିକୁ ବିଶ୍ଳେଷଣାତ୍ମକ ଦୃଷ୍ଟିରୁ ବିଚାର କରିବା, ତତ୍ତୁଲ୍ୟ ପରିମାଣରେ ଆମେ ଚିତ୍ରଟିକୁ ପସନ୍ଦ କରିବାକୁ ଅସମର୍ଥ ହେବା । ବିଶ୍ଳେଷଣାତ୍ମ ଦୃଷ୍ଟିକୋଣ ଅବଲମ୍ୱନରେ ଚିତ୍ରକଳାରେ ବ୍ୟବହୃତ ଟେକ୍ନିକ୍ ସମ୍ୱନ୍ଧରେ ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ କରାଯାଇପାରେ; ମାତ୍ର ଏତଦ୍ଦ୍ୱାରା ଚିତ୍ରକଳାର କଳାନୈପୁଣ୍ୟକୁ ଆମେ ଉପଭୋଗ କରି ପାରିବା ନାହିଁ ବା ଗୁଣାତ୍ମକ ଦୃଷ୍ଟିରୁ ତାହାର ମୂଲ୍ୟୟନ କରିପାରିବା ନାହିଁ ଚିତ୍ରକାରଙ୍କ କଳାନୈପୁଣ୍ୟକୁ ପସନ୍ଦ କରିବାପାଇଁ ଆମେ ବ୍ୟକ୍ତିନିଷ୍ଠ ଦୃଷ୍ଟିରୁ ନିଶ୍ଚୟ ତାହାର ସଂପୂର୍ଣ୍ଣ ଅବୟବ ପ୍ରତି ଦୃଷ୍ଟିପାତ କରିବା । ଏପରି ଭାବରେ ମୂଲ୍ୟାୟନ କରିବା, ପସନ୍ଦ କରିବା, ଉପଭୋଗ କରିବା, ଗୁଣାତ୍ମକ ମାନ ନିର୍ଣ୍ଣୟ କରିବା ଭଳି ବ୍ୟାପାରଗୁଡ଼ିକ ସଂପର୍କରେ ବିଚାର କରିବା ବେଳେ ବ୍ୟକ୍ତିନିଷ୍ଠତା ବନାମ ବସ୍ତୁନିଷ୍ଠତା ମଧ୍ୟରେ ଥିବା ଫାଟ ସମ୍ୱନ୍ଧରେ ସମ୍ୟକ୍ ଧାରଣା ମିଳୁଛି । ସବୁ ପ୍ରକାର ବୈଜ୍ଞାନିକ ଅଧ୍ୟୟନ ବା ଅନୁଶୀଳନ କ୍ଷେତ୍ରରେ ଏପରି ସମସ୍ୟା ଉପୁଜୁଛି । ଗୋଟିଏ ନକ୍ଷତ୍ର ବା ଗୋଟିଏ କୀଟ ବା ଗୋଟିଏ ବୃକ୍ଷର ସାମଗ୍ରିକ ରୂପ ହିଁ ଆମ୍ଭମାନଙ୍କୁ ତାହାର ସ୍ୱାତନ୍ତ୍ର୍ୟ ସଂପର୍କରେ ଅବଧାରିତ କରେ । ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକର ସଂପୂର୍ଣ୍ଣ ଅବୟବକୁ ପର୍ଯ୍ୟବେକ୍ଷଣ କରିବାଦ୍ୱାରା ଆମେ ଗଛଟିକୁ, କୀଟଟିକୁ ବା ନକ୍ଷତ୍ରଟିକୁ ଗୋଟିଏ ସଂପୂର୍ଣ୍ଣ ସଂସ୍ଥିତି ଭାବରେ ବିଚାର କରିପାରୁ । ମାତ୍ର ଯଦି ନକ୍ଷତ୍ରର ଚୁମ୍ୱକୀୟ କ୍ଷେତ୍ର ସମ୍ୱନ୍ଧରେ, ତାହାର ଆଭ୍ୟନ୍ତରୀଣ ନିଉକ୍ଳିଆର୍ ଦହନ ସଂପର୍କରେ, ତତ୍‍ନିଃର୍ସୃତ ମହାଜାଗତିକ ରଶ୍ମି ସମ୍ୱନ୍ଧରେ ପୃଥକ ପୃଥକ ଭାବରେ ଜାଣିବାପାଇଁ ଆମେ ବିଶ୍ଳେଷଣାତ୍ମକ ଅଧ୍ୟୟନ ଚଳାଇବା, ତାହାହେଲେ ନକ୍ଷତ୍ରଟିର ପୂର୍ଣ୍ଣାଙ୍ଗ ସଂସ୍ଥିତି ଆଧାରିତ ସ୍ୱାତନ୍ତ୍ର୍ୟ ସଂପର୍କରେ ସଚେତନ ହେବାର ଅବକାଶ ରହିବ କି ?

 

ଗୋଟିଏ ସଂସ୍ଥିତିକୁ ପୂର୍ଣ୍ଣାଙ୍ଗ ଭାବରେ ଦେଖିବା ପରିବର୍ତ୍ତେ ତାହାର ଅଙ୍ଗବିଶେଷକୁ ପୃଥକ୍ ପୃଥକ୍ କରିଦେବା ଫଳରେ ଉଲ୍ଲିଖିତ ସମସ୍ୟା ସୃଷ୍ଟି ହେଉଛି । ଆମେ ଯଦି ଆହୁରି ସୁଗଭୀର ଦୃଷ୍ଟିକୋଣରୁ ବିଶ୍ଳେଷଣାତ୍ମକ ଅଧ୍ୟୟନରେ ମନୋନିବେଶ କରିବାପାଇଁ ଅନୁପାରମାଣବିକ (subatomic) ସ୍ତରୀୟ ଅନୁସନ୍ଧାନ ଚଳାଇବା, ତାହାହେଲେ ଆମେ ଜାଣିପାରିବା ନାହିଁ ଯେ, ଆମେ ଗୋଟିଏ କଣିକା ଦେଖୁଛୁ କି ଗୋଟିଏ ତରଙ୍ଗ ଦେଖୁଛୁ । ବିଶ୍ଳେଷଣାତ୍ମକ ଅଧ୍ୟୟନ ଏହି ସୁଗଭୀର ସ୍ତରରେ ଆମେ କେବଳ ସମ୍ଭାବ୍ୟତା ତରଙ୍ଗର (probability waves) ସମ୍ମୁଖୀନ ହେବା । ଅଣୁ ପରମାଣୁଦ୍ୱାରା ଗଠିତ କୀଟଟି ଆମ ଚତୁଃପାର୍ଶ୍ୱରେ ଉଡ଼ୁଥିଲେ ମଧ୍ୟ ଆମେ ତାହାର ଶରୀରକୁ ଗଠନ କରିଥିବା ପରମାଣୁମାନଙ୍କର ଉପାଦାନ ସମ୍ପର୍କରେ ଜାଣିବାପାଇଁ ଅନୁପାରମାଣବିକ ଅଧ୍ୟୟନ ଚଳାଇବାବେଳେ ତାହାର ସମ୍ପୂର୍ଣ୍ଣ ସଂସ୍ଥିତିର ସ୍ୱତନ୍ତ୍ର୍ୟକୁ ପସନ୍ଦ କରିପାରିବା ନାହିଁ । ଠିକ୍ ଯେପରି ଚିତ୍ରଟିକୁ ପ୍ରସ୍ତୁତ କରିବାପାଇଁ ସେଥିରେ ଲେପି ଦିଆଯାଇଥିବା ରଙ୍ଗ ଦାନାଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବାବେଳେ ଆମେ ତାହାର କଳାତ୍ମକ ସୌନ୍ଦର୍ଯ୍ୟାନୁଭୂତିକୁ ଉପେକ୍ଷା କରିବା, କୀଟର ଅନୁପାରମାଣବିକ ବିନ୍ୟାସ ସମ୍ୱନ୍ଧରେ ମନୋନିବେଶ କରିବାଦ୍ୱାରା ଆମେ ତାହାର ପୂର୍ଣ୍ଣାଙ୍ଗ ସଂସ୍ଥିତି ଆଧାରିତ ବିଚାରବୋଧ ସମ୍ପର୍କରେ ଅବଗତ ହୋଇପାରିବା ନାହିଁ । ଏଣୁ ଆମେ ବୁଝିପାରୁଛୁ ଯେ, କୌଣସି ଗୋଟିଏ ବସ୍ତୁ ବା ଦୃଶ୍ୟକୁ ମୂଲ୍ୟାୟନ କରିବାପାଇଁ ବା ତାହାକୁ ପସନ୍ଦ କରିବାପାଇଁ କିମ୍ୱା ତାହାର ଚାରିତ୍ରିକ ବୈଶିଷ୍ଟ୍ୟ ସମ୍ପର୍କରେ ଜାଣିବାପାଇଁ ତାହାର ପୂର୍ଣ୍ଣାଙ୍ଗ ଅବୟବ ସମ୍ୱନ୍ଧରେ ଜ୍ଞାନ ଅର୍ଜନ କରିବା ଆବଶ୍ୟକ ହେଉଛି । ପର୍ଯ୍ୟବେକ୍ଷଣ ନିଆଯାଉଥିବା ବସ୍ତୁ କିମ୍ୱା ପର୍ଯ୍ୟବେକ୍ଷକ ମୂଲ୍ୟାୟନର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁନାହାନ୍ତି । ପର୍ଯ୍ୟବେକ୍ଷଣ ପ୍ରକ୍ରିୟା (process of perception) ହିଁ ଏହାକୁ ନିର୍ଦ୍ଧାରିତ କରୁଛି । କୌଣସି ବସ୍ତୁ ବା ଘଟଣା ବା ଦୃଶ୍ୟର ସ୍ୱାତନ୍ତ୍ର୍ୟ ତାହାର ପୂର୍ଣ୍ଣାଙ୍ଗ ସଂସ୍ଥିତିଦ୍ୱାରା ଅଭିବ୍ୟକ୍ତ ହେବାର ଅବକାଶ ରହିଛି ଏବଂ ମନୁଷ୍ୟରୂପୀ ବିଚାରବୋଧସମ୍ପନ୍ନ ପ୍ରାଣୀ ତାହାର ପୂର୍ଣ୍ଣାଙ୍ଗ ସଂସ୍ଥିତି ସମ୍ୱନ୍ଧରେ ସଚେତନ ହେବାଦ୍ୱାରା ହିଁ ତାହାର ମୂଲ୍ୟାୟନ କରିପାରୁଛି । ମୂଲ୍ୟବୋଧ ନିର୍ଣ୍ଣୟ କରିବା ବା ପସନ୍ଦ କରିବା ହେଉଛି ସମଗ୍ର ଜୀବଜଗତ ମଧ୍ୟରେ ମନୁଷ୍ୟରୂପୀ ବିଚାରବୋଧସମ୍ପନ୍ନ ପ୍ରାଣୀର ଅନନ୍ୟସାଧାରଣ ବୈଶିଷ୍ଟ୍ୟ । ଏହା ଏକ ଅନ୍ତର୍ନିହିତ ବିଭବ । ମନୁଷ୍ୟ ଉପଯୁକ୍ତ କର୍ମାଭିମୁଖ୍ୟ ତଥା ପର୍ଯ୍ୟବେକ୍ଷଣ ପ୍ରକ୍ରିୟା ଅବଲମ୍ୱନରେ କୌଣସି ଏକ ସଂସ୍ଥିତିର ପୂର୍ଣ୍ଣାଙ୍ଗ ଅବୟବଟିକୁ ଚିହ୍ନଟ କରିବାଦ୍ୱାରା ତାହାକୁ ପସନ୍ଦ କରିପାରୁଛି ଏବଂ ଏତଦ୍ଦ୍ୱାରା ସେ ମନୁଷ୍ୟ ପଦବାଚ୍ୟ ଜୀବନଯାପନ କରୁଛି । ମୂଲ୍ୟାୟନ ହିଁ ମାନବିକତାବୋଧର (Being Human) ପରିଚାୟକ ହୋଇଛି ।

 

ପଦାର୍ଥ ବିଜ୍ଞାନ ଓ ରସାୟନଶସ୍ତ୍ର ଭଳି ଭୌତିକ ବିଜ୍ଞାନର ଭିତ୍ତିଭୂମି ଗୁଣାତ୍ମକ ବିଚାର ପରିବର୍ତ୍ତେ ମୁଖ୍ୟତଃ ସଂଖ୍ୟାତ୍ମକ ମାପ ନିର୍ଭରଶୀଳ ହୋଇଛି । ମାପ ନେବା ବିନା ଏପରି କ୍ଷେତ୍ରରେ ଗବେଷଣା ଚଳାଇବା ବା ଗବେଷଣାରେ ସାଫଲ୍ୟମଣ୍ଡିତ ହେବା ସମ୍ଭବ ହେଉନାହିଁ । ଭୌତିକ ବିଜ୍ଞାନ କ୍ଷେତ୍ରରେ ମାପ, ସଂଖ୍ୟା ଓ ବିଶ୍ଳେଷଣ ପ୍ରତି ଯେତେ ଯେତେ ଅଧିକ ଗୁରୁତ୍ୱ ଆରୋପ କରାଯାଉଛି ଏବଂ ଏହା ସମକାଳୀନ ଭାବରେ ଗୁଣ, ମୂଲ୍ୟବୋଧ ଓ ଅନ୍ତର୍ନିହିତ ଧର୍ମଭିତ୍ତିକ ମନନଶୀଳତାଠାରୁ ଦୂରେଇଯାଉଛି, ତତୁଲ୍ୟ ପରିମାଣରେ ଏହା ମାନବିକତାବୋଧଠାରୁ ସମ୍ପର୍କ ଛିନ୍ନ କରୁଛି । ଏତଦ୍ଦ୍ୱାରା ବିଜ୍ଞାନ ବଳରେ ମନୁଷ୍ୟର ଚେତନାର ଯଥାର୍ଥ ଉତ୍ତରଣ ଘଟିବାପାଇଁ କିମ୍ୱା ବିଜ୍ଞାନର ଜନକଲ୍ୟାଣକାମୀ ଉପଯୋଗ ଘଟାଇବାପାଇଁ ବୌଦ୍ଧିକ ପରିବେଶ ପ୍ରତିକୂଳ ହେଉଛି । ଜଣେ ସଙ୍ଗୀତଜ୍ଞଙ୍କଦ୍ୱାରା ସଂଯୋଜିତ ସଙ୍ଗୀତର ମୂର୍ଚ୍ଛନାକୁ ସୁଗ୍ରାହୀ ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ବିଶ୍ଳେଷଣ କରାଯାଇପାରେ । ସୃଷ୍ଟି ହେଉଥିବା ଶ୍ରୁତିମଧୁର ତଥା ଜଟିଳ ସ୍ୱରକୁ ପୃଥକ୍ ପୃଥକ୍ ଭାବରେ ବିଶ୍ଳେଷଣ କରାଯିବା ଫଳରେ ତାହାକୁ ଗଠନ କରିଥିବା ପୃଥକ୍ ପୃଥକ୍ ସ୍ୱରର ଭୌତିକ ପ୍ରକୃତି ସମ୍ପର୍କରେ ପ୍ରାମାଣିକ ତଥ୍ୟ ସଂଗ୍ରହ କରିବା ସମ୍ଭବ ହୋଇପାରେ । ମାତ୍ର ସଙ୍ଗୀତର ମୂର୍ଚ୍ଛନାକୁ ଜନୈକ ବିଦଗ୍ଧ ଶ୍ରୋତା କିପରି ଭାବରେ ଉପଭୋଗ କରୁଛନ୍ତି କିମ୍ୱା ଏହା ତାଙ୍କ ମାନସପଟରେ କେଉଁପ୍ରକାର ଭାବବିହ୍ୱଳତା ସୃଷ୍ଟି କରୁଛି, କୌଣସି ମାପ ଅବଲମ୍ୱନରେ ତାହାର ମୂଲ୍ୟାୟନ କରାଯିବା ସମ୍ଭବ ହେବ କି ? ଏପରିକି ଶ୍ରୋତାଙ୍କ ମସ୍ତିଷ୍କରେ ଭାବାବେଗଯୋଗୁଁ ସୃଷ୍ଟି ହେଉଥିବା ତରଙ୍ଗମାଳାକୁ (brain waves) ବିଶ୍ଳେଷଣ କଲେ ମଧ୍ୟ ତାଙ୍କ ଭାବରାଜ୍ୟରେ କେଉଁପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଛି, ତତ୍‍ସମ୍ପର୍କୀୟ କୌଣସି ସୂଚନା ମିଳେନାହିଁ । ଏହି ଉଦାହରଣଟିରୁ ଆମେ ବୁଜିପାରୁଛୁ ଯେ, ବିଶ୍ଳେଷଣାତ୍ମକ ମନୋବୃତ୍ତି ବିନିମୟରେ ବିଭିନ୍ନ ମାପ ନେବାଦ୍ୱାରା ଆମେ ସଙ୍ଗୀତର ଗୁଣାତ୍ମକମାନ ସମ୍ପର୍କରେ କୌଣସି ଧାରଣା ପାଇପାରିବା ନାହିଁ । ମାତ୍ର ଏହି ଗୁଣାତ୍ମକମାନ ହିଁ କେବଳ ମନୁଷ୍ୟର ମନୁଷ୍ୟତା ବା ମାନବିକତାବୋଧସହ ସମ୍ପର୍କିତ ହୋଇଛି । ଏହା ମନୁଷ୍ୟକୁ ତା’ର ଚାରିତ୍ରିକ ବୈଶିଷ୍ଟ୍ୟ ସମ୍ପର୍କରେ ସଚେତନ କରାଉଛି । ନିଜ ସଭ୍ୟତା ଓ ସଂସ୍କୃତିର ବିକାଶ ଘଟାଇ ସୁଖଶାନ୍ତିମୟ ପରିବେଶରେ ଜୀବନଯାପନ କରିବାପାଇଁ ଏହା ମନୁଷ୍ୟକୁ ନିଜ ଅନ୍ତର୍ନିହିତ ପ୍ରତିଭାର ସଦୁପଯୋଗ କରିବାକୁ ପ୍ରେରଣା ଯୋଗାଉଛି । ଏଣୁ ଭବିଷ୍ୟତରେ ସଙ୍ଗୀତର ଟେକ୍ନିକାଲମାନଙ୍କୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ନୂଆ ନୂଆ ଯନ୍ତ୍ର ବା ଉପକରଣ ପ୍ରସ୍ତୁତ କରିବାପାଇଁ କୌଣସି ସଙ୍ଗୀତର ସଂଖ୍ୟାତ୍ମକ ବିଶ୍ଳେଷଣ ସମ୍ପର୍କରେ ଅନୁସନ୍ଧାନ ଚଳାଇବାର ଆବଶ୍ୟକତା ଥିଲେ ମଧ୍ୟ ତାହାର ଗୁଣାତ୍ମକମାନ ସମ୍ୱନ୍ଧୀୟ ସଚେତନାକୁ ଉପେକ୍ଷା କରିବାଦ୍ୱାରା ଆମେ ସଙ୍ଗୀତ ଓ ମନୁଷ୍ୟ ମଧ୍ୟରେ ଥିବା ସମ୍ପର୍କଟିକୁ ଅବମାନନା କରୁଛୁ ।

 

ଗୁଣାତ୍ମକ ମାନକୁ ହତାଦର କରିବା ସଙ୍ଗେ ସଙ୍ଗେ ସଂଖ୍ୟାତ୍ମକ ମାନପ୍ରତି ଅଗ୍ରାଧିକାର ଆରୋପ କରାଯିବା ଫଳରେ, ଅର୍ଥାତ୍, ବୈଜ୍ଞାନିକ ପଦ୍ଧତି ପ୍ରତି ଏକ ଦିଗଦର୍ଶୀ ଗୁରୁତ୍ୱ ଆରୋପ କରାଯିବା ଫଳରେ, ମନୁଷ୍ୟ ବର୍ତ୍ତମାନ ବିପଦାପନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇଛି । ମାନବିକ ମୂଲ୍ୟବୋଧକୁ ଉପେକ୍ଷା କରି ବୈଜ୍ଞାନିକ ପଦ୍ଧତିର ଅନୁଗାମୀ ହେବାଦ୍ୱାରା ମନୁଷ୍ୟ ସମାଜର ଅପୂରଣୀୟ କ୍ଷତି ଘଟୁଛି । ସର୍ବବିଧ ବ୍ୟାପାରର ସମାଧାନ ଦିଗରେ ଆମେ ବିଶ୍ଳେଷଣାତ୍ମକ ବିଚାରପ୍ରତି ଆଗ୍ରହୀ ହେଉଛୁ; ସବୁକଥାରେ ମାପଚୁପ ଚାଲିଛି; ଲାଭକ୍ଷତିର ହିସାବ କରାଯାଉଛି, ଦରଦାମ ସ୍ଥିର ହେଉଛି; ମାତ୍ର ଯେଉଁ ମନୁଷ୍ୟପାଇଁ ଏହା ଉଦ୍ଦିଷ୍ଟ, ତାହାର ମାନସିକ, ବ୍ୟକ୍ତିଗତ ଓ ସାମାଜିକସ୍ଥିତି ଉପରେ ଏପରି କର୍ମପ୍ରବଣତାର ପ୍ରଭାବ ସମ୍ପର୍କରେ କୌଣସି ବିଚାର କରାଯାଉ ନାହିଁ । ନବ ଉଦ୍ଭାବିତ ଟେକ୍ନୋଲଜିଗୁଡ଼ିକୁ ଅତି ଶୀଘ୍ର ବ୍ୟାବହାରିକ କ୍ଷେତ୍ରରେ ତଥା ଉତ୍ପାଦନ ବ୍ୟାପାରରେ ବିନିଯୋଗ କରିବାକୁ ଆମେ ଲାଳାୟିତ ହେଉଛୁ । ଏହା ଏକ ଯୁଗ-ଫେଶନରେ ପରିଣତ ହୋଇଛି । କୌଣସି ଟେକ୍ନୋଲଜିର ସୁଦୂରପ୍ରସାରୀ ଉପଯୋଗ ସଂପର୍କରେ ଚିନ୍ତା କରାଯିବା ପୂର୍ବରୁ, ଦୀର୍ଘମିଆଦୀ ସୂତ୍ରରେ ପରିବେଶ ଓ ପରିସଂସ୍ଥା ଉପରେ ତାହାର ଇଷ୍ଟକାରୀ ବା ଅନିଷ୍ଟକାରୀ ପ୍ରଭାବ ସଂପର୍କରେ ଚିନ୍ତା କରାଯିବା ପୂର୍ବରୁ, ମନୁଷ୍ୟର ମାନସିକ, ବ୍ୟକ୍ତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିବେଶ ଉପରେ ତାହାର ପ୍ରଭାବ ସଂପର୍କରେ ଧୀରସ୍ଥିର ଭାବରେ ବହୁଶୃଙ୍ଖଳାଭିତ୍ତିକ ଅନୁସନ୍ଧାନ ଚଳାଇବା ପୂର୍ବରୁ ତାହାର ଆଶୁ ବ୍ୟାବହାରିକ ଉପଯୋଗ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମନୁଷ୍ୟ ସ୍ୱଇଚ୍ଛାରେ କୌଣସି ଟେକ୍ନୋଲଜିକୁ ଆପଣାର କରିବାପାଇଁ ଚିନ୍ତା କରିବା ପୂର୍ବରୁ ମନସ୍ତତ୍ତ୍ୱିକ କୌଶଳ ଅବଲମ୍ୱନରେ ତାହାର କ୍ରମବର୍ଦ୍ଧମାନ ଚାହିଦାକୁ ଆବର୍ଦ୍ଧିତ କରାଯାଉଛି । ସେ କୌଣସି ଅଭିନବ ଟେକ୍ନୋଲଜିକୁ ଯଥାଶୀଘ୍ର ନିଜ ସ୍ୱାର୍ଥ ସାଧନ ଦିଗରେ ନିୟୋଜିତ କରିବାକୁ ପ୍ରଲୁବ୍ଧ ହେଉଛି । ଉଦାହରଣ ସ୍ୱରୂପ, ସଂପ୍ରତି କମ୍ପୁଟରଗୁଡ଼ିକ ମନୁଷ୍ୟର ସର୍ବବିଧ କାର୍ଯ୍ୟ ସାଧନ ଦିଗରେ ନିୟୋଜିତ କରିବାପାଇଁ ବିପୁଳ ଆୟୋଜନ ଚାଲିଛି । ବିଭିନ୍ନ ପ୍ରକାର କମ୍ପ୍ୟୁଟର ଓ ରୋବଟ୍ ପ୍ରସ୍ତୁତ କରାଯାଉଛି । ଘରୋଇ କାରବାର, ଅଫିସ୍ ପରିଚାଳନା, କୃଷି, ଚିକିତ୍ସା, ପରିବହନ, ଯୋଗାଯୋଗ, ବୈଜ୍ଞାନିକ ଗବେଷଣା, ବ୍ୟବସାୟ ପରିଚାଳନା ଓ ଉତ୍ପାଦନ ବ୍ୟାପାରଗୁଡ଼ିକର ସୁପରିଚାଳନା ପାଇଁ ପ୍ରତ୍ୟେକ ପ୍ରତିଷ୍ଠାନରେ କୌଣସି ନା କୌଣସି ପ୍ରକାର କମ୍ପ୍ୟୁଟର ସ୍ଥାପନା କରିବା ଏକ ଯୁଗ ଫେଶନରେ ପରିଣତ ହୋଇଛି । ଯେଉଁ କ୍ଷେତ୍ରରେ ଯେଉଁମାନଙ୍କ ପାଇଁ କମ୍ପ୍ୟୁଟରର ଆବଶ୍ୟକତା ନାହିଁ ସେପରି କ୍ଷେତ୍ରମାନଙ୍କରେ ମଧ୍ୟ ଯୁଗ-ଫେଶନରେ ତାଡ଼ନାରେ କମ୍ପ୍ୟୁଟର ପ୍ରତିଷ୍ଠାପାଇଁ ଆୟୋଜନ ଚାଲିଛି । ଯେଉଁ କାର୍ଯ୍ୟକୁ ମନୁଷ୍ୟଦ୍ୱାରା ଦକ୍ଷତାର ସହ ସଂପାଦନ କରାଯାଇପାରିବ, ତାହାକୁ କେବଳ ଅପେକ୍ଷାକୃତ ଅଳ୍ପ ସମୟ ମଧ୍ୟରେ ସଂପାଦନ କରିବା ପାଇଁ କମ୍ପ୍ୟୁଟର ସ୍ଥାପନା କରାଯାଉଛି ଏବଂ ଏହି କମ୍ପ୍ୟୁଟର ସଂଶ୍ଳିଷ୍ଟ ପରିଚାଳନା, ମରାମତି ଓ ଅନ୍ୟାନ୍ୟ ଦାୟିତ୍ୱଗୁଡ଼ିକୁ ତୁଲାଇବା ପାଇଁ ଅଧିକରୁ ଅଧିକ ସଂଖ୍ୟକ ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରାଯାଉଛି । କମ୍ପ୍ୟୁଟର ପ୍ରତିଷ୍ଠା କରାଯିବାର ଯଥାର୍ଥତାକୁ ପ୍ରତିପାଦନ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ହୃଦୟଗ୍ରାହୀ ସ୍ପଷ୍ଟୀକରଣ ଦିଆଯାଉଛି । ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିଜ୍ଞାନୋନ୍ନତ ରାଷ୍ଟ୍ରମାନଙ୍କକରେ ୩୦ ବା ତତୋଧିକ ଚାନେଲ୍ ବିଶିଷ୍ଟ କେବଲ ଟେଲିଭିଜନ ପ୍ରତିଷ୍ଠାପାଇଁ ଆୟୋଜନ ଚାଲିଛି । ମାତ୍ର ଏତେଗୁଡ଼ିଏ ଚ୍ୟାନେଲ୍‍ଯୁକ୍ତ ତଥା ବହୁବ୍ୟୟସାପେକ୍ଷ ଅବସ୍ଥାପନାର କୌଣସି ଚାହିଦା ଅଛି କି ? କେବଳ ନବ ଉଭାବିତ ଟେକ୍ନୋଲଜିଗୁଡ଼ିକ ଜରିଆରେ ନିଜ ନିଜର ବଡ଼ିମା ପ୍ରଦର୍ଶନପାଇଁ ଏ ପ୍ରକାର ଯେଉଁ ବିପୁଳ ଆୟୋଜନ ଚାଲିଛି, ତଜ୍ଜନିତ ମନୁଷ୍ୟର ଜୀବନ କ’ଣ ପ୍ରକୃତରେ ସୁଖଶାନ୍ତିମୟ ହୋଇ ପାରୁଛି ? ବିଜ୍ଞାନ ନିର୍ଭରଶୀଳ ଟେକ୍ନୋଲଜିଗୁଡ଼ିକର କରାମତି ବଳରେ ମନୁଷ୍ୟ ବିଚକ୍ଷଣ ଭାବରେ ନିଜ ଶକ୍ତିର ଆବର୍ଦ୍ଧନ ଘଟାଇଥିଲେ ମଧ୍ୟ ଧରଣୀ ବକ୍ଷରେ ସୁଖଶାନ୍ତିପ୍ରଦ ସାମାଜିକ ଜୀବନ ଯାପନ କରିବା ସଂଭବ ହୋଇଛି କି ? ପ୍ରଳୟଙ୍କରୀ ନିଉକ୍ଳିଆର୍ ମାରଣାସ୍ତ୍ରଗୁଡ଼ିକର ସଂଭାବ୍ୟ ବିନିଯୋଗ କାହିଁକି ମନୁଷ୍ୟକୁ ଆତଙ୍କଗ୍ରସ୍ତ ଜୀବନ ଯାପନ କରିବାକୁ ବାଧ୍ୟ କରୁଛି ? ପରିବେଶ ଓ ପରିସଂସ୍ଥାର ପ୍ରଦୂଷଣ କାହିଁକି ବସୁମାତା ଧରିତ୍ରୀର ସୀମିତ ଜୀବମଣ୍ଡଳର ସ୍ଥାୟିତ୍ୱକୁ ବିପଦାପନ୍ନ କରି ପକାଉଛି ?

 

ଆଧୁନିକ ଯୁଗର ମଣିଷ ବର୍ତ୍ତମାନ ଭାବ ବିନିମୟ କରିବାପାଇଁ ଯେଉଁ ଭାଷା ପ୍ରୟୋଗ କରୁଛି, ସେଥିରେ ବୃଦ୍ଧି, ଟେକ୍ନୋଲଜି, ପ୍ରଗତି, ଦକ୍ଷତା ଓ ପ୍ରତିଯୋଗିତା ଭଳି ଶବ୍ଦଗୁଡ଼ିକୁ ବହୁଳ ଭାବରେ ବ୍ୟବହାର କରାଯାଉଛି । ଆଜିର ଶିଳ୍ପାନୁଷ୍ଠାନଗୁଡ଼ିକ ତୁମୂଳ ପ୍ରତିଯୋଗିତାମୂଳକ ବାତାବରଣକୁ ତେଜାଇ ରଖିବାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ‘ଦିନକୁ ୨୦୦ଟି ମଟରଗାଡ଼ି ଉତ୍ପାଦନ କରିବା ଭଲ ହେବ କି ନାହିଁ ?’ ଏପରି ପ୍ରଶ୍ନ ପଚାରିବା ଅର୍ଥହୀନ ବୋଧ ହେଉଛି । ଅନ୍ୟ କୌଣସି ଶିଳ୍ପାନୁଷ୍ଠାନ ଯଦି ଦିନକୁ ୨୦୦ଟି ମଟରଗାଡ଼ି ଉତ୍ପାଦନ କରୁଛି, ତାହାହେଲେ ଉତ୍ପାଦନର ହାରକୁ ଦିନପିଚ୍ଛା ୨୫୦ ପର୍ଯ୍ୟନ୍ତ ବଢ଼ାଇ ଦେବା ହିଁ କର୍ମାଭିମୁଖ୍ୟ ରୂପେ ବିବେଚିତ ହେଉଛି । ଜାଳେଣି ସମସ୍ୟା, ରାସ୍ତାଘାଟ ଉନ୍ନୟନ, ଟ୍ରାଫିକ୍ ନିୟନ୍ତ୍ରଣ, ପରିବେଶୀୟ ପ୍ରଦୂଷଣ ପ୍ରଭୃତି ଆନୁଷଙ୍ଗିକ ବିଷୟଗୁଡ଼ିକୁ ବିଚାରକୁ ନେଇ ଏ ଦିଗରେ ସର୍ବସାଧାରଣଙ୍କ ହିତ ସାଧିତ ହେବା ଭଳି କୌଣସି ପଦକ୍ଷେପ ଗ୍ରହଣ କରାଯିବାର ପରିସ୍ଥିତି ଆଉ ନାହିଁ । ମାତ୍ର ଅନୁନ୍ନତ, ବିକାଳଶୀଳ ବା ଶିଳ୍ପୋନ୍ନତ ରାଷ୍ଟ୍ର ନିର୍ବିଶେଷରେ ସର୍ବତ୍ର ସବୁ କ୍ଷେତ୍ରରେ ଉତ୍ପାଦନରେ ଅଭିବୃଦ୍ଧି ଘଟାଇବା ପାଇଁ କର୍ମତତ୍ପର ହେବା ଦ୍ୱାରା ମନୁଷ୍ୟ କ’ଣ ମାନସିକ ପ୍ରଶାନ୍ତି ପାଇ ପାରୁଛି ? ମନୁଷ୍ୟର ମନୁଷ୍ୟ ପଦବାଚ୍ୟ ଜୀବନ ପରିପ୍ରେକ୍ଷୀରେ ଏତଦ୍ଦ୍ୱାରା କେଉଁ ପ୍ରକାର ମାନବିକ ମୂଲ୍ୟବୋଧର ପରିପ୍ରକାଶ ଘଟୁଛି ? ସାଂପ୍ରତିକ ଅନ୍ତଃରାଷ୍ଟ୍ରୀୟ ତଥା ଆନ୍ତଃରାଷ୍ଟ୍ରୀୟ ଘଟଣାପ୍ରବାହ ପରିପ୍ରେକ୍ଷୀରେ ଏପରି ପ୍ରଶ୍ନର ଉତ୍ତର ସନ୍ତୋଷପ୍ରଦ ହେବା ପରିବର୍ତ୍ତେ ନାସ୍ତିକସୂଚକ ବୋଧ ହେଉଛି ।

 

ପାରମ୍ପରିକ ସୂତ୍ରରେ ମନୁଷ୍ୟ ଜୀବେଦୟା, ପ୍ରେମ, ସହଯୋଗ ଓ ସମ୍ୱେଦନା ପ୍ରଭୃତି ଗୁଣଗୁଡ଼ିକୁ ମାନବିକ ମୂଲ୍ୟବୋଧ ରୂପେ ବିଚାର କରିଛି । ରାଷ୍ଟ୍ରାୟତ ଶିଳ୍ପାନୁଷ୍ଠାନ, ମଲ୍‍ଟିନାଶନାଲ୍ କର୍ପୋରେସନ ବା ବ୍ୟବସାୟିକ କମ୍ପାନୀଗୁଡ଼ିକ ଅର୍ଥନୈତିକ ଦୃଷ୍ଟିରୁ ଅଧିକରୁ ଅଧିକ ଲାଭବାନ୍ ହେଉଥିଲେ ମଧ୍ୟ ଏବଂ ଏଗୁଡ଼ିକର କର୍ମପରିସର ଅଧିକରୁ ଅଧିକ ବ୍ୟାପକ ହେବା ଫଳରେ ବଞ୍ଚି ରହିବାର ଚାହିଦା ପରିବର୍ତ୍ତେ ମନୁଷ୍ୟର କ୍ରମବର୍ଦ୍ଧମାନ କାମନାର ଅଭିବୃଦ୍ଧି ଘଟୁଥିଲେ ମଧ୍ୟ ସେ ବ୍ୟକ୍ତିଗତ ଭାବରେ ନିଜକୁ ନିଃସହାୟ ତଥା ନିଃସଙ୍ଗ ମଣୁଛି । ପରିବହନ ଓ ଯୋଗାଯୋଗର ସମୁନ୍ନତି ସାଧନ କରାଯିବା ଫଳରେ ଚତୁର୍ଦ୍ଦିଗରେ ଚିରଚଞ୍ଚଳ ପରିବେଶର ସର୍ଜନା ସମ୍ଭବ ହୋଇଥିଲେ ମଧ୍ୟ ତା’ର ହୃଦୟ ସ୍ଥାଣୁ ପାଲଟି ଯାଇଛି । ମନୁଷ୍ୟର ବ୍ୟକ୍ତିଗତ କାର୍ଯ୍ୟଦକ୍ଷତାକୁ ଯେପରି ଭାବରେ ମପାଯାଉଛି, ତଜ୍ଜନିତ ସେ ନିଜକୁ ତୁଚ୍ଛ ମନେ କରୁଛି । ଅବଶ୍ୟ, ମନୁଷ୍ୟର ଜୀବନ ଧାରଣର ମାନରେ କ୍ରମୋନ୍ନତି ଘଟୁଛି, ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାରଯୋଗ୍ୟ ଉପକରଣଗୁଡ଼ିକର ସଂଖ୍ୟାରେ ଅଭିବୃଦ୍ଧି ଘଟୁଛି, ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ ନୂଆ ନୂଆ ବିଜ୍ଞାନସମ୍ନତ ପନ୍ଥା ଅନୁସୃତ ହେଉଛି; ମାତ୍ର କୌଣସିଠାରେ ମନୁଷ୍ୟ ନିଜ ଅନ୍ତର୍ନିହିତ ପ୍ରତିଭାର ସୁସଂଯତ ବିକାଶ ତଥା ପରିପୂର୍ଣ୍ଣ ଉପଯୋଗ କରିବା ପୂର୍ବକ ସୁଖ ଶାନ୍ତିରେ ଜୀବନ ଯାପନ କରିବା ଭଳି ପରିବେଶ ସୃଷ୍ଟି ହୋଇ ନାହିଁ ।

 

ବସ୍ତୁବାଦୀ ଦୁନିଆଁରେ ବର୍ତ୍ତମାନ ଏପରି ଯେଉଁ ବିଲକ୍ଷଣଗୁଡ଼ିକ ପ୍ରତିଭାତ ହେଉଛି, ସେଥିପାଇଁ ବୈଜ୍ଞାନିକ ପଦ୍ଧତି ପ୍ରତି ଏକାନ୍ତ ଆନୁଗତ୍ୟ ପ୍ରଦର୍ଶନ ହି ଦାୟୀ । ଭୌତିକ ବିଜ୍ଞାନ ଓ ଅଧିଭୌତିକ ବିଜ୍ଞାନକୁ କେନ୍ଦ୍ର କରି ଉପୁଜିଥିବା ଏପରି ଗୁରୁତର ସମସ୍ୟାର ସମାଧାନପାଇଁ ମାନବିକ ମୂଲ୍ୟବୋଧ (human values) କୁ ହିଁ ମାପକାଠି ରୂପେ ବ୍ୟବହାର କରାଯିବା ବାଞ୍ଛନୀୟ । ଆମେ ଯେଉଁ ବିଷୟରେ ଯେପରି ଭାବରେ ଜ୍ଞାନ ଅର୍ଜନ କରୁଛୁ, ତାହା ମାନବିକତାବୋଧ ସହିତ ଓତଃପ୍ରୋତଃ ଭାବରେ ଜଡ଼ିତ ହେବାଦ୍ୱାରା ମନୁଷ୍ୟ ବା ଜୀବ ଜଗତର କ୍ଷତି ଘଟିବା ଭଳି ପରିସ୍ଥିତି ଉପୁଜିବ ନାହିଁ । ଏତଦ୍ଦ୍ୱାରା ବିଜ୍ଞାନର ଗୁରୁତ୍ୱ କମାଇ ଦିଆଯିବାର ଅପଚେଷ୍ଟା କରାଯାଉ ନାହିଁ । ବିଜ୍ଞାନ ମନୁଷ୍ୟର ସୃଷ୍ଟିଶୀଳ ପ୍ରତିଭାର ଅନ୍ୟତମ ପରିପ୍ରକାଶ ଭାବରେ ମନୁଷ୍ୟକୁ ସତ୍ୟର ସନ୍ଧାନ ଦେଇପାରୁଛି । ଏହି ସତ୍ୟକୁ ଟେକ୍ନୋଲଜି ଅବଲମ୍ୱନରେ ପ୍ରାୟୋଗିକ କ୍ଷେତ୍ରରେ ବିନିଯୋଗ କରାଯିବା ବେଳେ ମାନବିକତାବୋଧ ପ୍ରତି ପ୍ରାଥମିକ ଆନୁଗତ୍ୟ ପ୍ରଦର୍ଶନ କରାଯିବା ସଂଭବ ହୋଇପାରିଲେ ବିଜ୍ଞାନ ତଥା ତତ୍‍ନିର୍ଭରଶୀଳ ଟେକ୍ନୋଲଜି ମନୁଷ୍ୟର ଆୟତ୍ତାଧୀନ ହେବା ସଂଗେ ସଂଗେ ଦୀର୍ଘମିଆଦୀ ସୂତ୍ରରେ ମାନବ ଜାତିର ହିତ ସାଧନ କରିପାରିବ । ପ୍ରତିରକ୍ଷା କ୍ଷେତ୍ରରେ ନୂଆ ନୂଆ ତଥା ଅଧିକରୁ ଅଧିକ ଶକ୍ତିଶାଳୀ ମାରଣାସ୍ତ୍ର ପ୍ରସ୍ତୁତ କରାଯିବାର ଆତ୍ମସଂହାରୀ ବ୍ୟାପାର ଆପେ ଆପେ ବନ୍ଦ ହୋଇଯିବ । ଅନୁବଂଶିକ ଅଭିଯାନ୍ତ୍ରିକୀ (genetic engineering) ଜରିଆରେ ମନୁଷ୍ୟ ପାଇଁ ବିଭିନ୍ନ ଅତ୍ୟାବଶ୍ୟକୀୟ ଉପାଦାନ ଗୁଡ଼ିକୁ ଯୋଗାଇ ପାରିଲା ଭଳି ବ୍ୟାକ୍ଟେରିଆଗୁଡ଼ିକର ସୃଷ୍ଟି ଓ ବଂଶବୃଦ୍ଧି ପାଇଁ ଉଦ୍ୟମ କରାଯିବା ବେଳେ କୌଣସି ଅନିଷ୍ଟକାରୀ ବ୍ୟାକ୍ଟେରିଆ ବା ଭୂତାଣୁର ସଂକ୍ରମଣ ଯୋଗୁଁ ମନୁଷ୍ୟ ତଥା ଇତର ଜୀବ ଜଗତ କୌଣସି ଅଚିହ୍ନା ବ୍ୟାଧିଦ୍ୱାରା ସଂକ୍ରମିତ ହେବାର ଅବକାଶ ରହିବ ନାହିଁ ।

 

ବୈଜ୍ଞାନିକ ଓ ଅଧିବୈଜ୍ଞାନିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରତୀୟମାନ ବ୍ୟବଧାନଟି ମନୁଷ୍ୟର ସକଳ ବୌଦ୍ଧିକ କ୍ରିୟାଶୀଳତାର ଗୁଣାତ୍ମକ ମାନକୁ କେନ୍ଦ୍ର କରି ସୃଷ୍ଟି ହୋଇଛି । କୌଣସି ବୌଦ୍ଧିକ ଅବଦାନର ମାନବିକ ମୂଲ୍ୟବୋଧକୁ ଯେତେବେଳେ ଆମେ ହୃଦୟଙ୍ଗମ କରିପାରୁଛୁ, ସେହି ଅବଦାନଟି ଆମ ସହିତ ସଂଗତି ସଂପନ୍ନ ତଥା ଅର୍ଥସୂଚକ ସଂପର୍କ ପ୍ରତିଷ୍ଠା କରୁଥିବା ସଂପର୍କରେ ଆମେ ଯେତେବେଳେ ସଚେତନ ହେଉଛୁ, ସେତେବେଳେ ଏହା ମନୁଷ୍ୟର ବ୍ୟକ୍ତିନିଷ୍ଠ ଅନୁଭୂତିର ପରିଚାୟକ ରୂପେ ଉପଲବ୍ଧ ହେଉଛି । ମାତ୍ର ଯେତେବେଳେ ବୌଦ୍ଧିକ ଅବଦାନ ବିପରୀତଧର୍ମୀ ହେଉଛି, ଏହା ଯେତେବେଳେ ମନୁଷ୍ୟ ସହ ଆଦୌ ସଂପର୍କ ରକ୍ଷା ନକରି କେବଳ ବୈଜ୍ଞାନିକ ପଦ୍ଧତିର ପରଚାୟକ ରୂପେ ବିଶ୍ଳେଷଣ ଓ ମାପ ନେବାପାଇଁ ଉଦ୍ଦିଷ୍ଟ ହେଉଛି, ସେତେବେଳେ ମାନବିକ ମୂଲ୍ୟବୋଧଗୁଡ଼ିକୁ ଅସ୍ୱୀକାର କରାଯାଉଛି । ମାନବିକତାବୋଧ ସହ ଜଡ଼ିତ ହୋଇ ନଥିବା, ଅର୍ଥାତ୍, ମନୁଷ୍ୟ କେନ୍ଦ୍ରିକ ହୋଇ ନଥିବା, ଶେଷୋକ୍ତ କ୍ରିୟାଶୀଳତା ଉପରେ ମନୁଷ୍ୟର ନିୟନ୍ତ୍ରଣ ରହୁନାହିଁ । ଏଥିପାଇଁ ଆଧୁନିକ ଯୁଗର ମନୁଷ୍ୟ ନିଜେ ନିଜ ସୃଷ୍ଟିଶୀଳ ପ୍ରତିଭାପ୍ରସୂତ ଅବଦାନଗୁଡ଼ିକୁ ଅପରିଣାମଦର୍ଶୀ ମାର୍ଗରେ ନିଜର ପ୍ରଭୂତ କ୍ଷତି ସାଧନ ଦିଗରେ ନିୟୋଜିତ କରୁଛି । ନବ ଉଭାବିତ ବିଚକ୍ଷଣ ଟେକ୍ନୋଲଜିଗୁଡ଼ିକୁ ମନୁଷ୍ୟର ସାମୂହିତ ହିତ ସାଧନ ଦିଗରେ ନିୟୋଜିତ କରିବାପାଇଁ ସେ ଫଳପ୍ରଦ କର୍ତ୍ତୃତ୍ୱ ଜାହିର୍ କରିବାକୁ ଅସମର୍ଥ ହେଉଛି । ଜଣେ ମାନବବାଦୀ ବୁଦ୍ଧିଜୀବୀ ମାନବିକ ମୂଲ୍ୟବୋଧର ପ୍ରାଥମିକ ଗୁରୁତ୍ୱ ସଂପର୍କରେ ବୁଝାଇ ଦେବାକୁ ଯାଇ କହିଛନ୍ତି, “The facts of either the physical or the metaphysical area are of no interest to us except in so far as they are of value to humanity” ଅର୍ଥାତ୍, ମନୁଷ୍ୟ ପାଇଁ ମୂଲ୍ୟହୀନ ବୋଧ ହେଉଥିବା ଯେ କୌଣସି ବୈଜ୍ଞାନିକ ଅଥବା ଅଧିବୈଜ୍ଞାନିକ କ୍ରିୟାଶୀଳତା ସଂପର୍କରେ ଜାଣିବାପାଇଁ ଆମେ ଆଗ୍ରହୀ ହେବାର କୌଣସି କାରଣ ନାହିଁ ।

 

ପୃଥିବୀ ବକ୍ଷରେ ବ୍ୟକ୍ତି-ମାନସକୁ ତଥା ଗଣମାନସକୁ ଏବଂବିଧ ବିଚାରଧାରା ଦ୍ୱାରା ସଂତୃପ୍ତ କରାଯିବା ସଂଭବହେଲେ ମାନବିକତାବୋଧ ବିବର୍ଜିତ ବୈଜ୍ଞାନିକ କ୍ରିୟାଶୀଳତାର ପ୍ରସାର ଘଟିବ ନାହିଁ । ପ୍ରମାଣିକ ନ ହେବା ପର୍ଯ୍ୟନ୍ତ କୌଣସି ଘଟଣାକୁ ବିଶ୍ୱାସ ନ କରିବା ପରିବର୍ତ୍ତେ ମିଥ୍ୟା ପ୍ରତିପାଦିତ ହେବା ପର୍ଯ୍ୟନ୍ତ ଗୋଟିଏ ଘଟଣାକୁ ବିଶ୍ୱାସ କରିବା ଭଳି ମନୋଭାବ ଅଧିକରୁ ଅଧିକ ପରିମାଣରେ ସମାଜରେ ବଳବତ୍ତର ହୋଇପାରିଲେ ମାନବିକତାବୋଧର ପ୍ରାଥମିକ ଗୁରୁତ୍ୱ ସଂପର୍କରେ ଜନସାଧାରଣ ସଚେତନ ହୋଇପାରିବେ । କେବଳ ବସ୍ତୁନିଷ୍ଠତାର ଉପାସକମାନେ ଶେଷୋକ୍ତ ମନୋଭାବର ତୀବ୍ର ବିରୋଧ କରନ୍ତି; ମାତ୍ର ପୃଥିବୀର ଅଧିକାଂଶ ସାଧାରଣ ନାଗରିକ ଏପରି ମନୋଭାବ ପୋଷଣ କରି ଜୀବନ ଯାପନ କରୁଛନ୍ତି । ଏହାର ଯଥାର୍ଥତାକୁ ହୃଦୟଙ୍ଗମ କରିବା ସଂଗେ ସଂଗେ ବୈଜ୍ଞାନିକ ତଥା ଅଧିବୈଜ୍ଞାନିକ କ୍ରିୟାଶୀଳତା ନିର୍ବିଶେଷରେ ମାନବିକ ମୂଲ୍ୟବୋଧର ଗୁରୁତ୍ୱ ସଂପର୍କରେ ସଚେତନ ହୋଇପାରିଲେ ବିଜ୍ଞାନ ଓ ଅଧିବିଜ୍ଞାନ ମଧ୍ୟରେ କୌଣସି ଫାଟ ସୃଷ୍ଟି ହେବାର ଅବକାଶ ରହିବ ନାହିଁ । ସମକାଳୀନ ଭାବରେ ବସ୍ତୁନିଷ୍ଠତା ଓ ବ୍ୟକ୍ତିନିଷ୍ଠତା ପ୍ରତି ଯଥାର୍ଥ ଅନୁପାତିକ ଗୁରୁତ୍ୱ ଆରୋପ କରାଯିବା ଦ୍ୱାରା ଅର୍ଜିତ ଜ୍ଞାନ ବଳରେ ମନୁଷ୍ୟର ଚେତନାର ଉତ୍ତରଣ ଘଟିବ ଏବଂ ସେ ନିଜ ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବାପାଇଁ ସ୍ୱେଚ୍ଛାକୃତ ଭାବରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗଭର ହେବ ।

Image